ଉନ୍ନୀତ ସମାଜ
ଉନ୍ନୀତ ସମାଜ
ଧନ୍ୟ ସମାଜ ତୁମକୁ ଜଣାଏ
ହଜାର ନମସ୍କାର
ତୁମେ ଆଜି ଏତେ ସଭ୍ୟ ହେଲଣି
ଭୀଷଣ ଚମତ୍କାର ।
ଆମକୁ ରଖିଛ ପାଦତଳେ ସଦା
ଶାସନ ଶୋଷଣ କରି
ଆଗ ପଛ ଆମ ଶୃଙ୍ଖଳେ ବାନ୍ଧି
ରଖିଛ ରୁଦ୍ଧ କରି ।
କେତେ ସୁମଧୁର ଉପାଧି ଆମର
ଆମେ ଭାରତୀୟ ନାରୀ
ଅବହେଳା ଆଉ ଅନାଦରେ ସଦା
କାଳ ବିତଇ ଆମରି ।
ଯେତେ ହେଉଥାଉ ବଡ଼ ଶିକ୍ଷିତା
ହେବ ପୁରୁଷର ଦାସୀ
ତାଙ୍କ କଥାଟିଏ ନ ଶୁଣି ଚାଲିଲେ
ଯିବ କୁଆଡ଼କୁ ଭାସି ।
ସହଜରେ ମିଳେ ଚାକିରୀ ଆମକୁ
ଗୃହବଧୂ ପଦଟିଏ
ଟଙ୍କା ଗହଣା ଖଟ ଆଲମିରା
ଲାଞ୍ଚ ଦେବାକୁ ହୁଏ ।
ଶନିବାର ନାହିଁ, ରବିବାର ନାହିଁ
ଥାଏ ଖାଲି ପରିବାର
ଚାକିରିଟି କିନ୍ତୁ ଅସ୍ଥାୟୀ ନୁହେଁ
ତିଷ୍ଟିବା ଦରକାର ।
ଅତି ସକାଳରୁ ରାତି ଏଗାରଟା
ନିସ୍ତାର ନାହିଁ ମୋଟେ
ଖାଇପିଇ ରହି ବିନା ଦରମାର
ବଢିଆ ଚାକିରୀ ଗୋଟେ ।
ଯଦି ଆସନ୍ତି ଏକ ରୁ ଅଧିକ
ଝିଅ ପିଲା ତୁମ କୋଳେ
ଚାକିରୀ କିନ୍ତୁ ଟଳମଳ ହୁଏ
ପ୍ରାଣଟି ବି ଯାଇପାରେ ।
ଲମ୍ବା ଚୌଡା ଭାଷଣ ଶୁଣଇ
ନାରୀ ସ୍ଵାଧୀନତା ନାଁରେ
କେତେ ସୁଖ ଆଉ ଶାନ୍ତି ମିଳଇ
କେ ଅଛନ୍ତି ବିଚାରେ ।