ପ୍ରେମର ଅନୁସନ୍ଧାନେ
ପ୍ରେମର ଅନୁସନ୍ଧାନେ
-ଲିପି.....। ଜିନି ମ୍ୟାମ୍ ଙ୍କ ଡାକ ଶୁଣାଗଲା ଅଫିସ୍ ର ଗେଟ୍ ପାଖରୁ । ମ୍ୟାମ କଣ ଗୋଟେ କରୁଥାନ୍ତି ଆଉ ଲିପିକୁ ଡାକିଲେ । ଡାକ ଶୁଣି ତାର ବିଶ୍ୱାସ ହେଲାନି । ସେ ତା ନାଁ ଶୁଣି ଚମକି ପଡିଲା କିନ୍ତୁ କାନ ଡେରିକି ଶୁଣି ରହିଲା ତାକୁ ନା ଆଉ କାହାକୁ ବୋଲି ସିଓର୍ ହବା ପାଇଁ। ମ୍ୟାମ୍ ଙ୍କ ଡାକ ଶୁଣାଗଲା ଆଉ ଥରେ- ଲିପି, ଆରେ ଏ ଝିଅ, ଏତିକି ନ ଶୁଣୁ ଶୁଣୁ ଦଉଡି ଚାଲିଯାଇଥାଏ ଲିପି, ଅଫିସ୍ ଗେଟ୍ ପାଖକୁ ଟିକେ ଶୁଣିଲୁ ମାମା.....। ସତେ ଯେମିତି ସ୍ବର୍ଗୀୟ ସୁଖ ଟିକକ ଅନୁଭବ୍ କଲା ଲିପି, ମ୍ୟାମ୍ ଙ୍କ ର ଏ ଡାକ ଶୁଣି । ତା ରକ୍ତ ମାଂସ ଭେଦି ମର୍ମ ସ୍ପର୍ଶ କଲା ତାଙ୍କର ମାମା ଡାକ ଟିଏ। ମନ ତାର ମହୁର ବର୍ଷରେ ଭିଜୁଥାଏ । ପାଦ ତାର ମାଟି ଛୁଉଁ ନ ଥାଏ । ସେ ଯେମିତି ଖୁସିରେ ପାଗଳ ହେଇଯାଉଥାଏ । ମୁକ୍ତ ବିହଙ୍ଗଟିଏ ସାଜି ଆକାଶରେ ଉଡି ବୁଲୁଥାଏ । ଇଛା ହଉଥାଏ ତାକୁ ଖୁସିରେ ଟିକେ ଚିଲ୍ଲେଇବାକୁ, ମ୍ୟାମ୍ ଙ୍କ ପାଖରେ ଥିଲା ବୋଲି ଖାଲି ନିଜକୁ ନିୟନ୍ତ୍ରଣ ରେ ରଖିଥିଲା । ଖୁସିରେ ଗଦ୍ ଗଦ୍ ହେଇ ପଚାରିଲା - ହଁ ମ୍ୟାମ୍, ଡାକିଲେ ? ତାକୁ ଚାହିଁ ମ୍ୟାମ କହିଲେ- ହଁ, ପରା ସ୍କେଲ ରଖିଛୁ? ଯା ଟିକେ ଆଣିଲୁ, ଆଉ ହଁ ପେନସିଲ୍, ରବର୍, କଟର୍ ବି ଟିକେ ଆଣେ । ଆଜ୍ଞା ଏତିକି କହି ଦଉଡି ଆସିଲା ନିଜ ଶ୍ରେଣୀକୁ, ଆଉ ନିଜ ସ୍କେଲ୍ ପେନସିଲ କାଢି ସାଙ୍ଗ ବ୍ୟାଗକୁ ତର ତର ହେଇ କାଢ଼ିଲା ବହି ଖଟ କୁ ଏପଟେ ସେପଟେ କାଢି ଫିଙ୍ଗି ଦେଇ । ସମସ୍ତେ ତାକୁ କହୁଥାନ୍ତି ପାଗଳ ହେଇଗଲୁ କିରେ, କଣ ହେଇଚିଲେ ତତେ, କଇଁ ଏତେ ତରତର ? କାହା କଥାକୁ ଖାତିର ନ କରି ପୁଣି ପବନ ବେଗରେ ଦଉଡି ଗଲା ଅଫିସ୍ ରୁମକୁ । ଦୀର୍ଘ ନିଶ୍ଵାସଟେ ଛାଡି ସ୍କେଲ ପେନସିଲ ବଢ଼େଇଦେଇ ଶୀତଳ କଣ୍ଠରେ କେବଳ ଗୋଟିଏ ଶବ୍ଦ କହିଲା- ମ୍ୟାମ..., ହଁ ମାମା ଦେ ଏତିକି କହି ମ୍ୟାମ ତା ହାତରୁ ସେସବୁ ନେଇ ନିଜ କାମରେ ଲାଗିଲେ।
ପାଞ୍ଚ ସେକେଣ୍ଡ ପାଇଁ ମ୍ୟାମଙ୍କ ପାଖେ ଛିଡା ହେଇ ତାଙ୍କୁ ଆନନ୍ଦ ପୂର୍ଣ୍ଣ ନେତ୍ରରେ ଚାହିଁରହିଲା, ତାପରେ ଆଉ ଖାଲିଟାରେ କେତେ ସମୟ ବା ରହିବ ଚାଲିଯାଉଥିଲା ମୁହଁ ତଳକୁ କରି, ଲିପି..., ଡାକିଲେ ମ୍ୟାମ ସାଙ୍ଗେ ସାଙ୍ଗ ପୀଛେ ମୁଡ଼ ହେଇ କହିଲା-ୟେସ ମ୍ୟାମ, ତାକୁ ଚାହିଁ ହସ ହସ ମୁହଁରେ ତା ମୁଣ୍ଡରେ ହାତ ରଖି ମୁଣ୍ଡକୁ ଟିକେ ହଲେଇ ଦେଇ କହିଲେ- ମାଙ୍କଡ ଛୁଆ, କଣ ହେଲା, ଯା କ୍ଳାସ୍ ରେ ବସେ, ମୁଁ ଆସୁଛି । ସେ ବି ହସିଦେଇ ହୁଁ କହି ମୁଣ୍ଡ ହଲେଇ ଚାଲିଗଲା କ୍ଲାସ୍ କୁ । ଯାଇକି ଚୁପ୍ ହେଇକି ବସିପଡ଼ିଲା ନିଜ ସ୍ଥାନରେ ଆଉ ତା ସାଙ୍ଗ ଉପରେ ଡେରି ହେଇ ଧୀରେ ଧୀରେ କିଛି ଭାବିଲା ଭଙ୍ଗୀରେ କହିଲା- ମ୍ୟାମ ମତେ କଣ ଡାକିଲେ ଜାଣିଚୁ...? ଲିପି, ଟିକେ ଶୁଣିଲୁ ମାମା..., ଆଃ..... ଓଃ.... ମ୍ୟାମ୍ ପୁଣି ମତେ ? ବିଶ୍ୱାସ ହଉନି ଲୋ, ଲିପି........ମାମା..... ୟେ........., ପାଗିଳି ପରି ଦି ହାତକୁ ଖୁସିରେ ଉପରକୁ ଟେକି ଟିକେ ନାଚିଦେଲା, ସାଙ୍ଗମାନେ ହସିଦେଲେ । ସେ ବି ହସିଦେଲା ସାଙ୍ଗ ମାନଙ୍କ ପାଖେ ତା ଖୁସିକୁ ବାଣ୍ଟି ବାଣ୍ଟି । ଲାଗୁଥିଲା ଯେମିତି ଲିପି ଯୋଉ ପ୍ରେମର ଅନୁସନ୍ଧାନରେ ଥିଲା ଆଜି ପାଇଗଲା । କାରଣ ଖାଲି ଆଗ ବେଞ୍ଚର ପିଲା ନୁହଁ ପଛ ବେଞ୍ଚର ପିଲା ବି ଚାହାନ୍ତି କି ଟିଚର୍ ତାଙ୍କୁ ବି ଭଲ ପାଆନ୍ତୁ ତାଙ୍କ ନାଁ ବି ଡାକନ୍ତୁ ଆଉ ପଢେଇଲା ବେଳେ ତାଙ୍କୁ ବି ଦେଖିକି ପଢ଼ାନ୍ତୁ ପଚାରନ୍ତୁ ।
