ମୁକ୍ତି
ମୁକ୍ତି
କେତେବେଳୁ ଚୁଲି ଉପରେ ଭାତ ହାଣ୍ଡିଟା ବସି ଗବଗବ ହୋଇ ଫୁଟୁଛି।ମିତାର ସେଥିପ୍ରତି ଧ୍ୟାନହିଁ ନାହିଁ ,କେତେ ବେଳୁ କଣ ଗୁଡିଏ ବସି ଭାବୁଛି ଯେ ଭାବୁଛି ସତେ ଯେମିତି ଏ ସଂସାର ରେ ତାର ଅସ୍ତିତ୍ବ ହିଁ ନାହିଁ।ଆଖି ଆଗରେ ଖାଲି ନାଚି ଯାଉଛି ପିଲା ଦିନର ସ୍ମୃତି ଗୁଡାକ।ସତରେ ପିଲା ଦିନଟା କେତେ ଭଲ ଥିଲା।ବାପା ମା ତାକୁ ଆଖିରୁ ଘଡ଼ିଏ ପାଇଁବି ଦୂର କରୁନଥିଲେ।ମା ତାକୁ କୋଳରେ ବସେଇ ଗେଲ କରୁଥିଲେ, ଖୁଆଇଦେଉଥିଲେ, ଗୀତ ଗାଇ ଶୁଆଇ ଦେଇଥିଲେ ।ବାପା ତା ପାଇଁ କେତେ ଭଲ ଭଲ କଣ୍ଢେଇ, ନୂଆ ଡ୍ରେସ ଆଣିଦେଉଥିଲେ, ସତରେ ସେ କୋଉ ରାଜକୁମାରୀ ଠାରୁ ନିଜକୁ କମ ମନେ କରୁନଥିଲା।ସତରେ ସେ ଦିନ ଗୁଡାକ କେତେ ଭଲଥିଲା।ଏମିତି କେତେ କଣ ବସି ମିତା ଭାବୁଥିଲା।
ହଠାତ ମା'ଙ୍କ ଡାକରେ ତାର ସବୁ ଭାବନା ଗୋଟିଏ କ୍ଷଣରେ ହିଁ ପାଣି ଫୋଟକା ପରି ମିଳେଇଗଲା।
" ଆଲୋ ଅଲକ୍ଷଣି ଘଣ୍ଟାଏ ହେଲା କାହା କଥା ବସି ଭାବୁଛୁ,ଆଲୋ ହେ ପିଲାଦିନୁତ ମାକୁ ଖାଇଲୁ ବାପକୁତ ଅକର୍ମଣ୍ୟ କରିଦେଲୁ ଆଉ କଣ ମୋ ଘରର ସବୁ ଜିନିଷ ନାରଖାର କରିଦେବୁ ବୋଲି ବସିଛୁ ।ଘଣ୍ଟାଏ ହେଲା ଚୁଲିଉପରେ ବସି ଭାତ ଫୁଟିଲାଣି କୋଉ ରାଜକୁମାର କଥା ଭାବୁଛୁ।କଣ ଆମକୁ ଭୋକ ଉପାସରେ ମାରିବୁ।
ହେ ଭଗବାନ ଏ ଅଲକ୍ଷଣି ଟାକୁ ତମେ ମୋରି ଭାଗ୍ୟରେ ରଖିଥିଲ ଦାଉ ସାଧିବା ପାଇଁ ।।।।
ମାଙ୍କ ମୁହଁରୁ ଏପରି କଠୋର ଶବ୍ଦ ଶୁଣି ଛଳଛଳ ହୋଇଗଲା ମିତାର ଆଖି। ଫେରିଆସିଲା ସେ ତାର ଭାବନା ଦୁନିଆରୁ।ଆରେ ଏ'କଣ ସେ ସେତିକି ବେଳୁ ବସି ଭାବୁଛି, ସତେତ ଭାତ ଆସି ଜାଉ ହେବା ଅବସ୍ଥାରେ। ମିତା ସାଙ୍ଗେ ସାଙ୍ଗେ ଖଡିକାଟା ଧରି ଭାତକୁ ଗୋଳେଇ ଦେଲା ଭାତ ଗାଳି ଦେଇ ସେ ଚାଲିଗଲା ତାର ଶୋଇବା କକ୍ଷକୁ।
ମିତାର ଟେବୁଲ ଉପରେ ଥୁଆହୋଇଥିଲା ଗୋଟିଏ ସୁନ୍ଦର ଫୋଟୋ ଫ୍ରେମ।ଅବିକଳ ମିତାଭଳି।ମିତା ଫୋଟୋଟିକୁ ଆଣି ହାତରେ ଧରିଲା, ସେ ଦେଖିପାରୁଥିଲା ସେଥିରେ ତାର ପ୍ରତିଫଳନକୁ ଆଉ ଅନୁଭବ କରିପାରୁଥିଲା ନିଜକୁ ।ତାର ସନ୍ତାପିତ ହୃଦୟ ଭରିଯାଉଥିଲା ବେଦନା ଆଉ କୋହରେ ।ମିତାର କେଇ ବୁନ୍ଦା ଲୁହରେ ଓଦାହୋଇ ଯାଇଥିଲା ଫୋଟୋଫ୍ରେମଟି, ଲୁହ ପୋଛି ଦଉଦଉ ମିତା କହିଉଠିଲା।
"ମା ତୁ କଣ ପାଇଁ ମତେ ଏକୁଟିଆ କରି ଛାଡ଼ିଗଲୁ, ତୁ ଥରେ ବି ଭାବିଲୁନି ମୁଁ ତୋ ବିନା କେମିତି ବଞ୍ଚିବି।ତୋ ବିନା ମୁଁ ଆଜି ଅସହାୟ ମା।ତୋର କଣ ମୋ କଥା ଟିକିଏବି ମାନେପଡୁନି ଯାହାକୁ ତୁ ଦିନେ ନଦେଖିଲେ ରହିପାରୁନଥିଲୁ ତୁ ତା ଠାରୁ କେମିତି ଏତେ ଦୂରକୁ ଚାଲିଗଲୁ।ତୁ ଫେରିଆ ଆ ମା ଫେରିଆ...."
ମିତାକୁ ଯେତେବେଳେ ପାଞ୍ଚବର୍ଷ ହେଇଥିଲା ତାର ମା କର୍କଟ ରୋଗରେ ପଡ଼ି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ।ମା'ର ଅଭାବ ପୂରଣ କରିବା ପାଇଁ ବାପା ତାର ଦ୍ୱିତୀୟ ବିବାହ କଲେ।ପ୍ରଥମେ ପ୍ରଥମେ ନୂଆ'ମା ତାକୁ ବହୁତ ଭଲପାଉଥିଲେ।କିନ୍ତୁ ସମୟକ୍ରମେ ତା ପ୍ରତି ତାଙ୍କ ବବ୍ୟହାର ପରିବର୍ତ୍ତନ ହେବାକୁ ଲାଗିଲା ସେ ଛୋଟରୁ ଛୋଟ କାମବି ମିତା ଦ୍ୱାରା କରାଉଥିଲେ।ବୋଝ ଉପରେ ନଳିତା ବିଡା ପରି ମିତାର ମୁଣ୍ଡଉପରେ ଯେମିତି ଏକାବେଳେ ସବୁ ଦୁଃଖର ଭାର ଛିଡି ପଡିଲା ,ମା ମରିବାର ଚାରି ବର୍ଷ ହୋଇନି ଗୋଟିଏ ଦୁର୍ଘଟଣାରେ ତାର ବାପା ସବୁଦିନ ପାଇଁ ଅଚେତ ଅବସ୍ଥାକୁ ଚାଲିଗଲେ।ବଞ୍ଚିରହିବି ମୃତ୍ୟୁ ସଦୃଶ୍ୟ ଥିଲା ତାଙ୍କ ଅବସ୍ଥା।ଗୋଟିଏ ଖଟ ଉପରେ କାଠପାଷାଣ ପରି ପଡିରହିବା ଛଡା ତାଙ୍କର ଅନ୍ୟ କୌଣସି ଉପାୟ ହିଁ ନଥିଲା।
ଧୀରେ ଧରେ ମିତାର ଜୀବନ ଯେମିତି ଦୁର୍ବିସହ ହୋଇପଡିଲା।ବାପାଙ୍କ ଏ ଅବସ୍ଥା ପରେ ଘର ଚଳିବାବି କଷ୍ଟକର ହୋଇପଡିଲା।ସବୁଦାୟିତ୍ୱ ପଡିଲା
ମିତା ଉପରେ। ତାର ପାଠ ପଢ଼ାରେ ସବୁଦିନ ପାଇଁ ଡୋରି ବନ୍ଧା ହୋଇଗଲା।ନୂଆ ମା ତାକୁ ଘର କାମ କରେଇବା ସହ ପର ଘରକୁବି ପଠେଇ ଦଉଥିଲେ କାମ କରିବା ପାଇଁ।ପରେ ଘରେ କାମ କରି ଯାହା ରୋଜଗାର କରୁଥଲା ସେଇଥିରେ ତାଙ୍କ ଦୁଃଖର ସଂସାରଟି ଚଳିଯାଉଥିଲା।
ଦିଦିନ ହେବ ମିତାକୁ ଜ୍ଵର।ସେ କାମ କରିବାକୁ ବି ଯାଇପାରୁନି, ନୂଆ ମା ବି ଘରେ ନାହାନ୍ତି କିଛିଦିନ ପାଇଁ ତାଙ୍କ ବାପାଘରକୁ ଚାଲିଯାଇଛନ୍ତି, ଘରଟା ଯାକର କାମ ହେଲେ ଉଠିବାକୁବି ତାର ବଳ ପାଉନି। କଷ୍ଟେମଷ୍ଟେ ଉଠି ରୋଷେଇ ଘରକୁ ଯାଇ ଦେଖେତ ଖାଇବାପାଇଁ କିଛିନାହିଁ ,ବହୁତ ଅଣ୍ଡାଳି ଅଣ୍ଡାଳି ଭାତ ହାଣ୍ଡିରୁ ମୁଠେ ପଖାଳ ପାଇଲା।ଭୋକରେ ପେଟରେ କରଡି ଜଳୁଛି, ଭାତ ମୁଠେ ମୁହଁ ପାଖକୁ ନେଲା ବେଳକୁ ମନେପଡ଼ିଲା ବାପାଙ୍କ କଥା ସେ ବି କିଛି ଖାଇନାହାନ୍ତି ତାଙ୍କୁ ପୁଣି ପୋଥି ଖୁଆଇବାକୁ ହେବ ସେ ଭାତକୁ ଚୁପୁଡି ରଖି ତୋରାଣିରୁ ମୁନ୍ଦେ ପିଇଲା।ଭାତ ମୁଠାକ ନେଇ ବାପାଙ୍କ ପାଖକୁ ଗଲା।
ଯେଉଁ ବାପା ତାକୁ କାନ୍ଧରେ ବସାଇ ସାରା ଗାଁଟା ବୁଲାଉଥିଲେ ତାଙ୍କ ଶରୀର ଆଜି ଏମିତି ତେଜହୀନ ଅବସ୍ଥାରେ ପଡିରହିଛି।ବାପାଙ୍କର ଏ ଅବସ୍ଥା ଦେଖି ମିତା ଆଉ କୋହ ଧରି ରହିପାରିଲାନି।ଅପେକ୍ଷା ରେ ଥିବା ଲୋତକ ବିନ୍ଦୁ ସବୁ ଧାରଧାର ହୋଇ ବହିଗଲେ।
ବାପାଙ୍କ ମୁଣ୍ଡ ଆଉଁସି ଦଉଦଉ ଭାତରୁ ମୁଠିଏ ତାଙ୍କ ପାଟିରେ ଦେଲା।ଦେଖିଲା ବାପାଙ୍କ ଆଖିରୁ ବହିଯାଉଛି ନୀରବ ଅଶ୍ରୁମାଳା।ଯେମିତି ତାକୁ ଇଙ୍ଗିତରେ କହିବାକୁ ଚାହୁଁଛନ୍ତି ଯା ମା ତୁ ଏଘରୁ ଚାଲି ଯା ତୋ ପାଇଁ ଏ ଘରେ ସୁଖ ଶାନ୍ତି ନାହିଁ,ତୁ ଏଘରୁ ଚାଲିଗଲେ ମୁକ୍ତି ପାଇବୁ।।।।।
ବାପା" ପିଲାଦିନେ ମା କହୁଥିଲା ପିତା ମାତାଙ୍କର ସେବାରେ ହିଁ ଜୀବନର ଚରମ ମୁକ୍ତି ମିଳେ।ତମକୁ ଏ ଅବସ୍ଥାରେ ଛାଡି ଯୁଆଡେ ଗଲେବି ମୋର ମୁକ୍ତି ନାହିଁ ।ମୁଁ ଆଜୀବନ ତମ ସେବା କରିବାକୁ ଚାହେଁ ।ମୁଁ ଜାଣିଛି ବାପା ତମେ ନୂଆମା କଥା ଭାବୁଛୁ, ତମେ ଚିନ୍ତା କରନି ବାପା ଦିନେନା ଦିନେ ନୂଆମାଙ୍କ ହୃଦୟ ନିଶ୍ଚୟ ପରିବର୍ତ୍ତନ ହୋଇଯିବ ହେଲେ ମତେ ତମଠାରୁ ଦୂରକରିଦିଅନି ବାପା ,ମୁ ସବୁବେଳେ ତମ ଚରଣ ପାଖରେହିଁ ରହିବାକୁ ଚାହେଁ।
ମିତା ଆଉ କିଛି କହିପାରିଲାନି ,ଆଖିତଳେ ଲୁହର ସାଗରକୁ ନେଇ ବାହାରକୁ ଚାଲିଆସିଲା ହୁଏତ ଆଉ କିଛି ସମୟ ରହିଥିଲେ ତା ଆଖିର ସାଗରରେ ସାରା ସଂସାରଟା ଭାସିଯାଇଥାନ୍ତା।
ବାହାରକୁ ଆସି ଦେଖେତ ତା ଦୁଆର ପାଖରେ ମୋତି ଶୋଇଛି।ମିତା ମୋତିର ମୁଣ୍ଡରେ ଟିକେ ହାତ ବୁଲେଇ ଆଣିଲା।ଏଇ ମୋତି ଯେତେବେଳେ ଛୋଟ ହୋଇଥିଲା ମା'ତାକୁ ରାସ୍ତା କଡ଼ରୁ ଉଠେଇ ଆଣିଥିଲେ,ତାର ଯତ୍ନ ନିଜ ପିଲାଭଳିହିଁ କରୁଥିଲେ।ହେଲେ ଆଜି ମୋ ଭଳି ସିଏବି ଅସହାୟ।ମିତା ବଳକା ତୋରାଣି ମୁନ୍ଦାଏ ଆଣି ମୋତିକୁ ପିଆଇ ଦେଲା।
ମୋତି"ଲୋ ମୁଁ ସିନା କର୍ତ୍ତବ୍ୟରେ ବନ୍ଧା ହେଲେ ତୁତ କୌଣସି ବନ୍ଧନରେ ଆବଦ୍ଧ ନୁହଁ।ତୁ କାହିଁକି ହନ୍ତସନ୍ତ ହବୁ, ତୁ ଚାଲିଯା ମୋତି ଆଉ କୋଉଠି ରହିଲେ ମୁଠାଏ ଭଲରେ ଖାଇବାକୁ ତ ପାଇବୁ।ତୁ ଯା ମୋତି ମୁ ତତେ ଆଜି ମୁକ୍ତ କରିଦଉଛି।।।।
ମିତା ମୋତି ବେକରେ ବନ୍ଧା ହୋଇଥିବା ଦଉଡିଟାକୁ ଫିଟେଇ ଦେଲେ। ଅମଙ୍ଗ ହଅନି ଲୋ ମୋତି ତୁ ଚାଲିଯା, ଆଜିତୁ ସମ୍ପୂର୍ଣ୍ଣ ଭାବେ ବନ୍ଧନମୁକ୍ତ।ମୋତି ଧୀରେ ଧୀରେ ରାସ୍ତା ଉପରକୁ ଚାଲିଗଲା, ମୋତି ଅଦୃଶ୍ୟ ହେବା ଯାଏ ଚାହିଁରହିଥିଲା ମିତା ଆଉ ଅନୁଭବ କରୁଥିଲା ମୁକ୍ତିର ଚରମ ସ୍ପର୍ଶକୁ।।