GAGAN KUMAR DASH

Horror

4.0  

GAGAN KUMAR DASH

Horror

ପିତେଇଶୁଣୀ

ପିତେଇଶୁଣୀ

3 mins
242



  ୧୯୭୭ ମସିହାର କଥା। ଆମେ ସେତେବେଳେ ହାଇସ୍କୁଲ ଛାତ୍ର। ଗ୍ରୀଷ୍ମ ପ୍ରବାହରେ ଚାରି ଆଡେ଼ ଗରମ। ଗରମ ଯୋଗୁଁ ରାତିରେ ନିଦ ନାହିଁ। ପାହାନ୍ତିଆ ପହରକୁ ନିଦ ଆସିବା ବେଳକୁ ଗାଁ ଯାକ ଲୋକ ହାଉଯାଉ। ହଠାତ୍ ସକାଳୁ ପ୍ରଚାର ହୋଇଗଲା ଯେ ଗାଁ ର ମନୁଆ ବ୍ରାହ୍ମଣକୁ ଦୁଇ ମୁହାଁ ହୋଇଛି। ସେ ବଞ୍ଚିବା କଷ୍ଟକର। ରାତିରୁ ସକାଳ ଭିତରେ କୋଡ଼ିଏରୁ ପଚିଶ ଥର ଖାରିଆ ନାଳକୁ ଧାଇଁଲାଣି । ଝାଡା ବନ୍ଦ ହେଉନି। ଏପଟେ ମଝିରେ ମଝିରେ ବାନ୍ତି ହେଉଛି। କିଏ କହୁଥାଏ ଠାକୁରାଣୀଙ୍କ ଆମ୍ବ ଗଛରୁ ଆମ୍ବ ଚୋରିର ପ୍ରଭାବରେ ଠାକୁରାଣୀଙ୍କ କୋପ ଦୃଷ୍ଟି ପଡ଼ିଛି।

କିଏ କହୁଛି ଲୋଭରେ ଅଧିକ ଖାଇ ଦେଇଛି। ଏପରି ଅନେକ କଥା। ବହୁତ ଝଡାଫୁଙ୍କା ମଧ୍ୟ ହେଲାଣି। କିଏ ଚେରି ମୂଳ ବାଟି ପିଆଇଲେଣି। ଝାଡା କମିବାର ନାଁ ଗନ୍ଧ ଧରୁନି । 

  ମନୁଆ ବ୍ରାହ୍ମଣକୁ ସମସ୍ତେ ଲୋଭି ବୋଲି ଜାଣନ୍ତି। ସେ ସବୁବେଳେ ଲୋଭିଲା ଆଖିରେ ଚାରିଆଡେ ଅନାଇ ଥାଏ। କେତେବେଳେ କାହା ବାଡିରୁ କାକୁଡି ତ କାହା ବଗିଚାରୁ ଫୁଲ ନେବା ତାହାର ନିତିଦିନିଆ ଜୀବନର ଘଟଣା। କାହାକୁ ଡରେ ନାହିଁ। ଆଣିବା ବେଳେ କିଏ ଦେଖି ଦେଲେ କହେ ପୂଜାରେ ଲାଗିବ। କିଛି କହିବୁ ଅଭିଶାପ ଦେବି। ଚଣ୍ଡି ପାଠ କରି ତୋ ବଂଶକୁ ଧ୍ବଂସ କରିଦେବି। ଲୋକେ ମଧ୍ୟ ବ୍ରାହ୍ମଣ କଥାରେ ଡରିଯାଆନ୍ତି । ସେହି ସମୟରେ ଅନ୍ଧବିଶ୍ୱାସର ପ୍ରକୋପ ସହ ଭକ୍ତି ର ଧାରା ଚାଲିଥାଏ। ଏଣୁ କିଏ କିଛି କହନ୍ତି ନାହିଁ।

ଆସନ୍ତା କାଲି ରବିବାର । ବ୍ରାହ୍ମଣ କୁ ମାଛ ଖାଇବାକୁ ଇଚ୍ଛା ହେଲା । ରବିବାର ମାଛରେ ଜମିବ ଭାବି ଏକ ଉପାୟ ଚିନ୍ତା କଲା। ଆମ ଗାଁ ର ଚନ୍ଦନୀବନ୍ଧରେ ମାଛ ଚାଷ ହୋଇଥାଏ। ଖରା ଗୁଲୁଗୁଲିରେ ବନ୍ଧରେ ଥିବା ମାଛ ସବୁ ରାତି ର ସାମାନ୍ୟ ଥଣ୍ଡା ରେ ଉପରକୁ ଚାଲିଆସନ୍ତି। ସେ ସୁଯୋଗ ଖୋଜୁଥିଲା। କେବଳ ଭାର୍ଯ୍ୟାକୁ କହିଲା ମୁଁ ବନ୍ଧକୁ ଝାଡା ଯାଉଛି। ଏତିକି କହି ଘରେ ବ୍ରାହ୍ମଣିଆ କାମରୁ ମିଳିଥିବା ଝଜି ଗାମୁଛା ଧରି ଅନ୍ଧାର ରାତିରେ ବାହାରି ପଡ଼ିଲା ମାଛ ଧରିବା ପାଇଁ। ସେ ଦିନ ରାତିରେ ଗାଁ ସାରା ଲୋକ ଶୋଇପଡିବା ପରେ ପାଖରେ ଥିବା ଚନ୍ଦନୀବନ୍ଧ ପାଖକୁ ଧିରେ ଧିରେ ଚାଲିଲା। 


 ବନ୍ଧ ପାଖର ପାଉଛ ପାଖରେ ପହଞ୍ଚିଛି କ'ଣ ଗୋଟାଏ ଖସ୍ ଖସ୍ ହୋଇ ତାରି ଆଡ଼କୁ ମାଡ଼ି ଆସିଲା । ସେ ଭାବିଲା ବୋଧେ କିଏ ପାଣି ଘେନିବାକୁ ଆସୁଥିବ । ଏଣୁ ବନ୍ଧ ଭିତରକୁ ନ ଯାଇ ଗଳା ଖଙ୍କାରି ଛିଡ଼ା ହୋଇଥାଏ। ଅଶରୀରିଟି ଧିରେ ଧିରେ ତାର ନିକଟ ତର ହେଉଥାଏ। ଅଶରୀରିଟି ଯେତେ ବ୍ରାହ୍ମଣ ପାଖକୁ ନିକଟତର ହେଉଥାଏ ବ୍ରାହ୍ମଣ ମନରେ ସେତେ ଅଧିକ ସନ୍ଦେହ ଓ ଭୟ ଜାତ ହେଉଥାଏ।


  ହଠାତ୍ ଏକ ନିଆଁ ହୁଲା ହୋଇ ନିଆଁ ଟି ଲିଭିଗଲା। ଗୋଟିଏ ଛୋଟ ଶିଶୁର କାନ୍ଦିବା ଶବ୍ଦ ଆସିଲା। ସେ ନିର୍ବିକାର ନିଷ୍ପ୍ରଭ ହୋଇଉଠିଲା। ନିରେଖି ଅନାଇଲା ଜଣେ ସ୍ତ୍ରୀ ଲୋକ ଲଂଗଳା ହୋଇ ଗୋଡ଼ ଲମ୍ବାକରି ବସିଛି। କୋଳରେ ତାହାର ସଦ୍ୟ ଜାତ ଶିଶୁଟି କୁଆଁ କୁଆଁ ହୋଇ କାନ୍ଦୁଛି। ବେଳେବେଳେ ନିଆଁ ଜଳୁଛି ଲିଭୁଛି। ସେ ସ୍ତ୍ରୀ ଲୋକଟି ଶିଶୁଟିକୁ ନିଆଁରେ ସେକୁଛି ଓ ବେଳେବେଳେ ନିଜେ ମଧ୍ୟ କାନ୍ଦୁଛି। ଏମିତି ଏକ କିଳିକିଳା ରଡି କଲା ସେଥିରେ ବ୍ରାହ୍ମଣ ଡରି ଅଚେତ ହୋଇଗଲା। ଭୟରେ ବ୍ରାହ୍ମଣର କଚ୍ଛା ମାରା ହୋଇଗଲା।


   ଏପଟେ ବୁଡି ବ୍ରାହ୍ମଣୀ ଦେଖିଲା ବୁଢ଼ା ଏତେ ସମୟ ହେଲା ବନ୍ଧକୁ ଯାଇଛି ଫେରି ନାହିଁ। ତା ମନକୁ ପାପ ଚିନ୍ତା ଆସିଲା। ପୁଅକୁ ଯାଇ କହିଲା ପୁଅ ବାପା ଚନ୍ଦନୀବନ୍ଧକୁ ପାଣି ସାରିବା ପାଇଁ ଦୁଇ ଘଣ୍ଟା ହେଲା ଯାଇଛନ୍ତି ଫେରି ନାହାଁନ୍ତି। ଟିକେ ଯାଇ ଦେଖିଲୁ। ପୁଅ କୁନ୍ଥୁ କୁନ୍ଥୁ ହୋଇ ଅନିଚ୍ଛାକୃତ ଭାବେ ହାତରେ ଟର୍ଚ୍ଚ ଟିଏ ଧରି ଚାଲିଲା ବାପାକୁ ଖୋଜିବା ପାଇଁ। ସାଙ୍ଗରେ ମତେ ମଧ୍ୟ ଡାକି ଧରି ବନ୍ଧ ଅଭିମୁଖେ ଚାଲିଲୁ। ଆମେ ଦୁହେଁ ଡ଼ାକି ଡାକି ଯାଉ ଥାଉ ହଠାତ୍ ଗୋଟିଏ ନିଆଁ ହୁଳା ହୂତ୍ ହୋଇ ଜଳି କେଉଁ ଆଡେ ଚାଲିଗଲା। ମୁଁ ଡରି ଗଲି। ମତେ ସେ ସାହାସ ଦେଉଥାଏ ଡରନି ପୃଥିବୀରେ ବାୟୁମଣ୍ଡଳର କିଛି ପରିବର୍ତ୍ତନ ହୋଇ ଏପରି ଅବସ୍ଥା ହୋଇଥାଏ। ମୁଁ ସିନା ହଁ କରିଦେଲି। ହେଲେ ମୋର ପିଲେହୀ ପାଣି ହୋଇଯାଉଥାଏ। ଯେମିତି ଚନ୍ଦନୀବନ୍ଧର ପାଉଛକୁ ଟର୍ଚ୍ଚ ମାରିଛୁ ଦେଖିଲୁ ବୁଢ଼ା ଅଚେତ ହୋଇ ପଡ଼ିଛି। ଲୁଗା ପଟା ମାରା । ତା ମୁହଁକୁ ପାଣି ମାରିଲୁ। ବୁଢ଼ା ଟିକେ ପ୍ରକୃତିସ୍ଥ ହେବା ପରେ ତାର ଦୁଇ ଢେଣାକୁ ଧରି ଘରକୁ ନେଇ ଆସିଲୁ। ତା'ର ଲୁଗା ପଟା ବଦଲାଇ ଦେଲୁ। ହେଲେ କଣ ହେବ ସେତିକି ବେଳୁ ବୁଢ଼ାର ଦୁଇ ମୁହାଁ ଆରମ୍ଭ ହୋଇଗଲା । ଆଉ କମିଲା ନାହିଁ।


   ଏ ଘଟଣା ଯେତେବେଳେ ଆମେ ଗାଁ ରେ କହିଲୁ ସମସ୍ତେ କହିଲେ ପାଖ ଗାଁ ର ନୂଆଁ ବୋହୂ ଜଣେ ଗର୍ଭବତୀ ଥିଲା। ଯୌତୁକ ଲୋଭରେ ତାଙ୍କର ଘର ଲୋକ ପୋଡ଼ି ମାରିଦେଲେ। ଗର୍ଭରେ ଥିବା ଶିଶୁ ସହିତ ମାଁ ପୋଡ଼ି ପାଉଁଶ ହୋଇଗଲା। ସେହି ପାଉଁଶ ଓ ହାଡକୁ ଆଣି ବନ୍ଧ ହୁଡ଼ା ନିକଟରେ ପକାଇ ଦେଇ ଚାଲିଗଲେ। ସେ ଦିନ ଶନିବାର ରାତିରେ ହୋଇଥିଲା। ଏଣୁ ସେ ପ୍ରତି ଶନିବାର ରାତିରେ ପିଶାଚୁଣୀ ହୋଇ ଶିଶୁକୁ ବନ୍ଧ ହୁଡ଼ାରେ ନିଆଁରେ ସେକିବାକୁ ଆସିଥାଏ। ରାଗ ଓ ଘୃଣାରେ ଜଳୁଥାଏ । ତାହାର ହାବୁଡ଼ରେ ଯିଏ ପଡ଼ିବ ସେ ତାକୁ ମାରିଦିଏ। 


   ଔଷଧ ପତ୍ର ପରେ ବହୁ କଷ୍ଟରେ ବୁଢ଼ା ବଞ୍ଚିଗଲା ସତ କିନ୍ତୁ ଯୁଗ ଯୁଗ ପାଇଁ କଥା ରହିଗଲା। ଆଜି ମଧ୍ୟ ଚନ୍ଦନୀବନ୍ଧକୁ ରାତିରେ ଯିବା ପାଇଁ ଲୋକେ ଡରୁଛନ୍ତି।

ଏହା ପ୍ରକୃତିର ରାସାୟନିକ ପ୍ରକ୍ରିୟାର ନିଆଁ ହେଉ କି ଭୌତିକ ନିଆଁ ହେଉ ମୋର ଅଙ୍ଗେଲିଭା କଥା। କେବଳ ବ୍ରାହ୍ମଣର ଛଦ୍ମନାମ କରଣ କରିଛି।



Rate this content
Log in

More oriya story from GAGAN KUMAR DASH

Similar oriya story from Horror