କାହିଁ ମୁଁ ଖଟିବି ବିଦେଶେ
କାହିଁ ମୁଁ ଖଟିବି ବିଦେଶେ


କାହିଁ ମୁଁ ଖଟିବି ବିଦେଶେ ଆଜ ଭାଳୁଚି ମୁହିଁ,
ତୋ' କଥା ମନେ ମୋ ପଡଇ ମାତା ବୁଝିଲି ନାହିଁ।
କହିଥିଲୁ ପିତା ସଙ୍ଗେ ଯେ କ୍ଷେତେ ଯାଆ ତୁ ସୁତ,
ମୁହିଁ କୁଳାଙ୍ଗର ବୁଝେନି ଆଜ ଭୋଗଇ ମାତ।
ଗୁରୁ ଗୁରୁଜନ ବଚନ ହେଳା କରିଲି ବୋଲି,
କେଡେ ମୁଁ ପାଉଚି କଷଣ କେବେ ହେବନି ଭୁଲି।
ବିପତ୍ତି କାଳରେ କମ୍ପାନୀ ତିଳେ ଚାହିଁଲା ନାହିଁ,
ରକତ ହୋଇଥିଲା ପାଣି ଦିନେ ଯହିଁ ଯା' ପାଇଁ।
କେଡେ ସ୍ୱାର୍ଥପର ମାଲିକ ଭାଳି ଘୁରଇ ମଥା,
ସ୍ୱାର୍ଥେ ବନ୍ଧା ଏଠି ମାନବ ଚିନ୍ତି ଲାଗଇ ବ୍ୟଥା।
ନେଇଥିଲା କେଡେ ଯତନେ ସ୍ୱାର୍ଥ ହାସଲ ପାଇଁ,
ସ୍ୱାର୍ଥ ନାହିଁ ବୋଲି ବଦନ ତାର ଦିଶଇ ନାହିଁ।<
/p>
ଛାଡିଥିଲୁ ଯେଉଁ ମାଟିକି ଆଜ କୋଳାଏ ସେତ,
ତା' ପାଇଁ ଜିଇଁଛି ଜୀବନ ସେହି ଜନନୀ ମାତ।
ମାଟି, ଜନ୍ମଭୂଇଁ, ଜନନୀ ତାର କେଡେ ମମତା,
ସନ୍ତାନ ପାଇଁ ତା' ହୃଦୟ ଚିର ଜଗତ ଜିତା।
ବିଳମ୍ବେ ସେ କଥା ବୁଝୁଚି କ୍ଷମା କରିବ ମାତା,
ଜନ୍ମଭୂମି ନିନ୍ଦା କରିଣ ଆଜ ଏତେ ହୀନସ୍ତା।
ଯେତେ ଶ୍ରମ କଲି ସେଠି ମୁଁ ରହି ଏତେ ବରଷ,
ସେଇ ଶ୍ରମ କଲେ ଏଠି ମୁଁ ମୋତେ ମିଳନ୍ତା ଯଶ।
ମୋ' ବାଡ଼ି କ୍ଷେତେ ମୁଁ ଖଟିବି ସେଠି ଫଳିବ ସୁନା,
ଗାଆଁ ପରିଜନେ ଜିଇଁବି ସୁଖେ ମିଳିବ ଦାନା।
ମାଟି ମାଆ ମୋର ହସିଲେ ସିନା ହସିବ ଦେଶ,
ତେବେ ହୋଇବ ଯେ ବାସ୍ତବେ ଆମ ଦେଶ ବିକାଶ।