ଶିଶିର ସଞ୍ଜ
ଶିଶିର ସଞ୍ଜ
କର ପଲ୍ଲବରେ ନୀହାର କଣାରେ
ଧରଣୀ ସଜାଏ ଶେଯ,
ଧୂସର ପାଟରେ ସଞ୍ଜ ରାଣୀ ଆସେ
ନିରେଖି ହେମ ମଉଜ ॥
ମୁକୁତା ବିନ୍ଦୁରେ କବରୀ ଉପମା
ବାଢଇ ପ୍ରକୃତି ରାଣୀ,
ପ୍ରକୃତି ପ୍ରାଙ୍ଗଣ ଶିଶିର କଙ୍କଣ
କାଳନ୍ଦି ମଉଡମଣୀ ॥
କୁସୁମ ଶିରିପା ଉପହାର ବେଶେ
ମଣ୍ତି ଭୂଖଣ୍ତର ହୁଣ୍ତି,
କୁନ୍ଦ ନଇଆସେ ପଉଶର ବେଶେ
ଫଟାଇ ଶିଶିର ହାଣ୍ତି ॥
ହିମ ଆଲଟରେ ଶୋଭାର ହାଟରେ
ନୁଖୁରା ସାଜଇ ମହୀ,
କାଉଁରୀ କସ୍ତୁରୀ ଭେଇଛି ତା ଶିରି
ଶିଶିର ସଂଜେ ପ୍ରହରୀ ॥
ମଳିନ ଶିଖାରେ ଲାଜୁଆ ସଳିତା
ମୈାନବ୍ରତେ ପିଇ ଘୃତ,
ଫାଟୁଆ ବେଦରେ ସୁପ୍ତ ପ୍ରମୋଦରେ
ସଞ୍ଜ କରେ ଆଲୋକିତ ॥
ଓଦା ସରସର ଶୀତୁଆ ସଞ୍ଜ ରେ
ଶ୍ୱାନ ବଜାଇ ମହୁରୀ,
ଶୀତ ଲହରୀରେ ସ୍ୱାଗତ ଚାମରେ
ସଞ୍ଜ ମନ କରେ ଚୋରି ॥
ଥରଥର ହିଆ କାକର ସଞ୍ଜୁଆ
ସାଜିଥାଏ ହିମ ହେମା,
ମହ୍ଲାର ସଜାଇ ଶୀତ ପଗଡିରେ
ଦିଏ ଶୀତୁଆ ଉପମା ॥