Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Manash Ranjan Pattanaik

Inspirational


2  

Manash Ranjan Pattanaik

Inspirational


ଯଉତୁକ

ଯଉତୁକ

8 mins 366 8 mins 366


ଘନ ବାବୁ।ଆହେ ଘନ ବାବୁ,ଘରେ ଅଛିକି? ଆରେ କିଏ ଡାକୁଛ। କବାଟ ଖୋଲିଲେ ଘନଶ୍ୟାମ ମହାନ୍ତି। ହରିବାବୁ,ଆପଣ ଆସିଛନ୍ତି। ଆସନ୍ତୁ,ଘର ଭିତରକୁ ଆସନ୍ତୁ। ଚାଲନ୍ତୁ ଆଜ୍ଞା। ହରି ବାବୁ ତାଙ୍କ ଝିଅ ବାହାଘରର ଭଦ୍ରଲୋକି ଅଟନ୍ତି। ଆଛା ଘନ ବାବୁ,ସେମାନେ ଅଧିକା ପଚାଶ ହଜାର ଟଙ୍କା ଯଉତୁକ ମାଗୁଛନ୍ତି। କଣ ହେଲା ହରି ବାବୁ,ଲକ୍ଷେ ଟଙ୍କା ଯଉତୁକ ଛିଣ୍ଡିଲା,,ସେମାନେ ନିର୍ବନ୍ଧ କଲେ,ନିର୍ବନ୍ଧ ପରେ ଆଉ ପଇସା,,,,,,!ଛାଡନ୍ତୁ ଘନ ବାବୁ,ମୁଁ ତାଙ୍କୁ ବହୁତ ବୁଝାଇଲି,ହେଲେ ସେ ବୁଢୀ ଖଣ୍ଡକ ବୁଝୁନି। କେତେ କଷ୍ଟରେ ମୁଁ ଯଉତୁକ ଟଙ୍କା ଯୋଗାଡ କରିଛି। ବର୍ତ୍ତମାନ ପଚାଶ ହଜାର କୋଉଠୁ ଆଣିବି?ଘନ ବାବୁଙ୍କ ସ୍ତ୍ରୀ ସାବିତ୍ରୀ ଦେବୀ କହିଲେ ତୁମେ ବ୍ୟସ୍ତ ହୁଅନି,ଆମେ ସାତ ପୁରୁଷକୁ ବନ୍ଧୁ ବାନ୍ଧୁଛେ। ତୁମେ ସମୁଦୀକୁ ଟିକେ ଫୋନ କରୁନ। ନା ସାବିତ୍ରୀ ମତେ ଲାଜ ମାଡିବ। ତୁମେ ତମ ସାନ ଭଉଣୀ ଠାରୁ କରଜ ସୂତ୍ରରେ ପଚାଶ ହଜାର ଟଙ୍କା ମାଗ। ମୁଁ ଭାବୁଛି ସେ ଦେବ। ଆମେ ସୁବିଧା ଦେଖି ପଇସା ଫେରାଇଦେବା।ଭଦ୍ର ଲୋକ ହରି ବାବୁ କହନ୍ତି ଠିକ୍‌ କଥା,,ଆହେ ଘନ ବାବୁ ମୁଁ କେତେବେଳୁ ଆସିଲିଣି,କଣ ଚାହା ପାଣି ଟିକେ ମିଳିବନି?ଘନ ବାବୁ ତାଙ୍କ ସ୍ତ୍ରୀ ସାବିତ୍ରୀ ଦେବୀଙ୍କୁ ଚାହା ତିଆରି କରିବାକୁ ବରାଦ କରନ୍ତି।


     ଘନଶ୍ୟାମ ବାବୁଙ୍କ ବଡ ଝିଅ ମୀନା। ବିଏ ପାଶ୍‌ କରି କମ୍ପୁଟର ପଢୁଛି। ରୂପମତୀ,ଗୁଣବତୀ ଅଟେ। ମଝିଆ ଝିଅ ରାନୁ କଲେଜରେ ପ୍ରଥମ ବର୍ଷର ବି. ଏସ୍‌. ସି ଛାତ୍ରୀ। ସାନ ଝିଅ ରାନୀ ନବମ ଶ୍ରେଣୀରେ ସରକାରୀ ସ୍କୁଲରେ ପଢେ।ଘନ ବାବୁଙ୍କ ମନ ଦୁଃଖର କାରଣ ତାଙ୍କର ପୁଅଟିଏ ନାହିଁ। ବେଳେ ବେଳେ ମନ ମଧ୍ୟରେ ଯନ୍ତ୍ରଣା ହୁଏ ପୁଅ ନାହିଁ ବୋଲି। କଣ କରିବେ,ବୋଧ ହୁଏ ପୁଅ ତାଙ୍କ ଭାଗ୍ୟରେ ଲେଖା ନାହିଁ। ସାବିତ୍ରୀ କହନ୍ତି,ଦେଖିବ ଆମ ଝିଅ ବାହା ହେଲା ପରେ ଜୋଇଁ ଆମର ପୁଅ ପରି ହେବ। ଦୁଃଖବେଳେ ପାଖରେ ଠିଆ ହେବ। 

    

   ମୀନାର ବାହାଘର ମାତ୍ର ଆଠ ଦିନ ଥାଏ। ପୁଅ ଘର ଲୋକ ଜିଦି ଧରିଛନ୍ତି ଅଧିକ ଯଉତୁକ ଦିଅ।ଛି,,,। ମୁଁ ଭୁଲ୍‌ ଜାଗାରେ ବନ୍ଧୁ ବାନ୍ଧୁନି ତ?ଘନ ବାବୁ ମନେ ମନେ ଚିନ୍ତା କରନ୍ତି। ହରି ବାବୁ ଚାହା ଢୋକେ ପିଇଦେଇ କହନ୍ତି,ଆହେ ଘନ ବାବୁ ଚାହା ଥଣ୍ଡା ହେବ,ପିଇଦିଅ। ଦେଖିବ,ତୁମ ଝିଅ ମୀନା ସେଠି ରାଣୀ ପରି ରହିବ। ହଇଓ ବାର ବଖରା କୋଠା ଘର। ଯୋଡାଏ ଦୋକାନ। କିଛି ହେଲେ ଅସୁବିଧା ନାହିଁ। ସେ ପୁଅକୁ ଜୋଇଁ କରିବାକୁ ଲୋକେ ତିନି ଲକ୍ଷ ଦେବାକୁ ରାଜି ଅଛନ୍ତି। ତୁମର ଭାଗ୍ୟ ଭଲ ତୁମେ ସେ ଘରେ ବନ୍ଧୁ ବାନ୍ଧୁଛ। ମୁଁ ଆଜ୍ଞା ଯାଉଛି। ବାହାଘର ସାମଗ୍ରୀ କିଣା କିଣାକିଣିରେ ଲାଗିପଡ। ସମୟ ହାତରେ କମ। ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ ପତ୍ର ପଠାଅ।ଭାଉଜ ମୁଁ ଏଥର ଆସୁଛି କହି ହରିବାବୁ ଦଣ୍ଡବତ କରି ତାଙ୍କ ଘରୁ ବିଦାୟ ନେଲେ। 


    ହରିବାବୁ ଗଲା ପରେ ସାବିତ୍ରୀ ଦେବୀ ଘନ ବାବୁଙ୍କ ପାଖରେ ବସନ୍ତି। ହେଇଟି ତୁମେ ବୁଢା ଲୋକ। ଆମର ପୁଅ ନାହିଁ। ମୁଁ ଯାଉଛି ଜଗାକୁ ଡାକିବି। ମାଇକ୍‌,ଟେଣ୍ଟ୍‌,ରୋଷେଇଆ ଆଦି ଯୋଗାଡ ପାଇଁ ଜଗା ତୁମକୁ ତା ବାଇକ୍‌ରେ ନେବ। ଆମେ ତେଲ ପକାଇ ଦେବା। ମାଉସୀ ନମସ୍କାରେ। ଆରେ ଜଗା କିରେ। ତୋର କୋଟି ପରମାୟୁ ହେଉ। ଏଇନା ତୋ କଥା ସରିନି ତୁ ଆସି ଘରେ। ମାଉସୀ,ମଉସାଙ୍କୁ ମୋ ନାଁ ରେ କଣ କହୁଥିଲ? ଏଇଆ କହୁଥିବ ଯେ ମୁଁ ଦୁଷ୍ଟ ପିଲା।ଠିକ୍‌ ନା ମଉସା।ଘନ ବାବୁ ହସନ୍ତି। ଜାଣିଲୁ ଜଗା,ମୀନା ନାନୀ ବାହାଘର ମାତ୍ର ଆଠ ଦିନ ରହିଲା। ତୁ ଓ ମଉସା ସବୁ ବାହାଘର ଜିନିଷ ଯୋଗାଡ କରିବାକୁ ଯିବ। ମାଉସୀ ମୁଁ ଯାଇ ଡାକ୍ତରଖାନା ରୁ ଆସେ। ଅଧ ଘଣ୍ଟା ଭିତରେ ଆସିବି। ତାପରେ,ମଉସାଙ୍କୁ ନେଇ ଯିବି। ଜଗା ଡାକ୍ତରଖାନା କାହିଁକି ଯିବୁ? ତୋର କଣ ଦେହ ଖରାପ ଅଛିକି? ନା,ମାଉସୀ ମୋ ବୋଉର କାଲି ଠାରୁ ଜ୍ବର ହେଇଛି।ଧନ ତୁ ଏକୁଟିଆ ପିଲାଟା। ତୋ ବାପା ମରିବା ବରଷେ ପୂରିନି।ଶୀଘ୍ର ଯାଆ ପୁଅ। ତୋ ମାଆ ପାଇଁ ଆଗ ଔଷଧ ଆଣେ। ତା ପରେ ଯିବୁ।


    ମୀନା ସାଇକେଲ ଧରି କମ୍ପୁଟର କ୍ଲାସକୁ ବାହାରି ପଡେ!ଘନ ବାବୁ ମୀନାକୁ କ୍ଲାସକୁ ଯିବାକୁ ମନା କରନ୍ତି। ତା ବୋଉ କହନ୍ତି,ତୁ ଝିଅ ଆଜିଟା ଯାଆ। କାଲି ଠାରୁ ଆଉ ଯିବୁନି। ମୀନା ଲାଜରେ ଲାଜେଇ ଯାଏ। ମଝିଆ ଝିଅ ରାନୁ ଫର୍ମ ଫିଲପ ପାଇଁ ଚାରିଶହ ଟଙ୍କା ମାଗେ। ବାପା,ଟଙ୍କା ଦେଲ,ନେହେଲେ ତିରିଶି ତାରିଖରେ ଅଧିକ ପଚାଶ ଟଙ୍କା ଫାଇନ୍‌ ଦେବାକୁ ପଡିବ। ସାବିତ୍ରୀ ତୁମେ ଗଲ,ଟ୍ରଙ୍କ ଫିଟାଇ ରାନୁକୁ ପଇସା ଦେବ। ସାନ ଝିଅ ରାନୀକୁ ପଚାରନ୍ତି ଘନ ବାବୁ,ତୁ ଆଜି ସ୍କୁଲକୁ ଯିବୁନି କି? ନା ବାପା। ମୋ ଦେହ ଭଲ ନାହିଁ। କାଲିକି ଯିବି। ହଉ ହେଲା। ସାବିତ୍ରୀ ପାଣି ଟିକେ ଗରମ କର। ମୁଁ ଗାଧୁଆ ସାରି ରେଡି ହୁଏ। ଜଗା ଆସିଲେ ବାହାରି ପଡିବା।ଶୀଘ୍ର ଆସ ମୁଁ ପାଣି ଗରମ କରୁଛି। ତୁମେ ଗାଧୋଇବା।


    ମୀନାର ଆଜି ମଙ୍ଗନ।ଘନ ବାବୁଙ୍କ ଘର ଭାରି ଗହଳ ଚହଳ। କୁଣିଆ ମାନେ ପ୍ରାୟ ଆସିଗଲେଣି। ହୁଳହୁଳି ଓ ଶଂଖ ଧ୍ବନି ମଧ୍ୟରେ ମଙ୍ଗୁଳା କାର୍ଯ୍ୟ ଚାଲିଛି।ସାହି ପଡିଶା ମାଇପି ମାନଙ୍କ ଭିଡ। ସାବିତ୍ରୀ ଦେବୀ ବ୍ୟସ୍ତ ଲାଗୁଛନ୍ତି। ରାତି ପାହିଲେ ବିଭାଘର। ବେଦୀ କାମ ଓ ଟେଣ୍ଟ କାମ ମଜୁରିଆ ମାନେ ଆଗେଇ ନେଉଛନ୍ତି। ସବୁ କାମକୁ ଜଗାରଖା କରିବାକୁ ଘନ ବାବୁ ଜଗାକୁ ଜଗାଇଛନ୍ତି। ଜଗାକୁ ପାଣି ମନ୍ଦେ ପିଇବାକୁ ସମୟ ନାହିଁ। କଣ କରିବ ଜଗା? ବୋଉ ତାର କହିଛି,ପୁଅ ସେ ଏକୁଟିଆ ଲୋକ। ସବୁ କାମ ତୁ କରିଧରି ନେବୁ। ଜଗାର ଦାୟିତ୍ବବାନ୍‌ କାର୍ଯ୍ୟ ଦେଖି ସାହି ଟୋକାମାନେ ଛିଗୁଲାନ୍ତି। କିଏ ଜଣେ କହିଦିଏ ମଝିଆ ଜୋଇଁ ପୁଅ ଜଗା।ଶାଶୁ ଶଶୁର ପାଇଁ ବିକଳ ହେଉଛି। ଏକଥା ଶୁଣି ଜଗା ରାଗିଯାଏ। କାଠ ଫାଳିଆ ଧରି ଧାଇଁ ଯାଏ ବାଡେଇବା ପାଇଁ। ଅଭଦ୍ର ଭାଷାରେ ଗାଳି କରେ। ସେହି ଟୋକା ମାନଙ୍କ ଭିତରୁ ଜଣେ କହେ, ଯାବେ ଶଳା।ଫୁଟାଣି ଦେଖାଉଛୁ। ପାଠ ପଢିଲୁନି ବାପର କିଛି ଜମିଜୁମା ଅଛି ବୋଲି ଗୋଡ ଉପରେ ଗୋଡ ପକାଇ ବୁଲୁଛି। ତୁ ଆମର କଣ କରିବୁ। ଆମେ କଣ ତୋ ପରି ମୂର୍ଖ। ଯାଆ ଯାଆରେ ରାଣ୍ଡି ପୁଅ ଅନନ୍ତା। ଜଗା କାନ୍ଦି ପକାଏ। ତାକୁ ବୁଝାଇ ଶୁଝାଇ ଘର ଭିତରକୁ ଟାଣି ନିଅନ୍ତି ସାବିତ୍ରୀ ଦେବୀ।


   ମୀନା ଆଖିରେ ଲୁହ। ଅଳ୍ପ ସମୟ ପରେ ସେ ବାଡୁଅ ପାଣିରେ ଗାଧୋଇବ। କୁଣିଆ ସ୍ତ୍ରୀ ଲୋକମାନେ ଓ ସାହି ମାଇପି ମାନେ ପ୍ରସ୍ତୁତ ହେଲେଣି। ରାତିକି ତାର ବର ଆସିବ। ମୀନା ମନରେ ଅପୂର୍ବ ଆନନ୍ଦ ଓ ଭୟ। ତାର ମନେ ପଡେ ଚଉଠି ରାତିର କାହାଣି। ମନକୁ ମନ ଲାଜେଇ ଯାଉଛି।ଘର ଛାଡି ଯିବ ବୋଲି ଦୁଇ ଭଉଣୀକୁ ଦେଖି କୋହ ଆସୁଛି। ଚବିଶ ଘଣ୍ଟା ପରେ ମୀନା ତା ଘର ପାଇଁ ପାଲଟି ଯିବ କୁଣିଆଁ। ତାର ଅଧିକାର ରହିବନି।ଫୁଲର ଶେଯ ଓ ସ୍ବାମୀର ପ୍ରଥମ ପରଶ କଥା ଭାବି ସେ ଛାନିଆଁ ହେଉଛି। ତାକୁ ଡାକନ୍ତି ତା ମାଇଁ।ଝିଅ ଆସ। ଗୋଟା ପାନ,ହଳଦି,ଚନ୍ଦନ,ସାବୁନ ଓ ଗାଧୁଆ ସଜ ନେଇ ବାରିକିଆଣୀ କୂଅ ମୂଳେ ଅପେକ୍ଷାରତ। ମୀନା ଛୋଟ ପିଲାଟା ଭଳି କଇଁ କଇଁ ହେଇ କାନ୍ଦି ଯାଉଥାଏ ତା ମାଇଁଙ୍କ ସାଙ୍ଗରେ ବାଡୁଅ ପାଣିରେ ଗାଧୋଇବା ପାଇଁ


   ମୀନାକୁ ଗାଧୋଇକରି ଘରକୁ ଅଣାଯାଏ। ସେ ଖାଇବା ପାଇଁ ତା ବୋଉ ଚୁଡା,ଗୁଡ,କଦଳି ଚକଟି ତାକୁ ଖୁଆନ୍ତି।ଶେଷ ଥର ପାଇଁ ଝିଅ ତା ମାଆ ହାତରୁ ଖାଇବ। ଆଉ ତା ମାଆ ହାତରେ ଖାଇବାକୁ ଜୀବନରେ କେବେ ସୁଯୋଗ ଆସିନପାରେ। ମୀନା ନଖାଇ ପାରି କାନ୍ଦେ। ସାବିତ୍ରୀ ଦେବୀ ମଧ୍ୟ କାନ୍ଦନ୍ତି। ଦୁଇ

ଭଉଣୀ ବନ୍ଧୁ ବାନ୍ଧବଙ୍କ ଚର୍ଚ୍ଚାରେ ବ୍ୟସ୍ତ ଥାଆନ୍ତି।ଘନ ବାବୁ,ବାରିକ ଓ ପୁରୋହିତ ବାହାଘର ସାମଗ୍ରୀ ସଜାଡୁଥାନ୍ତି। ବେଦୀ ଉପରେ ସବୁ ଜିନିଷ ନେଇ ବାରିକ ରଖୁଥାନ୍ତି। ଜଗା ବେଦୀରେ ଆମ୍ବ ଡାଳ,କାଗଜ ଝାଲେରି ଓ ଗେଣ୍ଡୁ ମାଳ ଦେଇ ସଜାଉଥାଏ।ବଡ ସୁନ୍ଦର ଭାବେ ବେଦୀ ସଜାଇଛି ଜଗା। ସେ ସାବିତ୍ରୀ ଦେବୀଙ୍କୁ ଡାକେ। ମାଉସୀ ଦେଖିଲ,ବେଦୀ କିପରି ଦେଖା ଯାଉଛି। ସାବିତ୍ରୀ ଦେବୀ ଖୁସି ହୁଅନ୍ତି।ଭଲ ହୋଇଛି ବୋଲି କୁହନ୍ତି। ସୁନ୍ଦରୀ ନାନୀଟା ମୋର କଣ ଫାଙ୍କା ବେଦୀରେ ବସି ବାହା ହେବ? ତେଣୁ ମତେ ଏସବୁ କରିବାକୁ ହେଲା।ଘନ ବାବୁ ଜଗାକୁ ଘର ଭିତରକୁ ଡାକନ୍ତି। ଆରେ ଜଗା,ଆଇଲୁ ଆମେ ସାଙ୍ଗ ହୋଇ ଖାଇବା। ମଉସା,ତୁମେ ଖାଇ ଦିଅ। ମୋର କାମ ସରିନି। ସାବିତ୍ରୀ ଦେବୀ ବାରଣ କରି କହନ୍ତି,ଆ ଧନ,ଭୋକ ହେବଣି। ତୁ ଖାଇଦେଇ କାମ କରିବୁ।


    ସଂଧ୍ୟା ବେଳେ ମୀନାର ସାଙ୍ଗସାଥୀ ତାକୁ ସଜାଇ ଦିଅନ୍ତି। ବେଣୀରେ ଗଜରା ମାଳ,କପାଳରେ ଚନ୍ଦନ ଟିପା,ଓଠରେ ଲିପ୍‌ଷ୍ଟିକ୍‌,ହାତରେ ସୁନେଲି ଶଂଖା,ପାଦରେ ନାଲି ଅଳତା,ପାପୁଲିରେ ମେହେନ୍ଦି,ଦେହରେ ପାଟ ଶାଢୀ ପିନ୍ଧି ମୀନା ପରୀ ଠାରୁ ବି ଅଧିକ ସୁନ୍ଦର ଦେଖାଯାଉଛି। ଜଣେ ଛୋଟ ଶିଶୁ ଆସି କହେ,ହେ ନାନୀ ବାଣ ଫୁଟିଲାଣି। ଦାଦା କହୁଛନ୍ତି,ବର ଆମ ସ୍କୁଲ ପାଖେ ଆସି ପହଞ୍ଚିଲାଣି।ଛାତିରେ ଛନକା ପଶିଗଲା ମୀନାର। ଆଉ କେଇ କ୍ଷଣ ପରେ ତାର ହାତ ଗଣ୍ଠି ପଡିବ। ସେ ଘର ପାଇଁ ଅଲୋଡା ପଦାର୍ଥ ହୋଇଯିବ। ରୋଶଣୀ ଜାଳି,ବାଣ ଫୁଟାଇ,ବର ଓ ବରଯାତ୍ରୀ ଦଳ ଆସନ୍ତି। ନାନା ରକମର ଗୀତ ସାଙ୍ଗକୁ ବରଯାତ୍ରୀଙ୍କ ମତୁଆଲା ନାଚ। ଦେଖଣାହାରୀ କହନ୍ତି ବଡ ଲୋକିଆ ଜୋଇଁ ହୋଇଥିବ। ଦେଖୁନ,କେତେ ସୁନ୍ଦର ସଲଟଣ ଆଣିଛି। ତାପରେ ଆରମ୍ଭ ହୁଏ ବର ପାଛୋଟା ନିତି। କାର୍‌ ଭିତରୁ ବର ବାବୁଲା ବାହାରି ଠିଆ ହୁଏ।ଘନ ବାବୁ ଓ ପୁରୋହିତ ତାଙ୍କୁ ଦୁବ,ବରକୋଳି ପତ୍ର ଓ ଅରୁଆ ଚାଉଳ ପକାଇ ବନ୍ଦାପନା କରି ଘରକୁ ପାଛୋଟି ନିଅନ୍ତି। ବାରିକ ବେଦୀ ଉପରେ ନେଇ ବସାଏ। ପୁରୋହିତ ମନ୍ତ୍ର ଉଚ୍ଚାରଣ କରି ବିବାହ କାମକୁ ଆଗେଇ ନିଅନ୍ତି। ବାବୁଲାର ବାପା ବାହାଘର ବନ୍ଦ କରିବାକୁ ଚିତ୍କାର କରନ୍ତି।ଘନ ବାବୁ ପଚାରନ୍ତି କଣ ହେଲା ସମୁଦି? ଆହେ କାହିଁ କଣ ହେବ,ନଜାଣିଲା ପରି କଣ ଅଭିନୟ କରୁଛ? ସେପଟେ ଡାନିଂ ହଲ୍‌ ଭିତରେ ବରଯାତ୍ରୀ ମାନେ ଖାଦ୍ୟ ଖାଇବା ଆରମ୍ଭ କରିଛନ୍ତି। ପାଟିତୁଣ୍ଡ ଶୁଣି ସାତ ଆଠ ଜଣ ବରଯାତ୍ରୀ ବେଦୀ ନିକଟକୁ ଆସିଲେ। ବାବୁଲାର ବାପା ମାଧବ ବାବୁ ଅଧିକ ପଚାଶ ହଜାର ଟଙ୍କା ମାଗନ୍ତି।ଘନ ବାବୁ ନେହୁରା ହୁଅନ୍ତି,ଗୋଡ ଧରନ୍ତି ମାଧବ ବାବୁଙ୍କର। ସମୁଦି ମୁଁ ସାଧାରଣ ପିଅନ ଟିଏ ଥିଲି। ମୋ ପେନସନ ଟଙ୍କାରେ ଚଳିବାକୁ ନିଅଣ୍ଟ,ଜମି ଦୁଇଖଣ୍ଡ ବଂଚିଛି। ଲକ୍ଷେ ଟଙ୍କା ଯଉତୁକ ଦେଲି। ଆଗ ଆପଣ ବାହାଘର କରନ୍ତୁ,ମୁଁ ସୁବିଧା ଦେଖି ବଳକା ପଚାଶ ହଜାର ଟଙ୍କା ଦେଇଦେବି। ସାବିତ୍ରୀ ଦେବୀ ତାଙ୍କ ସ୍ବାମୀଙ୍କ କଥାରେ ପାଳି ଧରି କହନ୍ତି,ଆପଣ ଆମକୁ ଲୋକହସା କରନ୍ତୁନି। ମାଧବ ବାବୁ ରାଗିଯାଇ କହନ୍ତି ନା ନା,ମୁଁ କାହିଁକି ଲୋକହସା କରିବି। ତୁମେ ବଡଲୋକ ପୁଣି ପିଅନର ସ୍ତ୍ରୀ। ତୁମେ ବେଦୀରେ ଦେବ ବୋଲି ଜବାବ କରିଥିଲ।ଘନ ବାବୁ ପଚାରନ୍ତି ଆଛା ଭଦ୍ରଲୋକି ହରି ବାବୁ କୁଆଡେ ଗଲେ? ତାଙ୍କର ସ୍ତ୍ରୀର ଦେହ ଖରାପ ଥିବାରୁ ସେ ଆସିପାରିନାହାନ୍ତି।


    ମୀନା ଭାବୁଛି ବେଦୀଲୁ ଉଠି ପଳାଇବି। କଣ କରିବ,ସେ ଝିଅ ପିଲାଟା। ମଙ୍ଗୁଳା କନ୍ୟା। କିଏ ତାକୁ ଏ ବେଳାରେ ସ୍ତ୍ରୀର ମର୍ଯାଦା ଦେବ? ମାଧବ ବାବୁ ପଚାରନ୍ତି ମତେ କେବେ ଟଙ୍କା ଦେବ କୁହ? ତାପରେ ହାତଗଣ୍ଠି ପଡିବ। ବର୍ତ୍ତମାନ ଦିଆଯିବ,ଜଗାର ବୋଉ ରେବତୀ ଉତ୍ତର ଦେଲେ। ରେବତୀ,ତୁମେ ଏ କଣ କହୁଛ?ଠିକ୍‌ କହୁଛି ସାବିତ୍ରୀ ନାନୀ,ମୁଁ ଟଙ୍କା ଦେବି। ଏମାନେ ବ୍ୟବହାର ଓ ଶିଷ୍ଟାଚାର ଶିଖିନାହାନ୍ତି। ଏମାନେ ସବୁ ଯଉତୁକ ଲୋଭି ରାକ୍ଷସ। ବରଯାତ୍ରୀ ମାନଙ୍କ ମଧ୍ୟରେ ମୃଦୁ ଗୁଞ୍ଜରଣ ହୁଏ। ମନ୍ତ୍ର ପାଠ ଓ ହୋମ ଅଗ୍ନି ଜଳି ଉଠେ। ରେବତୀ,ତାଙ୍କ ପୁଅ ଜଗାକୁ ଯିବାକୁ କହନ୍ତି,ଜଗା ତୁ ଯାଇ ଆଲମାରି ଫିଟାଇ ପଚାଶ ହଜାର ଟଙ୍କା ନେଇଆ। ହଉ ବୋଉ,ମୁଁ ଯାଇ ଆଣୁଛି। ସାବିତ୍ରୀ ଦେବୀ ରେବତୀଙ୍କୁ ଜାକି ଧରନ୍ତି,କହନ୍ତି ତୁମେ ଆଜି ଆମ ପାଇଁ ଦେବୀ ହୋଇଗଲ ଭଉଣୀ। ନା ନାନୀ ମୁଁ ଦେବୀ ନୁହେଁ ଜଣେ ବାନ୍ଧବୀ ହିସାବରେ ଏଇ ଟିକକ କାର୍ଯ୍ୟ କରିବାର ଇଶ୍ବର ମତେ ସୁଯୋଗ ଦେଲେ। ମୋ ସ୍ବାମୀ ନାହାନ୍ତି। ଆପଣ ଯାହା ଟିକେ ଭଲ ମନ୍ଦ ରାନ୍ଧିଥିବେ ବାପ ଛେଉଣ୍ଡ ମୋ ପୁଅ ଜଗା ପାଇଁ ରଖିଥିବେ। ଜଗା ତୁମ ଘରେ ଯାହା ସ୍ନେହ ମମତା ପାଏ ମତେ ସବୁ କହେ। ବୋଉ ଟଙ୍କା ନେ। ଯାଆ ସୁଅ,ତାଙ୍କୁ ଦେଏ। ନିଅ ମଉସା,ଟଙ୍କା ରଖ। ମାଧବ ବାବୁ ଲାଜରେ ଛେପ ଢୋକି ଟଙ୍କା ଧରନ୍ତି। ଜଗା,ମାଧବ ବାବୁଙ୍କୁ ଖାଇବାକୁ ଡାକି ନିଏ। ହାତଗଣ୍ଠି ପରେ ହୁଳହୁଳି ପଡି ବନ୍ଦାପନା ଓ କଉଡି ଖେଳ ହୋଇ ବାହାଘର ଶେଷ ପର୍ଯ୍ୟାୟକୁ ଆସେ। ଜୋଇଁ ବାବୁଲାକୁ ଜଗା ଗାଧୁଆ ସଜ ଦିଏ। ଆସ ଭାଇ ମୁଁ କୁଅରୁ ପାଣି କାଢିଦେବି,ତୁମେ ଗାଧୋଇବ। ତୁମ ପରିଚୟ? ଜଗା କହେ,ଏ ଘରକୁ ଯିବା ଆସିବା କଲେ ମୋ ପରିଚୟ ଜାଣିପାରିବ ଭାଇ। ମୁଁ କଣ ମାଇଆ ଯେ ସବୁବେଳେ ଶଶୁର ଘର ଯିବା ଆସିବା କରିବି? ନା ଭାଇ,ତୁମେ ମାଇଆ ନୁହେଁ। ଏ ଘରର ବଡ ଜୋଇଁପୁଅ। ଆସିଲ,ଦାନ୍ତ ଘଷି ଗାଧୋଇବ। ମାଉସୀ ତୁମ ପାଇଁ ପଖାଳ ମାଛ ଭଜା ପ୍ରସ୍ତୁତ କଲେଣି। ଆସ ଶୀଘ୍ର ଆସିଲ।


     ମାଧବ ବାବୁ ଓ ତାଙ୍କ ଦୁଇ ପୁଅ ଯିବା ପାଇଁ ବ୍ୟସ୍ତ ହେଲେଣି। ଆହେ ସମୁଦି ଝିଅକୁ ଶୀଘ୍ର ଛାଡନ୍ତୁ। ଆମେ ଯିବୁ,ସକାଳ ହୋଇ ଗଲାଣି। ଆମକୁ ବିରକ୍ତ ଲାଗିଲାଣି। ସାବିତ୍ରୀ ଦେବୀ ଆସି ମାଧବ ବାବୁଙ୍କର ହାତ ଧରି କାନ୍ଦନ୍ତି। ସମୁଦି ମୋ ଝିଅର ସବୁ ଦୋଷ କ୍ଷମା କରିବ। ସେ ଘରେ କେବେ ରୋଷେଇ କରିନି। ଏଇ ଚାରି ପାଂଚ ଦିନ ହେବ ପାଠ ଛାଡିଛି। ହଉ ହେଲା ସମୁଦୁଣୀ,ସେ ଆଉ ତୁମ ଝିଅ ନୁହଁ। ସେ ବର୍ତ୍ତମାନ ଠାରୁ ମୋର ଝିଅ। ତୁମେ ଗଲ ସମୁଦୁଣୀ,ତୁମ ଲୋକଙ୍କ ଦ୍ବାରା କଣ କଣ ଦେବାର ଏଇନା ଅଛି ଆମ ଗାଡିରେ ଲଦି ଦେବ। ସାବିତ୍ରୀ ଦେବୀ ଜଗାକୁ ବଡ ପାଟିରେ ଡାକନ୍ତି। ତୁମ ଜୋଇଁକୁ ମୁଁ ଆଣିଲିଣି ମାଉସୀ। ତାଙ୍କ ଖାଦ୍ୟ ପେୟ ବୁଝ। ତୁ ପୁଅ ଗଲୁ,ମୀନା ନାନୀର ଜିନିଷ ପତ୍ର ସେ ମଝି ଘରେ ଅଛି। ମଉସା ଠାରୁ ଚାବି ନେଇ ଖୋଲିବୁ,ଗୋଟେ ଚିଠା ତିଆର କରିବୁ ଜିନିଷ ପତ୍ରର ଓ ସେସବୁ ନେଇ ତାଙ୍କ ଗାଡିରେ ରଖିବାର ବ୍ୟବସ୍ଥା କଲୁ। ମୁଁ ଯାଉଛି ମାଉସୀ,,,,।


     ସାବିତ୍ରୀ ଦେବୀ ବାବୁଲାକୁ ଖୁଆଇ ଦିଅନ୍ତି। ରାନୁ ଓ ରାନୀ ଭିଣୋଇଙ୍କ ପାଖରେ ବସନ୍ତି। ବାଦୁଲା ଲାଜେଇ ହୋଇ ଖାଉଥାନ୍ତି। ପଣତକାନିରେ ସାବିତ୍ରୀ ବାବୁଲାର ମୁହଁ ପୋଛି ଦିଅନ୍ତି। ପୁଅ ମୋ ଝିଅ ତୁମକୁ ଲାଗିଲା କହି କାନ୍ଦନ୍ତି। ରାନୁ ଓ ରାନୀ ବୋଉ ସହ କାନ୍ଦନ୍ତି। ତାପରେ ଦୁଇ ଭଉଣୀ ମିଶି ମୀନାକୁ ସେହି ବାବୁଲା ଖାଇଥିବା ବାସନରେ ଖାଇବାକୁ ଦିଅନ୍ତି। ମୀନା ଖାଇ ପାରେ ନାହିଁ। ଲୁହ ତାର ନାକ ଓ ପାଟିରେ ପଶି ଯାଉଛି। ରାନୁ,ବାପାଙ୍କୁ ଡାକେ। ମୁଁ ତାଙ୍କୁ ଦେଖିବି।ଘନ ବାବୁ ଆସି ଝିଅକୁ କୋଳେଇ ଧରି ବସନ୍ତି ଓ ଖୁଆନ୍ତି।


    ଆଗରେ ମୀନା ଓ ପଛରେ ଜୋଇଁ ବାବୁଲା ବିଦାୟ ନେବାକୁ ପ୍ରସ୍ତୁତ। ଦୁଇ ସାନ ଭଉଣୀ ମୀନାକୁ ଛାଡନ୍ତି ନାହିଁ। ବାଦୁରାର ଦୁଇ ବଡ ଭାଇ ସେମାନଙ୍କୁ ବୁଝାଇ ମୀନା ଠାରୁ ଅଲଗା କରନ୍ତି। ମୀନା କାର୍‌ ଭିତରକୁ ଯିବା ପୂର୍ବରୁ ଡାକେ ଜଗା,,,,ମୋ ଭାଇ ଜଗା। ହଁ ନାନୀ ମୁଁ ଅଛି ନାନୀ,ଜଗା ଛୋଟ ଶିଶୁ ଭଳି କାନ୍ଦୁଥାଏ। ସରଳ ନିଷ୍କପଟ ହୃଦୟ ତାର। ମୀନା ତାକୁ ପିଲାବେଳୁ ଚିହ୍ନିଛି। ଆରେ ଜଗା,ମୁଁ ତତେ

କେତେ ଗାଳି କରିଛି। ତୁ ଧରିବୁନି ମୋ ଦୋଷ। ମୋ ବୋଉ ବାପା ଭଉଣୀ ତତେ ଲାଗିଲେ। ମାଧବ ବାବୁ କହନ୍ତି ଜଗା ମଣିଷ ନୁହେଁ,ମତେ ଉପଯୁକ୍ତ ବୁଦ୍ଧି ଶିଖାଇଲା। ସେ ପ୍ରକୃତରେ ଜଗନ୍ନାଥ।ସାତ ମଙ୍ଗଳା ପରେ ଆମ ଘରକୁ ଯାଇ ତୋ ଭିଣୋଇ ଓ ନାନୀକୁ ଏଠାକୁ ଆଣିବାକୁ ଚେଷ୍ଟା କରିବୁ ଜଗା। ଆମେ ଏଥର ଆସୁଛୁ ସମୁଦି କହି ମାଧବ ବାବୁ କାର୍‌ର ଡୋର ଦେଲେ। ଜଗା ବଢାଇଦିଏ ପାଣି ବୋତଲ ମୀନାର ହାତକୁ କାର୍‌ର ଝରକା ପଟେ। କାର୍‌ ହର୍ଣ୍ଣ ଦେଇ ଆସ୍ତେ ଆସ୍ତେ ଗଡି ଚାଲିରା ଆଗକୁ ଆଗକୁ।


Rate this content
Log in

More oriya story from Manash Ranjan Pattanaik

Similar oriya story from Inspirational