ପ୍ରୀତି ଓ ସ୍ମାର୍ଟ ଫୋନ୍
ପ୍ରୀତି ଓ ସ୍ମାର୍ଟ ଫୋନ୍
ପ୍ରୀତି ର ଆଖିରୁ ଅନେକ ଦିନ ହେଲା ନିଦ ହଜି ଯାଇଥିଲା ଯେମିତି । ବହୁତ ଦିନର ଇପ୍ସିତ ସ୍ମାର୍ଟ ଫୋନ୍ ଟିଏ ବାପାଙ୍କ ଠାରୁ ଉପହାର ସ୍ୱରୂପ ପାଇବା ପରଠାରୁ ସେ ନିଜକୁ ମୁକ୍ତ ଆକାଶ ର ବିହଙ୍ଗ ବୋଲି ମନେ କରୁଥିଲା। ଆଗରୁ ଏଇଥିପାଇଁ ଅନେକ ଥର ବାପାଙ୍କୁ ମନେଇବାକୁ ଚେଷ୍ଟା କରି ବିଫଳ ହୋଇଥିଲା ସେ। ବାପା ଅଫିସ୍ ରୁ ଫେରିଲା ବେଳକୁ ବୋଉ ହାତରୁ ପାଣି ଗ୍ଲାସ ଛଡେଇ ନେଇ ଦେଇଥିଲା ବାପାଙ୍କ ହାତକୁ।
ବାପା ଙ୍କ ଜୋତା ପଲିସ୍ କରିଥିଲା। ଡ୍ରେସ୍ ବି ପ୍ରେସ୍ କରି ହାତକୁ ବଢେଇ ଦେଇଥିଲା ଅନେକ ବାର। ବାପା ଙ୍କୁ ମନେଇବା ପାଇଁ ତାଙ୍କ ନଜର ରେ ପଡିଲା ଭଳି ଅନେକ ଉଦ୍ୟମ କରିଥିଲା। ଛୁଟି ଦିନରେ ତାଙ୍କ ପାଖରେ ବସି କେତେ ସାକୁଲେଇ ହେଇଥିଲା । ଶୋଇବା ବେଳେ କେତେ ଥର ପାଦ ବି ଘଷି ଦେଇଥିଲା । ପ୍ରତି ବଦଳରେ ବାପା ମଧ୍ୟ ତାକୁ ସ୍ନେହଁ ଓ ପ୍ରଶଂସା ରେ ପୋତି ପକଉଥିଲେ । ବୋଉ କୁ କହୁଥିଲେ,
"ବୁଝିଲ ମଞ୍ଜରୀ, ପ୍ରୀତି ମୋର ଝିଅ ନୁହେଁ ମାଆ । ଏମିତି ଝିଅ କୋଟିକରେ ଗୋଟିଏ ମିଳିବା କଷ୍ଟ ।" ହେଲେ ତାର ମନୋସ୍କାମନା ସେମିତି କାମନା ହୋଇ ରହି ଯାଇଥିଲା ଅନେକ ଦିନ ।
ବାପା ଖୁସି ମିଜାଜ୍ରେ ଥିବାବେଳେ ଥରେ ଦୁଇଥର ସାହାସ କରି ତାଙ୍କ କାନରେ ସ୍ମାର୍ଟ ଫୋନ୍ କଥା ପକେଇ ଥିଲା । ମାତ୍ର ବାପା ଚତୁରତାର ସହିତ ପ୍ରତିଥର ତାର ଅନୁରୋଧ କୁ ଏଡେଇ ଯାଉଥିଲେ । ଥରେ କହିଲେ, " ଦେଖ୍ ମାଆ, ଏବେ ଫୋନ୍ ଟିଏ ତୋ ପାଇଁ ଉପକାର କରିବା ବଦଳରେ କ୍ଷତି ହିଁ କରିବ। କିନ୍ତୁ ମୁଁ ତୋତେ କଥା ଦେଉଛି, ତୁ ଯଦି ମାଟ୍ରିକ୍ ପରୀକ୍ଷା ରେ ତୁମ ସ୍କୁଲରେ ଟପ୍ କରି ପାରିବୁ ତେବେ ମୁଁ ତୋତେ ଗୋଟିଏ i Phone ଦେବି। ତା ପୂର୍ବରୁ ମୋତେ ଆଉ କେବେ ମାଗିବୁନି।" ପ୍ରୀତି ମଧ୍ୟ ବାପାଙ୍କୁ ଫୋନ୍ ବିଷୟରେ ଆଉ କେବେ କହି ନ ଥିଲା।
ପ୍ରୀତି ଭଲ ପଢୁଥିଲା। ସ୍କୁଲର ଜଣେ ମେଧାବୀ ଛାତ୍ରୀ ହିସାବ ରେ ତାର ନାଁ ଥିଲା । ତାଙ୍କ କ୍ଲାସ୍ ର ପ୍ରଥମ ଚାରି ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ରହି ଆସୁଥିଲେ ମଧ୍ୟ କେବେ ପ୍ରଥମ ହୋଇ ପାରିନଥିଲା ସେ। ସେଥିପାଇଁ ପ୍ରତିଥର ରେଜଲ୍ଟ ବାହାରିଲା ବେଳେ ତାର ମନ ଭୀଷଣ ଦୁଃଖ ହେଉଥିଲା । ବାପା ତାକୁ ପ୍ରବୋଧନା ଦେଇ କହୁଥିଲେ, " ଦେଖ୍ ପ୍ରୀତି ଚେଷ୍ଟା କର। ଦିନେ ନା ଦିନେ ସଫଳତା ନିଶ୍ଚୟ ପାଇବୁ। କର୍ମଣ୍ୟେୱାଧିକାରସ୍ତେ ମା ଫଳେଷୁ କଦାଚନ। କର୍ମ ସିନା ଆମର ଅଧୀନ । ଫଳାଫଳ ତ ଈଶ୍ୱର ଙ୍କ ହାତରେ। "
ଶେଷରେ ଫଳାଫଳ ର ଦିନ ଆସିଲା, ଯେଉଁ ଦିନ CBSE 10th କ୍ଲାସ୍ ର ରେଜଲ୍ଟ ବାହାରିଲା । ପ୍ରୀତି କୁ ତାର ନିଷ୍ଠା ଓ ଅଧ୍ୟବସାୟ ର ଫଳ ମିଳିଥିଲା । ସେ ତାଙ୍କ ସ୍କୁଲରେ ଟପ୍ କରିଥିଲା। ଖୁସିରେ ତାର ଗୋଡ ତଳେ ଲାଗୁନଥିଲା । ବାପା ଏ ଖବର ଅଫିସରେ ପାଇ ସାରିଥିଲେ ବୋଧେ । ଆସିଲା ବେଳକୁ ତାଙ୍କ ହାତରେ ଥିଲା ଏକ ମିଠା ପ୍ୟାକେଟ୍ ଏବଂ ଗୋଟିଏ apple I phone. ମନେଅଛି, ବାପା ସିଧା ଆସି ତାକୁ କୁଣ୍ଢେଇ ପକେଇଥିଲେ। ଆଖି ତାଙ୍କର ଲୁହ ଛଳ ଛଳ ହୋଇ ଯାଇଥିଲା । ବୋଧହୁଏ ଆନନ୍ଦାଶ୍ରୁ । ବେଳେ ବେଳେ ଅତି ଖୁସିରେ ମଧ୍ୟ ମଣିଷ ଏମିତି କାନ୍ଦି ପକେଇଥାଏ ।
ପ୍ରୀତି ର +2 ଆଡମିଶନ୍ ତାଙ୍କରି ସ୍କୁଲରେ ହୋଇ ଯାଇଥିଲା ଏ ଭିତରେ । ସ୍କୁଲ କୁ ଫୋନ୍ ନେବା ଉପରେ କଟକଣା ଥିବା ସତ୍ତ୍ବେ ସେ ଫୋନ୍ କୁ ସାଇଲେଣ୍ଟ ମୋଡ୍ ରେ ରଖି ସାଙ୍ଗରେ ନେଇ ଯାଉଥିଲା । ଏମିତି ତାର ଅନେକ ସାଙ୍ଗ ମଧ୍ୟ ନେଉଥିଲେ । ଫୋନ୍ ଆସିବାର ମାସେ ଦେଢ ମାସ ଭିତରେ ତାର କଣ୍ଟ୍ୟାକ୍ଟ ଲିଷ୍ଟ୍ ମଧ୍ୟ ଅସମ୍ଭବ ଭାବରେ ବଢି ଯାଇଥିଲା । କଥା କଥାକେ ଫୋନ୍ କଲ୍। ସ୍କୁଲ କଥା ସହିତ ରନ୍ଧାବଢା, ଟିଭି ରେ ଦେଉଥିବା ବିଜ୍ଞାପନ ଓ ସିରିଅଲ୍ ବିଷୟରେ ଘଣ୍ଟା ଘଣ୍ଟା ଧରି କଥାବାର୍ତ୍ତା ଚାଲୁଥିଲା । ତାର ଅଜାଣତରେ ସେ ଫୋନ୍ ର କବଳିତ ହୋଇ ସାରିଥିଲା ।
ବୟସ ବଢିବା ସଙ୍ଗେ ସଙ୍ଗେ ସେ କେତେବେଳେ ପ୍ରୀତି ରୁ ପ୍ରୀତିଛନ୍ଦା ହୋଇ ଯାଇଥିଲା । ତାରି ବୟସର ସବୁ ଝିଅ ଙ୍କ ପରି ତା ମନରେ ମଧ୍ୟ ଇନ୍ଦ୍ରଧନୁ ର ରଂଗ ଲାଗିଥିଲା । ପ୍ରଜାପତି ର ରଂଗିନ୍ ଡେଣା ଲଗାଇ ସେ ମଧ୍ୟ ଚାହୁଁଥିଲା ଉଡିବାକୁ । ଫୁଲ ଟିଏ ହୋଇ ସେ ମଧ୍ୟ ଚାହୁଁଥିଲା ମହକେଇବାକୁ ଚତୁର୍ଦ୍ଦିଗ । ଏଥିରେ ତାର ପ୍ରିୟ ସ୍ମାର୍ଟ ଫୋନ୍ ତାକୁ ସବୁ ପ୍ରକାରେ ସାହାଯ୍ୟ କରିଥିଲା । ଆଲ୍ଲାଦିନ୍ ର ଦୀପ ପରି ହାତ ମାରିଦେଲେ ଇପ୍ସିତ ବ୍ୟକ୍ତି ଙ୍କୁ ସାମ୍ନାରେ ହାଜର କରାଇ ଦେଉଥିଲା ତତକ୍ଷଣାତ୍। ଫଳରେ ସହପାଠୀ ସନ୍ଦୀପ ସହିତ ତାର ସମ୍ପର୍କ ଅନାୟାସରେ ନିବିଡ ହୋଇ ଯାଇଥିଲା । ଫୋନ୍ରେ ଉଭୟ ବହୁ ସମୟ ଧରି ଭାବ ବିନିମୟ କରୁଥିଲେ । ଅବଶ୍ୟ ଏ ପର୍ଯ୍ୟନ୍ତ କେହି କାହାରିକୁ ପ୍ରେମ ସମ୍ପର୍କ ର ବହୁ ଇପ୍ସିତ ସେହି ତିନି ପଦ କଥା କହି ପାରି ନ ଥିଲେ। ତା ବ୍ୟତୀତ ଘରେ ସ୍କୁଲ ନାମରେ ମିଛ କହି ଉଭୟ ପାର୍କ ରେ ସମୟ ବିତେଇବାର, ସିନେମା ଯିବା ଇତ୍ୟାଦି ସବୁ ବରାବର ଚାଲିଥିଲା ।
ଭିଡିଓ କଲ୍, ଚ୍ୟାଟିଙ୍ଗ୍ ରେ ରାତି ରାତି ଅନିଦ୍ରା ହେଉଥିଲା ସେ। ତେଣୁ ସକାଳୁ ଡେରି ପର୍ଯ୍ୟନ୍ତ ଶୋଇ ରହୁଥିଲା। ତାର ଆଚାର ବ୍ୟବହାର ରେ ଏପରି ଅଦ୍ଭୁତ ପରିବର୍ତ୍ତନ ବାପାଙ୍କ ମନରେ ଯେ ଭୀଷଣ ଆଘାତ ଦେଉଥିବ ତାହା ସେ ହୃଦୟଙ୍ଗମ କରି ପାରୁଥିଲା । ମାତ୍ର ଫୋନ୍ ର କୁହୁକ ଜାଲରେ ଏମିତି ସେ ଛନ୍ଦି ହୋଇ ଯାଇଥିଲା ଯେ ସେଥିରୁ ମୁକ୍ତ ହେବାପାଇଁ ବାଟ ପାଉ ନ ଥିଲା । ଦିନେ ଯେଉଁ ସ୍ମାର୍ଟ ଫୋନ୍ ଯୋଗୁଁ ସେ ନିଜକୁ ମୁକ୍ତ ଆକାଶ ର ବିହଙ୍ଗ ଟିଏ ବୋଲି ଭାବୁଥିଲା, ଆଜି ସେହି ଫୋନ୍ ର ବନ୍ଧନ ରେ ବାନ୍ଧି ହୋଇ ଯାଇଥିଲା ଯେମିତି ।
ବାପା ଏବେ ତା ସହିତ ଖୁବ୍ କମ୍ କଥା ହେଉଥିଲେ ବୋଲି ସେ ଅନୁଭବ କରୁଥିଲା । ଆଗ ପରି ଅଫିସ୍ ରୁ ଫେରି ତାକୁ ଖୋଜୁ ନ ଥିଲେ। ବାପା ଙ୍କର ଏମିତି ଗମ୍ଭୀରତା ର ସାମନା ହେବାପାଇଁ ସେ ସାହାସ ବି କରି ପାରୁ ନ ଥିଲା।
ଫୋନ୍ ର ମାୟାରେ ସେ ତାର ପାଠ କୁ ବହୁତ ଅବହେଳା କରିଥିଲା। ଫଳରେ ପ୍ରଥମ ବର୍ଷ କ୍ଲାସ୍ ଟେଷ୍ଟ ରେ ତାର ଦୟନୀୟ ପ୍ରଦର୍ଶନ ତାକୁ ଯେତିକି ବ୍ୟଥିତ କରି ନଥିଲା, ତା ଠାରୁ ଅଧିକ ଆଘାତ ଦେଇଥିଲା ବାପାଙ୍କୁ। ବାପା ସେଦିନ ଅଫିସ ରୁ ଫେରି ବୋଉ ଠାରୁ ତାର ରେଜଲ୍ଟ କଥା ପଚାରି ବୁଝିଥିଲେ ।ବାପା ଙ୍କ ଆଗକୁ ଯିବାକୁ ତାର ସାହାସ ହେଉ ନଥିଲା। ତାର ପଢା ରୁମ୍ ରେ ରହି ବାପା ବୋଉ ଙ୍କ କଥାକୁ କାନ ଡେରି ଶୁଣୁଥିଲା ଯାହା । ରେଜଲ୍ଟ କଥା ଶୁଣି ବାପା ଥମ୍ ହୋଇ ବସି ପଡିଲେ କି କଣ। ବୋଉ କହୁଥିଲା, " ମନ ଦୁଃଖ କରନି। ନିଅ ପାଣି ନିଅ।" ବାପାଙ୍କ କଥା କିଛି ଶୁଭୁ ନଥିଲା । ଟିକେ ପରେ ବୋଉ କହୁଥିବାର ଶୁଭୁଥିଲା, " କହୁଛି ପରା ମନ ଦୁଃଖ କରନି । ଏମିତି ପିଲାଙ୍କ ପରି କାନ୍ଦୁଛ କଣ।" ଧିରେ ଧିରେ ବାପା ଙ୍କର କାନ୍ଦିବାର ଶବ୍ଦ ତାର କାନରେ ବାଜିଲା । ତାଙ୍କ ଭିତରେ ଛଟପଟ ହେଉଥିବା ଏକ ଅସହାୟ ପିତୃତ୍ବ ର ସଞ୍ଚିତ କୋହ ଯେମିତି ଫୁଟି ବାହାରୁଥିଲା । ତାଙ୍କର ଯନ୍ତ୍ରଣା କୁ ପ୍ରୀତି ପ୍ରାଣେ ପ୍ରାଣେ ଅନୁଭବ କରୁଥିଲା । ବାପାଙ୍କୁ ଆଜି ପର୍ଯ୍ୟନ୍ତ ସେ କେବେ ଏମିତି କାନ୍ଦିବାର ଦେଖି ନଥିଲା। ସେ ଲୁହ କୁ ସେ ସହି ପାରିଥାନ୍ତା ବା କିପରି । ନିଜକୁ ଆଉ ସେ ସମ୍ଭାଳି ପାରି ନଥିଲା। ଦୁଇ ଆଖିରୁ ଝରି ଆସୁଥିଲା ଅବାରିତ ଅଶ୍ରୁ ଧାର। ତା ରୁମ୍ ରୁ ଝଲକାଏ ପବନ ପରି ଧାଇଁ ଗଲା ବାପାଙ୍କ ପାଖକୁ । ତାଙ୍କ ପାଦ ପାଖରେ ଫୋନ୍ ଟିକୁ ଥୋଇଦେଇ ଲୋଟି ପଡିଲା ବାପାଙ୍କ ଉପରେ। ବାପା ମଧ୍ୟ ତାକୁ ଜୋରରେ ଭିଡି ଧରିଲେ ଛାତିରେ । ଅନୁତାପ ର ଅଶ୍ରୁ ଯେମିତି ବହି ଆସୁଥିଲା ଅମାନିଆ ହୋଇ ଉଭୟ ଙ୍କ ଆଖିରୁ। ଦୁଇ ଜଣଙ୍କ କାନ୍ଦ ରେ ବୋଉ ଅବାକ୍ ଓ ସ୍ତମ୍ବିଭୂତ ହୋଇ ଯାଇଥିଲା ।
ପରଦିନ ଅଫିସ୍ ବାହାରିଲା ବେଳକୁ ବାପା ଙ୍କ ଜୋତା ପଲିସ୍ ହୋଇ ଥୁଆ ହୋଇଥିଲା ଆଗଭଳି । ବାପାଙ୍କ ମୁହଁ ରେ ମଧ୍ୟ ତାଙ୍କ ର ଚିରାଚରିତ ହସ ପୁଣି ଫେରି ଆସିଥିବାର ଅନୁଭବ କରି ପାରୁଥିଲା ପ୍ରୀତି । ପ୍ରିତିଛନ୍ଦା ରୁ ସେ ପୁଣି ବାପାଙ୍କର ଆଦରର ପ୍ରୀତି ହୋଇ ଯାଇଥିଲା ।
