ଆନନ୍ଦ ଭବନ
ଆନନ୍ଦ ଭବନ
ସହର ଭିତରେ ସୁନ୍ଦର ଘରଟିଏ କରିବା, ଆନନ୍ଦବାବୁଙ୍କ ଏକ ବଡ଼ ସ୍ୱପ୍ନ ଥିଲା l ସେ ସବୁବେଳେ ଭାବୁଥିଲେ,ଏମିତି ଗୋଟିଏ ଘର କରିବେ,ଯେଉଁଥିରେ ଚାରୋଟି କୋଠରୀ ଥିବ ଓ ସମସ୍ତ କୋଠରୀରେ ଗାଧୁଆ ଘର ଓ ପାଇଖାନା ସଂଲଗ୍ନ ଥିବ, ଉତ୍ତର ପୂର୍ବ ଦିଗରେ ଗୋଟିଏ ଛୋଟ ପୂଜାଘର,ଘରର ଚତୁଃପାର୍ଶ୍ଵରେ ବଗିଚା କରିବା ପାଇଁ ବିରାଟ ଜାଗା, ଇତ୍ୟାଦି l କିନ୍ତୁ ପୁଅ ଝିଅଙ୍କ ପାଠପଢା ଓ ବିବାହ ଭିତରେ ସେ ସ୍ୱପ୍ନ କେତେବେଳେ ଦବିଯାଇ, ତାଙ୍କ ଅବସର ନେବାର ସମୟ ଆସି ପହଞ୍ଚିଗଲା,ସେ ନିଜେ ବି ଜାଣି ପାରିଲେ ନାହିଁ l ଶେଷରେ ଈଶ୍ୱରଙ୍କ କୃପାରୁ ଅବସର ପୂର୍ବରୁ,ସହରଠାରୁ ବହୁତ ଦୂରରେ ତାଙ୍କର ପରିଚିତ ଜଣେ ବିଲ୍ଡରଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏକ ଦୁଇ ବଖୁରିଆ ଘର ତାଙ୍କୁ ଅପେକ୍ଷାକୃତ କମ ମୂଲ୍ୟରେ ମିଳିଗଲା l କିନ୍ତୁ ଘରଟି ତାଙ୍କର ସ୍ୱପ୍ନର ଘର ନଥିଲା l କାରଣ ସେଠାରେ ପୂଜାଘର ନଥିଲା,ଗୋଟିଏ ରୁମରେ ଆଟାଚଡ ବାଥରୁମ ଥିବାବେଳେ,ଅନ୍ୟ ବାଥରୁମ ଟି କମନ ୟୁଜ ପାଇଁ ଥିଲା l ସବୁଠାରୁ କଦର୍ଯ୍ୟ ତାଙ୍କ ରୋଷେଇ ଘର ଥିଲା,ଯେଉଁଠି ଜଣେ ପ୍ରବେଶ କଲେ,ଆଉ ଜଣେ ଚଳପ୍ରଚଳ କରିବାରେ ବହୁତ ଅସୁବିଧା ହେଉଥିଲା l ଫୁଲ ଫଳ ଗଛ ଲଗେଇବା ପାଇଁ ଯେତିକି ସ୍ଥାନ ଥିଲା,ତାହା ଥାଇ ନଥିଲା ପରି l କିନ୍ତୁ 'ନାହିଁ ମାମୁଁ ଠାରୁ କଣାମାମୁଁ ଭଲ' ଓ ରିଟାୟାର୍ଡ଼ ବେଳକୁ ମୁଣ୍ଡ ଉପରେ ଛାତ ଅଛି ମାନେ,ବହୁତ ବଡ଼ କଥା ଭାବି ସେ ନିଜକୁ ସାନ୍ତ୍ୱନା ଦେଲେ ସିନା,ତାଙ୍କ ମନରେ ଏକ ବିରାଟ ଅବଶୋଷ ରହିଗଲା l
ଘର ପ୍ରତିଷ୍ଠା ବେଳକୁ,ଝିଅ ମନୀଷା ଆସି ପାରିଲାନି, ପୁଅ ପ୍ରିୟାଂଶୁ ପିଲାମାନଙ୍କ ସହ ଆସିଥିଲା l ତା ସହ କଥାବାର୍ତ୍ତା ବେଳେ ମନୋରମା କହୁ କହୁ କହିଦେଲେ, ଏତେ ଖୋଜି ଖୋଜି ଶେଷରେ ଏଇ ଖତରା ଘର ମିଳିଲା l ଜମା ଦୁଇଟି ରୁମ,ଝିଅ ସିନା ଆସିଲାନି, ସେ ଆସିଥିଲେ, ଶୋଇବା ଦୂରର କଥା,ଗୋଡ଼ ବୁଲେଇବାକୁ ଜାଗା ମିଳି ନଥାନ୍ତା l ମୁଁ କଣ କହୁ ଥିଲିକି,ଯଦି ତୁମେମାନେ କିଛି ସାହାଯ୍ୟ କରନ୍ତ,ଆମେ ଉପର ମହଲାରେ ତିନିଟି ରୁମ କରନ୍ତେ ;ସବୁଥିରେ ଆଟାଚଡ ବାଥରୁମ ଥାଆନ୍ତା l ଗୋଟିଏ କମନ ବାଥରୁମ ଗେଷ୍ଟ ମାନଙ୍କ ପାଇଁ ଥାଆନ୍ତା l ସବା ଉପରେ ପୂଜାଘର ଥାଆନ୍ତା l ପ୍ରିୟାଂଶୁ କହିଲା,,ଜମା ସେ ଭୁଲ କରନା ବୋଉ l ଆମେ କୋଉ ସବୁବେଳେ ଆସୁଛୁ ଯେ ଏତେ କଥା !ଆସିଲେ ବି ଦିନେ ଦୁଇଦିନ ପାଇଁ କଣ କଷ୍ଟେ ମଷ୍ଟେ ଚଳି ହେବନି ?ମେଣ୍ଟେନାନ୍ସ ପାଇଁ ଛୋଟଘର ଭଲ l ସହଜେ ତ ଆଜିକାଲି ଚାକରାଣୀ ମିଳୁ ନାହାନ୍ତି, ଯଦି ବା ମିଳୁଛନ୍ତି,ତାଙ୍କ ଉପରେ ଭରସା କରି ରହି ହେଉନି l ପୁଣି ଦୁଇମହଲା ଘର ଦେଖିଲେ,କାମବାଲୀ ହାତ ଟେକି ଦେଉଛନ୍ତି l ମନୋରମାଙ୍କ ଠାରୁ ପୁଅ କଥା ଶୁଣି,ଦ୍ୱିତୀୟ ମହଲାର ସ୍ୱପ୍ନ ନ ଦେଖିବା ପାଇଁ,ଆନନ୍ଦବାବୁ ମନ ସ୍ଥିର କରି ନେଇଥିଲେ l
ଚଳ ପ୍ରଚଳରେ ସୁବିଧା ହେବ ବୋଲି,ପ୍ରିୟାଂଶୁ ତା କାର ଛାଡି ଯାଇଥିଲା l କାର ଚଲାଇବା ପାଇଁ, ବଳରାମ ନାମକ ଜଣେ ଭଲ ଡ୍ରାଇଭର ମଧ୍ୟ ତାଙ୍କୁ ମିଳିଗଲା l ସବୁକିଛି ସୁବିଧାରେ ଚାଲୁଥିଲା l କିନ୍ତୁ ମଝିରେ ମଝିରେ ଉପର ମହଲାର ସ୍ୱପ୍ନ ଆନନ୍ଦବାବୁଙ୍କୁ ଅଥୟ କରୁଥିଲା l ଅଚାନକ ଦିନେ ତାଙ୍କ ପାଇଁ ଏକ ସୁଯୋଗ ଆସିଲା l ଅନେକ ବର୍ଷ ତଳେ ବନ୍ଧୁମାନଙ୍କ ସହ ମିଶି ସେ କିଛି ଚାଷ ଜମି କିଣିଥିଲେ l କିଣିବା ଦିନ ଠାରୁ ସେ ସେମିତି ପଡିଆ ପଡିଥିଲା l ସବୁ ବନ୍ଧୁ ମାନଙ୍କର ସେହି ଏକା ଅବସ୍ଥା ଥିଲା l ଯାହାଙ୍କ ମାଧ୍ୟମରେ ସେ ଜମି କିଣିଥିଲେ,ସେ ସମସ୍ତଙ୍କ ଠାରୁ ଜମି କିଣି ସେଠାରେ ଏକ ଫାର୍ମ ହାଉସ କରିବାକୁ ଚାହୁଁ ଥିଲେ l ଆନନ୍ଦବାବୁ ଏକଥା ଶୁଣି ଜମି ବିକିବା ପାଇଁ,ସାଙ୍ଗେ ସାଙ୍ଗେ ରାଜି ହୋଇଗଲେ l ଜମି ବାବଦକୁ ତାଙ୍କୁ ବାଇଶ ଲକ୍ଷ ଟଙ୍କା ମିଳିଲା l ତାଙ୍କପାଇଁ ଏହା ବହୁତ ବଡ଼ ପରିମାଣ ଥିଲା l ସେଥିରେ ଆଉ କିଛି ମିଶାଇ ସେ ସେହି ପରିଚିତ ବିଲ୍ଡରଙ୍କ ଦ୍ୱାରା ତାଙ୍କ ପସନ୍ଦ ଅନୁଯାୟୀ ଉପର ମହଲା ଘର ତିଆରି କଲେ l ଦେଢ଼ବର୍ଷ ଭିତରେ ଇଣ୍ଟେରିଅର ସହ,ଉପରମହଲା କାମ ଶେଷ ହୋଇ ପୂରା ଚକା ଚକ ହୋଇଗଲା l ଆନନ୍ଦବାବୁଙ୍କ ସ୍ୱପ୍ନ ସାର୍ଥକ ହୋଇଗଲା l ପିଲାମାନଙ୍କ ବିନା ସହାୟତାରେ ଘର କରିଥିବାରୁ,ସେ ନିଜକୁ ଭାଗ୍ୟବାନ ମନେ କରୁଥିଲେ l ତଳ ଘରଟି ଭଡ଼ା ଦେଇ ଉପରମହଲାରେ ଦୁହେଁ ଖୁବ ଖୁସିରେ ରହିଲେ l
କିନ୍ତୁ ତାଙ୍କର ଖୁସି ବେଶିଦିନ ରହିଲା ନାହିଁ l କ୍ଷୀର,ସମ୍ବାଦପତ୍ର,ପରିବା ଇତ୍ୟାଦି ଆଣିବା ପାଇଁ, ଦୁହିଁଙ୍କୁ ବାରମ୍ବାର ତଳ ଉପର ହେବାକୁ ପଡୁଥିଲା l ଏହା ସହିତ କେହି ବନ୍ଧୁବାନ୍ଧବ ଆସିଲେ,ତଳକୁ ଯାଇ ସେମାନଙ୍କୁ ସଙ୍ଖୋଳି ଆଣିବାକୁ ପଡୁଥିଲା l ଏହାଦ୍ୱାରା ମନୋରମାଙ୍କ ଅଣ୍ଟା ଓ ଆଂଠୁ ବେମାରୀ ବାହାରିଲା ଓ ଆନନ୍ଦବାବୁଙ୍କ ପୁରୁଣା ଗଣ୍ଠି ପୀଡା ମଧ୍ୟ ବାହାରି ପଡିଲା l ଏଣେ ଭଡାଟିଆ ମାନଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ,ସେମାନଙ୍କୁ ବାରମ୍ବାର ଭଡାଟିଆ ବଦଳେଇବାକୁ ପଡୁଥିଲା l ଶେଷରେ ବିରକ୍ତ ହୋଇ ଆନନ୍ଦବାବୁ ଘର ଖାଲି ରଖିବାକୁ ସ୍ଥିର କଲେ l କିନ୍ତୁ ଘର ଖାଲି ପଡିଲେ ବି ଅସୁବିଧା l ତାକୁ ସଫା ସୁତୁରା ନ ରଖିଲେ,ଉଈ ଇତ୍ୟାଦି ଲାଗିବାର ଭୟ ରହିଥିଲା l ତେଣୁ ତାଙ୍କୁ ଉପର ମହଲା ସହିତ ତଳ ମହଲାକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡୁଥିଲା l ଯେଉଁ କାମବାଲୀ ଥିଲା,ସେ ଦିନେ ଆସିଲେ,ଦୁଇଦିନ ଆସୁ ନଥିଲା ଓ ତାର ନିଜର ଯେତିକି କାମ, ତା ବ୍ୟତୀତ ଅଧିକ କାମ କରିବା ପାଇଁ,ସେ ରାଜି ହେଉ ନଥିଲା l ତେଣୁ ସେସବୁ କାମ ସେମାନଙ୍କୁ କରିବାକୁ ପଡୁଥିଲା l ଆନନ୍ଦବାବୁ ଅତ୍ୟନ୍ତ ବନ୍ଧୁପ୍ରିୟ ବ୍ୟକ୍ତି ଥିଲେ l ସେ ଓ ମନୋରମା ପ୍ରାୟବେଳେ ପଡୋଶୀ ମାନଙ୍କ ସହ ଖୁସି ଗପ କରି ସମୟ କାଟୁଥିଲେ l କିନ୍ତୁ ଆଣ୍ଠୁ ଗଣ୍ଠି ପୀଡା ଯୋଗୁଁ କ୍ରମେ ସେ ଖୁସିକୁ ବି ସେମାନଙ୍କୁ ତ୍ୟାଗ କରିବାକୁ ପଡିଲା l
ସେଦିନ ମାର୍କେଟିଂ ପାଇଁ ସେମାନଙ୍କୁ ଟାଉନ ଭିତରକୁ ଯିବାର ଥିଲା l ସେଥିପାଇଁ ଆନନ୍ଦବାବୁ ବଳରାମକୁ ଡାକିଥିଲେ l ବଳରାମ ବେଳା ବେଳି ଆସି ଯାଇଥିଲା l ମନୋରମାଙ୍କର ବି କାମ ସରି ଯାଇଥିଲା l ଆନନ୍ଦବାବୁ ଗାଧୋଇବାକୁ ଯାଇଥିଲେ l ବହୁତ ସମୟ ଧରି ସେ ବାଥରୁମରୁ ନ ବାହାରିବାରୁ, ମନୋରମା କବାଟ ବାଡେଇଲେ l କିନ୍ତୁ ଭିତରୁ କିଛି ଶବ୍ଦ ଆସୁନଥିଲା l ମନୋରମା ବ୍ୟସ୍ତ ହୋଇ ବଳରାମକୁ ଡାକ ପକାଇଲେ l ଦୁହେଁ ମିଶି କବାଟ ଭାଙ୍ଗି ଦେଖିଲେ, ଭିତରେ ଆନନ୍ଦବାବୁ ବେହୋସ ହୋଇ ତଳେ ପଡିଛନ୍ତି ଓ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହେଉଛି l ଗାଧୋଇବା ବେଳେ ଗୋଡ଼ ଖସି ସେ ଡାହାଣ ପଟ ମାଡି ତଳେ ପଡି ଯାଇଥିଲେ ଓ ମୁଣ୍ଡରେ ଜୋରରେ ଆଘାତ ଲାଗିବାରୁ ପ୍ରଚୁର ରକ୍ତସ୍ରାବ ହେବା ସଙ୍ଗେ ସଙ୍ଗେ ତାଙ୍କର ଚେତା ବୁଡି ଯାଇଥିଲା l ଉପଯୁକ୍ତ ଚିକିତ୍ସା ଯୋଗୁଁ ସେ ବଞ୍ଚିଗଲେ ସତ, କିନ୍ତୁ ତାଙ୍କ ଶରୀରର ଦକ୍ଷିଣ ପାର୍ଶ୍ଵ ସମ୍ପୂର୍ଣ୍ଣ ଅଚଳ ହୋଇ ଯାଇଥିଲା l ଡାକ୍ତରଙ୍କ ଉପଦେଶ ମାନି ସେମାନେ ତଳ ମହଲାକୁ ଚାଲି ଆସିଲେ l ଏହି ବିପଦ ସମୟରେ ବଳରାମ ଦେବଦୂତ ପରି ଆବିର୍ଭାବ ହୋଇ ସ୍ୱତଃପ୍ରବୃତ୍ତ ଭାବରେ ତାଙ୍କ ଘରେ ରହି, ଦିନ ରାତି ଆନନ୍ଦବାବୁଙ୍କ ସେବାରେ ଲାଗି ପଡିଲା l ମନୋରମା ବାଧ୍ୟ କରିବାରୁ କିଛି ଦିନ ପରେ ସେ ତାର ସ୍ତ୍ରୀ ଉମାକୁ ସେଠାକୁ ନେଇ ଆସିଲା l ଉମା ମନୋରମାଙ୍କୁ ଆଦୌ କାମ କରାଇ ଦେଉନଥିଲା l ଉପର ମହଲା ସହିତ ତଳ ମହଲାର ସମସ୍ତ ଘର ଝାଡୁ ପୋଛା ଠାରୁ ଆରମ୍ଭ କରି ରୋଷେଇବାସ ପର୍ଯ୍ୟନ୍ତ ସବୁ କାମ ସେ ବିନା ଦ୍ଵିଧାରେ କରୁଥିଲା l ସେମାନଙ୍କ ସାହାଯ୍ୟ, ସହଯୋଗ ଓ ସେବା ଫଳରେ ଆନନ୍ଦବାବୁ ବାଡ଼ି ଧରି ଧୀରେ ଧୀରେ ଚାଲିବା ଆରମ୍ଭ କଲେ l ଖବର ପାଇ ପ୍ରିୟାଂଶୁ ଓ ମନୀଷା ଉଭୟ ବିଦେଶରୁ ଆସିଲେ l କେତେ ସରାଗରେ ବାପା ଘର କରିଥିଲେ, ବେଶି ଦିନ ସେଇଠି ରହିବା ସୁଖ ତାଙ୍କୁ ମିଳି ପାରିଲା ନାହିଁ କହି,ଦୁହେଁ ବହୁତ ମନ ଦୁଃଖ କଲେ l କିନ୍ତୁ ଏ ସବୁ ଭିତରେ ବଳରାମ ଓ ଉମାଙ୍କର ନିଃସ୍ୱାର୍ଥପର ସେବା ସେମାନଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଆଶ୍ୱାସନାର ବିଷୟ ଥିଲା l ନିଜେ ଆନନ୍ଦବାବୁ ମଧ୍ୟ ତାହା ତାଙ୍କର ପୂର୍ବ ଜନ୍ମର ଅନେକ ପୁଣ୍ୟର ଫଳ ବୋଲି ମନେ କରୁଥିଲେ l
କ୍ରମେ ବଳରାମ ଓ ଉମା ସେମାନଙ୍କ ପରିବାରର ସ୍ଥାୟୀ ସଦସ୍ୟ ପାଲଟି ଗଲେ l ସମସ୍ତେ ସାଙ୍ଗ ହୋଇ ଏକାଠି ଖାଉଥିଲେ,ବୁଲୁଥିଲେ ଓ ମଜା କରୁଥିଲେ l ପ୍ରିୟାଂଶୁ ଓ ମନୀଷା ଯେତେବେଳେ ତାଙ୍କ ପାଖକୁ ଆସୁଥିଲେ,ବଳରାମ ଓ ଉମାଙ୍କ ସେବାରେ କୃତ୍ୟ କୃତ୍ୟ ହୋଇ ଯାଉଥିଲେ l ସେହି ଘରେ ରହି ବଳରାମର ପୁଅଟିଏ ହେଲା l ଆନନ୍ଦ ବାବୁ ତାର ଶୁଭ ନାମ 'ଆଦିତ୍ୟ' ରଖିଲେ ଓ ମନୋରମା ଅତି ଶ୍ରଦ୍ଧାରେ ତାକୁ ମୁନା ବୋଲି ଡାକିଲେ l ପିଲାଙ୍କୁ ଝୁରି ହୋଇ ଦିନ ବିତାଇବାର ସମୟ ତାଙ୍କର ଶେଷ ହୋଇ ଯାଇଥିଲା l ସେମାନଙ୍କ ପାଇଁ ବଳରାମ, ଉମା ଓ ମୁନା ସବୁ କିଛି ଥିଲେ l ଆନନ୍ଦବାବୁ ଅନୁଭବ କରୁଥିଲେ, ଅମାପ ଧନ, ସମ୍ପତ୍ତି ଓ ପ୍ରାଚୁର୍ଯ୍ୟରେ ସୁଖ ଶାନ୍ତି ନଥାଏ ; ଥାଏ ସୁସ୍ଥ ଶରୀର ସହିତ ଅକପଟ ସ୍ନେହ, ପ୍ରେମ, ଶ୍ରଦ୍ଧା ଓ ନିର୍ଲୋଭତାରେ l ସେ ଏକଥା ବି ଭାବୁଥିଲେ,ପ୍ରତ୍ୟେକ କ୍ଷତି ପଛରେ ଲାଭ ଲୁଚି ରହିଥାଏ l ତାଙ୍କର ଶାରୀରିକ କ୍ଷତି ପରେ ତାଙ୍କୁ ଯେଉଁ ଲାଭ ମିଳିଲା,ସାରାଜୀବନ ଉପର ମହଲାରେ ରହିଥିଲେ, ହୁଏତ ତାହା କେବେହେଲେ ତାଙ୍କୁ ମିଳିନଥାନ୍ତା l ସେଥିପାଇଁ ସେ ସବୁବେଳେ ଈଶ୍ୱରଙ୍କୁ କୋଟି କୋଟି କୃତଜ୍ଞତା ଜଣାଉ ଥିଲେ l
କିନ୍ତୁ ତାଙ୍କର ଏତେ ସୁଖରେ ବୋଧହୁଏ କାହାର ନଜର ଲାଗି ଯାଇଥିଲା l ଆଷାଢ଼ ମାସର ଏକ ମେଘୁଆ ସକାଳେ,ଦୁହେଁ ଚା' ପିଉଥିବା ବେଳେ,ହଠାତ ମନୋରମା କହିଲେ ତାଙ୍କ ମୁଣ୍ଡ କଣ ହୋଇ ଯାଉଛି ଓ ଏହା କହିବା ସଙ୍ଗେ ସଙ୍ଗେ ସେ ସେଠାରେ ଟଳି ପଡିଲେ l ତାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଆନନ୍ଦବାବୁଙ୍କ ହୃଦଘାତ ହୋଇଗଲା l ଦୁଇଘଣ୍ଟା ପରେ ସିଏ ବି ଆଖି ବୁଜି ଦେଲେ l ଅନେକ ଏହାକୁ କେତେ ଜନ୍ମର ପୁଣ୍ୟ ଫଳ କହୁଥିବା ବେଳେ, ବଳରାମ ପାଇଁ ଏହା ମୃତ୍ୟୁ ସମାନ ମର୍ମନ୍ତୁଦ ଥିଲା l ତାକୁ ଲାଗୁଥିଲା, ସତେ କି ତା ମୁଣ୍ଡ ଠାରୁ କିଏ ଗଣ୍ଡି ଅଲଗା କରି ଦେଇଛି l ଖବର ପାଇ ମନୀଷା ଓ ପ୍ରିୟାଂଶୁ ଆସିଥିଲେ l ବଳରାମ ଓ ଉମାଙ୍କ ସହଯୋଗରେ ଅନ୍ତ୍ୟେଷ୍ଟିକ୍ରିୟା କାମ ସୁରୁଖୁରୁରେ ହୋଇଗଲା l ସେତେବେଳେ ପ୍ରିୟାଂଶୁ ଭାବୁଥିଲା,ବାପା ବୋଉ ତ ଚାଲିଗଲେ,ସେମାନେ ବି ବିଦେଶରେ ସ୍ଥାୟୀ ବସବାସ କଲେ l ଏତେ ଦୂରରେ ରହି ଘର କଥା ବୁଝିବା ତା ପକ୍ଷରେ କଦାପି ସମ୍ଭବ ନୁହେଁ l ତେଣୁ ଯିବା ପୂର୍ବରୁ ଘର ବିକିଦେବା କଥା ବଳରାମକୁ କହିବ l କିନ୍ତୁ ବଳରାମର ମାନସିକ ସ୍ଥିତି ତଥା ସେ ବାପା ବୋଉଙ୍କ ପ୍ରତି କରିଥିବା ସେବାକୁ ମନେ ପକେଇ ସେକଥା ଆଉ କିଛି ଦିନ ଟାଳି ଦେବାକୁ ସେ ସ୍ଥିର କଲା l ତାପରେ ଅନେକ ଦିନ ପର୍ଯ୍ୟନ୍ତ ସେ ଓଡିଶା ଆସି ପାରି ନଥିଲା l ଦିନେ ମନୀଷା ଫୋନ କରି ତାକୁ ଏକଥା ମନେ ପକେଇ ଦେଲା l କହିଲା,ଭାଇ,ସେ ଘର କଣ ବଳରାମ ପାଇଁ ହୋଇଥିଲା ?ତୋ କାର ବି ସେଇଠି ରହିଲା !ଶୀଘ୍ର ଯାଇ କିଛି ବ୍ୟବସ୍ଥା ନକଲେ,ସବୁଦିନ ପାଇଁ ଘର ଆଉ କାରର ମାଲିକ ବଳରାମ ହୋଇଯିବ l ଏମିତି ଆଖି ବୁଜି ଅଗା ବଗା ଖଗାଙ୍କ ହାତରେ ଆମେ ଆମର ସମ୍ପତ୍ତି ଟେକି ଦେଇ ପାରିବା ନାହିଁ l ପ୍ରିୟାଂଶୁକୁ ମନିଷାର କଥା ଯୁକ୍ତିଯୁକ୍ତ ଲାଗିଲା l ତା ପିଲାମାନେ ବି ଅନେକ ଦିନ ହେବ ମାମୁଁ ଘରକୁ ଯାଇ ନଥିଲେ l ସେ ବିସ୍ତୃତ ପ୍ଲାନ କରି ଓଡିଶା ଆସିଲା ଓ ଘର ବିକ୍ରୀ ବିଷୟରେ ବଳରାମକୁ ପରୋକ୍ଷରେ ସୂଚନା ମଧ୍ୟ ଦେଇଥିଲା l
ପିଲାଙ୍କୁ ସେମାନଙ୍କ ମାମୁଁ ଘରେ ଛାଡ଼ିଦେଇ ସେ ନିଜ ଘରେ ପହଞ୍ଚିଲା l ସେଠାରେ ଘରର ପରିବର୍ତ୍ତିତ ରୂପ ଦେଖି ସେ ନିଜକୁ ବିଶ୍ୱାସ କରି ପାରିଲା ନାହିଁ l ସୁନ୍ଦର ଅକ୍ଷରରେ ଘର ସାମନାରେ 'ଆନନ୍ଦ ଭବନ' ଖୋଦେଇ ହୋଇଥିଲା l ଘରର ଛାତ ଉପରେ ଓ ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରକାର ଫୁଲ ଗଛ ଘରର ଶୋଭା ମଣ୍ଡନ କରୁଥିଲା l ଗ୍ୟାରେଜରେ ତା କାର ସଫା ସୁତୁରା ହୋଇ ରହିଥିଲା, ଯେଉଁଥିରେ ଲେଖାଥିଲା,'ଆନନ୍ଦ ରଥ' l ସବୁଠାରୁ ବଡ଼ କଥା ଥିଲା ଘରର ପ୍ରବେଶ ଦ୍ୱାର l ସେଠାରେ ବାପା ବୋଉଙ୍କ ବିରାଟ ତୈଳଚିତ୍ର ପୁଷ୍ପ, ଧୂପ, ଦୀପରେ ମହକୁ ଥିଲା l ପ୍ରିୟାଂଶୁ ଭାବପ୍ରବଣ ହୋଇଗଲା l ଅନେକ ଚେଷ୍ଟା କରି ସେ ତା ଆଖି ଲୁହକୁ ରୋକି ପାରିଲା ନାହିଁ l ବଳରାମ କହିଲା, ସାର ଗଲା ଦିନୁ ସପ୍ତାହକୁ ଥରେ ମୁଁ କାର ସଫା କରେ, କିନ୍ତୁ କେବେ ଚଳେଇବାର ଧୃଷ୍ଟତା କରିନାହିଁ l ବାହାରେ ଥିବା ନିଜ ଅଟୋକୁ ଆଙ୍ଗୁଳି ଦେଖାଇ କହିଲା,ଆଗ ପରି ମୁଁ ଅଟୋ ଚଲେଇ ମୋ ସଂସାର ଚଳାଉଛି l ମୁଁ ଜାଣିଛି ଆପଣ ଏ ଘର ବିକ୍ରୀ କରିବାକୁ ଆସିଛନ୍ତି l ସେଥିପାଇଁ ଆଗୁଆ ମୋ ସବୁ ଜିନିଷ ପ୍ୟାକ କରି ଦେଇଛି l ଆପଣ ଯେବେ ଚାହିଁବେ,ଘରର ଚାବି ନେଇ ପାରିବେ l ପ୍ରିୟାଂଶୁ ଭାବୁଥିଲା, କିଛି ସମ୍ପର୍କ ନଥାଇ, ବଳରାମ ବାପା ବୋଉଙ୍କ ପାଖରେ ରହି,ତାଙ୍କର ଏତେ ସେବା କରିବା ପରେ ବି, ସଙ୍ଗେ ସଙ୍ଗେ ଘର ଛାଡିବା ପାଇଁ ପ୍ରସ୍ତୁତ ହୋଇଗଲା ଅଥଚ ସେ ଘର ତିଆରି ପାଇଁ ପଇସା ଟିଏ ଖର୍ଚ୍ଚ ନକରି,ବାପା ବୋଉଙ୍କ କିଛି ସେବା ନକରି, ତାଙ୍କ ମୃତ୍ୟୁ ପରେ କାଙ୍ଗାଳଙ୍କ ପରି, ସାତ ଦରିଆ ପାରି ହୋଇ, ଘର ବିକ୍ରୀ କରିବାକୁ ଚାଲି ଆସିଲା !ଏପରିକି ଏତେ ବର୍ଷର ପୁରୁଣା କାରର ଲୋଭ ମଧ୍ୟ ସେ ଛାଡି ପାରିଲା ନାହିଁ l ସ୍ଵର୍ଗରେ ବାପା ବୋଉଙ୍କ ଆତ୍ମା ଥାଇ କଣ ଭାବୁଥିବେ ? ନିଜ ପ୍ରତି ତାର ଧିକ୍କାର ଆସିଲା l ସେ ବଳରାମକୁ କହିଲା,ଏ ଘର ବିକ୍ରୀ ହେବନାହିଁ l ବାପା ବୋଉଙ୍କ ସନ୍ତକ ଭାବେ ଏହା ସବୁଦିନ ତୁମ ପାଖରେ ରହିବ l ଆଜିଠାରୁ 'ଆନନ୍ଦ ଭବନ' ଓ 'ଆନନ୍ଦ ରଥ'ର ମାଲିକ ତୁମେ l ଆମେ ଯେବେ ବି ଓଡିଶା ଆସିବୁ, ତୁମ ପାଖରେ ଦୁଇ ଚାରି ଦିନ ରହିକରି ଯିବୁ l ତୁମେ ଏଥିରେ ରାଜି ତ ?ବଳରାମ ଆଖିରୁ ଧାର ଧାର ହୋଇ ଲୁହ ଝରି ପଡିଲା l ସେ କାନ୍ଦି କାନ୍ଦି କହିଲା,ଆପଣ ମତେ ଋଣୀ କରିଦେଲେ l ମୋ ସାର ମଣିଷ ରୂପି ଦେବତା ଥିଲେ, ତାଙ୍କ ପୁଅ ହୋଇ ଆପଣ ବି ତାଙ୍କ ପରି ମହାନ !!!
