ପ୍ରଭାତ
ପ୍ରଭାତ
ଆସିଲା ପ୍ରଭାତ ହୋଇ ହର୍ଷ ଚିତ୍ତ
ଉଇଁଲା ନୁଆ ସୁରୁଜ
ସାରା ଜଗତରେ ବୁଣି ଦେଇଗଲା
ନୁଆ ରଙ୍ଗର ମୁରୁଜ।
ତରୁଣ ଅରୁଣ ଉଜ୍ଜ୍ୱଳ ଆଲୋକେ
ସୁସଜ୍ଜିତ ହୁଏ ମହୀ
ପୋଖରୀରେ ଥାଇ ପଦ୍ମ ସୁନ୍ଦରୀଟି
ପାଖୁଡ଼ା ଦିଏ ମେଲାଇ।
ଦେବାଳୟ ଠାରେ ମଙ୍ଗଳ ଆଳତି
ଶୁଭେ ଘଣ୍ଟ ଶଙ୍ଖ ବାଦ୍ୟ
ପ୍ରଭାତ ସମୟେ ପକ୍ଷୀଙ୍କର ଶୁଭେ
କିଚିରି ମିଚିରି ଶବ୍ଦ।
ପୂର୍ବ ଆକାଶର ରଙ୍ଗୀନ ଆଲୋକେ
ହସି ଉଠେ ଗାଆଁ ମୋର
ନୂଆ ବୋହୂଟିଏ ବାସୀ ପାଇଟିକି
ସାରେ ହୋଇ ତରବର।
ନାନା ଜାତି ଫୁଲ ଫୁଟି ପବନରେ
ମହକାଏ ଚଉଦିଗ
ବାସନାରେ ତାର ମନ ମୋହିନିଏ
ପାଗଳ ହୁଅଇ ଭୃଙ୍ଗ।
ଚାଷୀ ଭାଇ ଟିଏ ହଳ ଲଙ୍ଗଳ କୁ
ନେଇଣ ଯାଏ ବିଲକୁ
କାଳିଆ କସରା ବଳଦକୁ ଯୋଚି
ଲମ୍ବାଇ ଥାଏ ସ୍ୱରକୁ।
ସକାଳ ପବନ ଦେହ ପାଇଁ ହିତ
ଚଲାବୁଲା କଲେ ଭଲ
ଶୁଦ୍ଧ ଅମ୍ଳଜାନ ଭରି ରହିଥାଏ
କରଇ କର୍ମ ଚଞ୍ଚଳ।