ନୃସିଂହ ଜନ୍ମ
ନୃସିଂହ ଜନ୍ମ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ବିଷ୍ଣୁ ବିଶ୍ବରୂପ ରୂପ ବିଶ୍ବ ବନ୍ଦନ
ବିଷ୍ଣୁ ବିଶ୍ବ ବ୍ରହ୍ମାଣ୍ଡର ସୃଷ୍ଟି କରତ୍ତା
ବିଷ୍ଣୁ ବିଶ୍ବ ଜୀବନ ହେ ବିଶ୍ବ ନିଅନ୍ତା
ବିଶ୍ବ ହେଲେ ବିଷମୟ
ବିଷମ ଅଧର୍ମ ଭୟ
ବିଶ୍ବେ ଜନ୍ମି କର ପ୍ରଭୁ ଧର୍ମ ସ୍ଥାପନ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ବିଶ୍ବ ବିଶଜ୍ବଳା ଯେବେ ନପାରେ ସହି
ବିଶ୍ବ ରକ୍ଷା ପାଇଁ ଆସ ବିଶ୍ବେ ଓହ୍ଲାଇ
ଅବତାର ରୂପରେ ଧରାକୁ ଓହ୍ଲାଅ
ମତ୍ସ୍ୟ କଛପ ବରାହ ନରସିଂହ
ବାମନ ପରଷୁରାମ
ରାମ ଆଉ ବଳରାମ
ବୁଦ୍ଧ କଳକୀ ଯେ ଦଶ ଅବତାରେଣ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ନୃସିଂହ ଚତୁର୍ଦ୍ଦଶୀର ଲିଳା ଅପାର
ନୃସିଂହ ରୂପେ ବିଷ୍ଣୁ ନେଲେ ଅବତାର
ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ସେତ
ସ୍ତମ୍ଭରୁ ବାହାରି ପ୍ରଭୁ ହେଲେ ପ୍ରକଟ
ପ୍ରହଲ୍ଲାଦ ଶିଶୁ ଟିଏ
ପ୍ରଭୁଙ୍କର ଭକ୍ତ ସିଏ
ନୃସିଂହଯେ ରକ୍ଷା କଲେ ତାର ଜୀବନ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ହିରଣ୍ୟ କଶ୍ୟପ ନାମେ ଦୈତ୍ୟ ଯେ ଥିଲା
ତପୋବଳେ ଅଭୟ ବର ପାଇଥିଲା
ଦିନରେ କି ରାତିରେ ତା ମୃତ୍ୟୁ ହେବନି
ପଶୁ କି ମଣିଷ ହାତେ ସେ ମରିବନି
ଅସ୍ତ୍ରଶସ୍ତ୍ର ତାର କିଛି
ପାରିବନି କରି କ୍ଷତି
ସୁରକ୍ଷା କବଚେ ଥିଲା ତାର ଜୀବନ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ବର ପାଇ ହିରଣ୍ୟ ହେଲା ଦୂରାଚାରୀ
ନାଁ ଶୁଣି ମାଟି ପାଣି ଉଠେ ଶିହିରୀ
ଅହଙ୍କାରୀ ଭାରି ସେ ଥିଲା ଅତ୍ୟାଚାରୀ
ସୃଷ୍ଟିକର୍ତ୍ତା ବିଷ୍ଣୁ ତା ଆଜନ୍ମ ବଇରୀ
ପ୍ରହଲ୍ଲାଦ ପୁତ୍ର ତାର
ଭକ୍ତ ସେତ ବିଷ୍ଣୁ ଙ୍କର
ବିଷ୍ଣୁ ନାମ ଶୁଣି ଦୈତ୍ୟ କରେ ଗର୍ଜନ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ପିତା ର ବଇରୀକୁ ପୁତ୍ର କରେ ପୂଜା
ହରିନାମ ଗାଇଗାଇ ଉଡାଏ ସେ ଧ୍ବଜା
ପିତା ର ଆକଟକୁ ଦିଏ ନାହିଁ ଧ୍ୟାନ
ରାତି ଦିନ ହରିନାମ କରେ ଭଜନ
କୋପରେ ହିରଣ୍ୟ ସେହି
ପୁତ୍ର କୁ ମାରିବା ପାଇଁ
କରିଲା ସେତ କେତେଯେ ଉପାୟମାନ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ହରି ଭକତକୁ କିଏ ପାରିବ ମାରି
ସବୁଠାରେ ପ୍ରହଲ୍ଲାଦ ଗଲା ଉଦ୍ଧରି
ଦିନେକ ପ୍ରହଲ୍ଲାଦ ସନ୍ଧ୍ୟା ସମୟରେ
ହରିନାମ ଜପୁଥିଲା ବସି ଧ୍ୟାନରେ
ଗର୍ଜି ହିରଣ୍ୟ କଶ୍ୟପ
କହିଲା କରି ସେ କୋପ
କାହିଁ ଅଛି ହରି ତୋର ଦେଖା ତତ୍କ୍ଷଣ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ବିଚାରା ପ୍ରହଲ୍ଲାଦ ଥରହର ହୋଇ
ସ୍ତମ୍ଭ ଟିଏ ଥିଲା ପାଖେ ଦେଲା ଦେଖାଇ
କହିଲା ଅଛନ୍ତି ହରି ଏହି ସ୍ତମ୍ଭରେ
ଦୟାମୟ ପ୍ରଭୁ ମୋର ସ୍ତମ୍ଭ ରୂପରେ
ହିରଣ୍ୟ କଶ୍ୟପ ରାଗେ
ସ୍ତମକୁ ହାଣିଲା ଯେବେ
ଗର୍ବ ଗଲା ଭାଙ୍ଗି କଥା ହେଲା ଗହନ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ସ୍ତମ୍ଭୁ ବାହାରିଲେ ପ୍ରଭୁ ନୃସିଂହ ରୂପେ
ହିରଣ୍ୟ କୁ ବିଦାରିଲେ ପକାଇ ଜଙ୍ଘେ
ଦିନ ନୁହେଁ ରାତି ନୁହେଁ ସନ୍ଧ୍ୟା ସମୟ
ମଣିଷ କି ପଶୁ ନୁହେଁ ସେତ ନୃସିଂହ
ଅସ୍ତ୍ର ନୁହେଁ ସସ୍ତ୍ର ନୁହେଁ
ନଖ ମୁନରେ ତ ସିଏ
ଅତ୍ୟାଚାରୀ ଦୈତ୍ୟ କୁତ କଲେ ନିଧନ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀରେ
ବିଷ୍ଣୁ ନୃସିଂହ ଯେଣୁ ଅବତରିଥିଲେ
ସେହି ପବିତ୍ର ତିଥିକୁ ମନେ ପକାଇ
ନୃସିଂହଙ୍କ ଜନ୍ମଦିନ ଧରା ପାଳଇ
ବିଷ୍ଣୁ ମନ୍ଦିରରେ ପୂଜା
ଉଡଇ ଧରମ ଧ୍ବଜା
ଜୟ ନୃସିଂହ ଜୟ ଭକତ ଜୀବନ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ହରିଶଙ୍କର ଆଉଯେ ନୃସିଂହ ନାଥ
ନୃସିଂହ ଙ୍କ ଜନ୍ମଦିନେ ଉଛୁଳେ ପୀଠ
ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଳି ହୁଏ
ଗନ୍ଧମାର୍ଦ୍ଦନ ପର୍ବତ ଉଛୁଳୁଥାଏ
ଯାଗ ଯଜ୍ଞ ରାତିଦିନ
ହୁଏ ଭଜନ କିର୍ତ୍ତନ
ପ୍ରଭୁଙ୍କ ଦର୍ଶନେ ମିଳେ ଅଶେଷ ପୂଣ୍ୟ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ସ୍କନ୍ଦପୁରାଣରେ ଅଛି କଥା ବର୍ଣ୍ଣନ
ଜଗନ୍ନାଥ ନୃସିଂହ ନୁହନ୍ତି ଅଭିନ୍ନ
ନୃସିଂହ ଯେ ଶ୍ରୀକ୍ଷେତ୍ରର ଆଦି ଠାକୁର
ଶ୍ରୀମନ୍ଦିର ସାରା ପୂଜା ମୂର୍ତ୍ତି ତାଙ୍କର
ଚାରିଦ୍ବାର ଶର ଘରେ
ମୁକ୍ତିମଣ୍ଡପ ଆଗରେ
ଅଛନ୍ତି ନୃସିଂହ ସେ ଆଦି ନାରାୟଣ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ଲକ୍ଷ୍ମୀ ନୃସିଂହ ବାଇଶି ହାତ ନୃସିଂହ
ବାଡି ନୃସିଂହ ପୁଣି ଯଜ୍ଞ ନରସିଂହ
ବିଭିନ୍ନ ନାମରେ ବିଜେ ଶ୍ରୀମନ୍ଦିର ରେ
ଅଗ୍ରପୂଜ୍ୟ ପ୍ରଭୁ ସବୁ ପୂଜା ବିଧିରେ
ନୃସିଂହ ଙ୍କ ଜନ୍ମ ଦିନ
ଶ୍ରୀକ୍ଷେତ୍ର ପର୍ବ ମହାନ
ସେଦିନ ପ୍ରଭୁ ଦର୍ଶନେ ଜୀବନ ଧନ୍ୟ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ମହାଦାରୁ ଦର୍ଶନ ଦେଇଥିଲେ ଯହିଁ
ଚକ୍ରତୀର୍ଥ ଭାବେ କ୍ଷାତ ତୀର୍ଥଯେ ସେହି
ଚକ୍ର ନୃସିଂହ ଆଉ ଚକ୍ର ନାରାୟଣ
ସେ ପବିତ୍ର ସ୍ଥାନକୁ କରନ୍ତି ମଣ୍ଡନ
ନୃସିଂହ ଚତୁର୍ଦ୍ଦଶୀ ରେ
ପ୍ରଭୁଙ୍କ ଆଜ୍ଞାମାଳଯେ
ଚକ୍ର ନୃସିଂହେ ଆଗ କରନ୍ତି ଦର୍ଶନ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ଚକ୍ରତୀର୍ଥେ ଆଜ୍ଞାମାଳ ଯିବା ପରେଟି
ମୁକ୍ତି ମଣ୍ଡପେ ନୃସିଂହ ବିଜେ ହୁଅନ୍ତି
ସମ୍ମୁଖେ ନୃସିଂହ ପୁଣି ମଣ୍ଡପେ ନୃସିଂହ
ପ୍ରଭୁଙ୍କ ଜନ୍ମଦିନ ହୁଅଇ ପାଳନ
ଭାଗ୍ୟେଥିଲେ ସେହି ଲିଳା
ଚର୍ମଚକ୍ଷୁ ଦେଖେ ଭଲା
ପ୍ରାଣରେ ବୁହେ ସତେ ଶାନ୍ତି ର ପ୍ଲାବନ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ
ନର ଆଉ ସି°ହ ସେଯେ ପ୍ରଭୁ ନୃସିଂହ
ଅବତାର ମଧ୍ୟେ ଶ୍ରେଷ୍ଠ ପ୍ରଭୁଙ୍କ ତେଜ
ଯେମିତି ସେ ଭୟଙ୍କର ସେମିତି ଧୀର
ଶାନ୍ତି ମୁକ୍ତି ଦାତା ସେ ଭାବର ଠାକୁର
ହେ ନୃସିଂହ ପୁଣ୍ୟ ବ୍ରହ୍ମ
କୃପାନୟନରେ ତୁମ
ଚାହିଁଥିବ ଥିବାଯାଏ ଏଇ ଜୀବନ
ବିଷ୍ଣୁ ବିଶ୍ବ ଚିନ୍ତାମଣି ବିଶ୍ବ ମୋହନ ।