STORYMIRROR

Monalisha Bhanja

Horror Thriller

3  

Monalisha Bhanja

Horror Thriller

ରାତିଏ ପ୍ରେମ

ରାତିଏ ପ୍ରେମ

6 mins
151

ମନେ ମନେ ଗୁଣୁ ଗୁଣୁ ଗୀତ ଗାଇ ଚାଲିଥିଲା ପ୍ରଭୂ । ପୂରା ମାସକର ଛୁଟି ମିଳିଯିବ ବୋଲି ଆଦୌ ଆଶା କରି ନଥିଲା । ଅବଶ୍ୟ ପୂରା ଦୁଇବର୍ଷ ପରେ ଏଇ ଛୁଟି ଦରକାର ପଡିଲା । ମାଲିକ ଦବନି କହୁଥିଲା । ଭାରି ନେହୁରା ହେବାରୁ ରାଜି ହେଲା । ହେଲେ ଆଉ ଯିବନି ବୋଲି ସ୍ଥିର କରିନେଇ ସବୁ ସାମାନ୍ ନେଇ ଭାଗି ଆସିଛି । ଛାଡ! ସେସବୁ ଭିତିରି କଥା । ଏବେ ଗାଁ ରେ ସେକଥା ଜମା କହିବ ନାହିଁ ବୋଲି ମନେ ମନେ ସ୍ଥିର କରିଛି । ଛାତିଏ ଉଲ୍ଲାସ ସହ ଆଗେଇ ଚାଲିଥିଲା । ପଦ୍ମପୁର ଗାଁ ବସ୍ ଟା ଚାଲି ଯାଇଥିଲେ ବି ସେ ଚିନ୍ତା ଗ୍ରସ୍ତ ହୋଇ ପାରୁ ନଥିଲା । ପର ବସ୍ ପୁଣି ଅଛି । ଅବଶ୍ୟ ଭୋର ସାଢେ ତିନିଟା ରେ । ତଥାପି ଚିନ୍ତା ନାହିଁ। ରେଷ୍ଟ୍ ସେଡ ରେ ରାତିଟା କିଛି ଅସୁବିଧା ହେବ ନାହିଁ ।  ମାର୍କେଟ ମାତ୍ର କୋଡିଏ ତିରିଶି ହାତ ଦୂରରେ । କଣ ଟିକେ କିଣି ଆଣି ଖାଇ ଦେଲେ ଗଲା । କେଇଟା ଘଣ୍ଟା ର କଥା । ଲଗେଜ୍ ରେ ସବୁ ଅଛି । ବେଡସିଟ, କମ୍ବଳ, ମଶାରୀ । ଦୁଇଦିନ ପଡି ପଡି ଗାଡି ଅଦଳ କରି ଆସିବା କମ୍ କଷ୍ଟ କି! ଯାହାହେଉ କିଣା ହୋଇଥିବା କମ୍ବଳ ଓ ମଶାରୀ ଭାରି କାମରେ ଲାଗିବ। ବ୍ୟାଗ୍ ସବୁ ଥୋଇ ପାଖ ବଜାରକୁ ଯାଉଥିଲା । ପୁଣି କଣ ମନ ହେଲା କେଜାଣି କେବଳ ଲୁଗା ଓ ବେଡିଙ୍ଗ ଥିବା ଲଗେଜ୍ ଟା ଥୋଇ ବାକି ତା ଦରକାରୀ ଜିନିଷ, ପଇସା ପତ୍ର ଓ ଘର ଲୋକ ଙ୍କ ପାଇଁ ଉପହାର ଥିବା ଛୋଟ ବଡ ବ୍ୟାଗ୍ କଷ୍ଟେ ମଷ୍ଟେ ବୋହି ଚାଲିଲା ମାର୍କେଟ ଆଡକୁ ।  ଠେଲା ଦୋକାନ ସବୁ ବନ୍ଦ ହୋଇ ଯାଇଥିଲା । ପାଖ ଢାବା ରୁ ରାତ୍ରି ଭୋଜନ ପାଇଁ ସଦ୍ୟ ପ୍ରସ୍ତୁତ ବାସ୍ନା ରେ ଟାଣି ହୋଇଗଲା । ସେଇ ଭୋର୍ ବସ୍ ର ସହଯାତ୍ରୀ ଦୁଇଜଣ ବି ମିଳିଗଲେ ସେଠି । ଅବଶ୍ୟ ସେମାନେ ସେଇ ପଦ୍ମପୁର ଦେଇ ତା ପଡୋଶୀ  ଗାଁ ଅସ୍ତବେଡା ଯିବେ । ଖାଇ ସାରି ପଇସା ଦେଇ ସାରି ସେ ଦୁହିଁଙ୍କୁ ଦେଖିବାକୁ ପାଇଲାନି । ଢାବା ର ପିଲାଟା କହୁଥିଲେ,

-ସେମାନେ କୋଉ ଲଜ୍ ରେ ସନ୍ଧାନରେ ଯାଇଥିବେ । ଭୋର୍ ପର୍ଯ୍ୟନ୍ତ ପୁଣି ସମୟ କାଟିବେ କେମିତି ? 

-କିରେ, ସେଇ ରେଷ୍ଟ୍ ସେଡ ଅଛି ପରା । ଏଇ କେତେ ଘଣ୍ଟା ପାଇଁ ପୁଣି ଲଜ୍ ଭଡା ନେବା ଦରକାର କଣ ?

-ନା,ନା ସେଇଠି ରାତି ରହିବା ଠିକ୍ ହବନି। ପୁଣି ଆଉ କିଛି କହିବା ପୂର୍ବରୁ ମାଲିକ ର କାମ ତାଗିଦା ରେ ଚାଲିଗଲା।

ମନେ ମନେ ହସୁଥିଲା ପ୍ରଭୂ । ଏପଟେ ଲୋକ ବି ଭାରି ସଉକିଆ ହୋଇ ଗଲେଣି ଏ ଭିତରେ । ରାତି ବିଶ୍ରାମ ପାଇଁ ଲଜ୍ ବୁକ୍ ଦରକାର ନା ଆଉ କିଛି ଏସବୁ ତ ଏବେକାର ସାଧାରଣ କଥା । ଅଧିକ କିଛି ଚିନ୍ତା ନ କରି ସେଇ ରେଷ୍ଟ୍ ସେଡ୍ ଦିଗରେ ଆଗେଇ ଚାଲିଲା ସେ । ପୂର୍ଣ୍ଣିମା ନହେଲେ ବି ହାଲକା ଜହ୍ନ ଆଲୁଅ ରେ ଚାରିଆଡ ନିରନ୍ଦ୍ର ଅନ୍ଧକାର ଅପସରି ଯାଇଥିଲା । ଭୋଜନ ଟା ଗୁରୁ ହୋଇ ଯାଇଥିଲା । ଯଦି ନିଦ ଟା ଜୋର୍ ଧରେ ଆଉ ଭୋର ବେଳକୁ ନ ଭାଙ୍ଗେ ତାହେଲେ କଥା ସରିଲା ।  ରେଷ୍ଟ୍ ସେଡରେ ଆଉ ଜଣେ କେହି ଥିଲେ କିଛି ଅସୁବିଧା ହୋଇ ନଥାନ୍ତା ରାତି ବିତାଇବା ପାଇଁ ଅର୍ଥାତ୍ ଚେଇଁ ରହିବା ପାଇଁ । ସେଇ ଲୋକ ଦୁଇଜଣ ଉପରେ ମନେ ମନେ କ୍ଷୁବ୍ଧ ହେଉଥିଲା ସେ । ଲଗେଜ୍ ଗୁଡିକ ଥୋଇ ଆସିଛି ମନକୁ ଆସିବା ମାତ୍ରେ ପାଦ ଖର କଲା।ରାସ୍ତାର ଧାରେ ଧାରେ ଷ୍ଟ୍ରୀଟ ଲାଇଟ୍ ଥାଇ ବି ଏଇ ରେଷ୍ଟ୍ ସେଡ୍ ପାଖ ଖୁଣ୍ଟ ର ବଲବ ଜଳୁ ନଥିଲା ।  କେମିତି ବାସ୍ନାୟିତ ଲାଗୁଥିଲା ପରିବେଶ। ଆରେ, ସେ ବାମ ପାଖ କୋଣକୁ କେହି ଜଣେ ବସିଛନ୍ତି! ମନରୁ ଦୁର୍ଭାବନା ଦୂର ହୋଇ ଯାଇଥିଲା । କଥାବାର୍ତ୍ତା ରେ ସମୟ ଚାଲିଯିବ । କିନ୍ତୁ ସେ କଣ କଥା ହେବାକୁ ଆଗ୍ରହୀ ହେବେ ବୋଲି କିଛି ଗ୍ୟାରେଣ୍ଟି ଅଛି ? ପ୍ରକୃତରେ ପ୍ରଭୁ ଭାରି ଗପୁଡା । ସ୍କୁଲ୍ ବେଳରୁ ଆରମ୍ଭ କରି କଲେଜ୍ ଯାଏ ସବୁ ସମୟରେ ଏଇ ବିଶେଷ ଗୁଣ ତାର ପରିଚୟ ର ଅନ୍ୟତମ ଆଧାର । ସେଥିପାଇଁ କଲେଜ କ୍ୟାମ୍ପନିଂ ବେଳେ ପ୍ରତ୍ୟେକ ଦଳ ତାକୁ ନେବା ପାଇଁ ଭିଡା ଓଟରା ହୁଅନ୍ତି । କିନ୍ତୁ ଆଜି ତାର ସେଇ ବିଶେଷ ପ୍ରକୃତି ଉପରେ ସେ ଜୟ ଲାଭ କରିଥିଲା କିଛି ମାତ୍ରାରେ।  ଆଦୌ ପ୍ରଗଳଭତା ଦେଖାଇବାକୁ ଚେଷ୍ଟା ନ କରିବାର ମାନସିକତା ନେଇ ଲଗେଜ୍ ରୁ ବେଡସିଟ ଖଣ୍ଡକ ବାହାର କରି ଥୋଇଲା ମୁଣ୍ଡ ତଳେ ଦେବାକୁ। ଏମିତି ପକ୍କା ବେଞ୍ଚ ଉପରେ ରାତିଟା ଜଣାପଡିବନି, ଆରାମ ରେ ବିତିଯିବ। ଦୁଇ ମାସ ତଳେ କିଣିଥିବା ନୂଆ ଆଣ୍ଡ୍ରଏଡ୍ ମୋବାଇଲ ଟା ବାହାର କରି ତା ଫେସବୁକ ଆଇ ଡି, ହ୍ବାଟସପ୍ ଭିତରେ ହଜିଯିବାକୁ ବସିଥିବା ବେଳେ ହଠାତ୍ ତା ସ୍ୱରରେ ଧ୍ୟାନ ଭଗ୍ନ ହେଲା । କି ଲାଳିତ୍ୟ, ମିଠା ପଣ ଥିଲା ତହିଁରେ ! ଅଦ୍ଭୁତ ସମ୍ମୋହନ, ଅକୁହା ଆମନ୍ତ୍ରଣ ! ପ୍ରଭୁ ତ ଆଉ ଦେବତା ନୁହଁ ନା ! ରକ୍ତ ମାଂସ ଧାରୀ ମଣିଷ, ତହିଁ ଉପରେ ଯୌବନ ର ଉଦ୍ଦାମତା ଭରା ଏକ ପୁରୁଷ। ଅପ୍ରକାଶ୍ୟ ଆକର୍ଷଣ ଓ କୌତୁହଳ ତାକୁ ପ୍ରେରଣା ଦେଉଥିଲା ସଂଗୋପନେ ।  

-ଆପଣଙ୍କୁ ପଚାରୁଛି ପରା ! ପଦ୍ମପୁର ଯିବେ ନା ତା ପର ଷ୍ଟପେଜ୍ । ବହୁ ପରିଚିତ ପରି କଣ୍ଠ ର ସ୍ଵାଭାବିକତା ।

-ପଦ୍ମପୁର ରେ ମୋ ଘର । ତା ପର ଷ୍ଟପେଜ୍ ଯିବି କାହିଁକି ? ପ୍ରଭୁ ଟିକେ ଚପଳାମୀ ଆରମ୍ଭ କରିଦେଇଥିଲା ।

ଝିଅ ଟାଏ ଏତେ ରାତିରେ ଘରକୁ ଫେରିବ, ତା ଘର ଲୋକେ ନିଶ୍ଚିନ୍ତ ରେ ଛାଡିଦେଇଛନ୍ତି ? ଅପରପକ୍ଷରେ ଏ ଝିଅର ବି କୌଣସି ଶଙ୍କା ନାହିଁ? ଚାହିଁ ଥିଲେ କୋଉ ମେସ୍ କି ହଷ୍ଟେଲରେ ଅଥବା ଲଜ୍ ରେ ରହି ସକାଳକୁ ଅପେକ୍ଷା କରି ପାରିଥାନ୍ତା! ହୁଏତ ବିଚାରୀ ର ସେମିତି କିଛି ଅସୁବିଧା ଥିବ । 

କିଛି ବାସନର ଟୁଂ ଟାଂ ଶବ୍ଦ ଶୁଭାଗଲା। ପ୍ରଭୁ କିଛି କହିବା ପୂର୍ବରୁ ସେ ଉତ୍ତର ଦେଲା, 

-ଘରୁ ବନେଇ ଆଣିଥିଲି । ଦିନ ସାରା ସମୟ ହେଲାନି । ଏବେ ଖାଇ ନେଉଛି।

ମୋବାଇଲ ଫ୍ଲାସ୍ ଲାଇଟ୍ ଅନ୍ କରିବାକୁ ଯାଉଥିବା ବେଳେ ବାରଣ କଲା ସେ ।

-ନା,ନା ଲାଇଟ୍ ଆବଶ୍ୟକ ନାହିଁ । ମୋ ପାଇଁ ଏଇ ଅନ୍ଧାର ହିଁ ଭଲ । ସମ୍ମୋହନ କଣ୍ଠ ସ୍ୱର ସହ ଶେଷ ବାକ୍ୟ ଅର୍ଥ ପୂର୍ଣ୍ଣ ଲାଗୁଥିଲା ।

-ଆଉ ଦିନ ବେଳେ ? କିଛି ଖାଇନ ? ନିଜକୁ ସଂଯତ ରଖିବାକୁ ଚେଷ୍ଟା କରି ବି ପଚାରି ବସିଲା ।

-ନା, ମନ ଭଲ ନାହିଁ । ଏମିତିରେ କଣ ଖାଦ୍ୟ ରୁଚେ ?

-କାରଣ?

-ଚାକିରୀ ପାଇଁ ବାହାରି ଆସିଥିଲି । ହେଲେ ଠକାମି ରେ ପଡିଲି । ମଣିଷ ଯାହା ଭାବେ, ତାହା ସବୁବେଳେ ହୁଏନି ।

ପ୍ରଭୁ ଆଉ ବେଶି କିଛି ପ୍ରଶ୍ନ କରି ତା ଜୀବନ ସହ ଜଡିତ ହେବାକୁ ଚେଷ୍ଟା କଲାନି । ପୁଣିଥରେ ମୋବାଇଲ ଭିତରେ ହଜି ଯିବାକୁ ଚେଷ୍ଟା କରିବା ବେଳକୁ ସେ କହିଲା,

-ମୁଁ ମନା କରୁଥିଲି । ମାଆ ବାଧ୍ୟ କରି ରୁଟି ତରକାରୀ ପ୍ୟାକ କରି ଦେଇଛି । 

ରାତି ସାରା ଚେଇଁ ରହିବା ଖିଆଲ ଟା କାର୍ଯ୍ୟକାରୀ ହୋଇଗଲା । ସେ ତା କାହାଣୀ ର ପେଡି ଖୋଲି ସବୁଯାକ ତନ୍ଦ୍ରା ହରି ନେଇଥିଲା । କେମିତି ତା ବାପା ଯୁବା ବୟସର ସ୍ତ୍ରୀ କୁ ଛାଡି ଚିର ବିଦାୟ ନେଇଥିଲେ, ପର ଲାଗିବା ପୂର୍ବରୁ ଉଡିବା ଶିଖି ନେବା କୁ ପରିସ୍ଥିତି ର ଆହ୍ଵାନ । କାହିଁକି ନା ତଳେ ପୁଣି ଦୁଇ ଦୁଇଟି ଭାଇ ଓ ଭଉଣୀ । ପରିବାର ଲୋକ ଙ୍କ ସ୍ଵାର୍ଥ ରେ ସୁନା ଚାମଚ ଧରିଥିବା କଅଁଳ ହାତ କର୍ତ୍ତବ୍ୟ ର ଗୁରୁଭାର ବହନ କରିବାକୁ ବାଧ୍ୟ ହୋଇଥିଲା । ଏମିତି କାହାଣୀ ତ ଅନେକ, କିନ୍ତୁ ତା ମୁହଁରୁ ଶୁଣିବା ରେ ଭିନ୍ନ ଆକର୍ଷଣ ଥିଲା । ପରଘରେ କାମ କରୁଥିବା ମା ର ଦୁଃଖ ହରଣ କରିବା, ଭାଇ ଭଉଣୀ ଙ୍କ ମୁହଁ ରେ ଦାନା ଦେଇ ସମାଜ ରେ ମଣିଷ ଟିଏ ର ପରିଚୟ ପ୍ରଦାନ ପ୍ରଚେଷ୍ଟା ରେ ସଦ୍ୟ ଯୌବନା ଝିଅଟି ଘରୁ ଗୋଡ କାଢିବା, ପରିସ୍ଥିତି ର ଆବଶ୍ୟକତା ଅନୁସାରେ ବଜେଟ କୁ ଚାହିଁ ଏକ ନିଛାଟିଆ ରେଷ୍ଟ୍ ସେଡ୍ ରେ ରାତ୍ରିର ବିଳମ୍ବିତ ପ୍ରହରର ବସ୍ କୁ ଅପେକ୍ଷା କରିବା ଏକ ଦମଦାର୍ କାହାଣୀ ନୁହଁ କି ନିଦ ହଜାଇବା ପାଇଁ ?  ପ୍ରଭୁ ର ଅନ୍ତର ଆର୍ଦ୍ର ହୋଇ ସାରିଥିଲା ଅନେକ ବେଳୁ । ଆହା ! ବିଚାରୀ କେତେ କ୍ଳାନ୍ତି ଅନୁଭବ କରୁଥିବ! କମ୍ବଳ ଟିକୁ ଖୋଲି ବଢାଇ ଦେଲା ତା ହାତକୁ। 

-ଏଇଟା ନିଅ । ଟିକେ ବିଶ୍ରାମ ନେଇ ନେଲେ ଭଲ ଲାଗିବ । 

ନିଃଶବ୍ଦ ରେ ଯୋଡାଏ ହାତ କେବଳ ବାରି ହେବା ବାଦ୍ ଅନ୍ୟ କିଛି ନଜରକୁ ଆସିବା ସମ୍ଭବପର ନଥିଲା । କିନ୍ତୁ ଅନ୍ଧାର ସହ ଅଭ୍ୟସ୍ତ ଆଖି ତାକୁ ଶୋଇବାର ଦେଖି ପାରିଲାନି । ସେଇ ପୂର୍ବପରି ବସି ରହିବାର ଅସ୍ପଷ୍ଟ ଭଙ୍ଗୀ ।

-ମୋ ଉପରେ ବିଶ୍ଵାସ ରଖିପାର। ଭୋର୍ ତିନିଟା ବେଳକୁ ଡାକିଦେବି । ବସ୍ ଷ୍ଟପେଜ୍ ରୁ ବାହାରି ଏଇଠି ପାସ୍ କରିବା ବେଳକୁ ସାଢେ ତିନି ହୋଇଯିବ ।  

ସେ ନିଃଶବ୍ଦ ରେ ହସୁଥିବା ପରି ମନେହେଲା ପ୍ରଭୁ କୁ । ଅଧିକ କିଛି କହିବା ଉଚିତ ମନେ ନକରି ଇୟର ଫୋନ୍  ଲଗାଇ ପୁରୁଣା ହିନ୍ଦୀ ଗୀତ ରେ ବୁଡିଗଲା ସେ ।

ହଠାତ୍ ଯେମିତି କେହି ହଲାଇ ଦେଲା ଜୋର୍ ରେ । ଉଠି ବସିଲା ପ୍ରଭୁ । କାନରେ ସେମିତି ଇୟର ଫୋନ୍ ଲାଗିଛି। ମୋବାଇଲ ସ୍କ୍ରିନରେ ତିନିଟା ବାଜି କୋଡିଏ ମିନିଟ୍ । ଚଞ୍ଚଳ ହୋଇ ଉଠିଲା ସେ । ସେ ବି ତା ଭଳି ଶୋଇ ପଡିଛି ନା କଣ ? ମୋବାଇଲ ଫ୍ଲାସ ଅନ୍ କଲା । ଆଶ୍ଚର୍ଯ୍ୟ ! ଗଲା କୁଆଡେ! କମ୍ବଳ ଟି ସେମିତି ଭଙ୍ଗା ହୋଇଥିବା ଅବସ୍ଥା ରେ ପଡିଥିଲା ।

ବସ୍ ର ହର୍ଣ୍ଣ ଶୁଭୁଥିଲା । ଆଉ ବେଶି କିଛି ଭାବିବା ଅବସର ନାହିଁ ଏବେ । ସବୁ କିଛି ପ୍ୟାକ୍ କରି ରାସ୍ତା ଉପରକୁ ଆଗେଇ ଗଲା । ଦୁଇ ବର୍ଷ ପରେ ଘରକୁ ଆସିଛି ବୋଲି ବାପା ଗିରିଧାରୀ ପୋଖରୀ ର ବଡ ମାଛ ଆଣିଥାନ୍ତି । ପ୍ରଭୁ ର ମାଆ ତାକୁ କଡ୍ କଡ୍ କରି ଭାଜିବା ସହ ବଡି ଚୁରା, ଶାଗ ଭଜା, ପୋସ୍ତ ପତ୍ର ପୋଡା ବନେଇ ପଖାଳ କଂସା ସଜେଇ ଦେଇଥାନ୍ତି । ପୋଡା ବାଇଗଣ ଚଟଣି କରୁ କରୁ କହିଲେ,

-ଆରେ ଶୁଣିଛୁ, ପଦ୍ମା ଖୁଡୀ ଝିଅ ସୁନି ଏଇ ସୁନୟନା ବା ଦୁଇ ମାସ ତଳେ 

-କଣ ହେଲା---? 

-ନାଇଁ ବା । ଆଗ ତୁ ଖାଇଲୁ---ଖା---।

-କହୁନୁ--- । 

-ତାଙ୍କ ଘର ପରିସ୍ଥିତି ତ ଜାଣିଛୁ । ଚାକିରୀ ଟେ ପାଇଁ ଭାରି ଦୌଡା ଦୌଡି କରୁଥିଲା । ସେଦିନ ତା ଇଣ୍ଟରଭ୍ୟୁ ଥିଲା। ଘରୁ ଖାଇବା ନେଇ ବାହାରି ଯାଇଥିଲା । ଫେରିବା ବେଳକୁ ରାତି । ଶେଷ ବସ୍ ଟା ବି ଚାଲି ଆସିଥିଲା । ପାଖରେ ପଇସା ବି ବେଶି ନଥିଲା । ତୁ ଯୋଉ ବସ୍ ରେ ଆସିଲୁ, ସେଇଟାକୁ ଅପେକ୍ଷା କରିଥିଲା। ହେଲେ ସେଇ ଲୋକଗୁଡାକ ବିଚାରୀ ସେଇ ରେଷ୍ଟ୍ ସେଡ୍ ଫ୍ୟାନ ରେ ଫାଶୀ ଲଗେଇ ଦେଲା । ତା ଜଳଖିଆ ନେଇଥିବା ଟିଫିନ୍ ବାକ୍ସ ରୁ ରୁଟି ସନ୍ତୁଳା ସହ ସବୁ କାଗଜପତ୍ର ଛନଛତ୍ର ହୋଇ ପଡିଥିଲା । ପାଟି କୁ ନେଉଥିବା ପଖାଳ ଗୁଣ୍ଡା ଟା ଧରି ମା ମୁହଁ କୁ ଚାହିଁଥିଲା କେବଳ ।  

-ତେବେ କଣ  ସୁନି ଅଧିକ ଭାବି ପାରୁ ନଥିଲା । କାହିଁକି କେଜାଣି ଗତ ରାତିର ଘଟଣା ପ୍ରକାଶ କରିବାକୁ ଇଚ୍ଛା ନ କରି ନିଜ ଭିତରେ କୋଲପ ଦେଇଦେଲା ଚିର ଦିନ ପାଇଁ ।


Rate this content
Log in

More oriya story from Monalisha Bhanja

Similar oriya story from Horror