ନାରୀ ଏକ ପ୍ରେରଣା
ନାରୀ ଏକ ପ୍ରେରଣା
ସୃଷ୍ଟି ଆରମ୍ଭରୁ ନାରୀର ସ୍ଥାନ ଉଚ୍ଚରେ ଓ ସେ ଏକ ପ୍ରେରଣା ତଥା ତାର ଆଦର୍ଶ ଦେଖାଇଛି । ବୈଦିକ ଯୁଗରୁ ହେଉ ଅବା ପୁରାଣ ଯୁଗରୁ କି ତ୍ରୈତୟା ହେଉକି ଦ୍ୱାପର ହେଉ ନାରୀର ସ୍ଥାନ ଉର୍ଦ୍ଧ୍ବରେ। ଯାହାର ସତୀତ୍ଵ ଓ ଧାର୍ମିକର ପରାକାଷ୍ଠା ପ୍ରେରଣା ଓ ଉଦାହରଣ ହୋଇ ରହିଛି। ସୀତା ,ଦ୍ରୌପଦୀ, ଅହଲ୍ୟା,ତାରା ଓ ମନ୍ଦୋଦରୀ ଯେଉଁମାନେ ପଞ୍ଚ ସତୀର ଆଖ୍ୟା ପାଇଛନ୍ତି ଏହା ତାହାର ଜ୍ୱଳନ୍ତ ଉଦାହରଣ ।
ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଯିଏ କି ଏକ ନାରୀ ଦେବକୀ ଗର୍ଭରୁ ଜନ୍ମ। ବନ୍ଦୀଶାଳାରେ ରହି କଂସର ଅତ୍ୟାଚାରକୁ ନୀରବରେ ସହିଥିଲେ। ଆଖି ଆଗରେ ସନ୍ତାନ ମାନଙ୍କ ମୃତ୍ୟୁକୁ ସହ୍ୟ କରି ଥିଲେ ଛାତିକୁ ପଥର କରି। ଯାହା ଫଳରେ ସ୍ୱୟଂ ଶ୍ରୀକୃଷ୍ଣଙ୍କୁ ନିଜେ ଗର୍ଭରେ ଧାରଣ କରି ପୁତ୍ର ରୂପେ ପାଇଥିଲେ ଓ ତାଙ୍କ ଦୁଃଖ ଦୂର ହୋଇଥିଲା। ଖାଲି ତାଙ୍କର ନୁହେଁ ଜଗତର ମଙ୍ଗଳ ପାଇଁ ସେ ଜନ୍ମ ନେଇଥିଲେ। ସତ୍ୟର ଜୟ ଓ ଦେବକୀଙ୍କର ତ୍ୟାଗ ଏଥିରୁ ସ୍ପଷ୍ଟ ମନେହୁଏ। ଯାହା ସମଗ୍ର ନାରୀ ପାଇଁ ପ୍ରେରଣା ଯୁଗ ଯୁଗ ପାଇଁ ରହିଛି ଓ ରହିଥିବ।
ଯଶୋଦା ମଧ୍ୟ ବାତ୍ସଲ୍ୟ ମମତା ଦେଇ ମାଆର ସମସ୍ତ ସ୍ନେହ ଦେଇ ଲାଳନ ପାଳନ କରିଛନ୍ତି। ନିଃସ୍ୱାର୍ଥପର ଭାବେ ସେବା ଯତ୍ନ କରି ନାରୀଙ୍କ ପାଇଁ ଶିକ୍ଷା ଓ ପ୍ରେରଣା ସାଜିଛନ୍ତି।
ସୀତାଙ୍କର ପତିଙ୍କର ଚଉଦବର୍ଷ ବନବାସ ତାଙ୍କର ତ୍ୟାଗ,ଧୈର୍ଯ୍ୟ, ଓ ଜଣେ ସହଧର୍ମିଣୀ,ସହକର୍ମିଣୀ,ଉତ୍ତମ ଜୀବନ ସାଥି ସୁଖ ଓ ଦୁଖର ତଥା ଏକ ପତିବ୍ରତା ନାରୀର ପରିଚୟ ସୃଷ୍ଟି କରି ଅନ୍ୟକୁ ଆଦର୍ଶ ଦେଖାଇଛନ୍ତି ଯାହା ତ୍ୟାଗ ଓ ପ୍ରେରଣାର ପ୍ରତୀକ।
ନାରୀ ଲକ୍ଷ୍ମୀବାଇ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରି ଖଣ୍ଡା ଧରି ଯୁଦ୍ଧ କରିଛନ୍ତି । ଦେଖାଇଛନ୍ତି ନାରୀ ଅବଳା ଦୁର୍ବଳା ନୁହେଁ,ନାରୀ ଶକ୍ତିମୟୀ। ସେ ଚାହିଁଲେ ସବୁକିଛି କରିପାରେ ।ତାଙ୍କ ପ୍ରେରଣା ନାରୀ ପାଇଁ ଚେତାବନୀ।
ନାରୀ ସୃଷ୍ଟିର ଆଧାର । ନାରୀ ବିନା ପୁରୁଷର ବା ସଂସାରର ପରିକଳ୍ପନା ଅସମ୍ଭବ। ସେ ଜନ୍ମ ନିଏ ନାରୀଗର୍ଭ ରୁ ପୁଣି ନିଜେ ପୁଣି ଏକ ପରିପୂର୍ଣ ନାରୀଟିଏ ହୁଏ। ଗୋଟିଏ ସଂସାରକୁ ଜାବୁଡି ଧରେ ସୁଖରେ ଓ ଦୁଃଖରେ।ସଂସାରରେ ତାର ତ୍ୟାଗ ଅସୀମ। ଶିଶୁଟିକୁ ଜନ୍ମକରି ଲାଳନ ପାଳନ କରିବା ପର୍ଯ୍ୟନ୍ତ ଓ ତାର ସେବା ଯତ୍ନରେ ଲାଗିପଡ଼େ। ସେଥିପାଇଁ ସେ ମା ଆଖ୍ୟା ପାଇଛି। ଯିଏ କି ଏକ ନାରୀ। ଧରିତ୍ରୀ ସହ ତାର ତୁଳନା "ଜନନୀ ଜନ୍ମଭୂମି ସ୍ଵର୍ଗା ଦପୀ ଗରିୟାସୀ"। ନାରୀ କେତେବେଳେ ମା ସହ ଧର୍ମିଣୀ,ଭଉଣୀ ପୁଣି ଝିଅ ହୋଇ ତାର ପ୍ରେରଣା ଦେଖାଇଛି ଓ ତ୍ୟାଗ କରିଛି। ଘରେ ବସି ବି ନିଜର ଅନ୍ତର୍ନିହିତ ପ୍ରତିଭା ସେ ବାହାରେ ଦେଖାଇ ପ୍ରଶଂସାର ପାତ୍ର ହୋଇଛି। ନିଜର ଗୁଣ ସମାଜରେ ବିଞ୍ଚିଦେଇ ପ୍ରତିଭାକୁ ଫୁଲ ପରି ବିକଶିତ କରିପାରିଛି।ଅନେକ ସମ୍ମାନ ହାସଲ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।
ନିଜେ ଦୁଃଖ ସହି ପିଲାଙ୍କୁ ମଣିଷ କରିଛି ତ କେତେବେଳେ ଅନ୍ୟକୁ ବଞ୍ଚାଇ ପ୍ରଶଂସାର ପାତ୍ର ହୋଇଛି ! ତାର ପ୍ରେରଣା ବାସ୍ତବରେ ଏକ ଉଚ୍ଚ ଆସନକୁ ଅଳଙ୍କୃତ କରିଛି। କେତେବେଳେ ଅନେକ କଷ୍ଟ ସହି ଛାତିକୁ ପଥର କରି "ଅହଲ୍ୟା"ର ନାମ ପାଇଛି ।ନାରୀ ସହନଶୀଳ,ଅନ୍ୟ ପିଲାଙ୍କୁ ସେ ନିଜର ସ୍ନେହ ମମତା ଦେଇ ପାରିଛି ତେଣୁ ଯଶୋଦାର ନାମ ପାଇଛି ।
ନର ଓ ଅଇରୀ ମିଶି ନାରୀ ହୁଏ । ଅଇରୀ ହେଲା ଶତ୍ରୁ ।ଯିଏ ଅନ୍ୟକୁ ଶତ୍ରୁ ଦୃଷ୍ଟିରେ ନ ଦେଖେ ସେ "ନାରୀ" । ଯିଏ ପତିତରୁ ଉଦ୍ଧାର କରେ ସେ ପତ୍ନୀ। ତେଣୁ ଆଶା ନରଖି ସେ ତ୍ୟାଗ କରେ ।ତା ଆଖିରେ ସମସ୍ତେ ସମାନ।ନିଜ ପିଲାଙ୍କ ପାଇଁ ସେ ଓଷା,ବ୍ରତ କରେ ମଙ୍ଗଳ ମନାସି।ତେଣୁ ସେ ମାଆ ! ଏକ ପ୍ରେରଣା! ସଂସାର ଭିତରେ ଆବଦ୍ଧ ରହିବି ସେ ବାହାରେ ତାର କୃତିତ୍ୱ ଦେଖାଇଛି ଓ ନାରୀ ନାମକୁ ସାର୍ଥକ କରି ଅନ୍ୟକୁ ଦେଇଛି ଆଲୋକ।
ବିଭିନ୍ନ କ୍ଷେତ୍ରରେ ନାରୀ ଏକ ପ୍ରେରଣା ଓ ଆଦର୍ଶ ବୋଲି ଆମେ ଦେଖବାକୁ ପାଉ।ରାଜନିତୀ କ୍ଷେତ୍ରରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ,ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀମତି ନନ୍ଦିନୀ ଶତପଥି ଏହାର ଉଦାହରଣ।ସେମିତି ସଙ୍ଗୀତ କ୍ଷେତ୍ରରେ ଲତା ମଙ୍ଗେସକର୍ ଅଗଣିତ ସଂଗୀତ ପ୍ରେମୀଙ୍କ ମନରେ ପ୍ରେରଣା ହୋଇ ବାନ୍ଧି ରହିଛନ୍ତି।
ଭୂମିରୁ ଆକାଶ ଯାଏଁ,ପୁଣି କ୍ରୀଡା କ୍ଷେତ୍ରରେ ଓ ସାହିତ୍ୟ କ୍ଷେତ୍ରରେ ନାରୀର ପ୍ରତିଭାର ପ୍ରମାଣ ମିଳେ। ବିଶେଷ କରି ସେବା କ୍ଷେତ୍ରରେ ମଦର ଟେରେସା ଓ ତୁଳସି ମୁଣ୍ଡା ଅନ୍ୟତମ।
ଭିନ୍ନକ୍ଷମ ମହିଳା ମାନେ ବି ନିଜର ଦୃଢ ମାନସିକତା ବଳରେ ନିଜର ପ୍ରତିଭା ଦେଖାଇ ସୁନାମ ଅର୍ଜନ କରିଛନ୍ତି।
ନାରୀ ବିଭିନ୍ନ ଅତ୍ୟାଚାରର ଶିକାର ହୋଇ ମଧ୍ୟ ପୁରୁଷ ଠାରୁ ଭାଙ୍ଗି ନପଡ଼ି ହାରି ନଯାଇ ନିଜେ ନିଜର ସାହସ ଓ ଅଦମ୍ୟ ଇଚ୍ଛା ବଳରେ ନିଜେ ନିଜର ପ୍ରେରଣା ହୋଇଛି।ବଞ୍ଚିବାର ରାହା ଦେଖାଇ ଅନ୍ୟପାଇଁ ପ୍ରେରଣାର ସଫଳତାର ବାଟ ବତାଉଛନ୍ତି।
ଜୀବନ ମାନେ ତ କିଛି ପାଇବା ନୁହେଁ କିଛି ଦେଇଯିବା ଅନ୍ୟମାନଙ୍କ ମନରେ ସବୁଦିନ ପାଇଁ ରହିବା ଅମର ହୋଇ।
"ନାରୀ ଏକ ପ୍ରେରଣା" ଯାହା ଏଥିରୁ ସ୍ପଷ୍ଟ ମନେହୁଏ ।ସମାଜ ପାଇଁ ନିଜେ ଜଳି ଦେଖାଇଦିଏ ଆଲୋକ। "ନାରୀ ଏକ ପ୍ରେରଣା ଉଜ୍ଜ୍ବଳ ଦୀପଶିଖା" !!!!
ଜୟଶ୍ରୀ ଦାସ
ପ୍ଲଟ ନଂ - ୧୮୧/୨୧୯୬,
କେଦାର ଗୌରୀ ବିହାର,ଭୁବନେଶ୍ୱର ।
ଫୋନ ନଂ-୮୨୪୯୫୧୧୭୯୧
