ବେଳାଭୂମି
ବେଳାଭୂମି
ସାମ୍ନାରେ ଜୁଆରିଆ ସାଗରର ଅତଳ ଜଳରାଶି, ସୁବିସ୍ତୃତ ବେଳାଭୂମି,ମଥା ଉପରେ ଅନନ୍ତ ଆକାଶର ପୁର୍ଣିମି ଶୋଭା ମନ ଓ ପ୍ରାଣକୁ ଚହଲାଇ ହେଉଥାଏ । ସମୁଦ୍ରର ଗର୍ଜନ ସାଙ୍ଗକୁ ପର୍ଯଟନଙ୍କର କୋଳାହଳ ମୟ ଆନନ୍ଦମୁଖର ପରିବେଶ ବେଶ୍ ଚିତ୍ତାକର୍ଷକ ଅନୁଭବ ହେଉଥାଏ ।
କିନ୍ତୁ ହେଲିନା ଏକଲୟରେ ଚାତକ ପରି ଚାହିଁ ରହିଥାଏ ସପନାର ଫେରିବା ପଥକୁ । ମନରେ ଅଶୁମାରି ପ୍ରଶ୍ନବାଚୀ ! କୌଣସି ବସ୍ତୁରେ ଆକର୍ଷଣ ନାହିଁ । ଚର୍ତୁପାଶ୍ୱ ଶୂନ୍ୟତାରେ ପୁର୍ଣ୍ଣ । ଯେପରି ଚାତକ ପକ୍ଷୀ ଅନେକ ଜଳରାଶି ତାର ଦୃଷ୍ଟି ଗୋଚର ହେଲେ ବି ବର୍ଷା କୁ ଉତ୍କଣ୍ଠା ର ସହିତ ଚାହିଁ ରହିଥାଏ ତୃଷା ନିବାରଣ ନିମନ୍ତେ ଯେତେ ଆକଷ୍ଠ ହେଲେ ମଧ୍ୟ କୌଣସି ଜଳ ସେ ଛୁଏଁ ନାହିଁ ସେହିପରି ସାବିତ୍ରୀ ପ୍ରତି ଦିନ ଅପରାହ୍ନରେ ବେଳାଭୂମି କୁ ଆସେ ଅପେକ୍ଷା ଟି ଧର୍ଯ୍ୟଚ୍ଯୁତ ହେଲେ ବିରସ ବଦନରେ ଫେରିଯାଏ । ସାଗର ଲହରୀ ପରି ସଦା ସର୍ବଦା ତା ମନରେ ଆଶା ଓ ନିରାଶ ର ଖେଳ ଚାଲୁଥାଏ ନା ସେ ଛାଡି ପାରୁଛି ନା ସେ ପାଇ ପାରୁଛି ଏହି ପରି ଭାବେ ଡହଳ ବିକଳ ହତାଶ ବିଷାଦ ଓ ଜୀବନର ଦୋଛକି ରାସ୍ତା ରେ ଛିଡ଼ାହୋଇ ବିରହ ନିଆଁ ରେ ନିତି ଜଳି ମରି ବଞ୍ଚିବାକୁ ପଡୁଛି ହେଲିନା କୁ ।
ଆଜି କୁ ଠିକ୍ ପଚିଶି ବର୍ଷତଳେ ବାପା ମାଆଙ୍କ ସହ ଆସିଥିଲା ଶ୍ରୀକ୍ଷେତ୍ର ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ । ସନ୍ଧ୍ୟା ଦର୍ଶନ କରିବା ପୂର୍ବରୁ ସମସ୍ତେ ଗଲେ ବେଳାଭୂମି ବୁଲିବା ପାଇଁ । ସମୁଦ୍ର ରେ ଗାଧୋଉ ଗାଧୋଉ ଏକ ବଡ଼ ଲହରୀ ରେ ଭାସି ଯାଇଥିଲା ହେଲିନା । ସେଠାରେ ଏଇ ସପନା ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନିଜ ଜୀବନକୁ ବାଜି ଲଗାଇ ଜୁଆରିଆ ସମୁଦ୍ର ମଧ୍ୟରୁ ହେଲିନାକୁ ବଞ୍ଚାଇଥିଲା । ଏକମାତ୍ର ଝିଅକୁ ଫେରି ପାଇ ଦିନବନ୍ଧୁ ସପନାକୁ ଅନେକ ପ୍ରଶଂସାର କଲେ ଓ ଧନୀକ ହୋଇଥିବାରୁ ଲକ୍ଷାଧିକ ଟଙ୍କା ଦେଲେ ହେଲେ ସପନା ଧନରେ ଗରିବ ସିନା ମନଟି ମହାନ୍ ଲୋଭଠାରୁ ବହୁ ଉର୍ଦ୍ଧ୍ବରେ କହିଲା ନାଇଁ ଆଜ୍ଞା ମୋର ଏତେ ଟଙ୍କା କ'ଣ ହେବ ଜାତିରେ କେଉଟ ମାଛ ଧରି ଦି ବେଳା ଖାଇ ପିନ୍ଧି ଭଲରେ ଅଛି ।
ସପନା କମ୍ ପାଠ ପଢିଛି ସତ କିନ୍ତୁ ବେଶ୍ ମାର୍ଜିତ ବ୍ୟବହାର ସହିତ ସତ୍ୟବାଦୀ, ସଚ୍ଚୋଟ ଓ ଭଦ୍ରତା ତା ଆଚରଣରୁ ପରିଲକ୍ଷିତ ହେଉଥାଏ । ହେଲିନା ସପନାଠାରେ ଆକୃଷ୍ଟ ହୋଇପଡିଲା । ମନର କଥାକୁ ଗୋପନ ନ ରଖି ବାପା ମାଆଙ୍କୁ ଜଣାଇଲା କହିଲା ଯିଏ ମତେ ନୂଆ ଜୀବନ ଦେଇଛି ତାଙ୍କ ବ୍ୟତୀତ କାହାର ମୁଁ ନୁହେଁ । ଝିଅର ଜିଦ୍ ଆଗରେ ବାପାମାଆ ହାରିଗଲେ ରାଗରେ ସେହିଠାରେ ଛାଡିଦେଇ ଆସିଲେ । ସପନାକୁ ନେଇ ହେଲିନା ର ହସ ଖୁସି ର ସଂସାର ଆଗକୁ ଆଗକୁ ଚାଲିଲା । ତେଲ ଲୁଣ ଦୁନିଆରେ ସ୍ନେହ,ଶ୍ରଦ୍ଧା,ପ୍ରେମ ରେ ଦୁହେଁ ହଜି ଯାଇ ଅଭାବ ଅସୁବିଧା ର ଦୁଃଖ ରେ କବଳିତ ହୋଇପାରନ୍ତି ନାହିଁ । ବେଳାଭୂମିରେ
ପ୍ରତିଦିନ ଅଧିକ ସମୟ ଖୁସିରେ ବସିଥାନ୍ତି ଆଖିରେ ଆଖିଏ ସ୍ବପ୍ନ ନେଇ । ହସ ,ଖୁସି, ଆନନ୍ଦ, ଉଲ୍ଲାସରେ ଆତ୍ମହରା ହୋଇ ପଡନ୍ତି ପରସ୍ପର ମଧ୍ୟରେ ସତେଯେମିତି ଆକାଶ ଦୁଇ ହାତ । ଏହି ଖୁସି ବେଶି ଦିନ ରହିଲା ନାହିଁ । ହେଲିନା କପାଳ ଫାଟିଲା । ଦିନେ ସେହି ସମୁଦ୍ର ରେ ଲହରୀ ସହ ଖେଳୁ ଖେଳୁ ଦୁଇଜଣ ନିଜ ଅଜ୍ଞତା ରେ ବହୁତ ଭୀତରକୁ ପଳାଇଛନ୍ତି ଆଉ ଫେରି ପାରିନାହିଁ ସପନା ହେଲିନାର ଆୟୁଷ ଥିବାରୁ କୌଣସି ମତେ ବଞ୍ଚି ଯାଇଛି । ହେଲିନା ଏବେ ପଚାଶ ବର୍ଷରେ ପଦାର୍ପଣ କଲାଣି । ଥଳ କୁଳ ହରାଇ ବଡ଼ ଦାଣ୍ଡରେ ଭିକ୍ଷା ବୃତ୍ତି କୁ ଆଦରି ନେଇଛି । ଜଗନ୍ନାଥ ଙ୍କ ଭରସାରେ ଅଛି କିନ୍ତୁ ସପନାକୁ ପ୍ରତି ଦିନ ବେଳାଭୂମି ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ଏବେ ବି କରୁଛି । ମନକୁ ଯେତେ ବୁଝାଇଲେ ବି ମନ କେବେ ବି ମାନୁନାହିଁ ଯେ ତା'ର ସାଥି ଆଉ ଫେରିବନି ।
