dev Malhotra

Tragedy Others

3  

dev Malhotra

Tragedy Others

ଭୁଲ କାହାର

ଭୁଲ କାହାର

4 mins
212



ବେଳେବେଳେ ମୋ ଭାବନାକୁ ନେଇକି ପ୍ରଶ୍ନ ଉଠାଏ ମୋ ଅନ୍ତରାତ୍ମା l ସତରେ କ'ଣ ମୋ ବିଚାରଧାରା ଠିକ? କେବେକେବେ ଉତ୍ତର ମିଳେ ହଁ, ତ କେବେକେବେ ନାଁ l


ମୁଁ ରାଘବ, ମୋ ସରନେମ କ'ଣ ଏପର୍ଯ୍ୟନ୍ତ ଜାଣିନାହିଁ l ମୋର ହେତୁ ହେବା ଦିନଠାରୁ ରଘୁନାଥ ବାବୁଙ୍କ ହୋଟେଲରେ କାମ କରିଆସିଚି l ଛୋଟବେଳୁ ଲୋକଙ୍କ ଅଇଁଠା ବାସନ ଧୋଇ ଧୋଇ ବଡ ହେଇଚି l ଏଇ ଛ ମାସ ହେବ ହୋଟେଲର କାଉଣ୍ଟର ଦାୟିତ୍ୱ ସମ୍ଭାଳୁଚି l ସ୍କୁଲ ଦୁଆରେ ପାଦ ନ ପକେଇକି ମଧ୍ୟ ହିସାବ କିତାବ କରିପାରିବା ଓ ଦୁଇ ଚାରିପାଦ ଇଂଲିଶ ରେ କଥା କହି ପାରୁଥିବାରୁ ଏ ପଦବୀ ଟି ପାଇପାରିଲି l ଆଉ ସେଇଟା କେବଳ ସମ୍ଭବ ହୋଇପାରିଚି ଶାନ୍ତନୁ ବାବୁଙ୍କ ପାଇଁ l ମୋ ସମବୟସ( 22 ବର୍ଷ ) ହୋଇକି ମଧ୍ୟ ତାଙ୍କ ବିଚାର ଧାରା ବହୁତ ଉପରେ l କଲେଜ ସାରିକି ମୋ ପରି ଏମିତି ଅନେକ ଅନାଥ ପିଲାଙ୍କୁ ଶିକ୍ଷାଦାନ କରିବାକୁ ଧାଇଁ ଆସନ୍ତି l ଆଉ ମୁଁ ମଧ୍ୟ ମନ ଧ୍ୟାନ ଦେଇ ଶିଖେ ଯାହା ସେ ଶିଖାନ୍ତି, ଆଉ ତାର ପରିଣାମ ମଧ୍ୟ ମୁଁ ପାଇ ସାରିଛି l

ଏମିତିରେ ବି ମତେ ଜୀବନରେ କିଛି ଇଛା ଆକାଂକ୍ଷା ନାହିଁ l ଯାହା ମିଳେ ତାକୁ ଖୁସି ଖୁସି ଗ୍ରହଣ କରିନିଏ l


କେବେକେବେ କାହା କାହା ପାଖରୁ ଶୁଣିବାକୁ ପାଏ କି ମୋ ମା କାହାର ସ୍ତ୍ରୀ ନଥିଲେ, କେଉଁ ଘରର ବୋହୁ ହେଇନଥିଲେ, ସେ ଥିଲେ କୁଆଁରୀ ମା l ମା' ବାପା ଶବ୍ଦ ମୋ ପାଇଁ ଯେମିତି ଅଭିଶପ୍ତ ଥିଲା l ଜାଣିବାକୁ ମଧ୍ୟ ଇଛା ନଥିଲା କି ମୁଁ କାହାର ପୁଅ ବୋଲି, ମୋର ପରିଚୟ କଣ ବୋଲି l ମୁଁ ରାଘବ ଏତିକିରେ ହିଁ ଶନ୍ତରୁଷ୍ଟ ଥିଲି l ମଦର୍ସ ଡେ ଦିନ ଯେତେବେଳେ ସବୁ ସନ୍ତାନ ସନ୍ତତି ନିଜ ମା' ସହିତ ଫୋଟ ଉଠେଇ କେତେ କଣ ପ୍ରଶଂସା ର ପାହାଡ଼ ଗଢି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରନ୍ତି, ସେତେବେଳେ ମୁଁ ବୁଝିପାରିନା କି.. ସତରେ କଣ ମା ଶବ୍ଦ ଟି ଏତେ ସ୍ଵଛ ନିର୍ମଳ ଆଉ ପବିତ୍ର l ଯଦି ଏଇଟା ସତ ତେବେ ମତେ ଜନ୍ମଦେଇଥିବା ଜନ୍ମଦାତ୍ରୀ ବି ତ ଜଣେ ମା ଥିଲେ l ତେବେ ତାଙ୍କର କଣ ମୋ ପ୍ରତି କିଛି କର୍ତ୍ତବ୍ୟ ନଥିଲା l ମୋ କଅଁଳିଆ ଶରୀରକୁ ଅଳିଆଗଦାରେ ଫୋପାଡ଼ିଦେଇ ଗଲାବେଳେ ତାଙ୍କ ମାତୃତ୍ୱ କଣ ତାଙ୍କୁ ଧିକାରୀ ନଥିଲା l ମୁଁ ଛୋଟବେଳୁ ଭୋଗୀ ଆସୁଥିବା କଷ୍ଟର କାରଣ କଣ ସେ ନୁହନ୍ତି l ତେବେ ମା ଶବ୍ଦଟି ସ୍ଵଛ ନିର୍ମଳ ଓ ପବିତ୍ର କେମିତି ବା ହୋଇପାରେ l ଏମିତି ମୋ ମନରେ ଉଙ୍କି ମାରୁଥିବା ଅନେକ ପ୍ରଶ୍ନର ଉତ୍ତର ନା ମୁଁ ନିଜେ ଖୋଜି ପାରୁଥିଲି l ନା କାହାକୁ ପଚାରି ପାରୁଥିଲି l ଯେମିତି ଯେମିତି ବଡ଼ ହେଉଥିଲି ସେମିତି ସେମିତି ପ୍ରଶ୍ନର ପଥର ପାହାଡ଼ ରୂପଧରି ମୋ ଛାତି ଉପରେ ବୋଝ ହୋଇକି ରହୁଥିଲା l ତଥାପି ମୁଁ ଏକାକୀ ନିଜ ଭିତରେ ଖୁସି ସଞ୍ଚାରି ଜୀବନ ଜିଉଥିଲି l


ଦିନକର କଥା....

    ଶାନ୍ତନୁ ବାବୁ ଆମ ହୋଟେଲରେ ଜଳଖିଆ ଖାଉଥିବା ବେଳେ ଟିକେ ବ୍ୟସ୍ତ ବିବ୍ରତ ଜଣା ପଡୁଥିଲେ l କିଛି ସମସ୍ୟାରେ ଥିବା ପରି ଲାଗୁଥିଲା, ଏହା ଦେଖି ମୁଁ ତିଳେମାତ୍ର ବିଳମ୍ବ ନକରି ସିଧା ଧାଇଁଗଲି ତାଙ୍କ ସମ୍ମୁଖକୁ l ଆଉ ତତ୍ପରତା ସହିତ ପଚାରିଦେଲି..

---- ଶାନ୍ତନୁ ବାବୁ, କିଛି ଅସୁବିଧା ହୋଇଛିକି? ଏତେ ବିଚଳିତ ଜଣାପଡୁଛନ୍ତି ଯେ l


ସେ କେବଳ ମୁଣ୍ଡହଲେଇ ମନାକଲେ l ବୋଧ ହୁଏ ଏଇଥି ପାଇଁ ସେ ମତେ କିଛି କହିବାକୁ ଚାହୁଁନଥିଲେ, କହିକି ଅବା ଲାଭ କଣ ମିଳିବ ତାଙ୍କୁ ମୁଁ ବା ତାଙ୍କର କଣ ସାହାଯ୍ୟ କରିପାରିବି l ତଥାପି ମୁଁ ସେମିତି ତାଙ୍କ ଚେହେରାକୁ ଚାହିଁକି ଠିଆ ହୋଇଥାଏ l କାରଣ ତାଙ୍କ ସାହାଯ୍ୟର ବୋଝ ମୋ ଉପରେ ଏତେ ମାତ୍ରାରେ ଲଦି ହୋଇଯାଇଥିଲା ଯେ, ଯେପର୍ଯ୍ୟନ୍ତ ତାଙ୍କ ଆଖିରେ ଝଲସୁଥିବା ଲୁହକୁ ଓଠର ହସରେ ପରିବର୍ତନ ନ ହୋଇ ଯାଇଚି,ସେପର୍ଯ୍ୟନ୍ତ ସେଠୁ ହଲିବା ପାଇଁ ମୋ ବିବେକ ବାଧା ଦେଉଥିଲା l

ମତେ ଖୁଣ୍ଟଟା ପରି ତାଙ୍କ ସାମ୍ନାରେ ସେମିତି ଠିଆହୋଇ ରହିବାର ଦେଖି l

---- ମୋ ଡାଡି ଆଉ ମମିଙ୍କର ଡିଭର୍ସ ହେଉଚି l ବୁଝିପାରୁନି ମୋ ଅବସ୍ଥା କଣ ହେବ l ମୁଁ କାହା ପାଖରେ ରହିବି ତା ନିର୍ଣ୍ଣୟ ମଧ୍ୟ କୋର୍ଟ କରିବ l

ବାସ ଏତିକି କହିକି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ l ତାଙ୍କ ଆଖିର ଲୁହ ମୋ ଛାତିକି କୋରିକି ଆଖିବାଟେ କଷ୍ଟ ବାହାର କରି ଦେଉଥାଏ l ତଥାପି ଦୋଉଡିଯାଇ ଟେବୁଲ ଉପରୁ ଟିସୁ ପେପର ଆଣିକି ତାଙ୍କ ଲୁହ ପୋଛିଦେଲି l ଆଉ ହଡ଼ବଡେ଼ଇ ଯାଇ କହିପକେଇଲି,

---- ଦଇବ ଦଉଡି ମଣିଷ ଗାଇ ଯେଣିକି ଓଟାରି ତେଣିକି ଯାଇ.

ସବୁ ସେଇ ଭଗବାନଙ୍କ ଇଚ୍ଛା ମଣିଷ ହାତରେ କିଛି ନାହିଁ ବାବୁ l

ମୋ କଥାରେ ସ୍ମିତ ହସିଦେଇ ଆଖିର ଲୁହ ପୋଛିକି ଚାଲିଗଲେ l


ବୋଧହୁଏ ମୋ ଆଶ୍ୱାସନା ମୋ ସାନ୍ତ୍ୱନା ତାଙ୍କ ପାଇଁ କାଫି ନଥିଲା l ସେ ତ ପାଠ ସାଠ ପଢ଼ିଛନ୍ତି ମୋ ଠୁ ଅଧିକ ଦୁନିଆଁ ଦେଖିଛନ୍ତି, ଆଉ ମୋ ପାଖରେ ଥିବା ଟିକକ ଜ୍ଞାନ ମଧ୍ୟ ତାଙ୍କରି ଅବଦାନ l ଆଉ ମୋ କଥା ତାଙ୍କୁ କେମିତି ବା ସନ୍ତୁଷ୍ଟ କରିପାରିଥାନ୍ତା l

ସେଦିନ ରାତିସାରା କେବଳ ଶାନ୍ତନୁ ବାବୁଙ୍କ ବିଷୟରେ ଭାବୁଥାଏ l ଛୋଟବେଳୁ କେତେ ସ୍ନେହ ଶ୍ରଦ୍ଧାରେ ବଢ଼ି ଆସିଥିଲେ l ହଠାତ ଏମିତି ପରିସ୍ଥିତି ଉପୁଜିଲେ ସେ କେମିତି ବା ନିଜକୁ ସମ୍ଭାଳି ପାରିବେ l

ବାପା ମା ଶବ୍ଦ ପ୍ରତି ଥିବା ମୋର ଘୃଣାଭାବ, ଧୀରେ ଧୀରେ ବଢିବାକୁ ଲାଗୁଥାଏ , ଆଉ ମୋ ମନ ଧୀରେ ଧୀରେ ବୁଝିବାକୁ ଲାଗୁଥିଲା କି ଏ ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରିଥିବା ପ୍ରତ୍ୟକ ବ୍ୟକ୍ତି ସ୍ଵଛ ନିର୍ମଳ କି ପବିତ୍ର କେବେବି ହୋଇପାରେ ନାହିଁ l


ସେଦିନ ପର ଠାରୁ ଶାନ୍ତନୁ ବାବୁ ଆଉ ଆମ ହୋଟେଲକୁ ଆସିଲେ ନାହିଁ, ତାଙ୍କ ବିଷୟରେ କିଛି ଜାଣି ହେଉନଥାଏ l ତାଙ୍କ ଦୁଃଖ ସମୟରେ ତାଙ୍କ ପାଖରେ ଠିଆ ହେବାକୁ ଇଚ୍ଛା ଥିଲେ ମଧ୍ୟ ମୁଁ ନିରୁପାୟ ଥିଲି l ତାଙ୍କ ମୋବାଇଲ ନମ୍ବର ମୋ ପାଖରେ ନଥିଲା ନା ଘର ଆଡ୍ରେସ l

ଦୁଇମାସ ପରେ ଖବରକାଗଜରେ ତାଙ୍କ ବିଷୟରେ ପଢ଼ିଲି l


( ଶାନ୍ତନୁ ମହାପାତ୍ର ଆତ୍ମହତ୍ୟା କରିଛନ୍ତି l ନିଜ ରୁମର ଫ୍ୟାନରେ ଝୁଲୁଥିଲା ତାଙ୍କ ମୃତ ଶରୀର l ତଦନ୍ତରୁ ଜଣା ପଡିଛି ସେ କିଛି ଦିନରୁ ମାନସିକ ଚାପରେ ରହି ଆସୁଥିଲେ l ତାଙ୍କ ବାପା ମା ଙ୍କ ଡିଭର୍ସ ପାଇଁ l )


ଖବର ଅଧା ପଢ଼ିଛି କି ନାହିଁ, ମୋ ଛାତି ଭିତରେ ଏକ ପ୍ରକାରର ଯନ୍ତ୍ରଣା ଆରମ୍ଭ ହୋଇଗଲା ଓ ମୁଁ ସେଇଟି ଟଳି ପଡିଲି l


ବୋଝ ଉପରେ ଲଳିତା ବିଡା ପଡିଲା ପରି ମୋ ପ୍ରଶ୍ନର ପାହାଡ଼ ଉପରେ ଆଉ କିଛି ପ୍ରଶ୍ନ ଯୋଡିହୋଇଗଲା l


Rate this content
Log in

Similar oriya story from Tragedy