ସବୁଜ ହୀରା
ସବୁଜ ହୀରା
ଜୀବନର ଅପରାହ୍ନ ଆସି ଉପଗତ ହୁଏ । ୭୮ବର୍ଷରେ ବି ଶ୍ରୀହର୍ଷ ବାବୁଙ୍କ ଚେହେରା ଏବଂ ଦେହର ଚମଡ଼ା ଚିକ୍କଣ ଆଉ ସତେଜ । ତାଙ୍କ ସୁସ୍ଥ ଶରୀରର ରହସ୍ୟ ହେଲା ପରିଶ୍ରମ କରିବା ଓ ସତେଜ ପନିପରିବା ଖାଇବା । ସେଥିପାଇଁ ସେ ଖୁବ୍ ଯତ୍ନରେ ତାଙ୍କ ବିଶାଳ ଉଦ୍ୟାନ ଔଷଧ ଗଛରେ ପରିପୂର୍ଣ୍ଣ । ନିମ୍ବର ଦାନ୍ତ କାଠି ହେତୁ ଆଜିବି ଦାନ୍ତ ସବୁ କଡ଼୍ ମଡ଼୍ କରୁଛି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କାଢ଼ା ତିଆରି କରି ପିଇବା ତାଙ୍କ ଦୈନନ୍ଦିନ ଅଭ୍ୟାସ ।
ଚାକିରୀରୁ ଅବସର ନେବା ପରେ ଶ୍ରୀହର୍ଷ ବାବୁଙ୍କ ପାଇଁ ତାଙ୍କ ଉଦ୍ୟାନର ରକ୍ଷଣାବେକ୍ଷଣ ହିଁ ତାଙ୍କ ପାଇଁ ସବୁକିଛି ସେଥିପାଇଁ ହୁଏତ ନିଃସଙ୍ଗ ଜୀବନ ତାଙ୍କୁ ବ୍ୟଥିତ କରି ପାରେନି । ଆୟୁର୍ବେଦିକ ଡ଼ାକ୍ତର ହିସାବରେ ତାଙ୍କର ଢେର୍ ଅଭିଜ୍ଞତା ଥିଲା ବୋଲି ତ ତାଙ୍କର ଉଦ୍ୟାନ ଔଷଧୀୟ ଗଛରେ ପୂର୍ଣ୍ଣ । ଅଁଳା,ଆମ୍ବ,ପଣସ,କରମଙ୍ଗା,ଜାମୁକୋଳି ସବୁକୁ ଖୁବ୍ ଯତ୍ନ କରନ୍ତି ଠିକ୍ ତାଙ୍କର ପୁଅ ଭଳି । ହଁ ହଁ ତାଙ୍କର ପୁଅ ଟିଏ ବି ଅଛି ବିଦେଶରେ ହେଲେ ଦୁର୍ଭାଗ୍ୟ ସେ ଆଉ ଆଗ ଭଳି ଗାଆଁ ପ୍ରତି ପ୍ରାୟତଃ ଆସକ୍ତ ନୁହଁ ।
ତାଙ୍କ ଗାଆଁ ରେ ଶ୍ରୀହର୍ଷ ବାବୁଙ୍କ ଖୁବ୍ ସମ୍ମାନ । ଛୋଟିଆ ଗାଆଁ ରେ ରହୁଥିବା ହେତୁ ଡାକ୍ତରଖାନା ପାଖରେ ନଥାଏ । ବହୁତ୍ ସମୟରେ ଶାରୀରିକ ଉପଚାର ପାଇଁ ବହୁତ୍ ଲୋକଙ୍କ ଜୀବନ ବଞ୍ଚି ଯାଇଛି କେବଳ ଶ୍ରୀହର୍ଷ ବାବୁଙ୍କ ଉପସ୍ଥିତ ବୁଦ୍ଧି ପାଇଁ । ବିଶଲ୍ୟକରଣୀ ଭଳି ଔଷଧର ମାହାତ୍ମ୍ୟ ତାଙ୍କ ଗାଆଁର ଲୋକେ ଠିକ୍ ସେ ବୁଝି ସାରିଲେଣି । ରାତି ଅଧରେ ବି ସେ ସେବା ଦେଇ ଲୋକଙ୍କୁ ଉପକୃତ କରନ୍ତି ବୋଲି ଅନେକ ଲୋକ ତାଙ୍କୁ ଭଗବାନ ଭଳି ମାନନ୍ତି । ଗଛ ଗୁଡ଼ିକୁ ଏତେ ଯତ୍ନ କରି ତାର ଉପଯୋଗ କରୁଥିବା ହେତୁ ତାଙ୍କୁ "ପ୍ରକୃତି ବନ୍ଧୁ" ସମ୍ମାନ ବି ମିଳିଛି । କେବଳ ଏତିକି ନୁହେଁ ସେ ବିଭିନ୍ନ ସମୟରେ ଲୋକମାନଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସାହିତ ମଧ୍ୟ କରନ୍ତି । ଏଇ ଦୁଇଦିନ ହେବ ତାଙ୍କ ପୁଅ ବୋହୂ ଆସିଛନ୍ତି। ହେଲେ ତାଙ୍କର busy schedule ପାଇଁ ସେମାନେ କାଲି ଯିବା ପାଇଁ ସ୍ଥିର ହୋଇ ଯାଇଛି।
ଶ୍ରୀହର୍ଷ ବାବୁ ତାଙ୍କ ପୁଅକୁ ସହିତ ବାଡ଼ିର ଦୃଶ୍ୟ ଉପଭୋଗ କରୁଥାନ୍ତି । ଠିକ୍ ଏତିକି ବେଳେ ତାଙ୍କ ପୁଅ ଭବେଶ୍ କୁହେ; ବାପା ତୁମେ ତ ଠିକ୍ ରେ ଜାଣିଛ ମୁଁ ଏଠିକି ବାରମ୍ବାର ଆସି ପାରିବି ନାହିଁ । ବାପା ତୁମ ଏହି ବାର୍ଦ୍ଧକ୍ୟ ଅବସ୍ଥାରେ ଏଠି ତୁମେ ଏକୁଟିଆ ରହିବା ଠିକ୍ ହେବ ନାହିଁ ତେଣୁ ଆସନ୍ତା ଡିସେମ୍ବରରେ ମୁଁ ଆସି ଜାଗା ବାଡ଼ି ସବୁ ବିକ୍ରି କରିଦେଇ ଯିବି। ମୁଁ ସେଇଠି ଜାଗା ଖଣ୍ଡେ କିଣି ଘର କରିସାରିଛି । କିଛି ବି ଅସୁବିଧା ହେବ ନାହିଁ। ଏତିକି ଶୁଣି ସାରିବା ପରେ ଶ୍ରୀହର୍ଷ ବାବୁ କୁହନ୍ତି ତୁ ଯେଉଁ ବଗିଚା ରେ ଠିଆ ହୋଇଛୁ ସେତିକି କରିବା ପାଇଁ ମୁଁ ଖୁବ୍ ପରିଶ୍ରମ କରିଛି ବାବା । ସେଥିପାଇଁ ମୁଁ ସବୁ ମନସ୍ଥ କରିଛି ମୋ ଅନ୍ତେ ଏ ଜାଗାକୁ ଏ ଗାଆଁ ବାଲାଙ୍କୁ ଦେଇଦେବୁ କାରଣ "ସୁନା ଚିହ୍ନେ ବଣିଆଁ" ଭଳି ଏ ଜାଗାର ମୂଲ୍ୟ ତୋ ଅପେକ୍ଷା ଏ ଗାଆଁ ବାଲା ଭଲରେ ଜାଣିଛନ୍ତି । କାରଣ ତୋ ପାଇଁ ଏହା ମାତ୍ର ଜାଗା ଖଣ୍ଡେ ହୋଇପାରେ ହେଲେ ଏ ଗାଆଁ ବାଲାଙ୍କ ପାଇଁ ଏହା କୌଣସି ଦିଗରୁ ଡ଼ାକ୍ତରଖାନା ଠୁ କମ୍ ନୁହେଁ । ଅଭାବ ରେ ଚଳୁଥିବା ବହୁତ୍ ଲୋକ ଏହି ବଗିଚାର ଫଳ ଖାଇ ଓଳି ଓଳି ବଞ୍ଚି ପାରନ୍ତି। ପାଖରେ ଥିବା ଜଗନ୍ନାଥ ମନ୍ଦିର ଶିବ ମନ୍ଦିର ପାଇଁ ଏହି ଜାଗାରୁ ଦୁବ, ବରକୋଳି ପତ୍ର,ଫୁଲ ଆମ୍ବପତ୍ରର ଆବଶ୍ୟକତା ଏଠାରୁ ପୂର୍ଣ୍ଣ ହୋଇଥାଏ ।
ଆଉ ଶୁଣ ପୁଅ ମୋର ଆନ୍ତରିକ ସ୍ପୃହା ନାହିଁ ଅନ୍ଯ କୁଆଡେ଼ ମୋ ବାର୍ଦ୍ଧକ୍ୟ ଅତିବାହିତ କରିବା ପାଇଁ । ତୋ ପାଖରେ ରହିବା ଅପେକ୍ଷା ଏ ସ୍ଥାନ ମୋତେ ବେଶୀ ଆତ୍ମ ଶାନ୍ତି ଦେଇ ପାରିବ ବୋଲି ମୁଁ ଭାବୁଛି । ଏଠି ଏ ଜାଗା ପାଇଁ ବହୁତ୍ ଆତ୍ମୀୟ ଲୋକ ତିଆରି ହୋଇ ସାରିଲେଣି । ଆଉ ମଧ୍ୟ ମୁଁ ବଞ୍ଚି ଥାଉ ଥାଉ ତାଙ୍କ ସେବାରୁ କେମିତି ବିମୁଖ ହେବି ଯେ ? ଏଇ ବଗିଚା,ଏଇ ଗଛ ଲତା, ମୋ ପାଇଁ,ଆମ ଗାଁ ବାଲାଙ୍କ ପାଇଁ 'ସବୁଜ ହୀରା' ପରି। ମୁଁ ଏ ଭୀଟାମାଟି କୁ ଛାଡି କୁଆଡେ ଯାଇ ପାରିବି ନାହିଁ। ଯାଅ ପୁତ୍ର ତୁମେ ତୁମ ଆଧୁନିକତା କୁ ଜାବୁଡ଼ି ଧରି ଆନନ୍ଦରେ ସଂସାର କର । ପାଠ ପଢ଼ାଇ ମୁଁ ମୋର କର୍ତ୍ତବ୍ୟ ସମ୍ପାଦନ କରି ସାରିଛି । ଯେତେ ଯାହା ହେଲେ ବି ମୁଁ ଆଉ କିଛି ଦେଇ ପାରିବି ନାହିଁ । ମୋର ବିଶ୍ବାସ, ମୋ ଅନ୍ତେ ତୁମେ ମାନେ ଏ ସ୍ଥାନକୁ ଭୁଲଯିବ ନାହିଁ । କାରଣ ଏହା ହିଁ ତୋ ବାପା ପାଇଁ ଜୀବନର ଅମୂଲ୍ୟ ସମ୍ପଦ, ଜୀବନର ସର୍ବସ୍ବ ଅଟେ ଏହି "ସବୁଜ ହୀରା" ।
