Dibyajyoti Mohanty

Tragedy

3  

Dibyajyoti Mohanty

Tragedy

ଅଭିଶପ୍ତ ନାୟକ

ଅଭିଶପ୍ତ ନାୟକ

4 mins
7.5K


ଅଭିଶପ୍ତ ନାୟକ

ଜୀବନଟା ଗୋଟେ ସୁଖ ଦୁଃଖର ସମାହାର । ସୁଖ ଆଉ ଦୁଃଖ ମୁଦ୍ରାର ଦୁଇ ପାଶ୍ୱର୍ ଭଳି । ଜଣେ ଅନ୍ୟଜଣଙ୍କ ବିନା ମୂଲ୍ୟହୀନ । ବିଧିର ବିଧାନ ଅବା କେ କରିବ ଆନ । ଏ ତ ନିୟତିର ଖେଳ, ନୀତିର ନିୟମ ଏଥିରୁ କେମିତି ଅବା ବାଦ୍ ପଡନ୍ତେ ବିଜୟ ।

ସୂର୍ଯ୍ୟଙ୍କ ଆଗମନ ପାଇଁ ଆଉ ଘଡିଏ କି ଦୁଇ ଘଡି ବାକି ଥାଏ । ଚାରିଆଡର ପରିବେଶ ପୁରା ଶାନ୍ତ, ସ୍ନିଗ୍ଧ ଆଉ କୋମଳ । ହେଲେ କେଉଁ ଏକ ଅଖ୍ୟାତ ପଲ୍ଲୀର ବିଖ୍ୟାତ ପରିବାରରେ ଲାଗିଥିଲା ବେଶ୍ କୋଳାହାଳ । ଏହି କୋଳାହାଳମୟ ପରିବେଶ ଉପରେ ଯବନିକା ପକାଇ ଖୁସିର ବାତାବରଣଟେ ତୋଳିଥିଲା ଏକ ଶିଶୁ ପୁତ୍ରର କ୍ରନ୍ଦନ ସ୍ୱର । ସୂର୍ଯ୍ୟଙ୍କ ଆଗମନ କ୍ଷଣି ଗାଁଟା ସାରା ହୋଇ ଉଠିଲା ଉତ୍ସବ ମୁଖର । ଚାରିଆଡେ ବଂଟା ଚାଲିଲା ମିଠା, ପିଠା ଆଉ କେତେ
କ’ଣ । ଦୀର୍ଘ ୧୨ ବର୍ଷର ଅନେକ ତପ ଜପ ପରେ କାଂଚନ ଦେବୀଙ୍କ କୋଳରୁ କୃପାସିନ୍ଧୁ ବାବୁଙ୍କ ପରିବାରରେ ଜନ୍ମ ଗ୍ରହଣ କରିଥିଲା ଶିଶୁ ପୁତ୍ରଟିଏ । ସେଦିନ କୃପାସିନ୍ଧୁ ବାବୁଙ୍କ ମୁହଁରେ ଦେଖାଯାଇଥିଲା ଗୋଟିଏ ଖୁସିର ଝଲକ୍ । କାରଣ ତାଙ୍କୁ କି କାଂଚନ ଦେବୀଙ୍କୁ ଶୁଣିବାକୁ ଆଉ ପଡିବନି ସାହିପଡିଶାଙ୍କ ଟାହିଟାପରା । ଶୁଣିବାକୁ ପଡିବନି ତାତ୍ସଲ୍ୟଭରା କଟୁ ସମାଲୋଚନା । ହେବନି ଗାଁ ଦାଣ୍ଡରେ କି ଠାକୁର ମଣ୍ଡପରେ ତାଙ୍କର ଆଲୋଚନା କି ପର୍ଯ୍ୟାଲୋଚନା । ସେ ସବୁର ଅନ୍ତଃ ଘଟି ପଡିଛି ସେଥିରେ ଆଜି ପୂର୍ଣ୍ଣଚ୍ଛେଦ । ଶିଶୁ ପୁତ୍ରଟିକୁ ସବୁ କ୍ଷେତ୍ରରେ ବିଜୟୀ କରିବା ପାଇଁ କାଂଚନ ଦେବୀ ଓ କୃପାସିନ୍ଧୁ ବାବୁ ତା’ର ନାଁ ରଖିଲେ ବିଜୟ । ବିଜୟ ବି ଛୋଟବେଳୁ ବାପା ମାଆଙ୍କ ଏହି ନାମକରଣକୁ ସାର୍ଥକ କରିତୋଳିଲା । ସେ ଗାଁର ସବୁ ପିଲାଙ୍କଠୁ ଥିଲା ବେଶ୍ ଚାଲାକ୍, ଚତୁର ଓ ସବୁ କ୍ଷେତ୍ରରେ ପ୍ରବୀଣ ଆଉ ପାରଙ୍ଗମ । ଖେଳ, କୁଦ ଦୈାଡଠୁ ଆରମ୍ଭ କରି ଗୀତା ଭାଗବତ ପୁରାଣରେ ତାର ଥିଲା ଅଗାଧ ପାଣ୍ଡିତ୍ୟ । ସେଥିପାଇଁ କୃପାସିନ୍ଧୁ ବାବୁଙ୍କ ଉପରେ ଗାଁର ଅନ୍ୟମାନେ ଈର୍ଷା କରୁଥିଲେ । କୃପାସିନ୍ଧୁ ବାବୁ ବି ପୁଅର ଏ ସବୁ ଗୁଣକୁ ନେଇ ବେଶ୍ ଗର୍ବ ଅନୁଭବ କରନ୍ତି । ଖୁସିରେ ତାଙ୍କ ଛାତିଟା କୁଣ୍ଢେମୋଟ ହୋଇଯାଏ । ସେ କାଂଚନ ଦେବୀଙ୍କୁ କୁହନ୍ତି, ଦେଖିବ ଦିନେ ଆମ ପୁଅ ଜଣେ “ମହାନ ନାୟକ” ହେବ । ବିଜୟକୁ ଯେବେ ୧୪ ବର୍ଷ ଏହି ସମୟରେ ରାଜନୀତି କ୍ଷେତ୍ରରେ ଯୋଗ ଦିଅନ୍ତି କୃପାସିନ୍ଧୁ ବାବୁ । ତାଙ୍କର ଲୋକ ପ୍ରିୟତା, ଅକୁଣ୍ଠ ଜନସମର୍ଥନକୁ ଦେଖି ବିରୋଧୀ ଦଳ ତରଫରୁ ତାଙ୍କ ଉପରେ ଆକ୍ରମଣ ହୁଏ । ସେଥିରେ କୃପାସିନ୍ଧୁ ବାବୁ ନିଜର ଦୁଇ ହାତ ଓ ଦୁଇ ଗୋଡ ହରାଇ ପାଲଟି ଯାଆନ୍ତି ସବୁଦିନ ପାଇଁ ଗୋଟେ ପଙ୍ଗୁ ଅଥର୍ବ ମଣିଷ । ପୁଅର ଭବିଷ୍ୟତ ଓ ସ୍ୱାମୀଙ୍କ ଏପରି ଅବସ୍ଥା ଚିନ୍ତାରେ ଧୀରେ ଧୀରେ ରୋଗାଗ୍ରସ୍ତ ହୁଅନ୍ତି କାଂଚନ ଦେବୀ । ଏହାର ଠିକ୍ ପାଂଚବର୍ଷ ପରେ ବିଜୟକୁ ଶୋକ ସାଗରରେ ଭସାଇ ଦେଇ କାଂଚନ ଦେବୀ ଦୁରାରୋଗ୍ୟରେ ଚାଲିଗଲେ ଆରପାରିକୁ । ବିଜୟକୁ ଲାଗିଲା ସତେ ଯେମିତି ତା ପାଦତଳୁ ମାଟି ଅତଡା ଧସି ଯାଉଛି । ମୁଣ୍ଡ ଉପରେ ଆକାଶଟା ଛିଡି ପଡିଛି । ମା’ର ଚାଲିଯିବା ପରେ ପରିବାରର ବୋଝ ଆସିଯାଏ ବିଜୟ କାନ୍ଧ ଉପରେ । ନିଜର ପାଠ ପଢା ସହ ପଙ୍ଗୁ ବାପାଙ୍କର ପ୍ରତ୍ୟେକଟି କଥା ବୁଝିବାକୁ ହିଁ ହୁଏ ବିଜୟକୁ । ସବୁ ଝଡଝଞ୍ଜାକୁ ସାମ୍ନା କରି ବିଜୟ ଜୀବନ ଯମୁନାରେ ଆଗକୁ ଅଗ୍ରସର ହେବାକୁ ଲାଗେ । ସେ ଭଲ ମାର୍କ୍ ରଖି ଛାତ୍ରବୃତ୍ତି ପାଇ ଗୋଟିଏ ଭଲ କଲେଜରେ ଯୋଗ ଦିଏ ଉଚ୍ଚଶିକ୍ଷା ପାଇଁ । ତାକୁ ଏହି କଲେଜରେ ମିଳିଗଲା ସବୁ ସୁଖ ଦୁଃଖ ବାଂଟିପାରୁଥିବା ଭାଇଠୁ ଅତି ଆପଣାର ସାଙ୍ଗ ଅଜୟ । କଲେଜରେ ଦିନ ପରେ ଦିନ ବିତିଚାଲେ । ସେପଟେ ବାପାଙ୍କ ଦେଖାରେଖା ସହ ପାଠପଢାକୁ ବେଶ୍ ସୂଚାରୁ ରୂପେ ସଂପାଦନ କରୁଥାଏ ବିଜୟ । ଆଉ ଅଜୟ ବି ତାକୁ ସବୁ କ୍ଷେତ୍ରରେ ପ୍ରେରଣା, ଉତ୍ସାହ ଯୋଗାଇବାରେ ହେଳା କରୁନଥାଏ । ସେଦିନ କଲେଜରେ ଭୀଷଣ ଗଣ୍ଡଗୋଳ ହେଉଥାଏ । ଏହି ସମୟରେ ଅଜୟ କୌଣସି ଏକ ଜରୁରୀ କାମରେ କଲେଜ ଯିବାକୁ ବାଧ୍ୟ ହେଲା । ମାତ୍ର କଲେଜ କ୍ୟାମ୍ପସରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହେଉଥିବା ଆକ୍ରମଣର ଶିକାର ହୋଇ ସେ ମୃତ୍ୟୁବରଣ କଲା । ଯାହା ପୁଣି ଥରେ ବିଜୟର ଦୃଢ ମନୋବଳକୁ ଭାଙ୍ଗିଦେଲା । ସେ ଶପଥ ନେଲା ପୋଲିସ ବିଭାଗରେ ଯୋଗ ଦେବ ଆଉ ସମାଜରେ ଚାଲିଥିବା ଏଭଳି ଅନ୍ୟାୟ ଅତ୍ୟାଚାର ବିରୋଧରେ ଲଢିବ । କଲେଜ ପଢା ସରିବା ପରେ ସେ ଲାଗିପଡିଲା ପୋଲିସ ବିଭାଗରେ ଯୋଗଦେବା ପାଇଁ ସମସ୍ତ ପ୍ରସ୍ତୁତିରେ । ଯାହା ହେଉ ଭଗବାନଙ୍କ କୃପାରୁ ତାକୁ ପ୍ରଥମ ଥରରେ ହିଁ ମିଳିଗଲା ପୋଲିସ୍

ଚାକିରି । ହେଲେ ଚାକିରିରେ ଯୋଗଦେବାକୁ ହେଲେ ତାକୁ ଦେବାକୁ ହେବ ପାଂଚ ଲକ୍ଷ ଟଙ୍କା ଲାଂଚ । ସେ ଗରିବ ମଣିଷଟିଏ ଏତେ ଟଙ୍କା ଅବା ଆଣିବ କାହୁଁ । ସେଥିପାଇଁ ସେ ଚାକିରିରେ ଯୋଗଦେଇପାରିଲାନି । କିନ୍ତୁ ସମାଜର ଅନ୍ୟାୟ, ଅତ୍ୟାଚାର, ବାପାଙ୍କ ପଙ୍ଗୁ ଅର୍ଥବ ହେବା, ମା’ ଓ ସାଙ୍ଗର ମୃତ୍ୟୁ ତାକୁ ବାଧ୍ୟ କରିଥିଲା ମାଓ ସଙ୍ଗଠନରେ ଯୋଗଦେବା ପାଇଁ । ଆଇନ କାନୁନରେ ନହେଲା ନାହିଁ ବନ୍ଧୁକ ମୁନରେ ସମାଜରେ ପରିବର୍ତ୍ତନ ଆଣିବାର ଆଶା ତାକୁ ଟାଣି ନେଇଥିଲା ଦିନେ ଘୃଣା କରୁଥିବା ମାଓ କ୍ୟାମ୍ପ ପର୍ଯ୍ୟନ୍ତ । ତାର ମାଓବାଦୀରେ ଯୋଗ ଦେବାର ଆଜକୁ ଦୁଇ ବର୍ଷ ହେଲାଣି । ବାପାଙ୍କୁ ନିଜେ ତୋଳିଥିବା ବୃଦ୍ଧା ଆଶ୍ରମରେ ଛାଡିଆସିଛି । ବର୍ତମାନ ତା ନାଁ ଶୁଣିଲେ ବଙ୍ଗ, ବିହାର, ଓଡିଶା ଓ ଛତିଶଗଡ ଭଳି ରାଜ୍ୟର ପୋଲିସ ମାନଙ୍କ ଭିତରେ ଛନକା ପଶେ । ମାତ୍ର ସେ କେବେ କେବେ ଏକୁଟିଆ ବସି ଭାବେ ପ୍ରକୃତରେ ସେ ଜୀବନରେ କ’ଣ ହୋଇଛି । ବୋଉଙ୍କୁ ବାପାଙ୍କର କହିବାନୁଯାୟୀ ମହାନ ନାୟକ ନା ବଙ୍ଗ, ବିହାର, ଓଡିଶା ଓ ଛତିଶଗଡ ପୋଲିସ ହେଉ ଅବା ଜନତାଙ୍କ ଭାଷାରେ ଅଭିଶପ୍ତ ନାୟକ ।

ଦିବ୍ୟଜ୍ୟୋତି ମହାନ୍ତି

ମୋ ୭୩୭୭୫୧୦୨୫୪


Rate this content
Log in

Similar oriya story from Tragedy