STORYMIRROR

ayiswarya maharana

Tragedy

3  

ayiswarya maharana

Tragedy

ଉଛୁଳା ନଦୀ

ଉଛୁଳା ନଦୀ

3 mins
287

ମହାନଦୀ ଓଡ଼ିଶାର ସୁଦୀର୍ଘ ନଦୀ, ଯାହା ଛତିଶଗଡ଼ର" ଅମର କଣ୍ଟକ" ମାଳଭୂମି ରୁ ବାହରିଆସି ଦୀର୍ଘ ୮୫୮ କି.ମି ଗତିକରି ପୂର୍ବରେ ବଙ୍ଗୋପାଗର ରେ ବିଲୀନ ହୋଇଛି। ଏହା ମୁଖ୍ୟତଃ ଚିତ୍ରୋତ୍ପଳା,ମହାଶ୍ୱେତା, ମହାନଦୀ ନାମରେ ପରିଚିତ।ଏହା ଉପରେ ସମ୍ବଲପୁର ହୀରାକୁଦ ଠାରେ ଓଡ଼ିଶା ର ଭୂମୀ ପୁତ୍ର ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ ହୀରାକୁଦ ନଦୀବନ୍ଧ ନିର୍ମାଣ କରିଛନ୍ତି, ଯାହାକି ପୃଥିବୀରେ ବୃହତ୍ତମ ନଦୀବନ୍ଧ ରୂପେ ପରିଚିତ।

କିନ୍ତୁ କୁସୁନି ପାଇଁ ମହାନଦୀ ଟି କେବଳ ମହାନଦୀ ନଥିଲା, ଥିଲା ତା ମାଆ ପରି। ଏହା ଛଡ଼ା ତା ପାଖରେ ମହାନଦୀର ଅନ୍ୟ କୌଣସି ପରିଚୟ ନଥିଲା। ବୃତ୍ତିରେ ଥିଲା କେଉଟ। ନଦୀ ଠାରୁ ଅଳ୍ପ କିଛି ଦୂରରେ କେଉଟ ମାନଙ୍କୁ ନେଇ ଗଢିଉଠିଥିବା ବସ୍ତିରେ ତା'ର ଝାଟିମାଟି ର ଘର ଖଣ୍ଡିଏ ଅଛି। ୧୨ବର୍ଷ ତଳେ ବାପା, ମା ଆଗ ପଛ ହୋଇ ଆର ପାରି କୁ ଚଲିଗଲା ପରେ ପୈତୃକ ନାମ "କୃଷ୍ଣ ଚନ୍ଦ୍ର"ଟି କୁସୁନି ହୋଇଯାଇଥିଲା। ମହାନଦୀ ହିଁ ତାକୁ ଗୁଜୁରାଣ ଯୋଗାଇ ତାକୁ ବଢ଼େଇଥିଲା। ଦୁଇ ବର୍ଷ ତଳେ ନିଜର ଛୋଟ ସଂସାର ଟିଏ ଗଢ଼ିବା ପାଇଁ କୁସୁନି ଲକ୍ଷ୍ମୀର ହାତ ଧରି ତା ଝାଟିମାଟି କୁଡ଼ିଆ କୁ ନେଇଆସିଥିଲା ।

ସବୁ ଥର ପରି ଧାରା ଶ୍ରାବଣ ପରେ ଭାଦ୍ରବ ମାସ କୁ ନଦୀ ବଢ଼ି ଆସିଲା।ବସ୍ତି ବାସିନ୍ଦା ସଭିଏଁ ମିଶି ନିଜର ଅତ୍ୟାବଶ୍ୟକ ଜିନିଷ ଧରି ପାଖରେ ଥିବା ଛୋଟ ପାହାଡକୁ ଉଠିଗଲେ। କୁସୁନି ମଧ୍ୟ ନିଜ ନବ ବଧୂ କୁ ନେଇ ସେହି ପାହାଡ଼ ଉପରକୁ ନେଇଯାଇଥିଲା।ବିପଦ ସମୟରେ ଲୋକ ଲଜ୍ଜା କୁ କିଏ ପଚାରେ। ବଢ଼ି ଛାଡ଼ିଗଲା। ସମସ୍ତେ ନିଜ ନିଜ ଜାଗା ଖୋଜି ପଙ୍କ ସଫା କରି ଘର ସଜାଡ଼ିବା ରେ ଲାଗିଲେ।କୁସୁନି ଓ ଲକ୍ଷ୍ମୀ ଦୁହେଁ ମିଶି ଘର ଟିକୁ ପୁଣି ଥରେ ଠିଆ କରାଇଲେ । ସେହି ବର୍ଷ ଗାଁ ଲୋକେ ମିଶି ସରକାରଙ୍କୁ ଅଭିଯୋଗ କରି ବହୁ କଷ୍ଟ ରେ ମାଟି ବନ୍ଧ ଟିଏ ହୋଇପାରିଲା। ଗାଁ ଲୋକଙ୍କ ଖୁସି କହିଲେ ନସରେ। ଏତେ ଦିନ ପରେ ଗାଁ ରେ ନଦୀ ବନ୍ଧଟିଏ ହେଲା, ଏଣିକି ନଦୀ ବଢି ର ଭୟ ଆଉ ନାହିଁ। ତା ପରବର୍ଷ ଯେବେ ନଦୀ ରେ ବଢ଼ି ଆସିଲା ଗାଁ ଲୋକମାନେ ମହାନଦୀ ର ବଢ଼ି ପାଣି ଦେଖି ରୋମାଞ୍ଚିତ ହୋଇଥିଲେ।ବନ୍ଧର ଗୋଟିଏ ପାର୍ଶ୍ୱରେ ହସିଲା ଗାଁ, ଆଉ ଏକ ପାର୍ଶ୍ୱରେ ମହାନଦୀର ଉଗ୍ର ରୂପ। କେତେ ଯେ ଛୋଟ ବଡ଼ କାଠ ଗଣ୍ଡି ଭାସିଆସୁଥାଏ। ପାଣିରେ ଅନେକ ଭଉଁରୀ ଖେଳୁଥାଏ, ବିରାଟ ସୁଅ ଆସିବା ସହ ଉଛୁଳା ପାଣିର ସୁ ସୁ ଶବ୍ଦ ଅତି ଭୟାନକ।ସରକାର ଙ୍କ ଠାରୁ ରିଲିଫ୍ ପାଣ୍ଠିରୁ ରୁ ଖାଦ୍ୟ ଯୋଗାଇ ଦିଆ ଯାଇଥିଲା।

ଠିକ୍ ତା ପର ବର୍ଷ କୁସୁନି ଏକ ପୁତ୍ର ସନ୍ତାନର ବାପା ହେଲା। ତିନିପ୍ରାଣୀର କୁଟୁମ୍ବ ଟି ବେଶ୍ ହସଖୁସିରେ ଚଳୁଥିଲେ।ସେହିବର୍ଷ ଭାଦ୍ରବ ମାସ ରେ ପୁଣି ମହାନଦୀର ଜଳ ଧୀରେ ଧୀରେ ବଢ଼ିବାକୁ ଲାଗିଲା।ସମ୍ବାଦରେ ମଧ୍ୟ ପ୍ରଚାର ହେଉଥାଏ ହୀରାକୁଦ ବନ୍ଧରେ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି।ସେଦିନ ଥିଲା ଚିତା ଲାଗି ଅମାବାସ୍ୟା। ଲକ୍ଷ୍ମୀ ଚିତଉପିଠା କରି କୁସୁନି ଓ ନିଜର ୬ ମାସର ପୁଅ ଟିକୁ ନେଇ ନଦୀକୁ ଚିତଉ ପିଠା ପୂଜା କରି ଜଳ ଦେବୀଙ୍କୁ ଅର୍ପଣ କରିବାକୁ ଗଲା।କୁସୁନି ଲକ୍ଷ୍ମୀ କୁ କହିଲା ଟିକିଏ ଭଲରେ ପୂଜା କର। ଜଳ ଦେବୀ ଆମ ଉପରେ ସନ୍ତୁଷ୍ଟ ହୋଇଥାନ୍ତୁ।

ରାତିରେ ସାରା ଗାଁ ନିଦ୍ରା ଗଲେଣି। ଲକ୍ଷ୍ମୀ କୁସୁନି କୁ କହିଲା ଏଇ ବନ୍ଧଟି ହେବାପରେ ଲୋକେ କେତେ ଶାନ୍ତିରେ ଅଛନ୍ତି। ନହେଲେ ସବୁ ବର୍ଷ ବଢ଼ି ଆସିଲେ ଲୋକେ କେତେ ଯେ ହନ୍ତ ସନ୍ତ ହେଉଥିଲେ।କୁସୁନି କହିଲା ହଁ ତୁ ଠିକ୍ କହୁଛୁ। ନହେଲେ ଏବେ ପରିସ୍ଥିତି କିଛି ଅଲଗା ହୋଇଥାନ୍ତା। ରାତି ବେଶୀ ହେଲାଣି। ଶୋଇପଡିବା। କାହାକୁ ବା ଜଣାଥିଲା ଅମାବାସ୍ୟାର ରାତି ଟି ସତରେ ଗ୍ରାମ୍ୟ ଜୀବନରେ ଅନ୍ଧକାର ନେଇଆସିବ। ନିଶ୍ଚିନ୍ତ ହୋଇ ଶୋଇଯାଇଥିଲା ଗାଁ।ନିମ୍ନ ମାନର କାର୍ଯ୍ୟ ହେତୁ ବନ୍ଧରେ ଘାଇ ଫିଟିଲା। ବନ୍ୟା ଜଳ ଗାଁ ଭିତରକୁ ପ୍ରବେଶ କଲା। ବେଶୀ ପ୍ରଭାବିତ ହୋଇଥିଲା ନଦୀ କୂଳରେ ଥିବା କେଉଟ ବସ୍ତି। ପାଣି ଗାଁ କୁ ପ୍ରବେଶ କରୁ କରୁ କିଛି ନିଜ ପରିବାର ସହ ଯଥା ସମ୍ଭବ ଉଚ୍ଚ ସ୍ଥାନକୁ ଚାଲିଯାଇଥିଲେ। ଯେଉଁମାନେ ଯାଇପାରିନଥିଲେ ବଢିଲା ନଦୀର ସୁଅ ରେ ଭାସିଗଲେ। କିଛି ଭାସିଯାଉଥିବା କାଠ ଗଣ୍ଡିକୁ ଆଶ୍ରୟ କରିଲେ, କିଛି ବଡ଼ ବଡ଼ ଗଛକୁ ଧରି ରହିଲେ। କିଛି କେଉଟ ସେଇ ଅନ୍ଧାର ରାତିରେ ପହଁରି ନିଜ ଜୀବନ ବଞ୍ଚାଇି ପରିବାର ଖୋଜୁଥିଲେ।ହେଲେ ଅନ୍ଧାର ରାତିରେ ନଦୀର ଅପ୍ରତ୍ୟାଶତ ଭାବେ ଗାଁରେ ପ୍ରବେଶ କୁ କାହାର ବା ଦମ୍ଭ ପାଇବ। ପରଦିନ ସକାଳୁ ପ୍ରଶାସନିକ ସେବା ଯୋଗେ ଜନ ଉଦ୍ଧାର ଜାରି ରହିଲା। ମୃତ,ଜୀବିତ ଭାବେ କେହି କେହି ଉଦ୍ଧାର ହେଲେ।

ନଦୀର ଶବ୍ଦରେ ଲୋକମାନଙ୍କର କାନ୍ଦଣା ଯେପରି ଶୂନ୍ୟରେ ମିଶିଯାଉଥିଲା। କୁସୁନି ଉଦ୍ଧାର ହୋଇଥିଲା ଚେତା ଶୂନ୍ୟ ଭାବେ। ଆଖି ଖୋଜୁଥିଲା ଲକ୍ଷ୍ମୀ ଆଉ ୬ମାସର ଶିଶୁକୁ। କିନ୍ତୁ କାହାକୁ ପାଇନଥିଲା।

ପାଣିଛାଡ଼ିବା ପରେ କୁସୁନି ଅଧା ପଙ୍କରେ ପୋତି ହୋଇଥିବା ମୃତ ଲକ୍ଷ୍ମୀ କୁ ଛୁଆଟିକୁ ଛାତିରେ ଜାବୁଡ଼ି ଧରି ପଡିଥିବାର ଦେଖିବାକୁ ପାଇଥିଲା ।ତା'ପରଠାରୁ କୁସୁନି ପାଗଳ ପ୍ରାୟ ହୋଇଗଲା।ଯାହାକୁ ଦେଖିଲା ପ୍ରଳାପ କରି ଚାଲିଲା ,"ଯାଅନି,ଯାଅନି.....ଏ ନଦୀ ସମସ୍ତ ଙ୍କୁ ଭସାଇ ଦେବ।"

ଉଛୁଳା ନଦୀ ପୂର୍ବବତ୍ ନିଜ ସ୍ଥାନକୁ ଚାଲିଯାଇଥିଲା। ବିଚ୍ଛିନ୍ନ କରିଦେଇଥିଲା ଅନେକ ପରିବାର କୁ।ଦେଇଯାଇଥିଲା ଅଜସ୍ର ଲୁହ।



Rate this content
Log in

Similar oriya story from Tragedy