ଖୁସି
ଖୁସି
ଖୁସିକୁ କେବେ ବି ନିଜ ଆଡୁ
ଛୁଟି ଦିଅ ନାହିଁ ବନ୍ଧୁ!
କିଏ ଜଣେ କେବେ
ଖୁସି ନିଜେ ଛୁଟି ନେଇ ଯିବ
କେତେ କାଳ ବା
ବିଷାଦ ଅବସାଦ
ହାଃ ହତାଶାରେ ଜୀଇଁବ??
ଖୁସି ବିନା ଜୀଇଁବା କି ଜୀଇଁବା?
ଖୁସି ବିନା କାହିଁକି ରହିବା?
କାହିଁକି କର ଖୁସିର ପଥରୋଧ?
କାହିଁକି ପାଇଁ ଏତେ ଅନ୍ତର୍ଦ୍ବନ୍ଦ?
କାହିଁକି ଦୂରେଇ ଦିଅ ତାହାକୁ ଦୂରକୁ?
କାହିଁକି ଦୋଷାରୋପ କର ଆଉ କାହାକୁ??
ଛୋଟ ଛୋଟ ପ୍ରତିଟି ମୁହୂର୍ତ୍ତ ହେଉ
ସଦାସର୍ବଦା ଆନନ୍ଦମୟ
ହସଖୁସି କୋଳାହଳମୟ
ରାଗ ରୋଷ ଗୁମାନ ଅଭିମାନ
ଛାଡ଼ି ଜୀବନକୁ ଜୀଅଁ ପୁରା ଦମରେ
କିଏ ଜଣେ ଜୀବନ
ଜୀଇଁବାକୁ କେବେ ଛୋଟ ପଡ଼ିଯିବ!!
ଖୁସି ପାଇଁ ତ ଲୋଡ଼ା ନାହିଁ
ଅପରିମିତ ଅର୍ଥ ପ୍ରତିପତ୍ତି ଅବା ପଦପଦବୀ
ଅନ୍ତରରୁ ଆବର୍ଜନା ବର୍ଜି
ମୁହଁରେ ଚେନାଏ ହସ ତ ଖେଳାଅ
ଦେଖିବ ତୁମ ପାଇଁ
ଏଇ ସାରା ଦୁନିଆ ଦିନେ ହସି ଉଠିବ!!
ଚିରଫଟା ପୋଷାକ ପିନ୍ଧି ବାସ୍ତୁହରା ବି
ଜୀଇଁ ପାରେ ଖୁସିରେ ପଥଧାରେ
ଶୋଇ ପାରେ ଅଚିନ୍ତା ନିଦ୍ରାରେ
ଗଦା ଗଦା ନୋଟ୍ ବିଡ଼ାର ପାହଡ଼
ଆଢୁଆଳରେ ବି ନିଦ ନଥାଏ ଆଖିରେ
କିଏ ଜାଣେ କେବେ ସେଇ
ପାହାଡ଼ ଭୁଷୁଡ଼ି ପଡ଼ିବ!!
କିଏ ଅବା କଣ ଆଣିଥିଲା ଏଠିକୁ?
କିଏ ଅବା କଣ ନେଇଯିବ ଏଠାରୁ?
ଦେବାନେବା ପାଇଁ କାହିଁ ଦୁଃଖ କର
ଜୀବନ କି ଅଟଇ ହିସାବ ଲାଭ କ୍ଷତିର
ହିସାବରେ କଣ ଜୀଆଁଯାଏ ଜୀବନ
ବର୍ଷ ମାସ ଦିନ କ୍ଷଣ
ସବୁ ତ ଅଟଇ ଭ୍ରମ ମନର!!
ପାର୍ଥିବ ପଛରେ ଧାଇଁ ଧାଇଁ
ଶାଶ୍ୱତ କାହିଁ ହୁଅଇ ପାଶୋର
ଖୁସି ତ ଅମୂଲ୍ୟ ଦୁର୍ମୂଲ୍ୟ ଅତୁଲ୍ୟ
ଆନ ସହ ତଉଲୁଛ କାହିଁ?
ଚଉଦିଗେ ବିଛୁରି ପଡିଛି ଖୁସି
ଏଠି ସେଠି ସବୁଠି
ପ୍ରତି କ୍ଷଣ ପ୍ରତି ମୂହୁର୍ତ୍ତରେ
ଅଣ୍ଟିରେ ସାଉଁଟି ନିଅ ବନ୍ଧୁ
କିଏ ଜଣେ କେବେ
ଅଣ୍ଟି ବି ନିଅଣ୍ଟ ପଡିଯିବ!!