Narayan chandra Senapati

Tragedy

3  

Narayan chandra Senapati

Tragedy

ପ୍ରେରଣା ନା ପ୍ରତାରଣା

ପ୍ରେରଣା ନା ପ୍ରତାରଣା

4 mins
714



ସେଦିନ ଗୁରେଇଟା ଆଖିରୁ ଲୁହ ଗଡେଇ ଧକେଇ କାନ୍ଦୁଥିଲା ତା ପୁଅକୁ ଝୁରି ଝୁରି।ପୁଅଟା ସିନା ପୁରାତନ ବାତ୍ସଲ୍ୟ ମମତାକୁ ପାଦରେ ଏଡେଇ ଦେଇ ଦୁରକୁ ଚାଲିଗଲା ହେଲେ ଅତୀତର ସ୍ମୃତିକୁ ଭାଳିଭାଳି ବାହୁନୁଥିଲା ସେ।ପରମାଟା କୋହକୁ ଚାପି କହୁଥିଲା ଏ ଗୁରେଇ କାହିଁକି କାନ୍ଦୁଛୁ,ତୋ ଆଖିରୁ ଲୁହ ଖସିଲେ ଆମ କପିଳାଟାର ଅମଙ୍ଗଳ ପରା ହେବ?କଥାରେ ପରା ଅଛି ହାତୀ ବନସ୍ତରେ ବଢ଼ିଲେ ରଜାଙ୍କର।ମନକୁ ବୁଝେଇ ଦେଇ *ପିତାମାତା* ଦୁହେଁ ଗଣୁଥିଲେ ତାଙ୍କ ବଳକା ଦିନ ଗୁଡିକର ମୁହୂର୍ତ୍ତମାନ।ନିଜ ମାତୃତ୍ୱକୁ ଧିକ୍କାର କରୁଥାଏ ଗୁରେଇଟା ସବୁ ଘଟଣାକୁ ଭାଳି ଭାଳି । କେତୋଟି ଅଭୁଲା ମୁହୂର୍ତ୍ତ ତା ସମ୍ପର୍କକୁ ପ୍ରଶ୍ନବାଣରେ ଘାଇଲା କରୁଥିଲା।


  ପରମା ଆଉ ଗୁରେଇ ବିତାଉଥିଲେ ହସଖୁସିର ନୂଆ ଗଢା ସଂସାର।ଚାତକ ପରି ଅପେକ୍ଷା କରିଥିଲେ ସ୍ଵାଗତ କରିବାକୁ ପରିବାରର ନବାଗତ/ନବାଗତା ଅତିଥି।ଆନନ୍ଦ ବିଭୋର ହୋଇ ଫେରୁଥିଲେ ବରେହିପାଣି ଦର୍ଶନୀୟ ସ୍ଥାନରୁ ବାଟରେ ବାଙ୍ଗିରିପୋଷି ଘାଟୀ।ଦୁର୍ଭାଗ୍ୟର ସୀମାରେଖାଟା ଏମିତି ଅଙ୍କା ବଙ୍କା ହୋଇ ଯାଉଥିଲା ଯେ ହଠାତ ଗାଡିର ବ୍ରେକ ଫେଲ ହୋଇ ଆମନ୍ତ୍ରଣ କଲା ଦୁର୍ଘଟଣାକୁ।ନିଆଗଲା ଦୁହିଁଙ୍କୁ ବାରିପଦାର ବଡ ଡାକ୍ତରଖାନା।ପରମାଟା ଓ ଗୁରେଇ ମରଣ ମୁହଁରୁ ଫେରିଆସିଲେ ହେଲେ ଗୁରେଇର ଗର୍ଭରେ ହସି ହସି ବଢୁଥିବା ଅତିଥିଟା ଆଖିବୁଜି ବିଦାୟ ନେଇ ଚାଲିଗଲା ଏମିତି ସହରକୁ ଯେଉଠିକି କିଏ ଗଲେ ଆଉ କେବେ ଫେରିପାରେନା।ଦୁଃଖଟା ପିଛା କରି କରି ଜିତିଗଲା ହରାଇ ଦେଇ ଗୁରେଇ ଓ ପରମାଙ୍କ ଆଶା ଓ ଭରସାକୁ।କେତେ ଓଷା ବ୍ରତ ନ କରିଛି ଗୁରେଇ,କେତେ ଦିଅଁ ଦେବତାଙ୍କ ପାଖକୁ ନ ଯାଇଛି ପରମା ? ଦୁର୍ଘଟଣାରେ ଏଭଳି ଆଘାତ ହୋଇଥିଲା ଯେ ଡାକ୍ତରଙ୍କ କହିବାନୁସାରେ ଗୁରେଇ କେବେ ବି ମାଆ ହୋଇପାରିବନି।ହେଲେ ଗୁରେଇର ମନରେ ଅମାପ ଭରସା ଥିଲା ମା ତାରିଣୀ ନିଶ୍ଚୟ ତା ଡାକ ଶୁଣିବେ।ତା ବିଶ୍ୱାସକୁ କେବେବି *ପ୍ରତାରଣା* ଦେବନି।ସାତଦିନ ସାତ ରାତି ମାଙ୍କ ପାଖରେ ପୂଜାପାଠ କଲା,ଦୀପ ଜାଳିଲା।ଶେଷରେ ମା'ତାରିଣୀଙ୍କର କୃପାରୁ ସେ ହେଲା ଅନ୍ତସତ୍ତ୍ଵା।ଜନ୍ମଦେଲା ଏକ ବହୁ ପ୍ରତୀକ୍ଷିତ ଦୁର୍ଲ୍ଲଭ ଶିଶୁ ନାଁ ରଖିଲା କପିଳା।


ଚନ୍ଦ୍ରକଳାର ବୃଦ୍ଧିପରି ବଢ଼ୁଥିଲା ଗେହ୍ଲ ବସରିଆ କପିଳା। *ପିତାମାତା* ଙ୍କର ଥିଲା ଗଣ୍ଠିଧନ,ଗଲାମାଳି।ମୁହୂର୍ତ୍ତେ ନ ଦେଖିଲେ ଦୁହେଁ ହେଉଥିଲେ ପାଗଳା ବାଇଆ କି ପାଗଳି ବାୟାଣୀ।ଗୁରେଇ ସ୍ବପ୍ନ ଦେଖିଥିଲା ତା ପୁଅକୁ କରିବ କୋଟିଏରେ ଗୋଟିଏ,ପରମାର ସ୍ବପ୍ନ ଥିଲା ତା ପୁଅ ଭଲ ପଢୁ,ଆଉ ବଡ଼ ହାକିମଟେ ହେଉ।ଗୁରେଇଟା ଥିଲା ଧର୍ମପ୍ରାଣା ଆଉ ପରମାଟା ଥିଲା ସଚ୍ଚୋଟ।ଦୁହିଁଙ୍କ ପାଖରୁ ଗଳ୍ପ ଶୁଣି ଶୁଣି ନୈତିକତାର ପାହାଚକୁ ଶ୍ରଦ୍ଧାରେ ସେ ଛୁଉଁଥିଲା।ପିତାମାତାଙ୍କର ପ୍ରେରଣାରେ ଅନୁପ୍ରାଣିତ ହୋଇ ଶଶିକଳା ପରି ବଢି ଅଜସ୍ର ପ୍ରଶଂସାର ଅଧିକାରୀ ହୋଇପାରିଥିଲା।ପାଠରେ,ଶାଠରେ ସବୁଥିରେ ଆଗୁଆ।ପିତା ମାତା ଗୁରୁ ଅତିଥି ଭଗବାନ ସମସ୍ତଙ୍କୁ ତାର ଭକ୍ତି ସମ୍ମାନ ଦେଖି ସମସ୍ତେ କହୁଥିଲେ କପିଳାଟା ଗୋଟେ ମଣିଷ ପରି ମଣିଷ ହେବ।


  ଗରିବ ବାପା ମାଆ ଦୁହେଁ ବହୁତ ପରିଶ୍ରମ କଲେ।ଗଧ ପରି ଖଟି ପୁଅକୁ ଧନୀକର ପୁଅଙ୍କ ପରି ବଢ଼ାଇଲେ,ଟିକିଏ କଷ୍ଟ କି ଅସୁବିଧାରେ ପଡ଼ିବାକୁ ଦେଲେନାହିଁ।ଗୁରେଇଟା ବେଳେବେଳେ ଯାତ୍ରା ସିନେମାର ଅଭିନୟ ଦେଖି କହୁଥିଲା,ଆରେ କପିଳା ତୁ ବଡ଼ ହୋଇ ଆମକୁ ଏଇମିତି ଭୁଲିଯିବୁନି ତ?ବଢ଼ୁଆ ପଢୁଆ କପିଳାଟା କହୁଥିଲା, ନାଁ ଲୋ ବୋଉ ତୋ ପୁଅ କଣ ଏମିତି କେବେ ହୋଇପାରିବ?ସୂର୍ଯ୍ୟ ବରଂ ପଶ୍ଚିମରେ ଉଦ୍ୟ ହୋଇପାରେ ହେଲେ ତୋ ପୁଅ କେବେବି ତୋତେ ଭୁଲି ପାରିବିନି।ବାପା ପରମାଟା ଆନନ୍ଦାଶ୍ରୁ ଗଡାଇ ଛାତି ଫୁଲେଇ କହୁଥିଲା ବୁଝିଲୁ ଗୁରେଇ,ଆମ କପିଲାଟାକୁ ତୁମେ କଣ ଭାବିଛ କି?ସେ ପରା କୋଟିକର ଗୋଟିଏ।ସେ କେବେ ଆମ ସ୍ନେହ ଶ୍ରଦ୍ଧାକୁ ହତାଦର କରିପାରିବ,ଆମ ଭଲପାଇବାକୁ *ପ୍ରତାରଣା* ଦେଇପାରିବ?


  ମାଟ୍ରିକ ରେ ଫାଷ୍ଟ କ୍ଳାସ ଫାଷ୍ଟ,ଆଇ ଏସ ସିରେ ଫାଷ୍ଟ କ୍ଳାସ ଫାଷ୍ଟ,ମେଡିକାଲ ଏଣ୍ଟ୍ରାନ୍ସରେ ଏକାଥରକେ ଉତ୍ତୀର୍ଣ୍ଣ, ସରିଗଲା ଡାକ୍ତରୀ ପଢ଼ା।ଖୁସି ଆନନ୍ଦ ଗୁଡାକ ଗୋଡାଉଥାନ୍ତି ଗୁରେଇ ଓ ପରମାଙ୍କ ପଛେ ପଛେ।ଲୋକମାନଙ୍କର ପ୍ରଶଂସା,ଏ ପିତାମାତାଙ୍କର ପ୍ରେରଣା ପିଲାଟିକୁ ହିମାଳୟ ପରି ସଫଳତାର ଶୀର୍ଷରେ ପହଂଚାଇଛି।ଧନ୍ୟ ପିଆମାତା ଧନ୍ୟ ସେ ପୁଅ।ଏସବୁ ଶୁଣିଲାପରେ ପରମା ଓ ଗୁରେଇଙ୍କ କଷ୍ଟ ଯନ୍ତ୍ରଣା ଗୁଡାକ ଲଜ୍ଜାରେ ମୁହଁପୋତି ପଳାୟନପନ୍ଥୀ ସାଜି ଚାଲିଗଲେ।

  

 ସେଦିନ ଆସିଲା ଚାକିରୀ ଚିଠି,ପୁଅ ଯିବ ଆମେରିକା,ସେଠାର ହେବ ବଡ଼ ଡାକ୍ତର।ଗୁରେଇ ପରମା ଗୋଟେପଟେ ବହୁତ ଖୁସି ହେଉଥିଲେ,ଆରପଟେ ଧକେଇ କାନ୍ଦୁଥିଲେ,ପୁଅଟା ତାଙ୍କୁ ଛାଡି କେତେଦୂର ଯିବ,ବିଦେଶରେ ରହିବ।ପୁଣି ସେମାନେ ଶୁଣିଛନ୍ତି ଯିଏ ବିଦେଶ ଯାଏ ସେ ଖରାପ ହୋଇଯାଏ।କିଏ ମଦୁଆ ଭାଦୁଆ ତ କିଏ ଭୁଲିଯାଏ ମା ମାଟିମାଆ ଆଉ ଏମିତିକି ଜନ୍ମଭୂଇଁକୁ।ଭୁଲିଯାଏ ମଣିଷ ପଣିଆ,ମଣିଷପ୍ରତି କର୍ତ୍ତବ୍ୟ,ଧର୍ମ,ପୁଣ୍ୟ,ବିବେକ ଆଉ ମମତା।ପିତାମାତାଙ୍କର ମନଦୁଃଖ ଦେଖି ବହୁତ ବୁଝାଇଲା କପିଳା,ସେ କେବେବି ବଦଳିବ ନାହିଁ ସେ ପ୍ରତିଶ୍ରୁତି ବି ଦେଲା।ଆଉ ପିତାମାତାଙ୍କଠାରୁ ବିଦାୟ ନେଇ ଚାଲିଲା ଆମେରିକା।


  ପରିବର୍ତ୍ତନର ଚକ୍ରବ୍ୟୁହରେ ବଦଳିଗଲା ସମୟ।କପିଲାଟା ଖ୍ରୀଷ୍ଟୟନୀ ସୁନ୍ଦରୀ ମେରିଆର ପ୍ରେମଜାଳରେ ହେଲା ଶିକାର।ପ୍ରେମାନ୍ଧ ହୋଇ ପାଶୋରିଦେଲା ପିତାମାତାଙ୍କର ସେ ପ୍ରେରଣା।ଭୁଲିଗଲା ନୀତି ଆଦର୍ଶ ଓ ସଂସ୍କାର ସଂସ୍କୃତିର ଅମୁଲ୍ୟଗାଥା।ମଦ ମାଂସରେ ହେଲା ମସଗୁଲ।ପ୍ରେମିକାର ପ୍ରେମଟା ଏତେ ବଡ଼ ହେଲା ଯେ ମା ବାପାଙ୍କର ତ୍ୟାଗ ମରୀଚିକାପରି ଉଭାନ ହୋଇଗଲା ତା ଅବିବେକୀ ମନରୁ।ବିଶାଳ ଧନୀକର ଏକମାତ୍ର କନ୍ୟାକୁ ପାଇଲେ କୋଟିପତି ହେବାର ନିଶା ଓ ଲୋଭ ତା ବ୍ୟକ୍ତିତ୍ୱକୁ କାଟି ଟିକ୍ ଟିକ୍ କରିଦେଲା।ପିତାମାତାଙ୍କୁ ନ ଜଣାଇ ବିବାହ କଲା ମେରିଆକୁ।ମେରିଆ ଘୃଣା କରନ୍ତି ଗରିବ ସାଧାରଣ ଲୋକଙ୍କୁ।କପିଲା ସିନା ଭୁଲ କରିଦେଲା ହେଲେ ପ୍ରତିମୁହୂର୍ତ୍ତରେ ମନେ ପକାଉଥିଲା ତା ପିତାମାତାଙ୍କର ପ୍ରେରଣାର ମଧୁର ବାଣୀକୁ।ଆଜି ବି ମନେ ପକାଉଛି ଆସିଲା ବେଳେ ପିତାମାତାଙ୍କୁ ଦେଇ ଆସିଥିବା ପ୍ରତିଶ୍ରୁତି।ପିତାମାତାଙ୍କର ଦୁର୍ଲଭ ପ୍ରେରଣା ବଦଳରେ ସେ ଉପହାର କଣ ଦେଉଛି ବିଷାକ୍ତ ନିଷ୍ଠୁର ପ୍ରତାରଣା।ମନଟା ଅସମ୍ଭାଳ  କରି ପକାଇଲା ଭାବନାରେ ଆଉତୁପାଉଟୁ ହେଲା ରାତିରେ ଏକ ଦୁଃସ୍ବପ୍ନ ଦେଖି।ଚିନ୍ତାକଲା ଫେରିବ ମାତୃଭୂମିକୁ।ମେରିଆ ମଧ୍ୟ ବାହାରିଲା ତା ବାରଣ ସତ୍ତ୍ୱେ।ତାର ଭୁଲ,ମେରିଆ ପରି ଉଗ୍ର ସ୍ତ୍ରୀ ତା ଦେବା ଦେବୀ ପରି ପିତାମାତାଙ୍କୁ ଯଦି ଅସମ୍ମାନ କରେ,ତାଙ୍କୁ ଘୃଣା କରେ,ଏଭଳି ପିତାମାତାଙ୍କର ପୁଅ ଜାଣି ଯଦି ତାକୁ ବି ଘୃଣାକରେ ଏଇମିତି ଅନେକ ପ୍ରଶ୍ନ ବ୍ୟସ୍ତ ବିବ୍ରତ କରୁଥିଲା ତାକୁ।ଗାଁ ମାଟି,ଅଞ୍ଚଳବାସୀ ଯେଉଁମାନେ ତାକୁ ପ୍ରଶଂସା କରୁଥିଲେ,ତାକୁ ନେଇ କେତେ ସ୍ବପ୍ନ ଦେଖୁଥିଲେ ସବୁ ସେ ଧୂଳିସାତ କରିଦେଲା।ବିଦେଶ ସଂସ୍କୃତିକୁ ଆଦରି ନେଇ ନିଜକୁ ଯେଉଁ ଅପରାଧୀ ସଜାଇଛି, ସେଥିରେ ତା ପୁଣ୍ୟଭୂମି ତାକୁ ଦେଶଦ୍ରୋହୀ କହି ଘୃଣା କରିବନି ତ ?


  ଏଇମିତି ଭାବୁ ଭାବୁ ପହଁଚିଲା ଜନ୍ମମାଟିରେ ଆଉ ଜନ୍ମଦାତା ଜନ୍ମଦାତ୍ରୀଙ୍କ ନିକଟରେ।କପିଳାକୁ ଭିନ୍ନ ଅବସ୍ଥା ଭିନ୍ନ ରୂପ ରଙ୍ଗରେ ଦେଖି ନିଜକୁ ମୂଲ୍ୟାୟନ କରୁଥାନ୍ତି ପରମା ଓ ଗୁରେଇ।କି ବିଚତ୍ର ଏ ଦୁନିଆଁ, ତାର ଛଳନା ତାଙ୍କ ସ୍ବପ୍ନକୁ କଣ ଧୋଇନେଲା ?ମେରିଆର ଘୃଣା,ଅଭଦ୍ରାମୀ, ରୁକ୍ଷ ବ୍ୟବହାରରେ ମ୍ରିୟମାଣ ହୋଇଗଲେ ଜ୍ବରରେ ପୀଡିତ ହୋଇଥିବା ପିତାମାତା ଦୁଇଜଣ।ତୁଳନା କରୁଥାନ୍ତି କପିଳାର ପ୍ରତିଶ୍ରୁତି ଓ ଆଜିର ଦୟନୀୟ ଅବସ୍ଥାକୁ ଦେଖି।କୁଆଡେ ଗଲା ତା ସଂସ୍କାର..ତା ସ୍ୱାଭିମାନ।କୁଆଡେ ଉଭେଇଗଲା ତାଙ୍କ ପ୍ରେରଣା,ଖାଲି ଫଳ ମିଳୁଛି ପିତା ମାତା,ଗାଁ,ଦେଶ ସଭିଙ୍କୁ କିଛି ପ୍ରତାରଣା।ମେରିଆକୁ କିଛି ନୀତିବାଣୀରେ ପିତା ମାତା ଦୁଇଟା ପାଇଥିଲେ ପୁତ୍ରବଧୁ ଠାରୁ କିଛି ଅଶ୍ଳୀଳ ଗାଳି,ତାଜା ମାଡ଼।ଜିଦ୍ ଧରିଲେ ମେରିଆ ହଠାତ୍ ଏ ଘରଛାଡି ଯିବ ନହେଲେ କପିଳାକୁ ଦେବ ଡିଭୋର୍ସ।ଜ୍ବରରେ କମ୍ପୁଥିବା ପିତାମାତାଙ୍କୁ ଏ ଅବସ୍ଥାରେ ଛାଡି ସେ କେମିତି ବା ଯିବ?ଏପଟେ ମେରିଆ କଥା ନ ମାନିଲେ କୋଟିପତି ଝିଅର ସ୍ୱାମୀରୁ ବଂଚିତ ଆଉ ଧନରୁ ବି ବଂଚିତ ହେବ।କିଂକର୍ତ୍ତବ୍ୟବିମୁଢର ମଝି ନଦୀରେ କଣ ମାରିବ କାତ ନା ଆହୁଲା?ବୁଡିବ ନା ଜୀଇଁବ ଜୀବନ। ଦୀର୍ଘଶ୍ଵାସଟିଏ ଛାଡି ଧରିଲା ବ୍ୟାଗ।ଛୁଇଁଲା ମା ବାପାଙ୍କ ପାଦ।ଆଖିର ଲୁହ ଓ ମନର କୋହକୁ ଚାପି ବିଦାୟନେଲା ସେଇ ସ୍ନେହ କାଙ୍ଗାଳ,ମମତା କାଙ୍ଗାଳୀ ବାପା ମାଆଙ୍କ ଦେହରୁ... ନାଁ ମନରୁ....ନାଁ ହୃଦୟରୁ....ନାଁ ଆତ୍ମାରୁ।ଗୁରେଇଟା ପୁଅକୁ ଚାହିଁ ଚାହିଁ ବୁକୁ ଫଟାଇ କାନ୍ଦୁଥିଲା।ଆଉ ପରମାଟା କାନ୍ଦକୁ ଲୁଚେଇ ଲୁଚେଇ କହୁଥିଲା କାନ୍ଦେନା ଲୋ ଗୁରେଇ, ନହେଲେ ଆମ ପୁଅର ଅନିଷ୍ଟ ହେବ ଯେ?କପିଲାଟା ଚାଲିଗଲା ସିନା ହେଲେ ଭୁଲି ପାରୁ ନଥିଲା ତା ପିତାମାତାଙ୍କର ପ୍ରେରଣା।ନିଜକୁ ବୋଧ କରୁ କରୁ ବାପା ମାଆ ଦୁହେଁ ମନକୁ ମନ କହୁଥାନ୍ତି ଏ କଣ ଆମ ପ୍ରେରଣାର ପ୍ରତାରଣା।ଆଉ ସମୟ କହୁଥିଲା,.... ଛି ଛି କପିଳା... ଧିକ ଧିକ ଶତଧିକ.... ଏକଣ ପିତାମାତାଙ୍କର ସ୍ନେହ ଶ୍ରଦ୍ଧା ଭଲପାଇବା ଓ ପ୍ରେରଣାର ପ୍ରତିଦାନ...ମେଞ୍ଚା ମେଞ୍ଚା ପ୍ରତାରଣା।



Rate this content
Log in

Similar oriya story from Tragedy