ସତ୍ୟ ଅନୁଭୁତି
ସତ୍ୟ ଅନୁଭୁତି
ସେଦିନ ଥାଏ ଗଣେଶ ପୂଜା ର ପୂର୍ବ ଦିନ ରାତି।
ଦିନ ସାରା ହଷ୍ଟେଲର compaund ସଫା ସୁତୁରା କାର୍ଯ୍ୟ ସାରି କମନ ରୁମ୍ ର decoration କାର୍ଯ୍ୟ ବି ଏକ ପ୍ରକାର ସାରି ଦେଇଥିଲୁ।ସେ ଥିଲା ଆମର ଦ୍ଵୀତୀୟ ବର୍ଷ।
ଗଣେଶ ପୁଜା ହେଉ କି ଅନ୍ୟ ଯେ କୌଣସି function ହେଉ ଦାୟିତ୍ଵ ଥାଏ second year ପିଲା ମାନଙ୍କ ଉପରେ।କାରଣ final year ପିଲା ମାନଙ୍କ ର ପରିକ୍ଷା ଥାଏ ଟିକେ hard।ଗଣେଶ ପୁଜା ଦେଖିବା ପାଇଁ କଲେଜ ପ୍ରିନ୍ସପାଲ ଓ ସୁପରିନଟେଣ୍ଡେଣ୍ଟ ଆସିବେ।ସେହି ଅନୁସାରେ ରେଟିଙ୍ଗ ବି ମିଳିବ। ତେଣୁ ପାରୁ ପର୍ଯ୍ୟନ୍ତ ଭଲ କରିବାକୁ ଚେଷ୍ଟା କରିଥିଲୁ ସବୁ ସାଙ୍ଗମାନେ ମିଶି। ରୁମ୍ ଅନୁସାରେ କିଛି କାମ ବି ବଣ୍ଟା ଯାଇଥାଏ।ଆମ ରୁମ କୁ ମିଳିଥାଏ ଫୁଲ ତୋଳି ହାର କରିବାର ଦାୟିତ୍ବ।
ଆମେ ତିନି ଜଣ ଗୋଟେ ରୁମ୍ ରେ ଥାଉ।ଶଶି,ସରଳା ଓ ମୁଁ।ଶଶି କୁ ପ୍ରବଳ ନିଦ,ସେ ଶୋଇଲେ ଆଉ ଉଠିବାକୁ ତାକୁ ବହୁତ କଷ୍ଟ ହୁଏ।ସରଳା ଓ ମୁଁ ଦିହେଁ ରାତି ଚାରିଟାରୁ ଉଠି ଫୁଲ ତୋଳିବାକୁ କଥାବାର୍ତ୍ତା ହୋଇ ଶୋଇଲୁ। ସେତେବେଳେ ତ ଆଜି ଭଳି ମୋବାଇଲ ଆମ ପାଖରେ ନ ଥିଲା।ଗୋଟେ ଚାବି ଦିଆ ଟେବୁଲ୍ ଘଣ୍ଟା ଥିଲା। ସେଥିରେ ଆଲାରାମ୍ ଦେଇ ଶୋଇଲୁ। ହେଲେ ଠିକ୍ ରାତି ଦୁଇଟା ବେଳକୁ ଆଲାରାମ୍ ବାଜିବାର ଶଦ୍ଦ ଆମକୁ ଶୁଣାଗଲା। ଦିହେଁ ଏକାଥରେ ଧଡ଼ ପଡ଼ ହୋଇ ଉଠି ପାଛିଆ ଧରି ହଷ୍ଟେଲ ଗାର୍ଡେନକୁ ଚାଲିଲୁ। ଲାଇଟ୍ ଲଗାଇଲେ ଶିଶିର ନିଦ ଭାଙ୍ଗିବା ଭୟରେ ଆମେ ଲାଇଟ୍ ଲଗାଇ ନ ଥିଲୁ।ଆଗପଛ ହେଇ ଦୁଇଜଣ ଚାଲିଥାଉ,କେହି କାହାକୁ କିଛି କଥାବାର୍ତ୍ତା କରିନାହୁଁ।
ବଗିଚାରେ ପହଞ୍ଚି ଖାଲି ଅନୁଭବ କରିଥିଲୁ କି ଚାରିଆଡ ଶୁନ୍ ଶାନ୍।ସମସ୍ତେ ନିଦ୍ରାରେ ମୋହିତ,ଟଗର ଗଛରେ ଫୁଲ ବି ଭଲ ଭାବେ ଫୁଟି ନଥାଏ।ଯାହା ହେଉ ଆମେ ଫୁଲ ତୋଳିବା ପାଇଁ ଆସି ବଗିଚାରେ ପହଞ୍ଚି ଗଲୁ। ଫୁଲ ତୋଳିବାରେ ବ୍ୟସ୍ତ ହୋଇଗଲୁ। ମୁଁ ଦେଖୁଥାଏ ମୁଁ ଯେଉଁ ଗଛରୁ ଫୁଲ ତୋଳୁଛି ସେହି ଗଛରୁ ସରଳା ବି ଫୁଲ ତୋଳୁଛି। ହେଲେ ସେ ସମ୍ପୂର୍ଣ ଧଳା ଏକ ଲୁଗାରେ ଆବୃତ ଅଛି।ଆଉ ଟିକେ ଅଧିକ ଡେଙ୍ଗା ବି ଦିଶୁଛି। ମୁଁ ଥରେ ଦୁଇ ଥର କହିବା ଭଳି ମୋତେ ଅନୁଭୁତ ହୋଇଥିଲା କି ତୁ ଏଇ ଗଛରୁ କାହିଁକି ତୋଳୁଛୁ ଆଉ ତ ଅନେକ ଗଛ ଅଛି ତୁ ଯାଇଁ ଅନ୍ୟ ଗଛରୁ ତୋଳ। ହେଲେ ସେଦିନ ସେ ମୋ କଥା ଶୁଣୁ ନଥିଲା। ସବୁଦିନ ଆମେ ସାଙ୍ଗ ହୋଇ ଆସୁ ଓ ଅଲଗା ଅଲଗା ଗଛରୁ ଫୁଲ ତୋଳୁ।ସରଳା ବି କହେ ସେ ବି ସମାନ କଥା କହିଥିଲା ମୋତେ ଲକ୍ଷ କରି।ସେ ମୋ ଆଗେ ଆଗେ ଚାଲିଥିଲା ଆଉ ମୁଁ ତା ପଛେ ପଛେ।ପାଛିଆ ପୁରିବା କୁ ଅଳ୍ପ ବାକି ଥାଏ ମୁଁ ଭାବୁଥାଏ ଆଉ ଫୁଲ କେଉଁ ଥିରେ ରଖିବି ଏ ତ ପୁରିଗଲା ହେଲେ ସେ ଜାଣି ପାରିଲା ଭଳି ମୁଁ କିଛି କହିବା ପୂର୍ବରୁ ମୋ ହାତକୁ ଏକ ନୁଆ ପାଛିଆ ବଢାଇ ଦେଉଥାଏ। ଏମିତି ଦୁଇ ଘଣ୍ଟା ଧରି ଆମେ ଏ ଗଛରୁ ସେ ଗଛ ବୁଲି ବୁଲି ଫୁଲ ତୋଳିଛୁ।ଆଉ ପ୍ରାୟ ଦଶ ପାଛିଆ ଫୁଲ ତୋଳିଛୁ। ଠିକ୍ ରାତି ସାଢ଼େ ଚାରିଟା ବେଳକୁ କିଛି ରୁମ୍ ର କବାଟ ଖୋଲି ବାର ଆବାଜ୍ ଆସିଲା ଓ କିଛି ପିଲା ବଗିଚାକୁ ଫୁଲ ତୋଳିବାକୁ ଆସିବାର ପାଦ ଶଦ୍ଦ ଶୁଭିଲା। ମୁଁ ହଠାତ୍ ଅନୁଭବ କଲି ମୋ ଆଗେ ଆଗେ ଯିଏ ବୁଲି ବୁଲି ଫୁଲ ତୋଳୁଥିଲା, ଯାହାକୁ ମୁଁ ସରଳା ବୋଲି ଭାବି ଫୁଲ ତୋଳୁଥିଲି ସେ ଆଉ ଦେଖାଯାଉନାହିଁ। ସେ ଫୁଲ ଗଛ ପାଖରୁ ହଠାତ୍ କିଏ ଜଣେ ହଷ୍ଟେଲ ବାରଣ୍ଡା କୁ ଯାଇ ପାହାଚ ଦେଇ ଉପରକୁ ଉଠିଗଲା।ମୁଁ ଭାବିଲି ଆରେ ଏ ଯାଏଁ ଏ କୁଆଡେ ଗଲା ନାହିଁ ଏବେ କୁଆଡେ଼ ଯାଉଛି। ଅନ୍ଧାର ରେ କିଛି ଦିଶୁ ବି ନ ଥାଏ।ଏହି ସମୟରେ କିଛି ସାଙ୍ଗ ଆସି ମୋତେ ହଲାଇ ଦେଇ କହିଲେ ଏଠି କାହିଁକି ଛିଡ଼ା ହେଇଛ କଣ ଫୁଲ ତୋଳି ସାରିଲଣି? ମୁଁ ହଠାତ୍ ମୋର ଚେତନା ଫେରି ପାଇଲା ଭଳି ଅନୁଭବ କଲି।ନିଜକୁ ଆବିଷ୍କାର କଲି ଏକ ଟଗରଫୁଲ ଗଛକୁ ଧରି ମୁଁ ଛିଡ଼ା ହୋଇଛି।ମୋ ହାତରେ ଫୁଲ ଡାଲା ହେଲେ ଗୋଟିଏ ବି ଫୁଲ ନାହିଁ। ହଠାତ୍ ମୋ ପାଟିରୁ ବାହାରି ଗଲା ସରଳା ତୁ କେଉଁଠି,
ତାକୁ ବି ସାଙ୍ଗମାନେ ଆବିଷ୍କାର କଲେ ଆଉ ଏକ ଗଛ ପାଖରୁ ସେ ବି ମୋ ଭଳି ସମାନ ଅବସ୍ଥାରେ ଥିଲା।ତା ଡାଲା ରେ ବି ଗୋଟିଏ ଫୁଲ ନ ଥିଲା।
ସେ ବି ଚିତ୍କାର କରି କହି ଉଠିଲା ମୋ ଫୁଲ କିଏ ନେଲା ଦଶ ପାଛିଆ ଫୁଲ ତୋଳି ଥିଲି କାହିଁ।ଆମେ ଦୁଇ ଜଣ ଙ୍କର ସର୍ବାଙ୍ଗ ଥରୁଥିଲା।ଆମେ ଆଉ ଆମ ରୁମ ପର୍ଯ୍ୟନ୍ତ ଆସିବାର ଅବସ୍ଥାରେ ନ ଥିଲୁ।ଆମ ସାଙ୍ଗମାନେ ଆମକୁ ଧରି ଧରି ଆଣି ରୁମ୍ ରେ ଛାଡି ଥିଲେ।ଶଶି ସେତେବେଳକୁ ଉଠି ସାରିଥିଲା।ସେ କହିଲା ତୁମେମାନେ ତ ରାତି ଦୁଇଟାରୁ ଗଲଣି କ'ଣ କରୁଥିଲ। ଫୁଲ କାହିଁ? ତମେ ଦୁଇଜଣ ଏମିତି ଥରୁଛି କାହିଁକି?କ'ଣ ହେଇଛି। ମୁଁ କହୁଥିଲି ମୋ ଫୁଲ କାହିଁ,ସରଳା ବି କହୁଥିଲା ମୋ ଫୁଲ କାହିଁ।ଏବେବି ମୋର ମନେ ଅଛି ସେ ଦିନର କଥା।ଏ ବେବି ସେ ଫୁଲ ଭର୍ତ୍ତି ଡାଲା ମୋ ଆଖିରେ ଦେଖା ଯାଉଛି।ଆମ ଦୁଇଜଣଙ୍କୁ ସେହି ସମୟ ଠାରୁ ଜ୍ୱର ହେଲା ଯେ ତିନି ଚାରି ଦିନ ପର୍ଯ୍ୟନ୍ତ ବହୁତ କଷ୍ଟ ପାଇଲୁ।ତା ପରେ ଧିରେ ଧିରେ ଛାଡ଼ିଲା।ନିଜର ବୋଲି ତ ସବୁ ଆମରି ବୟସର ସାଙ୍ଗସାଥୀ।ମା କି ବାପା ଥିଲେ କେଉଁଠି ନିଶ୍ଚୟ ଝଡ଼ା ଫୁଙ୍କା କରିଥାଆନ୍ତେ। ଔଷଧ ଖାଇ ଧିରେଧିରେ ସୁସ୍ଥ ହେଲୁ।ତା ପର ଦିନ ଏ କଥା ଚାରିଆଡେ ପ୍ରଚାର ହୋଇଗଲା।ପ୍ରିନ୍ସପାଲ୍ ମାଡାମ୍ ଙ୍କ କାନରେ ପଡିଲା।ମାଡାମ୍ ଭାରି ସ୍ମାର୍ଟ ଆଉ ସାହସୀ ମହିଳା ଥିଲେ।ସେ ଆମକୁ ଡାକି ବହୁତ ବୁଝାଇଲେ କି ଭୁତ ଫୁତ କିଛି ନାହିଁ।ଏ ସବୁ ତୁମର ଦୂର୍ବଳ ମନର ଭ୍ରମ।ଆଉ କେବେ ଏତେ ରାତିରୁ ଉଠିବ ନାହିଁ ଫୁଲ ତୋଳିବାକୁ ଏକା ଆସିବ ନାହିଁ। ତାଙ୍କର ମନା ତ ଶୀରୋଧାର୍ଯ୍ୟ, ମାନିଲୁ ସେଦିନ ଠାରୁ, ହେଲେ warden ଦିଦି ଯେଉଁ କହୁଥିଲେ, ହଁ ସେ ଆଜକୁ ଆଠବର୍ଷ ହୋଇଗଲା ସେହି ଫୁଲ ଗଛ ପାଖରେ ଅଛି। ସବୁବେଳେ ବେଶୀ ଫୁଲ ସିଏ ତୋଳେ।ଆଉ ସୁନ୍ଦର ହାର କରି ମଧ୍ୟ ସବୁ ବର୍ଷ ସିଏ ଦିଏ। ହେଲେ ହତଭାଗୀ ଟା ପ୍ରବଞ୍ଚନା ରେ ପଡି ଅକାଳ ରେ ମୃତ୍ୟୁ ବରଣ କଲା। କିନ୍ତୁ ତା ଆତ୍ମା ଏବେ ବି ଏଇ ହଷ୍ଟେଲରେ ରହିଛି। ମୁଁ ରାତି ଅଧରେ ତାକୁ ଅନେକ ଥର ଦେଖିଛି, ସେ ସବୁ ଶୋଇ ପଡ଼ିଲା ପରେ ବାରଣ୍ଡାରେ ଧକେଇ ଧକେଇ କାନ୍ଦି କାନ୍ଦି ବୁଲୁଥାଏ। ହିରୋଇନ୍ ଭଳି ଚେହେରା ତାର ଥିଲା। ଜଣକୁ ସେ ଭଲ ପାଉଥିଲା। ଗାଁ କୁ ଛୁଟିରେ ଯାଇଥିଲା,ତା ଘର ବାରିପଦାରେ।ତା ପ୍ରେମିକ ସାଥିରେ ପିକ୍ ନିକ୍ କରି ଯାଇଥିଲା ଘରୁ ହେଲେ ସେ ଆଉ ଫେରି ନ ଥିଲା ଘରକୁ।ଫେରିଥିଲା ତାର ଡେଡ୍ ବୋଡି ତା ପୁଣି ପୋଲିସ ଆଣି ଦେଇଥିଲା।ତା ବାପା ଆମକୁ କାନ୍ଦି କାନ୍ଦି ଜଣାଇଥିଲେ କି ସେ ଟୋକା ତାକୁ ମାରିଦେଇଛି।ଆମେ ଶୁଣିଥିଲୁ ସେ ପିଲା କୁ ବି ପୋଲିସ ଆରେଷ୍ଟ କରିଛି। ବହୁତ ଦୁଃଖ ହେଲା ଶୁଣି।ଭାରି ମେଳାପି, ଶାନ୍ତଶିଷ୍ଟ,ଭଦ୍ର ଝିଅଟିଏ ଥିଲା। ଭଲ ପାଠ ବି ପଢ଼ୁଥିଲା। ତୃତୀୟ ବର୍ଷର ଛାତ୍ରୀ ଥିଲା।
ହେଲେ ତା ମରିବାର ୧୩ ଦିନ ରେ ସେ ଏଠି ରାତିରେ ବୁଲିବାର ପ୍ରାୟ ସମସ୍ତେ ଦେଖିଲେ। କାନ୍ଦୁଥିବାର ସମସ୍ତେ ଶୁଣିଲେ।ଏ କଥା ସମସ୍ତେ ପ୍ରିନ୍ସପାଲ ମାଡାମ୍ ଙ୍କୁ କହିଛନ୍ତି ହେଲେ ମାଡାମ୍ ବିଶ୍ଵାସ ନ କରି ଖାଲି ହସି ଦିଅନ୍ତି।ଗାଳି ବି କରନ୍ତି କୁହନ୍ତି ତମେ ସବୁ ଚିକିତ୍ସା ବିଜ୍ଞାନ ରେ ପାଠ ପଢ଼ିବାକୁ ଆସି ଏ ସବୁ ଅନ୍ଧ ବିଶ୍ବାସର କଥାକୁ ମନରେ ସ୍ଥାନ ଦେଉଛ କେମିତି।ସବୁ ଚୁପ୍ ହୋଇ ଫେରି ଆସନ୍ତି।କେତେ ପିଲାମାନଙ୍କୁ ସେ ଏମିତି ଫୁଲ ତୋଳି ବାକୁ ଡାକିକରି ନିଏ। ହେଲେ କାହାର କିଛି କ୍ଷତି କରେ ନାହିଁ। ଏମିତି ଅନେକ କିଛି।ଏ ସବୁକଥାର କିଛି ନିଷ୍କର୍ଷ ଆମେ ବାହାର କରିପାରୁନଥିଲୁ। କେଉଁ ଟା ସତ ଆଉ କେଉଁ ଟା ମିଛ।ଯାହା ଆମେ ଅଙ୍ଗେ ଲିଭାଇଛୁ ସେ କଥା ମିଛ କେମିତି ହେବ।ଆମେ ଦୁଇଜଣ ଅନୁଭବ କରିଛୁ ତାକୁ, କେମିତି କହିବୁ ଏହା ମିଛ ବୋଲି।
ଏମିତି କିଛି ଦିନ କଟିଗଲା ପରେ ହଷ୍ଟେଲ ର ରିନୋଭେସନ କାମ ଆରମ୍ଭ ହେଲା। ସେତେବେଳେ ଆମେ ପିଲାମାନେ କିଛି ପଇସା କଲେକ୍ସନ କରି ମାଡାମଙ୍କୁ ମିଳିତ ଭାବେ ଅନୁରୋଧ କରିଥିଲୁ ତା ଉଦ୍ଦେଶ୍ୟରେ ଗୋଟେ ଶାନ୍ତି ହୋମ କରିବାପାଇଁ।ମାଡାମ୍ ରାଜି ହୋଇଥିଲେ। ଶାନ୍ତି ହୋମ ସେ କଣ ରୁମ୍ ଯାହା ପରିତ୍ୟକ୍ତ ହୋଇ ସେ ମଲା ଠାରୁ ବନ୍ଦ ହୋଇ ପଡ଼ିଥିଲା ସେଠାରେ କରାଗଲା। ସେତିକି ନୁହେଁ ମାଡାମ ତାଙ୍କ ନିଜ ଉଦ୍ୟମରେ ତାର ଏକ ପ୍ରତିମୃତି ବଗିଚାର ଏକ କଣରେ ନିର୍ମାଣ କରିଥିଲେ ଯାହା ଅଦ୍ୟାବଧି ବିଦ୍ୟମାନ। ଆଶ୍ଚର୍ଯ୍ୟ ର ବିଷୟ ହୋମ ହେଲା ପର ଠାରୁ ତାକୁ ଆଉ କେହି କେଉଁଠି ଦେଖିନାହାନ୍ତି କି ଅନୁଭବ ବି କରିନାହାନ୍ତି।
କିନ୍ତୁ ପ୍ରତିବର୍ଷ ଗଣେଶ ପୂଜା ପୂର୍ବ ଦିନ ମୋର ଏ କଥା ମନେପଡେ।ଆଜି ୪୦ ବର୍ଷ ପରେ ମୋର ଲେଖି ପ୍ରକାଶ କରିବାକୁ ଇଚ୍ଛା ହେଲା। କିଏ ବିଶ୍ଵାସ କରୁ କି ନ କରୁ।

