ସେଇ ଅପରିଚିତ ମଣିଷଟି
ସେଇ ଅପରିଚିତ ମଣିଷଟି


ସେଇ ଅପରିଚିତ ମଣିଷଟି ଦେଖୁଦେଖୁ କେତେବେଳେ ଯେ ମୀରାର ଅତି ପରିଚିତ ହୋଇଗଲା ସେ ନିଜେ ବି ଜାଣେ ନାହିଁ।ଏଇତ ଏଇ ଗୋଟିଏ ବର୍ଷ ପୂର୍ବେ ଗାଁ ଦାଣ୍ଡରେ ଧୂଳି ଉଡ଼ାଇ ସାଇକେଲ ଚଲେଇବା ଠୁ ଆରମ୍ଭ କରି ସାଙ୍ଗ ମାନଙ୍କ ସହ କ୍ରିକେଟ ଖେଳିବା ପର୍ଯ୍ୟନ୍ତ, ବିବାହ ଭୋଜି ଠୁ ମୃତାହ କ୍ରିୟା ପର୍ଯ୍ୟନ୍ତ ସବୁଠି ମୀରାର ଉପସ୍ଥିତି ଦେଖିବାକୁ ମିଳୁଥିଲା। ଗାଆଁର ଘରେଘରେ ପରିଚିତ ଚୁଲବୁଲି ମୀରା ସ୍ୱଭାବରେ ଚଗଲି ଥିଲେ ବି ବୟସ୍କ ମାନଙ୍କୁ କିପରି ସମ୍ମାନ କରାଯାଏ, ସାନ ମାନଙ୍କୁ କିପରି ଗେହ୍ଲା କରିବାକୁ ହୁଏ ଆଉ ସମୟ ପଡ଼ିଲେ ଠେଙ୍ଗା ଧରି ଶତ୍ରୁ ସହ ଲଢ଼ିବାକୁ ହୁଏ,ତାକୁ ଭଲ ଭାବେ ଜଣା। ଏଇ ଗାଆଁର ଲୋକ, ଗାଁ ନଈ ପଠା ,ଗାଁ ପଶୁ ପକ୍ଷୀ,ଗାଁ ଆମ୍ବ ତୋଟା ଏତିକି ଯେମିତି ମୀରା ପାଇଁ ସବୁକିଛି, ତାହାରି ମଧ୍ୟରେ ହିଁ ମୀରାର ପରିଚୟ। କିନ୍ତୁ ଏମିତି ଏକ ଦିନ ଆସିଲା ଯେଉଁଦିନ ସେ ବି ସବୁଝିଅଙ୍କ ପରି ହାତରେ ଶଙ୍ଖା, ମଥାରେ ସିନ୍ଦୂର ଆଉ ପାଦରେ ଅଳତା ଲଗାଇ ନାଲି ଟୁକୁଟୁକୁ ସାଧବ ବୋହୂଟିଏ ପରି କେଉଁ ଏକ ଅଚିହ୍ନା ମଣିଷର ହାତ ଧରି ସମସ୍ତଙ୍କୁ ଛାଡ଼ି ଚାଲିଗଲା। ଆଜି ଯେମିତି ଗାଆଁଟା ଭାରି ଖାଁ ଖାଁ ଲାଗୁଥିଲା ମୀରାର ଅନୁପସ୍ଥତିରେ।
ଏପଟେ ଏକ ଅଦ୍ଭୁତ ପରିବର୍ତ୍ତନ ଆସିଥିଲା ମୀରା ଜୀବନରେ। କାହାକୁ ଭୟ କରୁନଥିବା ଝିଅଟି ମନରେ ହଠାତ୍ ଆଜି ଅନେକ ପ୍ରଶ୍ନବାଚୀ। ତା ସହ କେଉଁଠି ନା କେଉଁଠି ଏକ ଅଜଣା ଭୟଟେ ବି ବସା ବାନ୍ଧି ନେଇଥିଲା ତା ମନରେ। ଯାହାର ହାତ ଧରି ସେ ଏତେ ଦୂର ଚାଲି ଆସିଛି, ସେ କଣ ସତରେ ତା ସୁଖ ଦୁଃଖର ସାଥୀ,ତା ବିଶ୍ୱାସର ପାତ୍ରଟିଏ ହୋଇପାରିବ।କିନ୍ତୁ ସେଦିନ ଯେତେବେଳେ ହସ୍ପିଟାଲରେ ମୀରାର ଝିଅ ହେବା କଥା ଶୁଣି ଘରର ସମସ୍ତ ସଦସ୍ୟ ତା ବିପକ୍ଷରେ ଯୁକ୍ତି କରିଥିଲେ, କେବଳ ସେଇ ଜଣେ ମୋହନ ବାବୁ(ମୀରା ର ସ୍ଵାମୀ)ହିଁ ମୀରା ହାତ ଉପରେ ନିଜ ହାତ ରଖି ତାକୁ ଆଶ୍ୱାସନା ଦେଇଥିଲେ । ବୋଧେ ସେତେବେଳେ ମୀରା ମନର ସବୁ ପ୍ରଶ୍ନ ଆଶଙ୍କା ତା ଆଖିରୁ ଲୁହ ଆକାରରେର ନିଗିଡ଼ି ପଡୁଥିଲେ।