Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Tragedy

5.0  

Prasant Kumar Nath

Tragedy

ଚୋର

ଚୋର

4 mins
707


ନୂଆ ବର୍ଷ ଆସିଲେ ସବୁକିଛି ନୂଆ ନୂଆ ଲାଗେ । ମଦ ମାଂସର ଆସର ଜମେ ଭିଡ଼ ଲାଗେ ଖାସି ଦୋକାନରେ । ପାର୍ଟି କରିବାର ଆଉ ଏକ ମୁଖ୍ୟ ଦିବସ ହେଉଛି ଏଇ ନବବର୍ଷ । କିନ୍ତୁ ମୁଁ ପ୍ରତି ନବବର୍ଷକୁ ଟିକେ ନିଆରା ଢଙ୍ଗରେ ପାଳିଥାଏ । ଆଗରୁ ସବୁବେଳେ ମା' ସହିତ ନବବର୍ଷ ପାଳୁଥିଲି ଆଉ ଏବେ ପତ୍ନୀ ସହିତ । ମା' କଥା ବହୁତ ମନେପଡେ କିନ୍ତୁ ବାହାରେ ରହୁଥିବାରୁ ମା' ପାଖରେ ପହଂଚି ପାରେନି ।

          ସେଦିନ ବି ଥିଲା ନବବର୍ଷ । ଗାଧୋଉ ପାଧୋଇ ଠାକୁରଙ୍କ ପାଖକୁ ଗଲି । କାହିଁକିନା ଠାକୁରଙ୍କ ପ୍ରତି ମୋର ଯଥେଷ୍ଟ ଭକ୍ତି ଥିଲା । ଘରକୁ ଫେରିଲା ପରେ ଘରଣୀ କହିଲେ ଆଜି ଟିକେ ଶୀଘ୍ର ଫେରିବ । ଯେହେତୁ ନବବର୍ଷ ଆମେ ଆଜି ହୋଟେଲ ଯିବା ଡିନର ପାଇଁ । ହଁ ଭରିଲି । ନୂଆବର୍ଷଟାରେ ପତ୍ନୀର କଥା କେମିତି ରଖି ନଥାନ୍ତି ଯେ । ରଖିବାର ପ୍ରତିଶୃତି ଦେଇ ଅଫିସ ବାହାରିଲି ।

          ଅଫିସ ଛୁଟି ହେବାର ଦୁଇ ଘଣ୍ଟା ପୂର୍ବରୁ ମାଲିକକୁ କହି ଚାଲି ଆସିଲି । କାହିଁକିନା ଘରଣୀର ଫର୍ମାଇସ ଥିଲା ଆଜି ଶୀଘ୍ର ଘରକୁ ଫେରିବାକୁ ।

         ବାଟରେ ଦେଖିଲି ଗୋଟାଏ ଜାଗାରେ କିଛି ଲୋକ ରୁଣ୍ଡ ହୋଇଛନ୍ତି ଆଉ ଗୋଟେ ଛୋଟ ଛୁଆକୁ ଦୁଇ ଚାରି ଜଣ ମିଶି ମାରୁଛନ୍ତି । କେଜାଣି କାହିଁକି ମୋତେ ଭାରି ଦୟା ଲାଗିଲା । ପଚାରିଲି କଣ ହୋଇଛି, ଖବର ନେବାରୁ ଜଣା ପଡିଲା ଛୁଆଟି ଗୋଟାଏ ଦୋକାନରୁ କଣ ଚୋରି କରୁଥିଲା ତାପରେ ଦୋକାନୀ ଆଉ ଅନ୍ୟମାନେ ମିଶି ତାକୁ ପିଟୁଛନ୍ତି । ଦେଖଣାହାରି ରୁଣ୍ଡ ହୋଇଛନ୍ତି ହଁ ଆହୁରି ପିଟ ପିଟ ବୋଲି ଚିଲାଉଛନ୍ତି । ଏସବୁ କାମରେ ଲୋକମାନେ ଆଗୁଆ । କିଛି ବୁଝିବା ଆଗରୁ କାହାକୁ ପିଟିବେ ମାରିବେ । ପିଲାଟିର ମୁହଁକୁ ଚାହିଁଲି କେଜାଣି କାହିଁକି ସିଏ ମୋତେ ଚୋର ବୋଲି ଲାଗିଲାଣି । ଜୋରରେ ପାଟି କରି ଉଠିଲି କଣ ପାଇଁ ତାକୁ ମାରୁଛ । ଲୋକମାନେ ମୋତେ ମାରିବାକୁ ଦୌଡ଼ି ଆସିଲେ କହିଲେ ଏଇ ହେଉଛି ସେ ଚୋରର ଓସ୍ତାଦ । କହିଲି ସିଏ ଯଦି ଚୋରି କରିଛି ତାକୁ ପୋଲିସରେ ଦିଅନ୍ତୁ ରାସ୍ତାଘାଟରେ ଏମିତି ପିଟିବା କେଉଁ ଆଇନ । ତାହା ପୁଣି ଛୋଟ ପିଲାଟିକୁ । ପିଲାଟି କଣ ବୁଝିଲା କେଜାଣି ମୋ ପାଖକୁ ଧାଇଁ ଆସିଲା ମୋର ଗୋଡ଼କୁ ଖୁବ ଜୋରରେ ଜାବୁଡ଼ି ଧରିଲା । ତାକୁ ଲାଗିଲା ଯେମିତି ଏତେ ଲୋକମାନଙ୍କ ଭିତରେ ମୁଁ ହିଁ ତାକୁ ରକ୍ଷା କରି ପାରିବି ।

             ଦେଖିଲି ଏତେ ମାଡ଼ ଖାଇଲା ପରେ ବି ତା' ହାତରେ ସେ ଖଣ୍ଡେ ରୁଟିକୁ ଜାବୁଡି ଧରିଛି । ପଚାରିଲି ତୁ ଚୋରି କରିଛୁ, ପିଲାଟି ହଁ ଭରିଲା । କହିଲା ବାବୁ ମୁଁ ଚୋରି କରିଛି ସତ କିନ୍ତୁ ମୁଁ ମୋ ପାଇଁ ଚୋରି କରିନି ମୋ କୁନି ଭଉଣୀ ପାଇଁ କରିଛି ବାବୁ । ମୁଁ ଆଶ୍ଚର୍ଯ୍ୟ ହୋଇଗଲି ପଚାରିଲି, ସାନ ଭଉଣୀ ପାଇଁ ଚୋରି କରିଛି.!

କଣ ଚୋରି କରିଛୁ ।

କହିଲା ବାବୁ ପଟେ ରୁଟି  ।

ମୋତେ ଲାଗିଲା ଯେମିତି ପିଲାଟି ସବୁ ସତ କହୁଛି ।

କାନ୍ଦି କାନ୍ଦି କହିଲା ବାବୁ ମୋ ଭଉଣୀକୁ ଆଠ ଦିନ ହେଲା ପ୍ରବଳ ଜର । ମୁଁ ଏଇ ବାବୁଙ୍କ ପାଖରେ କାମ କରୁଥିଲି । ମୋ ଭଉଣୀକୁ ଜର ବୋଲି କାମକୁ ଆସି ପାରୁନଥିଲି । ମୋ ପାଖରେ ଯେତେ ପଇସା ଥିଲା ତାକୁ ଔଷଧ କିଣି ଦେଲି । ହେଲେ ତାର ଜ୍ୱର ଆଜି ଯାଏ ଭଲ ହେଲାନି । ଖାଲି ପେଟରେ ସେ ଔଷଧ କେମିତି ଖାଇବ ସେଥିପାଇଁ  ମୁଁ ଆଜି ରୁଟି ପଟେ ଚୋରି କରିଛି ।

ଲୋକମାନେ ଆଁ କରି ଚାହିଁ ରହିଥାନ୍ତି

ପଚାରିଲି ତୁ ମାଗିଲୁନି ଚୋରି କଣ ପାଇଁ କଲୁ

କହିଲା  ମାଗିଛି ବାବୁ ବହୁତ ନେହୁରା ହୋଇଛି....ଏକଥା ବି କହିଛି ମୋ ଭଉଣୀର ଦେହ ଭଲ ହୋଇଗଲେ ଆମେ ଭାଇ ଭଉଣୀ ଦୁହେଁ ମିଶି ଆପଣଙ୍କ କାମ କରି ସବୁ ପଇସା ସୁଝି ଦେବୁ.... କିନ୍ତୁ ବଦଳରେ ସେ ମୋତେ ମାଡ଼ ମାରିଲେ  ଗାଳି କରିଲେ....।

ମୁଁ ଅନ୍ୟ ଉପାୟ ନପାଇ ଖଣ୍ଡେ ରୁଟି ଧରି ଦୌଡି ପଳେଇ ଆସିଲି । ତାପରେ ସେମାନେ ମୋତେ ବହୁତ ମାରୁଛନ୍ତି ବାବୁ । ଆପଣ କୁହନ୍ତୁ ବାବୁ ମୁ କଣ ଭୁଲ କରିଲି.... କଣ ପାପ କରିଛି । ମୁଁ ଭାଇଟିଏ ହୋଇ କଣ ଚାହୁଁ ଚାହୁଁ ମୋ ଭଉଣୀକୁ ମାରିବାକୁ ଛାଡି ଦେଇଥାନ୍ତି ....

ସେତେବେଳକୁ ହୋଟେଲ ମାଲିକ ଜଣଙ୍କ ସେ ସ୍ଥାନ ଛାଡି ଯାଇ ସାରିଲେଣି ।

ଅନ୍ୟମାନେ ଯେଉଁମାନେ ମାରିବାରେ ସହଯୋଗ କରୁଥିଲେ ନିଜର ମୁହଁ ଲୁଚେଇବାକୁ ଚେଷ୍ଟା କରୁଥିଲେ ।

ପଚାରିଲି କୋଉଠି ଅଛି ତୋର ଭଉଣୀ । ଚାଲ ଆମେ ଦୁହେଁ ମିଶି ତା ପାଖକୁ ଯିବା । ତାକୁ ଡାକ୍ତରଙ୍କ ପାଖକୁ ନେଇଯିବା । ପିଲାଟି ଗାଡ଼ିରେ ବସିଲା । କିନ୍ତୁ ସେପର୍ଯ୍ୟନ୍ତ ସେ ସେଇ ରୁଟି ଖଣ୍ଡକୁ ସେମିତି ଧରିଥାଏ ।

କିଛିବାଟ ଗଲାପରେ ଏକ ପୁରୁଣା ବସଷ୍ଟପ ପଡିଲା । ବହୁତ ପୁରୁଣା ବସଷ୍ଟପଟିଏ ସେଠାରେ ବସ ଆଉ ରହୁନି ବୋଧେ । ଭାଙ୍ଗି ରୁଜି ଗଲାଣି । ସେ ବସଷ୍ଟପଟିକୁ ପିଲାଟି ତାର ଘର ବୋଲି ଭାବି ନେଇଥିଲା । ଛିଣ୍ଡା ଜାରି ପକେଇ ଏକ ଛୋଟ ଘର ତିଆରି କରି ଦେଇଥିଲା । ସେଇଠି ପହଁଚିଲା ମାତ୍ରେ ପିଲାଟି ଗାଡିରୁ ଡେଇଁ ପଡିଲା .... କହିଲି ନେଇଆସ ତୋର ଭଉଣୀକୁ ଆମେ ତାକୁ ଡାକ୍ତର ଖାନା ନେଇଯିବା । ପିଲାଟି ଏକମୁହାଁ ହୋଇ ପଶିଗଲା ସେହି ଜରି ତଳକୁ । ଆଉ ସେହି ଘର ଭିତରୁ ବାହାରି ଆସୁଥିଲା ଏକ ନିରୀହ ଭାଇର ଆତ୍ମଚିତ୍କାର ।

ଗାଡି ରଖି ତା ପାଖକୁ ଗଲି । ଦେଖିଲି ପିଲାଟି ତାର କୁନି ଭଉଣୀକୁ କୋଡ଼ରେ ଧରି ଭୋ ଭୋ ହୋଇ କାନ୍ଦୁଛି । ଆଉ କାନ୍ଦି କାନ୍ଦି ମୋତେ କହୁଛି ବାବୁ.... ଆଉ ଡାକ୍ତରଖାନାକୁ ଯିବା କିଛି ଆବଶ୍ୟକ ନାହିଁ ବାବୁ  ଟିକେ ମଶାଣୀକୁ ନେବାକୁ ମୋତେ ସାହାଯ୍ୟ କରି ପାରିବେ ।

*****

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ, ପ୍ରୀତିପୁର,ଯାଜପୁର

ମୋ-୦୮୮୯୨୩୦୧୧୪୩୩    


Rate this content
Log in

Similar oriya story from Tragedy