STORYMIRROR

Smruti Ranjan Tripathy

Inspirational

2  

Smruti Ranjan Tripathy

Inspirational

ଅଭିମନ୍ୟୁ

ଅଭିମନ୍ୟୁ

2 mins
15.2K


ଶୁଣି ପାରୁଛ କି ଶୂନଶାନ ଆର୍ତ୍ତନାଦ, ବିଳାପିତ ଅଭିପ୍ରାୟ ଭିନ୍ନ ଏକ “ଅଭିମନ୍ୟୁ”ର ?

ହେ ମୋର ପୂଜ୍ୟ ସ୍ରଷ୍ଟା! ମୁ ତ ଏବେ କୃଷ୍ଣ ଗହ୍ୱରରେ ଆହ୍ଲାଦିତ ଭ୍ରୁଣଟିଏ

ଅମୃତ ରଚନାର ସ୍ୱଳ୍ପ ବିକଶିତ ସ୍ତାବକ, ତୁମ ପିତୃ-ମାତୃତ୍ଵ କୁ ଶ୍ରେୟ ମଣୁଥିବା ବଳିଷ୍ଠ ସନ୍ତକ ସେଇ ସୁନେଲି ସମର୍ପଣର ବ୍ୟଗ୍ର ଉନ୍ମାଦରେ ମୁଁ ଠିକ ବୁଝିପାରେ ତୁମ ପ୍ରୟାସୀ ଆକାଶକୁ  କେତେ ବ୍ୟତିବ୍ୟସ୍ତ… ଆନନ୍ଦାଶ୍ରୁରେ ଚକ୍ଷୁସ୍ନାନ କରାଇ ଛାତିରୁ ଝରୁଥିବା ଅମୃତାକ୍ଷରରେ ମୋ କୁଆଁ କୁଆଁ ଶବ୍ଦପୁଞ୍ଜିକୁ ଲେସିଦେବାକୁ ନିଃସ୍ୱାର୍ଥ ଅବୟବରେ, ଅଯତ୍ନରେ ବିଛାଡ଼ି ପଡିଥିବା ଦୁଃଖ ଭିତରୁ ମୋ ଖନିଖନି ପାଟିର ଚାହିଦା ସବୁକୁ

ଖୁଣ୍ଟିଖୁଣ୍ଟି ସାଉଁଟିବାକୁ କେତେ ବିବ୍ରତ ନୂଆ ସଂକଳନର ପ୍ରସ୍ତୁତି ପର୍ବରେ.

ହେ ମୋର ବୀର ସ୍ରଷ୍ଟା! ମୁଁ ବି ସଂକଳ୍ପବଦ୍ଧ ମେଣ୍ଟେଇବାକୁ ତୁମ ଅମୁଲ୍ୟ ଅନୁଗ୍ରହର କୋଟି ପାଉଣା 

ମାତୃଗର୍ଭରୁ ଶିଖିଥିବା ପ୍ରତ୍ୟେକ ଭାବକୁ ଲେଖନୀମୁନରେ ସମର୍ପିଦେଇ, କୁନିକୁନି ଶବ୍ଦାଙ୍ଗୁଳିରେ 

ବାଟ କଢ଼େଇନେବି ଜୀବନର ଅପ୍ରିୟ ସତ୍ୟ ଯାଏଁ, ମୋହମାୟା ସବୁକୁ ଶୁନ୍ୟରେ ଏଡ଼ାଇଦେଇ 

ତୁମ ପବିତ୍ର ପୟୋଧିକୁ ସିଞ୍ଚିସିଞ୍ଚି-ଧୈର୍ଯ୍ୟ,ନିଷ୍ଠା, ତ୍ୟାଗର ସାରସ୍ୱତ ମଶାଲକୁ ଆୟୁଧ କରି

ତୁମ ସର୍ବନାମକୁ ଜାବୁଡ଼ିଧରି ଆଗେଇନେବି ଆଉ ଏକ ବୀରକୁଳର ଉତଥାନରେ ..

କିନ୍ତୁ ହେ ମୋର ରଚୟିତା! ଆଜି ମୁଁ ସନ୍ଧିହାନ, ସର୍ତ୍ତ ବି କହିପାର ଆତ୍ମପ୍ରତ୍ୟୟର ଚିଂତନରେ-- 

ଧରାବତରଣ ପରେ ମୋ ଉପସ୍ଥିତିକୁ ଲିଙ୍ଗଭେଦରେ ହାସ୍ୟାସ୍ପଦ କରିବନି ତ ?

ଶୁଣିଛି କୁଆଡେ ପଣତ ବି ଅଦଳ ବଦଳ ହୁଏ ଜୀବନର ସାଲିସ ଚଟାଣରେ 

ପୃଥିବୀର କେଉଁ କୁହୁଡ଼ିଆ ଉପକଣ୍ଠେ ତୁମ ହସ୍ତ ଯୁଗଳରୁ ମୋ ସ୍ପର୍ଶକୁ ବିଚ୍ୟୁତ କରିବନି ତ ?

କୁସଙ୍ଗର ବାର୍ତାରେ ଅମାସ୍ୟାକୁ ଆଦରିନେଇ ଭାଗ ଭାଗ କରିବନିତ ମୋ ବାଚ୍ଛଲ୍ୟ,କିଶୋର ମନ 

ନିଜ ନିଜ ସ୍ୱାଭିମାନ ରକ୍ଷାରେ ତୁମ ସୃଷ୍ଟିର ବଳକା ଆୟୁଷ ହେବନି ତ ଉପହସିତ?

ହେ ଅର୍ଚ୍ୟ ସ୍ରଷ୍ଟା! ତୁମେ ତ ଶୈବ, ଶାକ୍ତ, ବୈଷ୍ଣବ.. ଚଳନ୍ତି ପ୍ରତିମା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଲୋକର ବାର୍ତ୍ତା ବୋହୁଥିବା ଅଧିକାର ସ୍ଵୀକୃତି ସମୂହକୁ ତୁମ ଶ୍ରେଷ୍ଠ ପ୍ରକାଶନର ସାନ୍ନିଧ୍ୟରୁ ନିବୃତ କରିବନି ତ ?

ମୁଁ ତ ଅନବଦ୍ୟ ସ୍ଖଳନର ଅଳିନ୍ଦ ମାତ୍ର, କୋଉଠି ଖୋଜିବି ଅଗ୍ନି ସମୁଦ୍ରକୁ ଲଙ୍ଘିବାର ସାମର୍ଥ୍ୟ ରଖୁଥିବା ବେପଥୁ ପ୍ରାନ୍ତକୁ ମମତାକୁ ଆୟୁଧ କରି ଯୁଗସ୍ରଷ୍ଟା ବୋଲାଉଥିବା ସେଇ ମାୟା ପଣତକୁ..

ଆସିବତ ପିତୃ-ମାତୃ ର ସର୍ବଶ୍ରେଷ୍ଠ ପରିଚୟ ନେଇ?

ଅଥବା ହୋଇଯାଅ ହତ୍ୟାକାରୀ ନିଃଶବ୍ଦରେ ସଦ୍ୟ ପ୍ରକାଶିତ ଭୃଣର ହୋଇଯାଉ ଅଲକ୍ଷ୍ୟରେ ଉଦଯାପନ ଆଉ ଏକ ଅପ୍ରକାଶିତ ସଙ୍କଳନର ସଜେଇଦିଅ ମୋତେ ସ୍ୱାର୍ଥାନ୍ଧ ବଳୟକୁ ଭେଦି ପାରୁନଥିବା ନିରୀହ ବନ୍ଦୀ ର ରୂପରେ 

ନଚେତ ହେ ମହାମାନବ! ଶିଖେଇଦିଅ ଜନ୍ମ ପୂର୍ବରୁ, 

ଭୂଇଁରୁ ଆକାଶକୁ, ଶୂନ୍ୟରୁ ମହାଶୂନ୍ୟକୁ ଫେରିବାର ବୀଜମନ୍ତ୍ର 

ମୁଁ ବି ସ୍ୱଇଚ୍ଛାରେ ବିଲୀନ ହୋଇଯିବି କେଉଁ ଅଞେୟ ବ୍ରହ୍ମସତ୍ତାରେ 

ଭିନ୍ନ ଏକ " ଅଭିମନ୍ୟୁ" ର ସଂଜ୍ଞା ନେଇ…….


Rate this content
Log in

Similar oriya story from Inspirational