ପାୱାର
ପାୱାର
ରଙ୍ଗ ଚାଲିଗଲା ରଙ୍ଗର ବାଟରେ
ମାରି ଦେଇଗଲା ଆଖି
ସେଦିନଠୁ ବାବୁ ଅନିଦ୍ରା ଅଛନ୍ତି
ଦେହ ବି ଗଲାଣି ଶୁଖି
ଅଫିସ୍ କାମରେ ମନ ଲାଗୁନାହିଁ
ସଂସାର ଲାଗୁନି ସୁଖ
ବାର ବରଷର ଗୃହସ୍ଥୀ ବୋଝକୁ
ବୋହି ଚାଲିବାର ଦୁଃଖ
ରଙ୍ଗବତୀ ପରି ସୁନ୍ଦରୀ ଝିଅଙ୍କ
ସଂସାରେ ନାହିଁ ଅଭାବ
ତେବେ କାହିଁ ବୋଉ ନିଷ୍ଠୁର ହେଇକି
ବାଛିଲା ଗୋଟିଏ ‘ଗବ’
ରୂପ ଭେକ ଅଟେ ଅଢେଇ ଦିନିଆ
ଗୁଣ ଚିରଦିନ ପାଇଁ
ପାଟି ତାଙ୍କ ଚୁପ୍ କରି ଦେଇଥିଲେ
ବାପା ବୋଉ ନାନୀ କହି
ଅଢେଇ ଦିନର ସୁଖ ପାଇଁ ତ୍ୟାଗ
କରିଲେ ବସି କାନ୍ଦିବୁ
ରୂପ ଧୋଇ ପାଣି ପିଇବା ଇଚ୍ଛାରେ
ନିତି ଅଖା ଧୋଉଥିବୁ
ମନକୁ ଶୁଖେଇ ରହିଗଲେ ବାବୁ
ଭୁଲିଲେ ରଙ୍ଗର ଛଇ
ଗାଆଁ ସାରା ଖାଲି ପଡିଲା ଉଠିଲା
ହେଲେ ବଡଘର ଜୋଇଁ
ବଡ ଅଫିସର ଥିଲେ ସେ ଆଗରୁ
ମନ୍ତ୍ରୀଙ୍କର ପାଖଲୋକ
ପାୱାର ପଇସା ସବୁ ହାତମୁଠେ
ତଥାପି ମନରେ ଶୋକ
ସବୁଦିନ ସୁଖ ପାଇବା ଆଶାରେ
ଆଣିଥିଲେ ଯା’କୁ ଘରେ
ଆଖି କାନ ନାକ ବୁଜି ହେଇଯାଏ
ଦେଖିଲେ ତାକୁ ଦିନରେ
ରଙ୍ଗ ଯାଇଥିଲା କୁଆଡେ ଉଭେଇ
ତାଙ୍କ ବାହାଘର ପରେ
ଏବେ ଫେରିଆସି ମାରୁଅଛି ଆଖି
ଡର ଭୟ ନାହିଁ ବାରେ
ଆହୁରି ଦିଶୁଛି ମନଲୋଭା ରଙ୍ଗ
ଦେଖି ଲାଗେ ହାଇଁପାଇଁ
କରିବେ କେମିତି ଅଫିସିରେ କାମ
କଲମ ତ ଚାଲୁନାହିଁ
ହୋଇଉଠେ ମନ ଚଗଲ ବଗଲ
ଦେଖିଲେ ରଙ୍ଗର ହସ
ସିଏ ନୁହେଁ ଖାଲି, ଅଫିସି ଗୋଟାକ
ହେଲେଣି ଅର୍ଦ୍ଧ ବେହୋସ
ସକାଳୁ ସକାଳୁ ରଙ୍ଗ ଆସେ ମାଡି
ବେଣୀ ଦୋହଲେଇ ଦେଇ
ମନ୍ତ୍ରୀଙ୍କ କ୍ୟାବିନି ଭିତରେ ପଡିଛି
ଚଉକି ତାହାରି ପାଇଁ
କିଏ ବା ସେ ଏଠି, କ’ଣ ତା’ କାମ
କାହାକୁ ଯେ ଜଣାନାହିଁ
ହେଲେ ତା’ର ବିନା ମଣିଷ କଅଣ
ଗଛ ବି ହଲନ୍ତି ନାହିଁ
ଅଇଲା ଦିନୁ ସେ ଉଡେଇ ଦେଇଛି
ବାବୁଙ୍କର ଆଖି ନିଦ
ପୁରୁଣା କଥାକୁ ମନରେ ସନ୍ତୁଳି
ବାବୁ କାନ୍ଦୁଛନ୍ତି କାନ୍ଦ
ରଙ୍ଗ ମାରୁଅଛି ଆଖିରେ ମିଟିକା
ଦହି ଦେଉଅଛି ଛାତି
ଘରଗୃହସ୍ଥୀଟା ଲାଗୁଅଛି ପିତା
ମନ କୁହେ ଛାଡିଦ୍ୟନ୍ତି
ବାବୁ କହୁଛନ୍ତି, “ରଙ୍ଗ ଲୋ, ତୋ’ ବିନା
ଦଶ ଦିଗ ମୋ ଅନ୍ଧାର
କାହିଁ ଛାଡିଗଲୁ ବିନା ଦୋଷେ ମତେ
ତୋ’ ଲାଗି ବଡ ବିକଳ
କହିବୁ ଯଦି ତୁ, ଏବେ ବି ତୋ’ ପାଇଁ
ସବୁକିଛି ଛାଡିଦେବି
ହାତ ମୋ ଧରିଲେ, ରାଜରାସ୍ତେ ବୁଲି
ଭିକ ବି ମାଗିପାରିବି
ଘର ପରିବାର, ଇଜ୍ଜତ ମହତ
ସବୁ ତୁଚ୍ଛ ଆଗେ ତୋର
ସେତେବେଳେ ସିନା ଲଢି ପାରିଲିନି
ଏବେ ମନେ ନାହିଁ ଡର
ମଥାରେ ସିନ୍ଦୂର, ହାତରେ ଶଙ୍ଖା ମୁଁ
ଦେବି ଯତନରେ ଭରି
ପ୍ରେମର ମନ୍ଦିର ଗଢିବା ଦୁହେଁ ଲୋ
ଠାକୁରଙ୍କୁ ସାକ୍ଷୀ କରି
ପାୱାର ପଇସା, ସବୁ ମୋର ପାଖେ
କି ସୁଖ ଚାହୁଁ ତୁ କହ
ମୋର ପତ୍ନୀ ହେଲେ, ଚାହିଁବୁ ତୁ ଯାହା
ଯୋଗେଇବେ ଅଫିସର
ମୁହଁକୁ ଛିଞ୍ଚାଡି ରଙ୍ଗ କୁହେ ବେଗେ,
“ସେକଥା ପାଖରେ ରଖ
ତୁମର ପାୱାର ଦେଖିସାରିଛି ମୁଁ
ଏବେ ତୁମେ ମୋର ଦେଖ
ପତ୍ନୀ ସାଜି ତୁମ ଦାସୀ ହେବିନାହିଁ
ମୁଁ ଚାହେଁ ଖାଲି ମଉଜ
ତୁମ ପରି ଲୋକ ବାହାଘର ପରେ
ଦେଖାନ୍ତି ରୂପକୁ ନିଜ
ଆଗରୁ ଯେତେକ ଚିକିଣିଆ କଥା
ପରକୁ ଲେବୁଲ ଭିନ୍ନ
ବାହାଘର ପରେ ସୁନ୍ଦରୀ ରାଧା ବି
ବାନ୍ଧିପାରେ ନାହିଁ ମନ
ପାୱାର ପଇସା ତୁମଠୁ ଅଧିକା
ମୋର ପାସେ ଅଛି ଜାଣ
ମୁଁ ତୁମ ମନ୍ତ୍ରୀର ଅତି ପାଖଲୋକ
ତୁମ ଚଉକିଠୁ ଟାଣ
ପତ୍ନୀକୁ ରଖିକି ଅନ୍ଦର ମହଲେ
କରିବ ଯଦି ମଉଜ
ତା’ହେଲେ ବଢାଅ ସଂପର୍କ ମୋ ସାଥେ
ନହେଲେ ରାସ୍ତାଟି ଖୋଜ
ପାୱାର ପଇସା ଲୋଡାନାହିଁ ତୁମ
ଅଛି ମୋର ପାଶେ ଭରା
ଇଶାରା କରିବି ଯଦି ମୁଁ ଏଇଲେ
ଯିବ ତୁମେ ଆଣି ବରା
ଭାଇଁ ଭାଇଁ କଲା କାନମୁଣ୍ଡ ଶୁଣି
ରଙ୍ଗର ବାକ୍ ଚାତୁରି
ଇଚ୍ଛାଗୁଡା ସବୁ ଇଚ୍ଛାରେ ରହିଲା
ସ୍ୱପ୍ନ ସବୁ ଗଲା ଝରି
ରଙ୍ଗ ଆଉ ସେହି ରଙ୍ଗବତୀ ନାହିଁ
ଏବେ ତା’ ପାୱାର ଭାରି
ମହିଳାଙ୍କ ବିଲ୍ ପାସ୍ ହେଲା ପରେ
କରୁନାହିଁ ସେ ଖାତିରି
ବିଧାନସଭାରେ ଅଖଣ୍ଡ ପ୍ରବେଶ
ପାଇ ସାରିଲାଣି ଯେବେ
ସିଟ୍ ଗୋଟାଏ ପାଇ ପାରିବାଟା
କୋଉ ବଡ କଥା ଏବେ
ତେତିଶ ପର୍ସେଣ୍ଟ ମୂଲ୍ୟ ଅବା କିସ
ଏତେ ହୋ ହଲ୍ଲା ହୁଏ
ସାପ ମନ୍ତ୍ର ଜାଣି ହାତ ଭରିଥିଲେ
ବିଛାକୁ ପଚାରେ କିଏ
ଇଶାରାରେ ତା’ର ବାବୁଙ୍କର ବାବୁ
ହୁଅନ୍ତି ଯେ ଆତଯାତ
କାହିଁକି ଖାତର କରିବ କାହାକୁ
ସେ ନିଜେ ଏଠି ଜଗନ୍ନାଥ