ମୋ ଶ୍ରେଷ୍ଠ ବନ୍ଧୁ
ମୋ ଶ୍ରେଷ୍ଠ ବନ୍ଧୁ
ବନ୍ଧୁ ପରି ବନ୍ଧୁଟିଏ ଖୋଜେ ମୁଁ
ମୋ ଅନ୍ତରରେ ଏ ସଂସାର ଭିତରେ
ଯିଏ ହୋଇ ପାରିବ ମୋ ଶ୍ରେଷ୍ଠ ବନ୍ଧୁ
ଶୁଣିଛି ଶୁଭାକାଂକ୍ଷୀ ଗୁରୁ ଗୁରୁଜନଙ୍କଠାରୁ
ପଢିଛି ପଢା ବହିର କିଛି ପୃଷ୍ଠାରେ
"ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ"
ହୃଦୟରେ ଭରିଥିବ ଅନାବିଳ ସଦ୍ଦିଚ୍ଛା
ବୁଝୁଥିବ ମନ କଥା ଦେଇ ଅଗ୍ରାଧିକାର
ପରସ୍ପର ଭିତରେ ନ ଥିବ ସନ୍ଦେହ ଶଙ୍କା
କେବଳ ଥିବ ଗୋଟାଏ ବିଶ୍ଵାସର ଭରସା
ଏକ ମନ ପ୍ରାଣ ଆତ୍ମାରେ ଯୋଡ଼ି ସଂପର୍କ
ପବିତ୍ର ବନ୍ଧନେ ବାନ୍ଧି ହୋଇଥିବ ଆତ୍ମୀୟତା
ଠିକ୍ 'କୃଷ୍ଣ ସୁଦାମା' 'କୃଷ୍ଣ ଅର୍ଜୁନ'ଙ୍କ ପରି।
ସେ ସାଙ୍ଗ ସାଥି ବନ୍ଧୁ ସଖା ମିତ ଅବା ମିତ୍ର
ଯେଉଁ ଶବ୍ଦଟିଏ ହେଉ ହୋଇଥିବ ପ୍ରିୟପାତ୍ର
ଗୋଟିଏ ହୃଦୟର ଅହରହ ସ୍ପନ୍ଦନରେ
ପ୍ରତିଧ୍ଵନିତ ହେଉଥିବ ସେଇ ଗୋଟିଏ ଭାବ
ଲୁହ ଲହୁର ଦାନ ପ୍ରତିଦାନେ ନ ଥିବ ଅଙ୍କୁଶ
ସେମିତି ସ୍ବଭାବର ମଣିଷ ହିଁ ମୋ ଶ୍ରେଷ୍ଠ ବନ୍ଧୁ।
ମନ ଖୋଜେ ଖୋଜୁଛି ତର୍କ ବିତର୍କରେ
" ଭାବକୁ ନିକଟ ଅଭାବେ ଅଭେଟ "
ପୁଣି ତର୍କେ ଯାଏ ବହୁ ଦୂର ଆସେନା ନିକଟ
ଖୋଜିବାରେ ସମୟ ହୁଏ ଅତିକ୍ରାନ୍ତ
ମନ ଗହନରୁ ଯାଏନା ଦ୍ବନ୍ଦ କରେ ପଥରୁଦ୍ଧ
ପାଇବାକୁ ମୁଁ ସେମିତି ଏକ ମୋ ଶ୍ରେଷ୍ଠ ବନ୍ଧୁ
ନିଜକୁ କରିଛି କି ସେତିକି ପୂର୍ଣ୍ଣ ସମର୍ପଣ ?
ମନ କହେ ଏ କଣ ମୋ ଦ୍ବାରା ସମ୍ଭବ ?
ସତରେ ମୁଁ କରି ପାରିବି ଏତେ ବଡ ତ୍ୟାଗ ?
ପ୍ରଶ୍ନବାଚୀର ସୀମାରେଖା ଡେଇଁ ହୁଏନା ଯାଇ
ପଛରୁ ଜାବୁଡ଼ି ଧରନ୍ତି ପାର୍ଥିବ କାମନା ସବୁ
ବୁଦ୍ଧି ବିବେକ ବିଚାରମାନେ ପାଲଟି ଯାନ୍ତି ଜଡ
କଇଁଛ ପରି ସଂକୁଚିତ ହୋଇ ରହେ ନୀରବ
ନିଜେ ନିଜ ସ୍ଵାର୍ଥର ଖୋଳପା ଭିତରେ ରହି
ନିଜକୁ କରି ରଖିଥାଏ ମୁଁ ଏକାନ୍ତ ଗୋପନ।
ଚୁମ୍ବକୀୟ ଆକର୍ଷଣ ପରି ସବୁ ସଂପର୍କ
ଶ୍ରଦ୍ଧା ସ୍ନେହ ମମତାର ଶକ୍ତିରେ ହୁଏ ଆକର୍ଷିତ
ସୃଷ୍ଟିର ନିୟମ କହେ ସ୍ଥୂଳ ସ୍ଥୂଳକୁ ସୂଷ୍ମ ସୂକ୍ଷ୍ମକୁ
ଆକର୍ଷି ନେଇ ସଂଯୋଗ ବଶତଃ ହୁଏ
ପରସ୍ପର ମଧ୍ୟେ ଏକ ଅତୁଟ ସମ୍ବନ୍ଧ ସ୍ଥାପନ
ପାଇବାକୁ ମୋତେ ମୋ ଶ୍ରେଷ୍ଠ ବନ୍ଧୁ
ନିଜକୁ ପ୍ରମାଣ କରିବାକୁ ହେବ ନିଜେ
ମୁଁ ମୋ ବନ୍ଧୁର ଜଣେ ଶ୍ରେଷ୍ଠ ବନ୍ଧୁ.....