STORYMIRROR

Sunanda Mohanty

Tragedy Fantasy Others

3  

Sunanda Mohanty

Tragedy Fantasy Others

ପୁଣ୍ୟ ସଳିତା

ପୁଣ୍ୟ ସଳିତା

3 mins
167

ଭାଙ୍ଗି ପଡିଥିଲା ଅନାମ. ତାକୁ ବୁଝିବାକୁ କେହି ନଥିଲେ. ସେ ପାପ କରୁ କି ପୁଣ୍ୟ, ରୋଜଗାର କରିବା ତାର ନିଶ୍ଚିନ୍ତି. ନିଜେ ବଞ୍ଚି ପାଞ୍ଚ ପ୍ରାଣୀଙ୍କୁ ବଞ୍ଚାଇବାକୁ ହେବ ତାକୁ ତ ସେ ସଂଘର୍ଷ କରୁ କରୁ ଚୋର ପାଲଟି ଗଲା. ଚୋର ଘର ସବୁଦିନ ଅନ୍ଧାର ନଥିଲା କି ଅନାମକୁ ମରା ମରା କହୁ କହୁ ରାମ ରାମ କହି ବାଲ୍ମୀକି ହେବାର ନଥିଲା. ସେ ଚୋରୀ କରୁଥିଲା ସତ ହେଲେ ଭୁଲ ମାଗୁଥିଲା ପ୍ରଭୁଙ୍କୁ. ସେ ଚୋରୀ କରୁଥିଲା ସତ ହେଲେ କୌଣସି ନାରୀ ବେକ କାନରୁ ଭିଡି ନେଇ କ୍ଷତାକ୍ତ କରୁନଥିଲା ତାକୁ. ଅନେକ ଥର ଭାବିଥିଲା ପୁଣି ଫେରିଯାଇ ରାଜମିସ୍ତ୍ରୀ ସହ ଶ୍ରମିକ ହେବ କିନ୍ତୁ ଦିନଜାକାର ଖଟଣୀ ଓ ପରିଶ୍ରମର ପ୍ରାପ୍ୟ କେଇଟାରୁ ଠିକାଦାର ବସି ବସି ଭାଗ ନେବ, ସହି ପାରିନଥିଲା ସେ. ସିଧା ମନା କରିଦେଇଥିଲା ଦେବାକୁ ତ ତା ଆରଦିନଠୁ କାମ ମିଳିଲାନି ତାକୁ ବରଂ ଗାଳି ଅପମାନ ଓ ଚୋର ଆଖ୍ୟା ମିଳିଲା. ଚୋରୀ ନକରି ହକ ଓ ନ୍ୟାର୍ଯ୍ୟ ଦାବୀ ପାଇଁ ଯଦି ସେ ଚୋର ହେଲା ତେବେ ପେଟ ପୋଷ ନାହିଁ ଦୋଷ ନ୍ୟାୟରେ ସେ ସତରେ ଯେବେ ଚୋର ହୋଇଗଲା କେବେ ଆଖିମୁଜି ଦୌଡୁଥିଲା ପୋଲିସ ହାବୁଡରୁ ରକ୍ଷା ପାଇବାକୁ ତ କେବେ ଛେଚା ଖାଉଥିଲା ନିର୍ଧୁମ. ଶରୀର ସାରା ବଥାକୁ ନା ନିଜ ପେଟ ଅବା ପିଠି ବୁଝୁଥିଲେ ନା ନିଜ ପରିବାରରେ ବାପା,ମାଆ,ସ୍ତ୍ରୀ,ଅବା ପୁତ୍ର!

  ବାର୍ଦ୍ଧକ୍ୟରେ ପଡି ବାପା ମାଆ ଚାଲିଗଲେ. ଦାନା କାନା ଅଭାବରୁ ସ୍ତ୍ରୀ ମଧ୍ୟ ଛାଡ଼ି ଚାଲିଗଲା. ପୁଅକୁ କେମିତି ମଣିଷ କରିବ ପାଠ ପଢେଇବ ଭାବୁ ଭାବୁ ସେଦିନ ବ୍ୟାଙ୍କରୁ ବାହାରି ଆସୁଥିବା ଗୋଟେ ବୁଢା ବାବୁଙ୍କ ବ୍ୟାଗ ଛଡେଇ ଦୌଡ଼ିଲା. ଘରେ ଦେଖିଲା ପଚିଶ ହଜାର ଟଙ୍କା ସହ ଝିଅ ବାହାଘର ନିମନ୍ତ୍ରଣ ପତ୍ର ଗୁଡିଏ. ବୁଝିବାକୁ ବାକି ନଥିଲା ବୁଢାବାବୁର ଝିଅ ବାହାଘର ଟଙ୍କା ସେ କେମିତି ତାକୁ ହଜମ କରିବ. ଦୌଡ଼ିଲା ସନ୍ଧାନରେ. ବୁଲିଲା ଗଳି କନ୍ଦି. ଯେତେ ଯୋଉଠି ଝିଅ ବାହାଘର ମଣ୍ଡପ ଖୋଜି ବୁଲୁଥିଲା ବୁଢା ବାବୁଙ୍କ ଟଙ୍କା ଫେରାଇ ଦେବାକୁ. ଶେଷରେ ଜାଣିପାରିଲା ହେଲେ ବୁଢାବାବୁଙ୍କ ପ୍ରତି ସହାନୁଭୂତି ତା ପାଇଁ କାଳ ହେଲା. ଜେଲରେ ସଢୁ ଥିଲା ବେଳେ ପୁଅ କେମିତି ଥିବ ଭାବି ତା ପିତୃ ହୃଦୟ ହା ହା କାର କରୁଥିଲା ବେଳେ ବୁଢାବାବୁ ଜେଲରେ ଦେଖା ହୋଇ ତୋ ପୁଅ ମୋ ପାଖେ ଅଛି ତୁ ଜେଲରୁ ଫେରିଲେ ପୁଅକୁ ନେଇଯିବୁ କହିଥିଲେ. ଅନାମ ଦୀର୍ଘାନିଶ୍ୱାସ ଛାଡ଼ି ଭାବୁଥିଲା ତା ପାପ ଭାର ଭିତରେ କେତେ ପୁଣ୍ୟ ।


  ସେଦିନ ରାତିରେ ସେ ସ୍ବପ୍ନ ଦେଖିଲା. ନୀଳକାନ୍ତି, ନୀଳନୟନ, ନୀଳମଣି ତାକୁ କହୁଥିଲେ ଥରେ ମରା କହିବା ଆରମ୍ଭ କର ଅନାମ ଦେଖିବୁ ରାମ ହେଇଯିବୁ. ତୋ ଦୁଇ ବାହୁରେ ତାକତ ଅଛି, ହୃଦୟରେ ପୁଣ୍ୟ ଅଛି, ଛାତିରେ କଷ୍ଟ ସହିବାର ଅନୁଭବ ଅଛି. ତୁ ପାରିବୁ ଅନାମ, ନିଶ୍ଚୟ ପାରିବୁ କହି ସେହି ନୀଳପୁରୁଷ ଉଭାନ ହୋଇଗଲା ପରେ. ଅନାମ ସ୍ଥିର କଲା ଏଣିକି ସେ ପୁଣି ସେହି ଠିକାଦାର ପାଖକୁ ଫେରିଯିବ. ଭୁଲ ମାଗିବ, ଦରକାର ପଡିଲେ ତା ଗୋଡ଼ ଧରି କାମ ମାଗିବ. କାମରୁ ମିଳୁଥିବା ପଇସାରୁ ତାକୁ ଭାଗ ଦେଇ ଯାହା ବଳିବ ତା ପୁଅ ସହ ରୁଟି କିଣି ଖାଇବ. କିଛି ସଞ୍ଚୟ କରି ପୁଅକୁ ପାଠ ପଢେଇବ. କାଳ ରାତି ପାହିଗଲା. ଅନାମ ଖଲାସ ହେଲା କିନ୍ତୁ ନା ପୁଅ ଥିଲା ନା ସେ ବୁଢାବାବୁ ପରିବାର. ସେମାନେ ସବୁ ଯେମିତି ପବନରେ ମିଳେଇ ଯାଇଥିଲେ. କାହାକୁ ପଚାରିବ ସେମାନେ କୁଆଡେ ଗଲେ କାହିଁକି ଗଲେ ଆଉ ଯିବା ପୂର୍ବରୁ ତାକୁ ତା ପୁଅକୁ ଦେଇ ଯିବାକୁ ଭାବିଲେନି କେମିତି? କାନ୍ଦୁଥିଲା ଅନାମ ବୁକୁ ଫଟେଇ. ଲୁହ ପୋଛି ଯିଏ ତାକୁ ଉଠେଇଲା ସେ ଥିଲା ତା ସ୍ତ୍ରୀ. ସେ ପୁଣି ଫେରି ଆସିଥିଲା ଆଉ ତା କୋଳରେ ଥିଲା ଛୋଟ ପୁଅଟିଏ. ପୁଅ କାହାର ନବୁଝି ତିନି ପ୍ରାଣୀଙ୍କ ପେଟ ପାଇଁ ନାଟ କରିବାକୁ ଅନାମ ଅଣ୍ଟା ସଳଖିଲା ବେଳେ ଛୋଟ ପୁଅ ମୁନା ଡାକୁଥିଲା ବାପା, ତ ଅନାମ ଭୋ ଭୋ ହୋଇ କାନ୍ଦୁଥିଲା ମୁନାକୁ କୋଳକୁ ନେଉ ।


Rate this content
Log in

Similar oriya story from Tragedy