ପୁରୁଷୋତ୍ତମ ଦେବ(ଭାଗ - ୧୭)
ପୁରୁଷୋତ୍ତମ ଦେବ(ଭାଗ - ୧୭)
(ଐତିହାସିକ କାବ୍ୟାଂଶ)
ଧୂ ଧୂ ହୋଇ ଜଳେ କ୍ରୋଧ ଅଗ୍ନି
ପ୍ରତି ଉତ୍କଳୀୟ ପ୍ରାଣେ,
ଠାକୁର ରାଜାଙ୍କ ଅପମାନ ଧକ୍କା
ଲାଗିଲା ପାଇକ ମନେ।
ଗରଜି ଉଠିଲେ ଧରି ଖଡ୍ଗ,ଢାଲ,
ଭାଲ,ଭୂଷା ,ଧନୁ ,ତୀର,
ବୋଇଲେ " ଆସରେ ଧ୍ୱଂସ କରିଦେବା
ରାଇଜ କାଂଚୀ ରାଜାର।
କାଂଚୀ ରାଜା କରିଛନ୍ତି ଅପମାନ
ଆମ୍ଭ ଠାକୁର ରାଜାଙ୍କୁ,
ଜଗନ୍ନାଥଙ୍କର ଅପମାନ ପୁଣି
ଅପମାନ ଓଡିଆଙ୍କୁ।
ଆସ ଆସ ଆରେ ଓଡିଆ ପାଇକେ
ଆଉ କରନାହିଁ ଡେରି,
କାଂଚୀ ରାଜା ମଥା ଭୂଇଁରେ ଗଡାଇ
ସଗର୍ବେ ଆସିବା ଫେରି।
ବୀରଭୋଗ୍ୟା ଏହି ବସୁନ୍ଧରା, ଦେବା
ଦେଶ,ଦଶ ପାଇଁ ପ୍ରାଣ,
ଜିଇଁବା ଜୀବନ ତୁଚ୍ଛ, ମୂଲ୍ୟହୀନ
ପାଇ ଏଡେ ଅପମାନ।
ଆମ୍ଭ ରାଜା ଯେବେ ଚଣ୍ଡାଳ,ଦେଖିବ
କାଂଚୀ ଚଣ୍ଡାଳର ଦର୍ପ,
କାବେରୀ ବାଲିରେ ଗଢାହେବ କାଂଚୀ-
ମୃତ ସଇନଙ୍କ ସ୍ତୁପ।
କେତେ ତପ କଲେ ଜଗନ୍ନାଥଦେଶେ
ଜନମ ହୁଏ ମାନବ,
କୋଟିଜନ୍ମ ତପ କରିଥିଲେ ସିନା
ଠାକୁର ସେବକ ହେବ।
ଅଗଣିତ ଜନ୍ମ ତପ କରି,ଜନ୍ମ-
ହୁଅନ୍ତି ଠାକୁର ରାଜା,
ଜଗନ୍ନାଥଙ୍କର ପ୍ରଥମ ସେବକ-
ବୋଲି ଉଡୁଥାଏ ଧ୍ୱଜା।
ସେ ପୁରୁଷୋତ୍ତମ ମଉଡମଣିଙ୍କୁ
ଚଣ୍ଡାଳ ବୋଲିଛି ଯେହୁ,
ପାଇକ ସେନାଙ୍କ କ୍ରୋଧଅନଳରେ
ଧ୍ୱଂସପାଇଯିବ ସେହୁ।"
ରାଜାଙ୍କ ହୃଦୟେ କାଂଚୀ ଜେମାପାଇଁ
ଜଳୁଥିଲା ଯେ ପ୍ରଦୀପ,
ଅକସ୍ମାତ୍ ତାହା ନେଲା ପ୍ରତିଶୋଧ-
ପୂର୍ଣ୍ଣ ଦାବାନଳ ରୂପ।
ପୂର୍ଣ୍ଣଚନ୍ଦ୍ର ରାହୁଗ୍ରସ୍ତ ହେଲାପରି
ପ୍ରୀତି ହେଲା ଲୁକ୍କାୟିତ,
ପ୍ରତିଶୋଧ ନେବାପାଇଁ ହୃଦୟକୁ
ଦୃଢକଲେ ନରନାଥ।
ହମ୍ବିରଙ୍କ ସହ ଲାଗି ରହିଥିଲା
ସହଜେ ରଣ ପ୍ରବଳ,
ଏଣେ କାଂଚୀଗଡ ଆକ୍ରମଣ ପାଇଁ
ସଜହେଲେ ସୈନ୍ୟ ବଳ।
କାଂଚୀ ସୀମାନ୍ତରେ ମତ୍ତହସ୍ତୀ ସମ
ଲଢିଲେ ବେନି ସଇନେ
ଧରିତ୍ରୀ ଆକାଶ କମ୍ପମାନ ହେଲା
ଦୁଇ ଶକ୍ତି ଘୋର ରଣେ।,
କାଂଚୀଗଡ ସେନା ପଛେ ନଘୁଞ୍ଚିଲେ
ଆଉ ନଥିଲା ଉପାୟ,
ଉତ୍କଳ ସଇନ ବାହିନୀ ଫେରିଲେ
ଶେଷେ ହୋଇ ଅସହାୟ।
ଯୁଦ୍ଧ ପରିଣାମ ଶୁଣି ନରମଣି
ହେଲେ ଘୋର ଅନୁତପ୍ତ,
ଭାବିଲେ 'ଶ୍ରୀଜିଉ ଆଜ୍ଞା ମାଳ ବିନା
ଜୟ ମିଳିବ କେମନ୍ତ?"
କ୍ରମଶଃ
(ବି ଦ୍ର:ଐତିହାସିକ ମାନଙ୍କ ମତ ଅନୁଯାୟୀ ପୁରୁଷୋତ୍ତମ ପ୍ରଥମ ଯୁଦ୍ଧରେ ହାରିଯାଇଥିଲେ।)