Dhruba Mohanty

Inspirational

2  

Dhruba Mohanty

Inspirational

ପ୍ରିୟାକୁ ଚିଠି

ପ୍ରିୟାକୁ ଚିଠି

3 mins
505


ହଁ ପ୍ରିୟା , ମୁଁ ଧ୍ରୁବ , ମୋର ଶୁଭେଚ୍ଛା ନେବ । ହଁ , ମୁଁ ଶୁଣୁଥିଲି ଓଡ଼ିଶାକୁ ଫନି ଆସୁଛି , ଖୁବ୍ ବର୍ଷିବ ବୋଲି ଲାଗୁଛି । ଏଇନେ ଏଇନେ TV News ଦେଖିଲି , ପ୍ରବଳ ବର୍ଷା ହେବା ସହିତ ଜୋରରେ ପବନ ବହିବ ଜାଣିଲି ।

ହଁ ତମେ ଗୋଟେ କାମ କରିବ, ଶୁଖିଲା ଖାଦ୍ୟ ସବୁ ଦୋକାନରୁ କିଣି ଆଣି ଘରେ ରଖିବ । ନିରାପଦ ଜାଗା ଦେଖି ଚାଲିଯିବ , ସାଙ୍ଗରେ ଔଷଧ ମନେ କରି ନେଇ ଯିବ ।

ହଁ ମଉସାଙ୍କୁ କହିବ ସେ ନିଧି ଅଜାଙ୍କୁ ଟିକେ କହି ଆସିବେ , ସିଏ ବା କେମିତି ଜାଣିବେ । ବୟସର ଅପରାହ୍ନରେ ପ୍ରହରା ଦେଉଥିବା ବେଳେ କେତେବେଳେ ଯେ ତାଙ୍କ ଜୀବନ ଦୀପ ଲିଭି ଯିବ କିଏବା କହିବ ? ହଁ ତମେ ସାନ ମଉସା ଓ ତମ ପଡିଶା ଘର ଉପରେ ରାଗିବନି, କାଲି ସିନା ଇଲେକସନ୍ ଥିଲା, ସେମାନେ ରାଗିକି ଝଗଡ଼ା ଝାଟି କରୁଥିଲେ , ହୁଏତ ମଦ ନିଶାରେ ମଉସାଙ୍କୁ ଚାପୁଡ଼ା ଟାଏ ମାରି ଦେଇଥିଲେ । ତାକୁ ଧଇଲେ ଚଳିବ ନା ? ଯେତେ ହେଲେବି ସିଏ ତମ ସାନ ବାପା ନା । ମୁଁ ଭାବୁଛି ଖାଲି ତମର ନୁହେଁ ସାରା ଓଡ଼ିଶାରେ । ଗାଆଁ ଗାଆଁରେ ଯୋଉ ଝଗଡ଼ା ହଉଥିଲା ଆଉ ଲୋକ ମାନଙ୍କ ଭିତରେ ଯୋଉ ମତାନ୍ତର ହୋଇଯାଇଥିଲା, ସେ ସବୁକୁ ବୋଧେ ଏଇ ଫନି ଲିଭେଇ ଦେବାକୁ ଆସିଛି । କାହିଁକି ନା, ବାତ୍ୟା ହେଲେ ଲୋକମାନେ ତ ନିରାପଦ ଜାଗାକୁ ଯିବାପାଇଁ ବାଧ୍ୟ ହେବେ । ସେଠି ପୁଣି ଗୋଟିଏ ଛାତ ତଳେ ସମସ୍ତେ ରହିବେ । ଗୋଟିଏ ଥାଳିରେ ଖାଇବେ । ବୋଧହୁଏ ଏଇଥି ପାଇଁଁ ଏ ଫନି ବାତ୍ୟାର ରୂପ ନେଇ ବହୁ ଜଲଦି ଆସିଗଲା । ପ୍ରକୃତିର ଏ କି ବିଚିତ୍ର ଲୀଳା । ସତ କହିବାକୁ ଗଲେ ମୁଁ କିଛି ଭୁଲ୍ କହୁଛି କି ?

ତମେ କୁହ ତମ ଗାଆଁରେ ଜମା ଗୋଟିଏ ବନ୍ୟା ଆଉ ବାତ୍ୟା ଆଶ୍ରୟ ସ୍ଥଳୀ ନା ? ତା ମାନେ ସମସ୍ତେ ତ ସେଇଠିକି ଯିବେ ! ତାପରେ ମନରେ ଥିବା ମନ ମାଳିନ୍ୟ ସବୁ ଦୂର ହେଇ ଯିବ । ଯେମିତି ୧୯୯୯ ରେ ହେଇଥିଲା । ତମେ ତ ସେତେବେଳେ ଛୋଟ ହେଇଥିଲ । ହୁଏତ ତମର ମନେ ନଥିବ । ତମର ହେତୁ ପାଇ ନଥିଲା । କିନ୍ତୁ ମୁଁ ଦେଖିଛି ସେ ମହାବାତ୍ୟାକୁ । ଆମ ଗାଆଁରେ ଯୋଉ ସବୁ କଳି ଝଗଡ଼ା ହେଇ ଆସୁଥିଲା ବର୍ଷ ବର୍ଷ ଧରି ଆଉ ଲୋକ ମାନଙ୍କ ଭିତରେ ଘୃଣା ମନୋଭାବ ରହୁଥିଲା । ସେସବୁ ଗୋଟିଏ ମୁହୂର୍ତ୍ତରେ ମୂଳ ପୋଛ ହୋଇଗଲା । ଗାଆଁ ଟା ଯାକ ଲୋକ ସବୁ ଯାଇ ରୂପିଆ ଭାଇ ଘରେ ପଶି ଗଲେ , ଜନ୍ଦା ପିମ୍ପୁଡ଼ି ଭଳିଆ ଲଦା ଲଦି ହୋଇ ତିନି ଦିନ ରହିଲେ , ଗୋଟିଏ ଥାଳିରେ ଖାଇଲେ , ନା କାହା ମନରେ ଗର୍ବ ଥିଲା , ନା ଅହଙ୍କାର ? ସବୁ ଯେମିତି ଏକାକାର , ବେଦର ନାହିଁ ବିଚାର , ଆହୁରି ସମସ୍ତେ ଯେମିତି ଭାଇ ଭାଇ ଆଉ ଯୁଗ ଯୁଗର ସମ୍ପର୍କ ସମସ୍ତଙ୍କ ଭିତରେ ଅନୁଭବ ହେଉଥିଲା । ଜଣେ ଉଠି ପାରୁ ନଥିଲେ , ଆଉ ଜଣେ ହାତ ଧରି ଉଠୋଉ ଥିଲା । ଏ ସବୁ ନିଜେ ଦେଖିଲେ ବିଶ୍ବାସ କରି ହେବନି । ମୁଁ ଅଙ୍ଗେ ନିଭେଇଛି ନା ! ସେଥିପାଇଁ ଭାବିଲି ତମକୁ ବି ଜଣେଇ ଦିଏ । ମିଛ ମାୟାର ଏ ସଂସାର ଭିତରେ ଆମେ ଦୁଇ ଦିନିଆ କୁଣିଆ । ତେଣୁ ମାନ ଅଭିମାନ ସବୁ ଭୁଲିଯାଇ ସମସ୍ତଙ୍କ ସହ ଖୁସିରେ ଚଳି ଯିବା ଉଚିତ । ଗୋଟିଏ ବାତ୍ୟାକୁ ମଣିଷର ଗର୍ବ, ଅହଙ୍କାର , ହିଂସା ସବୁକିଛି ନିଅଣ୍ଟ ।

ତେଣୁ ସମସ୍ତଙ୍କ ସହ ଖୁସିରେ ଦୁଇ ପଦ କଥା ହୋଇ ଅଢେଇ ଦିନ କାଟିଦେବା ଧ୍ରୁବ ମତରେ ସବୁଠୁ ଭଲ । ଲେଖୁ ଲେଖୁ ଅନେକ କିଛି ଲେଖି ଦେଲି । ତମକୁ ମୋ ରାଣ , ମନରୁ ମାନ ଅଭିମାନ, ରାଗ , ଋଷା ସବୁ ଭୁଲିଯାଇ ଗାଁର ସମସ୍ତ ଲୋକଙ୍କୁ ସାହାଯ୍ୟ କରିବ । ମଉସାଙ୍କୁ ମଧ୍ୟ କହିବ । ତମର ସେ ବାଳୁଙ୍ଗା ଚକଲେଟ୍ ଟୋକାକୁ କହିବ । ସତୁରା ମାଆକୁ ବାତ୍ୟା ବେଳେ ହଇରାଣ କରିବନି । ଭାରି ଚଗଲାଟା । ହଁ ଭୁଲିଗଲି କହିବାକୁ, ଗାଆଁର ଯେତେ ପଶୁ ପକ୍ଷୀ ଅଛନ୍ତି, ତାଙ୍କର ବି ଟିକେ ଯତ୍ନ ନେବ । ନିରୀହ ଯିବ ସବୁ । ପାଟି ଫିଟୁ ନାହିଁ ବୋଲି ସେମାନେ କିଛି କହିପାରିବେନି । ସେମାନଙ୍କୁ ଅବହେଳା କରିବନି । ଜୀବେ ଦୟା ନୀତିକୁ ଭୁଲିବନି । ଏତିକିରେ ରହୁଛି । ଆଶାକରେ ଭଗବାନ ଏହି ଭଳି ଗୋଟିଏ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟରେ ଏ ମାନବ ସମାଜକୁ କିଛି କିଛି ଶିକ୍ଷା ଦେଇ ଯାଉ । ନା ରହୁ କାହା ମନରେ ହିଂସା , ନା ରହୁ ପରଶ୍ରିକାତରତା । ଏ ମୁକ୍ତ ଆକାଶ ତଳେ ଅଢେଇ ଦିନର କୁଣିଆ ସାଜି ବିଦାୟ ନିଅନ୍ତୁ ସମସ୍ତେ , ଏହାହିଁ ମୋର କାମନା ।

ଇତି ତୁମର ଅତି ପ୍ରିୟର ଧ୍ରୁବ


କହିବ କି ପ୍ରିୟା ଭୁଲିକି ପାରିବି

ଆମ ପ୍ରେମ କଥା ମନରୁ

କାଲି ପାଉ ଥିଲି ଆଜିବି ପାଉଛି

କାଲିବି ପାଇବି ଜହ୍ନରୁ ।


రచనకు రేటింగ్ ఇవ్వండి
లాగిన్

Similar oriya story from Inspirational