ଉତ୍କଳସ୍ୟ ସମଦେଶ (ଦ୍ଵିତୀୟ ଭାଗ)
ଉତ୍କଳସ୍ୟ ସମଦେଶ (ଦ୍ଵିତୀୟ ଭାଗ)
ଖୋଜି ଦେଖ ସାରା ସସାଗରା ଧରା
ଫେରିବ ନିଶ୍ଚେ ବିଫଳେ
ନଥିଲା କି ନାହିଁ ଉତ୍କଳର ସମ
ଦେଶ ଏହି ମହୀତଳେ।।
ଯେ ଦେଶ ଠାକୁର ଜଗତ ଠାକୁର
ବିଶ୍ଵ ମାନବର ସାହା,
ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଦାଣ୍ଡେ
ରଥାରୂଢ଼ ହୋନ୍ତି ଆହା।
ଶ୍ମଶାନ ଯେ ଦେଶେ ସ୍ଵର୍ଗଦ୍ଵାର ସାଜେ
ପୂତ ମହୋଦଧି କୂଳେ,
ନଥିଲା କି ନାହିଁ ଉତ୍କଳର ସମ
ଦେଶ ଏହି ମହୀତଳେ।।
ପିପିଲି ଚାନ୍ଦୁଆ ସମ୍ବଲପୁରୀ ଶାଢ଼ୀ
କଟକର ତାରକସି,
ନିହାଣ ମୁନରେ ପଥର ଦେହରେ
ଜୀବନ ଖେଳଇ ହସି।
ଉତ୍କୃଷ୍ଟ କଳାର ଦେଶ ବୋଲି ନାମ
ଉତ୍କଳ ମହୀ ତଳେ,
ନଥିଲା କି ନାହିଁ ଉତ୍କଳର ସମ
ଦେଶ ଏହି ମହୀତଳେ।।
ଦୀର୍ଘ ରାଜତ୍ୱର କାହାଣୀ ବଖାଣେ
ଏକାନ୍ତରେ ବାରବାଟୀ,
ଶିଶୁପାଳଗଡ଼ ଭଗ୍ନାବଶେଷରେ
ଆମ ପ୍ରାଚୀନ ସଂସ୍କୃତି।
ଐର ଖାରବେଳ ବୀରତ୍ୱର ଗାଥା
ଉଦୟଗିରି ଗୁମ୍ଫାରେ,
ନଥିଲା କି ନାହିଁ ଉତ୍କଳର ସମ
ଦେଶ ଏହି ମହୀତଳେ।।
ବରୁଣେଇ ତଳେ ଆଜି ବି ଶୁଭୁଛି
ଦେବୀଙ୍କ ଜୀବନ୍ତ ଗାଥା,
ଇଂରେଜ ବିରୁଦ୍ଧେ ଗଜପତିଙ୍କର
କଲେ ଯୁଦ୍ଧେ ସହାୟତା।
ସୀତା ମାତା ସହ ଶ୍ରୀରାମ ବିଶ୍ରାମ
ଯହିଁ ବନବାସେ କଲେ,
ନଥିଲା କି ନାହିଁ ଉତ୍କଳର ସମ
ଦେଶ ଏହି ମହୀତଳେ।।
ବହୁ ପୁରାତନ ନୌବାଣିଜ୍ୟ ଆମ
ବିଦେଶେ ପ୍ରସିଦ୍ଧ ଥିଲା,
ବାଲିଯାତ୍ରା ଆଜି ସେ ସ୍ମୃତିକୁ ଧରି
ବସାଏ ବୃହତ ମେଳା।
କାହିଁ କେତେ ଦୂରୁ ନାନା ପକ୍ଷୀ ଶୀତେ
ବସନ୍ତି ଚିଲିକା କୂଳେ,
ନଥିଲା କି ନାହିଁ ଉତ୍କଳର ସମ
ଦେଶ ଏହି ମହୀତଳେ।।
ମାଟି ବୃକ୍ଷ ଲତା ପଶୁ ପକ୍ଷୀ ଆଦି
ସର୍ବେ ପୂଜିତ ଏ ଦେଶେ,
ସତ୍ୟ ସରଳତା ସଭିଙ୍କ ଭୂଷଣ
ଶାନ୍ତି ରାଜେ ଚଉପାଶେ।
ଆଚରଣ ଉଚ୍ଚାରଣ ମଧୁଝରା
ରସଗୋଲା ପରି କାଳେ,
ନଥିଲା କି ନାହିଁ ଉତ୍କଳର ସମ
ଦେଶ ଏହି ମହୀତଳେ।।