STORYMIRROR

Narayan chandra Senapati

Tragedy

4  

Narayan chandra Senapati

Tragedy

ପରିତ୍ୟକ୍ତ ପୃଥିବୀ

ପରିତ୍ୟକ୍ତ ପୃଥିବୀ

3 mins
551


  ସେଦିନ ନିଧିଆର ଉତ୍ସୁକ ମନଟାରେ ନିଆଁ ଲାଗି ତାର ସବୁ ସ୍ବପ୍ନ ଜାଳି ପୋଡି ପାଉଁଶ ହୋଇଗଲା।ବାତ୍ୟାର ତିନି ଦିନ ପରେ ସିନା ଫେରିଲା ତା ସରଗ ପୁରୀକୁ ହେଲେ ତା ଜୀବନ୍ତ ଭଗବାନ ଦୁହିଁଙ୍କୁ ଆଉ ପାଇଲା ନାହିଁ ଜୀବିତ ଅବସ୍ଥାରେ।ଇତସ୍ତତଃ ହୋଇ ଆବିଷ୍କାର କଲା ସେହି ଦୁସ୍ଥ ଖଟିଆରେ ପାଟିକୁ ଆଁ କରି ନିଃସହାୟ ଭାବେ ପଡିଥିବା ନିରୀହ ନିରୀହା ପିତାମାତା ନିଧିଆ ଓ ଗୁରେଇକୁ।ବିଚରା, ବିଚାରୀଙ୍କ ପଚା ମଢକୁ ଧରି ଗୁମୁରି ଗୁମୁରି କାନ୍ଦି ଚିତ୍କାର କଲା ସେ।ହେଲେ ସେ ଚିତ୍କାର ଭେଦ କରି ପାରିଲା ନାହିଁ ତାଙ୍କ ନିର୍ଜୀବ ପ୍ରାଣକୁ।ତା କଳ୍ପନାର ସରଗପୁରୀଟା ଆଜି ସାଜିଛି ଭଗ୍ନ ପାନ୍ଥଶାଳା।ବଞ୍ଚିବା ବଢିବା ଆତ୍ମା ଦୁଇଟା ତାକୁ ଏକା କରି ସଜାଇ ଦେଇଛନ୍ତି ବାପ ମା ଛେଉଣ୍ଡ।ଯେଉଁ ପରିବେଶର ବାୟୁମଣ୍ଡଳ ଟା ଆଜି ଯାଏଁ ତାକୁ ଦେଇ ଆସୁଥିଲା ମନ୍ଦ ମଳୟର ସ୍ପର୍ଶ, ତାର ଦୂଷିତ, ବିଷାକ୍ତ,ଉତ୍କଟ ଦୁର୍ଗନ୍ଧ ଆଜି ତାକୁ ବିକର୍ଷଣ କରୁଛି ଘନ ଘନ।


 ଏଇ କାଲିପରି ଲାଗୁଛି ସେ ଆସିଥିଲା ବିଶାଖାପାଟଣାରୁ।ତା ମା' କହୁଥିଲେ, ଆରେ ନିଧିଆ ଉପର ପଙ୍ଖାଟା ଭଲ ଘୁରୁ ନାହିଁ,ତାପରେ ଏତେ ଉପରୁ ଜମା ପବନ କାଟୁନାହିଁ ରେ।ମୋ ପାଇଁ ଷ୍ଟାଣ୍ଡ ଫ୍ୟାନ ଟେ ଆଣିଦେବୁ ନା? ତା ବାପା ବି କହୁଥିଲେ, ଆରେ ନିଧି..ଲାଇନ୍ ତ ଘଡିକି ଘଡି କଟୁଛି,ଅକ୍ଷୟ ମାଷ୍ଟ୍ରେ କହୁଥିଲେ ଗୋଟେ ଇନ୍ ଭର୍ଟର ଆଣିଦେଲେ କାଳେ ସବୁବେଳେ ଲାଇନ୍ ରୁହନ୍ତା, ଭାରି ଭଲ ହୁଅନ୍ତା।ବୁଢା ବୁଢ଼ୀ ଦିଟା ଆମେ ରାତିରେ ବାହାରକୁ ଆଉ ଅନ୍ଧାରରେ ଯାଆନ୍ତୁ ନାହିଁ।ପଙ୍ଖାଟା ବି ରାତିରେ ସବୁ ବେଳେ ବୁଲନ୍ତା।ସେ ବି କହିଥିଲା, ହଁ ମୁଁ ଏମାସ ଦରମା ପାଏ,ଆମ କମ୍ପାନୀ ମାଲିକଙ୍କୁ କହି ଏଡଭାନ୍ସ(ଅଗ୍ରୀମ)କିଛି ଟଙ୍କା ଆଣି କିଣିଦେବି।ଅବଶ୍ୟ ଯିବା ପୂର୍ବରୁ ରଙ୍ଗୀନ ଟି.ଭି.ଓ ମୋବାଇଲ ଫୋନ୍ ଟେ ଦେଇ ତା ବିଷୟରେ ସବୁ ଶିଖେଇ ଦେଇ ଯାଇଥିଲା।ସେଇଦିନୁ ତାକୁ ଲାଗୁଥିଲା ସତେ ଯେମିତି ସେ ତା ମାଆ ବାପା ପାଖରେ ଅଛି,କାହିଁକି ନା ଦିନରେ ଚାରି ପାଞ୍ଚ ଥରରୁ ଅଧିକ ଫୋନ୍ କରି ଖୁସି ହୁଅନ୍ତି ଦୁଇ ପ୍ରାଣୀ।ମଝିରେ ମଝିରେ ଟିଭି ସିରିଏଲର କଥା ବସ୍ତୁକୁ ବିହ୍ଵଳ ହୋଇ ତା ମାଆ, ତାକୁ କେତେ ଯେ କଣ ସବୁ କୁହେ।


 ତା ପୂର୍ବ ଥର ଘରୁକୁ ଯାଇଥିଲା,ତା ମାଆ କହିଥିଲା, ଆରେ ନିଧିଆ,ଏ ଖଟିଆଟାରେ ଶୋଇ ଶୋଇ ପିଠି କାଟୁଛି ।ଗଦି ଗୋଟେ ବାପା ବନେଇ ଦିଅନ୍ତୁ ନି।ତା ବାପା ବରଂ ତା ମାଆ କୁ ରାଗୁଥିଲା,କହୁଥିଲା... ଛୁଆଟା ନୂଆ ବିଦେଶ ଯାଇଛି,ତୁ ଏତେ ବରାଦ କ'ଣ କରୁଛୁ ? ସେ କହିଥିଲା, ନାଁ ବାପା ଖାଲି ଗଦି ନୁହଁ,ମୁଁ ପଲଙ୍କ ଦୁଇଟା ବି ବରାଦ କରିଦେଇଛି,ଏକାସାଙ୍ଗରେ ଆଣି ପକେଇଦେବି।ଭାବିଥିଲା ଏଇ ରଜ ବେଳକୁ ଆସିଲେ ଯାହା ସବୁ ଦରକାର ସବୁ ପୁରଣ କରି ଯିବ।


  ମନେ ପଡ଼ିଲା ତାର ବିଶାଖାପାଟଣାକୁ ଯିବା ଘଟଣା।ସେ ଜିଦି ଧରିଲା ବିଦେଶ ଯିବାକୁ।ମା ଗୁରେଇଟା କେତେ ଯେ ମନା କରୁଥିଲା।କହୁଥିଲା, ଆରେ ଆମେ ବୁଢ଼ାବୁଢ଼ୀ ଦି'ଟା, ଆମକୁ ଛାଡ଼ି ଯିବୁ,କେତେବେଳେ ଯଦି କିଛି ଆମର ହୋଇଯାଏ,ଆମ ମୁହଁରେ ପାଣି ଟୋପେ କିଏ ଦେବରେ ଧନ?ତା ବାପା କହୁଥିଲେ, ଗାଁ ରେ ରହି କିଛି କରୁନୁ।ସେ କିନ୍ତୁ ଜିଦି ଧରିଥିଲା,ବିଦେଶ ଯିବ, ବହୁତ ଟଙ୍କା ରୋଜଗାର କରିବ,ଭଲ ଘର କରିବ,ଗାଁରେ ଯେମିତି ତାର ନାଁ ରହିବ।ତା ବାପା ମାଆଙ୍କର ସବୁ ପୂରଣ କରିବ।ଭଲ ଜାଗାରେ ବିବାହ କରିବ।ବୋହୁଟା ତା ବାପା ମାଆଙ୍କୁ ଅଶେଷ ଭକ୍ତି କରିବ ସେବା ଦେବ।ସେ ଦୁହେଁ କେତେ ଯେ ସୁଖ ପାଇବେ।ହେଲେ ସେ କ'ଣ ଜାଣିଥିଲା ଏ ସ୍ବପ୍ନଟା ବାସ୍ତବଠାରୁ ସବୁଦିନ ପାଇଁ ଛାଇ ହୋଇ ରହିଯିବ।


 ସବୁଦିନ ପରି ସେଦିନ ସେ ଚାହିଁଥିଲା ବାପା ମାଆଙ୍କର ଫୋନ୍ କଲ୍ କୁ।ସକାଳୁ ମା କହିଲା, ଆରେ ନିଧିଆ ସମସ୍ତେ କହୁଛନ୍ତି ବଡ଼ ବାତ୍ୟା ହେବ, ପବନ ବହିବ, ଦେଖିକି ଚଳିବୁରେ ବାବା,ବାହାରକୁ ବାହାରିବୁ ନାହିଁ।ତାପରେ ଯେତେ ଚେଷ୍ଟା କରିଛି ଆଉ ଟେଲିଫୋନ ସଂଯୋଗ ହେଲାନାହିଁ।ସେ ବହୁତ ବ୍ୟସ୍ତ ହେଲା,ଓଡିଶାକୁ ବାତ୍ୟାର ପ୍ରଭାବ ଅଛି,ସେମାନେ ସତର୍କ ରୁହନ୍ତୁ ଏତିକି ଖିବାକୁ।ହେଲେ ଏଇ ଦୁଇପଦ କଥା କହି ପାରିଲା ନାହିଁ,ରହିଗଲା ବାକି ଖାତାରେ ପୁଣି ହଜିବି ଗଲା ସେ ଖାତା ଭିଜିବି ଗଲା,ଟିକ୍ ଟିକ୍ ହୋଇ ଚିରିଗଲା, ଯାହା କି କେବେ ପଢି ବି ହେବ ନାହିଁ।


  ସରିଗଲା ବାତ୍ୟା,ଶୁଣିଲା ତା ବିଭୀଷିକା,କ୍ଷୟ କ୍ଷତି ଏମିତି ଅନେକ କିଛି।ଦେଖିଲା ଟିଭି ରେ,ଖବରକାଗଜରେ ଠିକ୍ ଅପେରାର ଦୃଶ୍ୟ ପରି,ମାତ୍ର ଆସି ବାସ୍ତବରେ ଦେଖିପାରିଲା ନାହିଁ ତା ଜୀବନ୍ତ ଦେବା ଦେବୀ ଦୁହିଁଙ୍କୁ।ବାତ୍ୟା ପୂର୍ବ ଦିନ ସାଧୁଆ ଓ ଗୁରେଇ ଦୁଇ ଜଣଙ୍କୁ ହୋଇଥିଲା ଜ୍ୱର।ବାତ୍ୟାର ପବନ ବି ବଢ଼େଇ ଦେଲା ଜ୍ଵରର ମାତ୍ରାକୁ।ନିଜ ଘର ଛାଡ଼ି ଗଲେନାହିଁ କୁଆଡେ।ବାତ୍ୟା ଚାଲିଗଲା ସତ, ସତେ ଯେମିତି କିଛି-ବାଟରେ ଜଗି ରହିଥିଲା ଏମାନଙ୍କୁ ସାଥିରେ ନେଇ ଯିବାକୁ।ଖୀନ ଭିନ ହୋଇ ପଡ଼ିଲା ଘର,ଅବ୍ୟବସ୍ଥିତି ଓ ଅସନାକୁ ଜାବୁଡି ଧରି।ପାଣି ନାହିଁ, ଲାଇଟ ନାହିଁ, ମୋବାଇଲ ସେବା ନାହିଁ।ଅସୁସ୍ଥତାରେ ଛଟ ପଟ ହୋଇ ଦେଖୁଥାନ୍ତି ଯମ ରାଜାର ଚିତ୍ରଗୁପ୍ତ ପାଞ୍ଜି । ଅଂଶୁଘାତରେ ଜଳି ଯାଉଥାଏ ଜୀବନ,ବୁଡି ଯାଉଥାଏ ହଂସା।ପାଣି ପାଇଁ ଲାଗିଥିଲାଧାଡି । ବୁଢା ବୁଢ଼ୀ କଣ ଧାଡିରେ ରହି ଆଣିପାରିବେ ପାଣି।ବାଲଟି ଧରି ଅଢେଇ ଘଣ୍ଟା ଛିଡା ହେଲା ପରେ ଗୁରେଇର ମୁଣ୍ଡ ଦେହ ହାତ କଣ ହୋଇଗଲା।ଫେରି ଆସିଲା ଘରକୁ।ବାଲଟି ରଖି ପୁରୁଣା ଖଟିଆରେ ଶୋଇଛି ଯେ ଶୋଇଛି ଅତି ନିଘୋଡ଼ ନିଦରେ।ଯେଉଁ ନିଦ୍ରା ଜୀବନର ଶେଷ ନିଦ୍ରା।ଜ୍ବରରେ ଛଟପଟ ସାଧୁଆ ପାଣି ପାଣି କହି ସେ ବି ଅନୁସରଣ କଲା ଗୁରେଇର ପଛ,କାହିଁକି ନା ବାହାବେଳେ ପରା କଥା ଦେଇଥିଲା ଜୀବନ ଜୀବନ ସାଥି ହୋଇ ରହିବ।କେବେ ବି ହାତ ଛାଡ଼ିବ ନାହିଁ।ଏତେ ସ୍ୱାର୍ଥପର କେମିତି ହୋଇଥାନ୍ତା ଯେ।


  ନିଧିଆ ବିଚଳିତ ଯେତିକି ହେଉଥାଏ,ସେତିକି ନିଜକୁ ଧିକ୍କାର କରୁଥାଏ,କହି କହି କାହିଁକି ମୁଁ ବିଦେଶ ଗଲି,ଶେଷରେ ବାପା ମାଙ୍କ ଶେଷ ସମୟରେ ମୁହଁରେ ପାଣି ବି ଟୋପେ ଦେଇପାରିଲି ନାହିଁ।ମୋ ସ୍ୱପ୍ନର ଘର ହେଲା ପରିତ୍ୟକ୍ତ,ମୋ ଜୀବନ୍ତ ଦେବା ଦେବୀବି ପରିତ୍ୟକ୍ତ,ମୋ ସରଗପୁରର ବାୟୁମଣ୍ଡଳ ବି ପରିତ୍ୟକ୍ତ।ଏ ପରିତ୍ୟକ୍ତ ପୃଥିବୀରେ ମୋ ପରି ପରିତ୍ୟକ୍ତ ମଣିଷର ମୂଲ୍ୟ କ'ଣ ନା ମୂଲ୍ୟବୋଧ କ'ଣ?



Rate this content
Log in

Similar oriya story from Tragedy