ଥୁଣ୍ଟା ବୃକ୍ଷ
ଥୁଣ୍ଟା ବୃକ୍ଷ
ଧୁ ଧୁ ଖରା ବେଳ । ରାସ୍ତା ଘାଟ ଶୂନ୍ ଶାନ୍ । ପ୍ରତାପ ବାବୁ ଝରକା ଫାଙ୍କରେ ରାସ୍ତାକୁ ଏକ ଲୟରେ ଚାହିଁଥାନ୍ତି । ଥୁଣ୍ଟା ଗଛଟିଏ ଖରା ବର୍ଷାକୁ ଖାତିର ନ କରି ଆକାଶକୁ ମୁଣ୍ଡ ଟେକି ଛିଡ଼ା ହୋଇଥାଏ । ଆଜି ସେ ସମସ୍ତଙ୍କ ନିକଟରେ ଅସହାୟ ଓ ଅଲୋଡା ହୋଇପଡିଛି । ସମସ୍ତେ ଭୁଲିଗଲେଣି ତାର ଫୁଲର ସୌରଭ,ଶୀତଳ ଛାୟା,ଭୋକ ଶୋଷ ମେଣ୍ଟାଉଥିବା ଫଳର ସୁ ସ୍ବାଦୁ ଗୁଣକୁ । ଭାଗ୍ୟକୁ ସାକ୍ଷୀ ରଖି ନିରୁପାୟ, ନିରୁତ୍ସାହ ଜୀବନକୁ ଧୈର୍ଯ୍ୟ ଧରି ଅତିବାହିତ କରୁଥାଏ । ଏହି କଥା ଭାବୁ ଭାବୁ ପ୍ରତାପ ବାବୁଙ୍କ ନୟନର ଜଳାଶୟ କୂଳ ଲଙ୍ଘି ଯାଇଥିଲା । ମନକୁ ମନ ବୁଝାଉଥାନ୍ତି ନା ନାରେ ବୃକ୍ଷ ତୁ ଅଲୋଡା ନୁହଁ । ସର୍ବସ୍ୱ ହରାଇ ମଧ୍ୟ ଏବେ ବି ତୁ ସେହି ସ୍ଵାର୍ଥପର ଅବିବେକି କୃତଘ୍ନ ମାନଙ୍କର ଜାଳେଣି ରୂପେ କାମରେ ଆସିବୁ କିନ୍ତୁ ମୁଁ ଆଜି ମରୁଭୂମିର ଯାତ୍ରୀ । ତୋ ଠାରୁ ଅତି ଦୟନୀୟ ଅବସ୍ଥାରେ ଅଛି ।
ପ୍ରତାପ ବାବୁଙ୍କର ମନେ ପଡି ଯାଉଥାଏ ସେହି ଅତୀତର ଦୁଃଖ ଯନ୍ତ୍ରଣାର ଦିନ ଗୁଡ଼ିକ ।
ବିଧବା ମାଆ ମୋର ବହୁତ କଷ୍ଟରେ ଖାଇବାକୁ
ଦି ମୁଠା ସଂଗ୍ରହ କରି ଦିଏ । ପାଠ ପଢିବା ଦୂର କଥା । ମୋର ବୁଲାବୁଲି ଓ ଅସହାୟତା ଦେଖି ପଡୋସି ଦିଦି ମତେ ସପ୍ତମ କ୍ଲାସ୍ ଯାଏ ପାଢାଇ ଥିଲେ । ଦିଦି ଚାହୁଁ ଥିଲେ ଅଧିକ ପଢ଼ାଇବା ପାଇଁ ହେଲେ ମୋ ମାଆ ମନା କଲା କହିଲା ଆମେ ଖାଇବୁ କ'ଣ । ଶ୍ରମିକ ଟିଏ ହୋଇ କିଛି ରୋଜଗାର କରୁ । ତା ପରେ ମୁଁ ଆସ୍ତେ ଆସ୍ତେ ଦୀନ ମଜୁରିଆ ଭାବେ କାମ କଲି । ମୋର ନିଷ୍ଠାପର ଶ୍ରମ ଓ ସାଧୁ ଉଦ୍ୟମ ମତେ ସଫଳତାର ଶିଡି ଚଢାଇଲା । ଛୋଟରୁ ବଡ ହୋଇ ଗୋଟେ କମ୍ପାନୀରେ ଶ୍ରମିକ ଲିଡର ହୋଇ ଗଲି । ମୋର ଦକ୍ଷତା,ଭଦ୍ରତା,ଉଦାରତା ଓ ଭାବପ୍ରବଣତା ପାଇଁ ସମସ୍ତଙ୍କର ଆଦରର ପାତ୍ର ହୋଇଗଲି । ସବୁ ଶ୍ରମିକ ମାନେ ମୋର ଅନୁଗାମୀ ହେଲେ ଯାହା ଦ୍ବାରା କି କମ୍ପାନୀର ଉନ୍ନତି ଚରମ ସୀମାରେ ପହଞ୍ଚିଗଲା । ଦିନ ରାତି ଏକ କରି କମ୍ପାନୀର ଉନ୍ନତିରେ ମନ ପ୍ରାଣ ଢାଳି ଦେଲି । ଘରକୁ ଟଙ୍କା ପଠାଇ ଦେଇ ସଦା ସର୍ବଦା କମ୍ପାନୀ କାମରେ ଲାଗି ରହିଲି । ଭଲ ଦରମା ମିଳିଲା । ବାହା ସାହା ହୋଇ ଦୁଇ ପୁଅ ଓ ଗୋଟେ ଝିଅର ଜନକ ହୋଇଗଲି । ସବୁ ରୋଜଗାର ପିଲାମାନଙ୍କ ପାଠପଢ଼ା ବିଳାସ ବ୍ୟସନରେ ଖର୍ଚ୍ଚ ହୋଇଯାଏ । ସ୍ତ୍ରୀ ପିଲାଙ୍କୁ ନେଇ ବହୁତ ଖୁସିରେ ଥାଏ । ହଠାତ୍ ଦିନେ କମ୍ପାନୀକୁ ବିପଦ ମାଡି ଆସିଲା । ହାରି ଯାଇଥିବା କମ୍ପାନୀର ଗୁଣ୍ଡାରାଜ ମୋ ଉପରେ ପ୍ରଭାବ ପକାଇଲା । ସେମାନଙ୍କର ଆକ୍ରୋଶର ଶିକାର ହୋଇ ମୁଁ ଏବେ ଡାହାଣ ଗୋଡ ହରାଇ ପଙ୍ଗୁ ଜୀବନ ଅତିବାହିତ କରୁଛି । ଯେଉଁ କମ୍ପାନୀ ପାଇଁ ମୋର ଏ ଅବସ୍ଥା ସେ ମତେ ଅଯୋଗ୍ୟ ଭାବି ବାହାର କରି ଦେଲା । ପିଲାମାନେ ତାଙ୍କ ସୁଖ ଚିନ୍ତା କରି ଦୂରେଇ ଗଲେ । ଆଜି ଆମେ ଦୁହେଁ ସ୍ୱାମୀ ସ୍ତ୍ରୀ ସରକାରଙ୍କ ଅନୁଦାନରେ କଷ୍ଟେ ମଷ୍ଟେ ଚଳୁଛୁ । ଆଜି ସମସ୍ତେ ଭୁଲିଗଲେ ମୋ ପାରିବାପଣିଆର ମହତ୍ଵ । ଭୁଲିଗଲେ କାହା ପାଇଁ କେତେ ସ୍ୱେଦ ରକ୍ତ ବିନ୍ଦୁ ଏ ଦେହ ନିଗାଡିଛି । ଆଜି ମୁଁ ଥୁଣ୍ଟା ବୃକ୍ଷ ଠାରୁ ବି ହୀନ ହେଲି ।
