STORYMIRROR

Sasmita Kar

Inspirational Others

3.3  

Sasmita Kar

Inspirational Others

ଏକା ଏକା ନିର୍ଭୟା

ଏକା ଏକା ନିର୍ଭୟା

1 min
13.8K


କିଏ ମୋତେ ଗୋଟେ

ପକ୍ଷୀ ରାଜ ଘୋଡାଟେ ଦିଅନ୍ତା

ତା ପିଠିରେ ସବାର ହେଇ

ମୁଁ ଲେଉଟି ଯାଆନ୍ତି

ମୋ ଆୟୁଷର ଗୋଟିଏ ପଛକୁ ଦିନ

ସାଉଁଟି ଆଣନ୍ତି

ନୀଳ ଲଫାପାରେ ସାଇତା ରକ୍ତର ଗୋଲାପ ପାଖୁଡା

ଆଲମାରୀରୁ ବହି ଖାତା,

ବୋଉ ଲାଗି ଆଣିଥିବା

ପାଉଁଜି ଅଳତା ।


ମୁଁ ଭୁଲିଯାନ୍ତି

ବିଗତ ରାତିରେ ଝୁଣୁଥିବା ମୋ ଦେହର

ପୁଳା ପୁଳା ରକ୍ତ ମାଂସ,

ଭୁଲିଯାନ୍ତି ମୋ ଦେହର

ଟିପ ନଖ ଚିହ୍ନ

ରାତିର ଉଦ୍ଦାମ ଜିଦ

ପୁରୁଷର ଆଦିମ ଉଲ୍ଲାସ।


ମୋ ଛାତିର ନରମ ବିଶ୍ଵାସ

ଟିକେ ଗଜୁରି ଯିବାକୁ

କିଏ ମୋତେ ଗୋଟେ

କାଉଁରୀ କାଠିଟେ ଛୁଆଁଇ ଦିଅନ୍ତା

ଜଡାଇ ଦିଅନ୍ତା କିଏ

ମୋ ଫୁଙ୍ଗୁଳା ଦେହରେ

ଝଲମଲ ଜାରିଦିଆ ପାଟ

ମୋ ଉକୁଟି ଆସୁଥିବା

ତତଲା ନିଶ୍ଵାସ ତଳେ

ଜାଳି ଦିଅନ୍ତା ଜହ୍ନର ରୋଷଣୀ

ପରୀର କାଉଁରୀ କାଠିଟେ ଆଣି

ମୋ କ୍ଷତାକ୍ତ ଓଠରେ

ଲେପି ଦିଅନ୍ତା ବିଶ୍ଵାସର ଗାଢ଼ ରଙ୍ଗ

ପଲକ ପଡୁନଥିବା ଆଖିରେ

ରାତି ସାରା ନିଦ

ଝଡିଯାଇଥିବା ଗଙ୍ଗଶିଉଳିରେ

ସ୍ୱପ୍ନର କୁହୁକ ।


ମୋ ଅବଶିଷ୍ଟ ଆୟୁଷରୁ

ଗୋତେଦିନ ଲେଉଟିଯିବାକୁ

କିଏ ମୋତେ ଗୋଟେ

ପକ୍ଷୀ ରାଜ ଘୋଡାଟେ ଦିଅନ୍ତା ।

ଡଃ ସସ୍ମିତା କର

ଶିକ୍ଷା ବିଭାଗ

ରମା ଦେବୀ ମହିଳା ବିଶ୍ଵବିଦ୍ୟାଳୟ

ଭୁବନେଶ୍ୱର

The poem speaks about the rape victim Nirbhaya. After that incident she could have been dreamt of a new life bereft of that terrific night.Being a young girl, her dream could never have been liberation or Mukti but a life in full of with dreams with blossoms of love.


Rate this content
Log in

Similar oriya poem from Inspirational