STORYMIRROR

Titi Sarangi

Tragedy

2  

Titi Sarangi

Tragedy

ରମ୍ଭା

ରମ୍ଭା

2 mins
13.7K


 ତା'ର ଏମିତି ନାଁ କିଏ ଦେଇଥିଲା କେଜାଣି ?ସ୍ବର୍ଗର ଗୋଟେ ଅପ୍ସରୀ ସାଙ୍ଗରେ ତୁଳନା କରି କି ଯିଏ ବି ତାକୁ ଏଇ ନାଁଟି ଦେଇଛନ୍ତି ତାଙ୍କ ସାହସକୁ ମାନିବାକୁ ପଡିବ !ଝିଅଟି ରମ୍ଭା ଭଳି ସୁନ୍ଦର ହଉ ବୋଲି କିଏ ବା ନଚାହେଁ ?ତା ବୋଲି ଆଖିର ପସନ୍ଦ ବୋଲି ବି କଥାଟେ ପୁଣି ଅଛି ନା !! ଆଖି ଯାହା ଦେଖିଲା ଦେଖୁ ପଛେ ଝିଅଟି ନାଁ ରମ୍ଭା ବୋଲି ତା ମାଆ ଭାରୀ ଖୁସି ହୁଅନ୍ତି  l କିନ୍ତୁ ସମସ୍ତେ ମାଆ ନୁହନ୍ତି  l ତାକୁ ଦେଖିଲେ ସାଙ୍ଗ ସାଥୀ କି ଭାଉଜମାନେ ଭାରୀ ହସନ୍ତି  l ଟେରୀ ,କାଳୀ ପୁଣି ଉଚ୍ଚ ଦାନ୍ତୁରୀଟା ସ୍ବର୍ଗ ଅପସରୀ ରମ୍ଭାଙ୍କ ସରି କେମିତି ହୁଅନ୍ତା  l ସମସ୍ତଙ୍କ ଟାହି ଟାପରା ତାର ପ୍ରାପ୍ୟ ବୋଲି ସିଏ ଭାବି ନେଇଥିଲା ବୋଧେ  l କାରଣ ସେ ଅସୁନ୍ଦରୀ ବୋଲି ମାନି ନେଇଥିଲା  l ଭଗବାନ ବି କୁଆଡେ ଭାରୀ ସମଦର୍ଶୀ  l ଜଣକ ପାଖେ ସବୁ କମ୍ ଯାକ ଦେଇ ନଥାନ୍ତି  l ସେଇଥିପାଇଁ କି କଣ ଅସୁନ୍ଦରୀ ହେଲେ ବି ରମ୍ଭା ଭଳି ଗୁଣର ଝିଅ ବହୁତ କମ୍ ମିଳିବେ  l

ଯୋଉ ବାହା ବଜାରରେ ରୂପର ଚାହିଦା ଅଧିକ ବୋଲି ଝିଅଦେଖା ନାମକ ପ୍ରଥାଟେ ଚଳି ଆସୁଛି ସେଠି ରମ୍ଭାକୁ କେମିତି ବରଟେ ଆଉ ମିଳନ୍ତା  l ଯେତେ ନାରୀ ସଚେତନତାର ନାରା ବାଜିଲେ ବି ପରଘରର ବୋହୂକୁ ଜନ୍ମକଲା ବାପା ମାଆ ବି ପାଠପଢାରେ ଖର୍ଚ୍ଚ କରି ପୁଣି ବାହାବେଳେ ଭଲ କି ଯୌତୁକ ଦେଇ ବାହା କରିବା ଜନିତ ବୋଝ ମୁଣ୍ତେଇବାକୁ କେବେ ବି ଚାହାନ୍ତିନି  l ତାଙ୍କରି ଝିଅଟି ଜନ୍ମ ହେଇଛି ନିଶ୍ଚିତ ରୂପେ ପରଘର ପାଇଁ  l ତେଣୁ ଝିଅଟିର ପାଠପଢା ଏବେ ବି କାମଚଳାରେ ଚଳେଇ ନଉଛନ୍ତି ଅନେକ ଶିକ୍ଷିତ ପରିବାର  l ସେଠି ପୁଣି ଚାଷୀ ଘରର ଝିଅ ରମ୍ଭା କେତେ ଅବା ପଢନ୍ତା ! ନାଁଟା ଦସ୍ତଖତ କରିପାରେ ଯାହା  l ଆଉ କଣ ପଢିଥିଲା ତାର ମନେ ନାଇଁ  l ତଥାପି ଜମି ଦିମାଣ ବିକି ତା ବାପା ତାକୁ ବାହା କରିଥିଲା  l ସବୁ ଜାଣିଶୁଣି ବାହାଘର ହେଲା  l କିନ୍ତୁ ସତକୁ ସାମ୍ନା କରିବା ଭଳି ଛାତି କେତେ ଜଣଙ୍କର ଥାଏ ?

ବାହା ବାସିଠୁ ବରର ସ୍ନେହ କ'ଣ ସେ ଜାଣିଲାନି  l ତାକୁ ବାହାହେଇ ସତେ ବା ତା ପ୍ରତି ସେ ଦୟା କରିଛନ୍ତି  l ନହେଲେ ତା ଭଳି ଅସୁନ୍ଦରୀକି କିଏ ବାହା ହେଇଥାନ୍ତା ?ସ୍ତ୍ରୀ ହେଇ ବି ତା ଜୀବନ ଥିଲା ଚାକରାଣୀର  l ଯୋଉଠି ବର ସୁଖ ପାଏନି ସେଠି ଶାଶୁଘରର ଅନ୍ୟମାନେ କୋଉ ଭଲ ପାଇବେ  l ସେଇ ଭଳି ଜୀବନ ଭିତରେ ବି ସେ ମାଆ ହେଲା  l ହେଲେ ଗୋଟେ ଝିଅର ମାଆ !! ଶାଶୁଘରେ ତା ଭଲଗୁଣ ସବୁ ଚୂଲୀରେ ପଶିଲା  l ଏକରକମ ତଡା ଖାଇଲା ସେଠୁ  l ହେଲେ ବାପ ଘରେ ରହିବାଟା ଭାଇ ଭାଉଜମାନେ ପସନ୍ଦ କଲେନି  l ହେଲେ ବି ଝିଅକୁ ମଣିଷ କରିବାର ସ୍ବପ୍ନ ସିଏ ଦେଖେ  l  କୁଲୀକାମ କରେ  l ଜନ୍ମରୁ ମାଆର ଦୁଃଖ ଦେଖି ବଢିଥିବା ତା ଝିଅଟି ଭଲ ପଢେ  l ସ୍ବର୍ଗ ଅପ୍ସରୀର ନାଁଟି କେବଳ ସିଏ ପାଇଛି  l ହେଲେ

ଜୀବନଟା ତାର ଭାରୀ ହୀନିମାନିଆ  l ସେଇ ହୀନିମାନ ଜୀବନକୁ ତାର ଭାଗ୍ୟ ବୋଲି ସେ ଗ୍ରହଣ କରି ନେଇଛି  l ସେ ଭିତରେ ବି ତା ଝିଅଟିକି ଭଲ ମଣିଷଟିଏ କରିବାର ଆଶାଟି ଦୀପଟିଏ ଭଳି ଜୀବନର ଅନ୍ଧାରୀ ରାସ୍ତାରେ ଆଗକୁ ଯିବାକୁ ତାକୁ ବାଟ ଦେଖଉଛି  l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy