STORYMIRROR

dev Malhotra

Tragedy

3  

dev Malhotra

Tragedy

ପାଗଳି ରାଧିକା

ପାଗଳି ରାଧିକା

6 mins
257


ସେଦିନ ପ୍ରଥମ ଥର ଭେଟ ହୋଇଥିଲା ମୋର ପାଗଳି ରାଧିକ ସହିତ l


ମଧ୍ୟାହ୍ନ ସମୟରେ ଭୋଜନ କରିବା ଲାଗି ଯାଇଥାଏ କୁନୁ ଭାଇଙ୍କ ହୋଟେଲକୁ.......... 


କିନ୍ତୁ ଇଏ କଣ ଆଜି କୁନୁ ଭାଇଙ୍କ ହୋଟେଲ ବନ୍ଦ ଅଛି l କଣ କରିବି କିଛି ବୁଝିପାରୁନଥିଲି ସେତେବେଳେ l କିଛି ଦୂରରେ ଗୋଟିଏ ଛୋଟ ଢ଼ାବାଟିଏ ଥିଲା କିନ୍ତୁ ସେ ଢ଼ାବାରେ ଖାଇବା ମୋ ପାଇଁ ସମ୍ଭବପର ନଥିଲା l ବହୁତ ଅସନା ରହୁଥିଲା ସେ ଢ଼ାବା କେବଳ ମୂଲିଆ, ମଳିମୁଣ୍ଡିଆ ମାନେ ହିଁ ସେ ଢାବାରେ ବସି ଖାଇ ପାରିବେ l ନାଁ ରୋଷେଇ କରିବାର ଢଙ୍ଗ ଥିଲା ସେଠି, ନାଁ ବସି ଖାଇବା ଲାଗି ଭଲ ସୁବିଧା l 


ଦୂର ଦୂର ପର୍ଯ୍ୟନ୍ତ ବି କୌଣସି ଖାଇବାର ବ୍ୟବସ୍ଥା ନଥିଲା l ଏମିତି ଅଞ୍ଚଳକୁ ମୋର ଟ୍ରାନ୍ସଫର ହେଇଚି ଭାବିଲା ବେଳକୁ ବହୁତ ରାଗ ଲାଗୁଥିଲା ନିଜକୁ l ଯୁଆଡେ ଆଖି ପକାଏ ଖାଲି ଜଙ୍ଗଲ ଆଉ ପାହାଡ l ଆଦିବାସୀ ଲୋକ ଭରି ହୋଇ ରହିଥିଲେ ସେଠି l ମୁଁ ଉପାୟ ଶୂନ୍ୟ ଥିଲି ବାଧ୍ୟ ହୋଇ ସେଇ ଢ଼ାବାକୁ ହିଁ ଖାଇବା ପାଇଁ ଯିବାକୁ ପଡିଲା 


ଗୋଟିଏ ପ୍ଲେଟ ସାଧା ମିଲ ଅର୍ଡର ଦେଇ, ବେଞ୍ଚ ଉପରେ ନିଜର ରୁମାଲ ବିଛେଇ ବସିପଡ଼ିଲି l କିଛି ସମୟ ଭିତରେ ହିଁ ମୋ ପାଖକୁ ଖାଇବା ଆସିଗଲା l ମୁଁ ଜଷ୍ଟ ଆରମ୍ଭ କରିଚି କି ନାହିଁ କେହି ଜଣେ ଦୌଡ଼ି ଦୌଡ଼ି ଢ଼ାବା ଭିତରକୁ ପଶିଆସିଲା ଓ ସିଧା ଯାଇ ମୋ ଟେବଲ ଆଗରେ ଲଥ କିନା ବସି ପଡିଲା l

ମୁଁ ଧଡ଼ କି ଚମକି ପଡି ତାକୁ ଦେଖିଲାରୁ....... ସେ ମତେ ହିଁ ଦେଖୁ ଥାଏ ତାର ଡିମା ଡିମା ଅସନା ଆଖିରେ l 


ଆଖି କଡରେ କୋଉ ଦିନର ଲେଞ୍ଜଡା ଲାଖି ରହିଥାଏ l ମୁଣ୍ଡରେ ଝାମ୍ପୁଡା ଝାମ୍ପୁଡା ଅଠାଳିଆ ବାଳ l ସତେ ଯେମିତି ସେ ବାଳଗୁଡା ପାନିଆକୁ ଡରି ଡରି ଲୁଚିକି ରହୁଛନ୍ତି ତା ମୁଣ୍ଡରେ l ଚିରା ଫଟା କପଡା ପିନ୍ଧିଥାଏ, ସେ କପଡା କୋଉ ଯୁଗରୁ ସଫା ନ ହେଇଥିବା ପରି ଦିଶୁଥାଏ l ପାଗଳି ପ୍ରାୟ ମନେ ମନେ ଗୁଣୁ ଗୁଣୁ ହଉଥାଏ l


ତାକୁ ଦେଖି ମୋ ମନ ଭିତରେ ଟିକେ ଡର ପଶିଗଲା l ଗୋଟିଏ ଗୁଣ୍ଡା ଭାତ ବି ପାଟିକୁ ନବାପାଇଁ ଇଚ୍ଛା ହେଲାନି l

ସେ ପାଗଳି ମୋ ଆଡକୁ ଏମିତି ଚାହିଁ ରହିଥାଏ ସତେ ଯେମିତି ମୁଁ ତା ଠାରୁ କିଛି ଚୋରେଇ ନେଇଯାଇଛି ଆଉ ସେ ମୋଠୁ ମାଗି ନବାକୁ ଆସିଚି l

କିନ୍ତୁ ହୋଟେଲର କର୍ମଚାରୀ ତାକୁ ବାହାରକୁ କାହିଁକି କାଢୁ ନାହାନ୍ତି l ମୋ ପରି ସମସ୍ତେ ତାକୁ ତାଟକା ହୋଇ ଚାହିଁ ରହିଥାନ୍ତି l ସତେ ଯେମିତି ସେ ଏଇ ହୋଟେଲର ମାଲିକିଆଣି l 


 ସେଇ ସମୟରେ କିଛି ଲୋକ ଢ଼ାବା ଭିତରକୁ ଖାଇବାକୁ ଆସିଲେ l


ସେମାନଙ୍କୁ ଦେଖି ହଠାତ ପାଗଳିର ରୂପ ପରିବର୍ତ୍ତନ ହୋଇଗଲା ସିଏ ଦୌଡ଼ି ଯାଇ ପାଖରେ ଥିବା ଗନ୍ଦା ନାଳୀକୁ ଡେଇଁ ପଡିଲା ଓ ଜୋର ଜୋର ଚିଲେଇ ଚିଲେଇ ସେ କାଦୁଅ ଭରା ନାଳିରେ ତାଣ୍ଡବ କରିବାକୁ ଲାଗିଲା l ତାକୁ ଦେଖି ସମସ୍ତଙ୍କ ମୁଁହରେ ଡର ଖେଳି ଉଠିଲା l କେହି ତା ପାଖକୁ ଯିବାକୁ ସାହସ କରୁନଥିଲେ ଆଉ ତାର ତାଣ୍ଡବ ମଧ୍ୟ ସରୁନଥାଏ, ସେ କେବଳ ମୋ ଆଡକୁ ଆଙ୍ଗୁଠି ଦେଖାଇ କଣ ଗୁଡ଼ାଏ କହି ଯାଉଥାଏ l ମୋ ମନର ଭୟ କହିଲେ ନସରେ l 

କିଛି ସମୟ ଏମିତି ଚାଲିବା ପରେ ଢ଼ାବାର ମାଲିକ ରଘୁନାଥ ଆସି ପହଁଚିଲା l ତାକୁ ଦେଖିବା କ୍ଷଣି ସେ ପାଗଳି ଟିକେ ଶାନ୍ତ ହୋଇଗଲା l ସେ ପାଗଳି ଆଉ ରଘୁନାଥର ଆଖିରୁ ଲୁହ ଝର ଝର ହୋଇ ବୋହି ଯାଉଥାଏ l ମୁଁ ମାଜରା କିଛି ବୁଝି ପାରୁନଥିଲି 


ରଘୁନାଥ ତା ଆଡକୁ ଯାଉ ଯାଉ କହୁଥାଏ , ସିଏ ଇଏ ନୁହେଁ.. ସିଏ ଇଏ ନୁହେଁ... 


ହନୁମାନ ଚାଳିଶା ପଢିଲେ ଯେମିତି ଭୂତ ପ୍ରେତ ଦୂରେଇଯାନ୍ତି ସେଇପରି ରଘୁନାଥର ଏଇ କିଛି ଶବ୍ଦ ଶୁଣି ସେ ପାଗଳି ପୁରା ଶାନ୍ତ ହୋଇଗଲା ଓ ଜୋର ଜୋରରେ ଚିତ୍କାର କରି କାନ୍ଦିବାକୁ ଲାଗିଲା l ରଘୁନାଥ ମଧ୍ୟ ସେଇପରି କାନ୍ଦି କାନ୍ଦି ତା ପାଖକୁ ଯାଇ ତାକୁ ଶାନ୍ତ କରିବାକୁ ଚେଷ୍ଟା କଲା l


କିଛି ସମୟ ପୁରା ଶାନ୍ତର ମହଲ ଖେଳିଗଲା ଢ଼ାବା ଭିତରେ, ତାପରେ ଆମେ ସମସ୍ତେ ସେଠୁ ଖାଲି ପେଟରେ ଫେରିଲୁ l


ମୁଁ ମୋ ସାଇଟକୁ ଫେରିଗଲି l ପେଟରେ ସିନା ଭୋକ ନଥିଲା କିନ୍ତୁ ମନରେ ଅନେକ ପ୍ରଶ୍ନ ଥିଲା, ସେ ପାଗଳିକୁ ନେଇ, ସେ କିଏ ମତେ କାହିଁକି ଏପରି ଚାହିଁ ରହିଥିଲା, ଆଉ ରଘୁନାଥ ସହିତ ତାର ସମ୍ପର୍କ କଣ, ସେ କାହିଁକି ରଘୁନାଥକୁ ଦେଖି ଶାନ୍ତ ହୋଇଗଲା l ଆଉ ରଘୁନାଥ କାହା ବିଷୟରେ କହୁଥିଲା 

ମନ ଭିତରଟା କେମିତି ଏକ ବିଚଳିତ ହେଇ ଉଠୁଥାଏ l ତାର କରୁଣ କାନ୍ଦକୁ ବି ମୁଁ ଭୁଲି ପାରୁନଥିଲି l


ସନ୍ଧ୍ୟା ସମୟରେ ରୁମକୁ ଫେରିବା ବେଳେ ଭାବିଲି ରଘୁନାଥ ସହ ଟିକେ ଦେଖା କରିଯିବି, ମୋ ମନର ସବୁ ପ୍ରଶ୍ନର ଉତ୍ତର ସେଇଠି ହିଁ ମିଳିବ ଏହା ଭାବି ମୁଁ ଢ଼ାବା ଭିତରକୁ ପଶିଲା କ୍ଷଣି ଦେଖେ ରଘୁନାଥ ସେ ପାଗଳିକୁ ମଲହମ ଲଗେଇଦେଉଛି ତାର କଟି ଯାଇଥିବା ଗୋଡ଼ରେ l ମୁଁ ଧିରି କିନା ବାହାରକୁ ଚାଲି ଆସିଲି l ରଘୁନାଥ ବୋଧହୁଏ ମତେ ଦେଖିଥିଲା l କିଛି ସମୟ ବ୍ୟବଧାନରେ ସେ ବାହାରକୁ ଆସିଲା ଓ ମତେ କିଛି ଦୁରକୁ ଟାଣି ନେଇ କହିଲା ବାବୁ ଆପଣ ରାଧିକାଠୁ ଦୂରେଇ ରୁହନ୍ତୁ ଆପଣକୁ ଦେଖି ସେ ଆଜି ଏମିତି ହେଉଥିଲା l


ମୁଁ ଆହୁରି ସନ୍ଦେହ ଘେରରେ ପଶିଗଲି l ରଘୁନାଥକୁ ମୁଁ ପ୍ରଥମ ପ୍ରଶ୍ନ ପଚାରିଲି କି ସେ ପାଗଳି ସହିତ ତମର ସମ୍ପର୍କ କଣ..... 

ରଘୁନାଥ ମୁରୁକି ହସା ମାରି କହିଲା, ପାଗଳି ରାଧିକ ନା ମୋର ବନ୍ଧୁ ନା ମୋର କେହି ଆପଣାର, ତା ସହ କେବଳ ମୋର ମଣିଷତ୍ୱର ସମ୍ପର୍କ l ତା ପାଖରେ ମୁଁ ଋଣୀ l ମୁଁ ରଘୁନାଥର ଅଧା ଅଧା କଥା କିଛି ବୁଝି ପାରୁନଥାଏ l ମୁଁ କିଛି ସମୟ ନିରବ ରହିଲା ପରେ............. 



ରାଧିକା ମଡେଲ ଥିଲା -- ରଘୁନାଥ ବହୁତ ନିରବ କଣ୍ଠରେ କହିବା ଆରମ୍ଭ କଲା ରାଧିକାର କାହାଣୀ l

ଚାରି ପାଞ୍ଚ ବର୍ଷ ପୂର୍ବେ ସୁଟିଙ୍ଗ ପାଇଁ ଆସିଥିଲେ ଏଇ ଜଙ୍ଗଲକୁ l ମୋର ଆଗରୁ ଏଇଠି ଗୋଟିଏ ଚାହା ଦୋକାନ ଥିଲା l ଆଉ ରାଧିକ ସବୁଦିନ ସନ୍ଧ୍ୟାରେ ନିଜ କାର ନେଇ ଚାହା ପିଇବାକୁ ଆସିଥାଏ l ବହୁତ ଭଲ ଝିଅଟିଏ ଥିଲା, ଏତେ ବଡ ବାପାର ଝିଅ ହେଇ ସୁଧା ସେ ଏଇ ଗଛ ମୂଳେ ବସି ଚାହା ପିଏ, ଆଉ ମୋ ସହ ଏଣୁ ତେଣୁ କେତେ ଗପେ l ବିଚାରିର ମାଆ ନଥିଲା ଏକା ବାପ ତାକୁ ଛୋଟ ବେଳୁ ପାଳି ପୋଷି ବଢେଇଛି l ଭଲପାଇବା ଟିକକ ପାଇଁ ସତେ ଯେମିତି ଝୁରି ହେଉଥିଲା ସେ l କିନ୍ତୁ ଅନ୍ୟର ସାହାଯ୍ୟ କରିବାକୁ ସବୁବେଳେ ତତ୍ପର ରହୁଥାଏ l


ଦିନକର କଥା ମୁଁ ସବୁଦିନ ପରି ନିଜ ଦୋକାନରେ ଥାଏ l ରାଧିକ ଆସି ପହଞ୍ଚିଲା ସାଥିରେ ଦୁଇଜଣ ପିଲାଙ୍କୁ ଆଣିଥାଏ, ମୁଁ ଚାହା ଯାଚିଲାରୁ ମନା କରିଦେଲା କହିଲା ମୁଁ ଆଜି ଚାହା ପିଇବାକୁ ଆସିନି, କିଛି ମାଗିବାକୁ ଆସିଛି l ମୁଁ ବା ତାକୁ କଣ ଦେଇପାରିଥାନ୍ତି ତଥାପି ମୁଁ କହିଲି କୁହ କଣ ଦରକାର ତମର, ତେବେ ରାଧିକ କହିଲା ରଘୁ ଅଙ୍କଲ ଇଏ ଦୁଇଜଣ ପିଲାଙ୍କର କେହି ନାହାନ୍ତି ତମେ ତମ ଦୋକାନରେ କିଛି କାମ ଦିଅ ତାଙ୍କୁ l ମତେ ତା କଥା ଶୁଣି ବହୁତ ହସ ଲାଗିଲା l ଏକରେ ତ ମୋର ଯେତିକି ରୋଜଗାର ସେଥିରେ ନିଜର ପରିବାର ପେଟ ପୋଷିବା କଷ୍ଟ ହଉଚି l ତାପରେ ଏ ଦୁଇ ଜଣଙ୍କୁ କାମ କୋଉଠୁ ଆଣିଦେଵି l ଆଉ ସେ ମଧ୍ୟ ଜାଣିଛି ମୋ ପରିସ୍ଥିତି ବିଷୟରେ ତଥାପି....... 



ମତେ ଶାନ୍ତ ରହିବାର ଦେଖି ରାଧିକା କହିଲା ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ଏ ଚାହା ଦୋକାନରେ ରଖିବାକୁ କହୁନି ଏ ଦୁଇ ଜଣଙ୍କୁ l ତମେ ଏଠି ଗୋଟିଏ ଢ଼ାବା ତିଆରି କର ଯେତିକି ଖର୍ଚ୍ଚ ହବ ମୁଁ ଦେବି l ଆଉ ସେ ଢାବାରେ କାମ କରିବେ ଏ ଦୁହେଁ l


ମୁଁ ତାକୁ ଯେତେ ମନକଲେ ବି ସେ ମାନିବାକୁ ନାରାଜ l ସେଇଠୁ ଗୋଟିଏ ସୁନ୍ଦର ଢ଼ାବା ତିଆରି କରାଗଲା ଏଇଠି l ସବୁ ପଇସା ସିଏ ଦେଇକି ମତେ ତା ପାଖରେ ଋଣୀ କରିଦେଲା l

ଆଗ ପରି ମଧ୍ୟ ପ୍ରତିଦିନ ସନ୍ଧ୍ୟାରେ ଆସେ ଏ ଢ଼ାବାକୁ ଚାହା ପିଇବା ଲାଗି l ଏବେ ସିନା ଏଠିକୁ କୋଉ ବାବୁ ଆସୁନାହାନ୍ତି ଖାଇବା ଲାଗି, ସେତେବେଳେ କିନ୍ତୁ ସବୁ ସହରୀ ବାବୁମାନେ ମୋ ଢ଼ାବାକୁ ଆସୁଥିଲେ l 


ସେ ବାବୁମାନଙ୍କ ଭିତରୁ ଜଣେ ଥିଲେ ମାନସ ବାବୁ l ଦେଖିବାକୁ ପୁରା ରାଜା ପୁଅ ପରିକା, ରୂପ ଯେମିତି ଗୁଣ ବି ସେମିତି ଥିଲା ତାଙ୍କର l ବ୍ୟବହାର ଏତେ ଭଲ ଥିଲାଯେ ରାଗିଥିବା ଲୋକ ବି ତାଙ୍କ କଥା ଶୁଣି ଶାନ୍ତ ହେଇଯିବ l କେଜାଣି କେଉଁ ଦିନରୁ ରାଧିକ ଆଉ ମାନସ ବାବୁଙ୍କ ଭିତରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇ ସାରିଥିଲା l ମୁଁ ସେଦିନ ଜାଣିଲି ଯୋଉଦିନ ରାଧିକା ଡହ ଡହ ଖରାରେ ଖାଲି ପାଦରେ, ହାତରେ ଗୋଟିଏ ବେଗ ଟାଙ୍ଗୀ ଦୌଡ଼ି ଦୌଡ଼ି ଆସିଥିଲା ମୋ ପାଖକୁ l ସେଦିନ ପ୍ରଥମ ଆଉ ଶେଷ ଥର ତା ଓଠରେ ଖୁସି ଦେଖି ଥିଲି l ବହୁତ ଖୁସିରେ ହସି ହସି ତାଙ୍କ ପ୍ରେମ ସମ୍ପର୍କ ବିଷୟରେ କହିଗଲା l ଆଉ ପୁଣି କହିଗଲା ବାପା ଆମ ପ୍ରେମକୁ ନେଇକି ଖୁସି ନାହାନ୍ତି ମୁଁ ବାପାଙ୍କୁ ସବୁ ଜଣେଇଦେଇଛି l ସେ ରାଗିକି କହିଲେ ମୁଁ ମାନସକୁ ମାରିଦେବି ବୋଲି ଆଉ ତୋ ମୁହଁ କେବେ ବି ଚାହିଁବିନି l ମୁଁ ବି ତାଙ୍କର ଝିଅ ମୁଁ ବି କହିଦେଲି ମୁଁ ବି ଆଉ କେବେ ତୁମ ପାଖକୁ ଯିବିନାହିଁ, କି ତମ ମୁହଁ ଚାହିଁବି ନାହିଁ l କଣ ଫାଇଦା ସେ ଘରେ ରହିବାର ଛୋଟ ବେଳୁ ଆଜିଯାଏ ଭଲ ପାଇବା କଣ ଜାଣି ନଥିଲି, ଆଜି ପ୍ରଥମ ଥର ମାନସଙ୍କ ପରି ମତେ ଏତେ ଭଲ ପାଉଥିବା ମଣିଷ ପାଇଚି ତାଙ୍କୁ କେମିତି ବା ହରେଇବି , ଏତିକି କହି ଦୁଇଧାର ଲୁହ ବୋହିଗଲା ତା ଆଖିରୁ l ମୁଁ ତା ମୁଣ୍ଡରେ ହାତ ମାରିକି କହି ଥିଲି ସବୁ ଠିକ ହେଇଯିବ l


କିନ୍ତୁ କିଛି ଠିକ ହେଲାନି ସେ ସେମିତି ବେଞ୍ଚରେ ବସି ରହିଥାଏ l ନା ମାନସ ବାବୁ ଆସିଲେ ନା ତାଙ୍କର ଫୋନ ଆସିଲା l ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କିଛି ଖାଇଲା ନାହିଁ କି ସେଠୁ ଉଠିଲା ନାହିଁ l ସେମିତି ବସି ଅପେକ୍ଷା କରିଥାଏ ତା ପ୍ରେମକୁ l ସମୟ କ୍ରମେ ମୁଣ୍ଡ ବିକୃତି ହେବାକୁ ଲାଗିଲା l ଇଆଡ଼େ ସିଆଡେ ଘୁରି ବୁଲିଲା l କାନ୍ଦିଲା, ହସିଲା, ସବୁ ଜାଗାରେ ମାନସକୁ ଖୋଜିଲା l ଯଦି କୋଉ ବାବୁକୁ ଦେଖେ ବଡ ବଡ ଆଖି କରି ଚାହିଁ ରହିବ l ନିରିଖେଇକି ଦେଖିବ କାଳେ ସିଏ ତା ମାନସ କି l ଏମିତି ବନିଗଲା ସେ ମଡେଲ ରାଧିକାରୁ ପାଗଳି ରାଧିକା...... ପାଗଳି ରାଧିକା 



Rate this content
Log in

Similar oriya story from Tragedy