ଏକ ନୂଆ ସମ୍ଭାବନାର କିରଣ
ଏକ ନୂଆ ସମ୍ଭାବନାର କିରଣ
ମିଲିର ଜୀବନ ସତେ ଯେମିତି ଯନ୍ତ୍ରଣାର ଅଙ୍ଗାର, ଜୀବନର ସଂଘର୍ଷରେ ପାଦ ସିନା ଜଳେ ହେଲେ ମନର ଦୁଃଖ ସରେନି କି ପେଟର ଭୋକ ମରେନି । ମିଲିର ମା ଏ ଦୁନିଆକୁ ସାତ ପର କରି ତା ପାଖରେ ଛାଡ଼ିଗଲା ଦୁଇ ବର୍ଷର କୋଳ ଛଡ଼ା ଭାଇକୁ ଆଉ ମିଲିର କୁନି କୁନି କାନ୍ଧରେ ଲଦିଦେଲେ ଜୀବନର ବୋଝକୁ।ବାପାତାର ରିକ୍ସା ଚାଳକ। ଆଜିରଏ ଗାଡି ମଟର ଦୁନିଆରେ ରିକ୍ସାରବା କଣ ଭାଉ ଯେତିକି ରୋଜଗାର ତିନି ପେଟକୁ ଦାନା ଯିବା କଷ୍ଟକର,ସେଥିପାଇଁ ମିଲିବି ପରଘରେ ପାଇଟି କରେ।
ମିଲି ପୁଳାଏ ବାସନ ଆଉ କଳା ପାଉଁଶରୁ ମୁଠାଏ ଧରି ପୋଖରୀ କୂଳରେ ରଗଡି ରଗଡି ଧୋଉଥାଏ, ମିଲିର ଘର ଆଗରେ ହିଁ ପଦ୍ମ ପୋଖରୀ କାଚ, କେନ୍ଦୁପରି ପାଣି ମିଲି ବାସନ ମାଜିବାଠୁ ଆରମ୍ଭ କରି ରୋଷେଇ ପାଇଁ ପାଣି ସେଇଠୁହିଁ ଆଣେ।ସେହି ସମୟରେ ପାଖ ଝୁମ୍ପୁଡିଘରୁ ସୁନା ଦାନ୍ତକାଠିଟାଏ ଚୋବେଇ ବାହାରି ଆସିଲା-ଆଲୋ ମିଲି ବେଳ ଆସି ଏତେ ହେଲାଣି ବାସନ କଣ ମାଜୁଛୁ ଆଜି କାମକୁ ଯିବୁନିକି??ନାଇଲୋ ନାନୀ କରୋନା ପାଇଁ ସରକାର ପରା ଲକଡାଉନ ଘୋଷଣା କରିଦେଇଛନ୍ତି ,ବାହାରକୁ ପରା କେହି ଯାଇପାରିବେନି ଆଉ ମୁଁ କେମିତି ଯିବି।ବାବୁବି ମନା କରିଦେଇଛନ୍ତି ରୋଗ ନ କମିବାଯାଏ ତାଙ୍କ ଘରକୁ ଯିବାପାଇଁ।
ସୁନା-ଆଲୋ ସତେତ!ଏ କରୋନାତ ଆମ ପାଇଁ ଅଭିଶାପ ,ବଡ଼ବଡ଼ିଆ ସିନା ଘରେ ଅୟଆରମରେ ରହିବେ ହେଲେ ଯୋଉ ଦିନମଜୁରିଆ ଦିନେ କାମ କଲେ ଓଳିଏ ପେଟକୁ ଦାନା ଯାଏ ସିଏ କେମିତି ଚଳିବେ ବା!!ହଉ ଯାହା ଭଗବାନଙ୍କ ଇଛା।ହଉ ଲୋ ସୁନାନାନୀ ବେଳ ଉଛୁର ହେଲାଣି ମୁଁ ଘରକୁ ଯାଏ କୁନା ପୁଣି ତେଣେ ରାହା ଧରି କାନ୍ଦୁଥିବ । ମିଲି ରୋଷେଇ ଘରକୁ ଯାଇ ଦେଖେତ ହାଣ୍ଡିରେ ଆଉ କ୍ଷୀର ନାହିଁ କୁନାକୁ କଣ ଖୁଆଇବି ଯେ ,ଏପଟେ କୁନାଟାବି କାନ୍ଦି କାନ୍ଦି ଘରଟାକୁ ଫଟଉଛି।
ମିଲି ଦୌଡ଼ିଗଲା ପଡ଼ିଶା ଘରକୁ ଏ ବାସନ୍ତୀ ବୋଉ କ୍ଷୀର ଟୋପେ ଅଛି ଦବୁ,କୁନାଟା ଭାରି କାନ୍ଦୁଛିଲୋ।ଏ ଯା ଅସମୟରେ ଆମେ କୋଉଠୁ କ୍ଷୀର ଆଣିବୁ ,ପରିସ୍ଥିତି ଯାହା ନିଜ ପେଟ ପୋଷିବା ଅସମ୍ଭାଳ ପୁଣି ପରକୁଦବୁ।ମିଲି ନିରୁପାୟ ହେଇ ହତାଶ ମନରେ ଫେରିଆସିଲା ଘରକୁ।କୁନାକୁ ପାଣିରୁ ଟୋପେ ପିଆଇ ଦେଇ କାନ୍ଥକୁ ଆଉଜି ବସି ପଡ଼ିଲା।ଏ ଜୀବନ ଜଞ୍ଜାଳର ମଙ୍ଗକୁ ମା ତା ହାତରେ ଦେଇ ସବୁଦିନ ପାଇଁ ଚାଲିଗଲା, ବହି ଧରିବା ହାତରେ ସେ କଲା ପରଘରେ ପାଇଟି ।ତାର ସେଇ ଛୋଟିଆ ପାପୁଲିରେ ଦୁଃଖ ଟାଣି ଦେଇଥିଲା ସୀମା ରେଖା।ପରୀ ରାଇଜର ସ୍ୱପ୍ନ ଦେଖିବା ବଦଳରେ ସେ ଦେଖୁଥିଲା ସଂଘର୍ଷର ସ୍ୱପ୍ନ।ଖାଲି ଯାହା ଅପେକ୍ଷା ସେଇ ସମ୍ଭାବନାର କିରଣକୁ ଯିଏ ସିଞ୍ଚି ଦେବ ତା ଜୀବନରେ ସ୍ୱର୍ଣ୍ଣରେଣୁ।
କଣ ଗୁଡାଏ ଗାମୁଛାରେ ବାନ୍ଧି ଘରଭିତରକୁ ପଶିଆସିଲେ ମିଲିର ବାପା ଏଇ ଦେଖିଲୁ ମା' ମୁଁ କଣ ଆଣିଛି ଏତିକି କହି ମିଲି ଆଗରେ ଅଜାଡି ଦେଲା ଛନଛନଆ ପିତା ଶାଗରୁ ମୁଠାଏ।ନଈ ପଠାରେ ହେଇଥିଲା ଲୋଭ ସମ୍ଭାଳିପାରିଲାନି !ଏଇ ନେ ଟିକେ ରସୁଣ ଛୁଙ୍କ ଦେଇ କରିଦେ ପଖାଳରୁ ମୁଠେ ପେଟରେ ପଡିଗଲେ ଆଃ!କି ଶାନ୍ତି।ମିଲି କୋହଭରା ଆଖିରେ ବାପାଙ୍କୁ ଚାହିଁ ଦେବାରୁ ଗଡି ଆସିଲା ଅମାନିଆ ଲୁହ କେଇଟୋପା ,କୁଣ୍ଢେଇ ପକେଇଲା ବାପାଙ୍କୁ, ବାପାବି କୋଳେଇ ନେଲେ ମିଲିକୁ।
କଣ ହେଇଛି ମୋ ମାର!!
ବାପା ସାରା ଜୀବନ କଣ ଆମେ ଏଇ ଦୁଃଖର ସୀମା ରେଖା ତଳେ ବଞ୍ଚିବା?ଝିଅ ମୁହଁରୁ ଏ ପ୍ରଶ୍ନ ଶୁଣି ହତବାକ ହୋଇ ଯାଇଥିଲେ ମିଲିର ବାପା।ମିଲିର ମୁଣ୍ଡକୁ ସାଉଁଳେଇ ଦେଇ କହିଲେ -କିଏ କହିଲା ଆମେ ଏମିତି ସବୁଦିନ ବଞ୍ଚିବା !ଏ ପୃଥିବୀରତ ନିୟମ ଅନ୍ଧାର ପରେ ଆଲୋକ ଆସେ, ଦୁଃଖ ପରେ ସୁଖ ନିଶ୍ଚୟ ଆସେ,ଭଗବାନ ସଭିଙ୍କୁ ଦୁଃଖ ଆଉ ସୁଖ ବାଣ୍ଟିକି ଦିଅନ୍ତି ଆଉ ଆମ ପାଳି ପଡିଲେ ଭଗବାନ ଆମ କୁଡିଆକୁ ଖୁସିରେ ଭରିଦେବେ।
ମିଲିର ମୁହଁରେ ଖେଳିଗଲା ଆଶ୍ୱାସନାର ସ୍ମିତହାସ୍ୟ।ସତ କହୁଛ ବାପା ଭଗବାନ ଆମକୁବି ଖୁସି ଦେବେ।
ହଁ ଲୋ ମା ଆମକୁ ବି ଦେବେ!!ବାପା ମୁଁ କଣ ବଡ଼ବାବୁଙ୍କ ଝିଅ ପରି ସ୍କୁଲ ଯାଇପାରିବି,ପାଠ ପଢିପାରିବି, ଆଉ କୁନା ପାଇଁ ଖେଳଣା କିଣି ପାରିବି, ହଁ ଲୋ ମୋ ଝିଅ ଭଗବାନଙ୍କ କରୁଣା ଯଦି ହେବ ତୁ ସବୁ କିଛି କରିପାରିବୁ।ହଉ ବାପା ତମେ ଏଇଠି ବସି ଥାଅ ମୁଁ ସାଙ୍ଗେ ସାଙ୍ଗେ ଶାଗ ଭାଜି ନେଇ ଆସୁଛି।ମିଲି ପଖାଳରୁ କଂସାଏ ଆଉ ଶାଗ ଭଜା ଆଣି ବାପାଙ୍କ ଆଗରେ ଥୋଇଦେଲା, ନିଯେବି ପେଟ ଭରି ଖାଇଲା ତୋରାଣିରୁ ମୁନ୍ଦେ କୁନାକୁ ପିଆଇ ଦେଲା।
ବାପା ଘରେ ଖାଇବା ପାଇଁ କିଛି ହେଲେ ନାହିଁ, ରୋଷେଇ କଣ କରିବିଯେ ଡବାତ ସବୁ ଖାଲି ଗଡୁଛି ଖୁଦ କଣିକାଟାଏ ବି କେଉଁଥିରେ ନାହିଁ।ହଉ ତୁ ଏଇଠି ବସିଥା ମୁଁ ଦେଖେ କୋଉଠି ଯଦି କିଛି ମିଳିବ ନେଇ ଆସିବି।ମିଲିର ବାପା ରିକ୍ସାଟା ନେଇ ବାହାରକୁ ଚାଲିଗଲେ।ଦୋକାନ ଆଗରେ ଓଲ୍ହେଇ ପକେଟରେ ହାତ ମାରିଲା ବେଳକୁ ପକେଟ ଖାଲି, କାଣି କାଉଡ଼ିଟିଏବି ପକେଟରେ ନାହିଁ ପୁଣି ଏ ଲକ ଡାଉନରେ ରୋଜଗାର ବନ୍ଦ ପଇସା ଆଣିବି କୋଉଠୁ।ମୁଣ୍ଡରେ ହାତ ଦେଇ ରିକ୍ସା ଉପରେ ବସିଥାଏ ପଛରୁ ଡାକ ଶୁଭିଲା
ଏ ରିକ୍ସା ଵାଲା ପଟିଆ ଯିବୁ???କଥା କଣକି ମୁଁ ଏବେ ଆସି ଦିଲ୍ଲୀରୁ ପହଞ୍ଚିଲି ହେଲେ ଏ ଲକଡାଉନ ପାଇଁ କୋଉଠି ଗୋଟିଏ ହେଲେବି ଗାଡ଼ି ଦେଖାଯାଉନି।କିଛି ଜରୁରୀ କାମ ପାଇଁ ମୋର ଜଲଦି ପହଁଚିବାର ଅଛି।"ନାଇଁ ବାବୁ ସରକାର ମନା କରିଛନ୍ତି ରିକ୍ସା ଚାଲିବାନି!!"ପୁଣି ଆପଣ ବାହାର ରାଜ୍ୟରୁ ଆସିଛନ୍ତି ମୁଁ ଆପଣଙ୍କୁ ରିକ୍ସାରେ ବସେଇ ପାରିବିନି।
ଦେଖ ରିକ୍ସାଵାଲା ତୁ ଯଦି ମତେ ପଟିଆରେ ଛାଡ଼ିଦେବୁ ମୁଁ ତତେ ହଜାରେ ଟଙ୍କା ଦେବି।ଆଉ ଏ ହଜାର ଟଙ୍କା ତୋ ରିକ୍ସା ଭଡା ଠାରୁ କେତେ ଅଧିକ ତୁ ଜାଣିଛୁ!!ମିଲିର ବାପା କିଛି ସମୟ ଭାବିଲା ଯଦି ହଜାର ଟଙ୍କା ମିଳିଯିବ ସେ ଆରମରେ ଘର ପାଇଁ କିଛି ଜିନିଷ ନେଇ ପାରିବ।ସେ କାଇଁ ଏଭଳି ମଉକାକୁ ହାତଛଡା କରିବ, ଘରକୁ ଆସୁଥବା ଲକ୍ଷ୍ମୀ ପୁଣି ଫେରି ଯିବେ।ନାଇଁ ନାଇଁ!!!ହଉ ବାବୁ ଆପଣ ବସନ୍ତୁ।ସେ ଲୋକଟିର ଜିନିଷ ପତ୍ର ସବୁ ରିକ୍ସାରେ ଲଦି ଦେଇ ଲୋକଟିକୁ ଗଳି ରାସ୍ତାରେ ନେଇ ତାଗନ୍ତବ୍ୟ ସ୍ଥାନରେ ଛାଡିଦେଇ ଆସିଲା।
ଦେଖେଲୋ ମିଲି ମୁଁ କେତେ ଜିନିଷ ଆଣିଛି ଚାଉଳ, ଡାଲି ପରିବା ,କୁନା ପାଇଁ କ୍ଷୀର ସବୁ ଆଣିଛି।ମିଲି ଏସବୁ ଦେଖି ଖୁସିରେ ନାଚିଗଲା ହେଲେ କିଛି ସମୟ ଭାବି ପଚାରିଲା-"ବାପା ତମ ପାଖରେ ଏତେ ପଇସା କୋଉଠୁ ଆସିଲା ଯେ ତମେ ଏତେ ଜିନିଷ ନେଇ ଆସିଲା"ଆଲୋ ଆଜି ଗୋଟେ ଗରାଖ ଦିଲ୍ଲୀରୁ ଆସିଥିଲା ପଟିଆରେ ଛାଡିଦେଲେ ହଜାରେ ଟଙ୍କା ଦେବବୋଲି କହିଲା।ସେଇ ଲୋକକୁ ବା ଛାଡିକି ଆସୁଛି।ହେଲେ ବାପା ସରକାର କହୁଥିଲେ ଯେଉଁମାନେ ବାହାରୁ ଆସୁଛନ୍ତି ତାଙ୍କ ମଧ୍ୟରେ କରୋନା ରୋଗୀବି ଥାଇ ପାରନ୍ତି।ହଁ ଯେ ତୋ ବାପାର କିଛି ହବନି ଦେଖୁନୁ!ମୁଁ କେମିତି ସୁସ୍ଥ ସବଳ ଅଛି।ମିଲି ବାପାଙ୍କ ଦେହରେ ହାତ ବୁଲେଇ ଆଣିଲା-ଭଗବାନ କରନ୍ତୁ ତମର କିଛିବି ନହେଉ।ହଉ ତୁ ଗଲୁ ଏ ସଉଦା ସବୁ ଭିତରେ ରଖିଦବୁ, ଆଉ ଭଲକି କଣ ଦିଟା ରୋଷେଇ କରିରଖି ଥିବୁ ,ମୁଁ ଯାଏ ପୋଖରୀରୁ ବୁଡ଼ ଟାଏ ମାରି ଆସେ।ମିଲି ସଉଦାପତ୍ର ଧରି ଚାଲିଗଲା ରୋଷେଇ ଘରକୁ।
ସକାଳୁ ସକାଳୁ ମିଲି ଉଠି ଘରର ସବୁ ପାଇଟି ସାରିଦେଲା।ରୋଷେଇ ଘରକୁ ଯାଇ ଚାହାରୁ ତାଟିଆଏ ମୁଢିରୁ ବେଲେ ଧରି ବାପାଙ୍କପାଇଁ ଥୋଇଦେଇ ବାପାଙ୍କୁ ଡାକ ଟାଏ ଦେଇ କୁନାକୁ ଖୁଆଇବା ପାଇଁ ଚାଲିଗଲା।କିଛି ସମୟ ପରେ ଫେରି ଦେଖେତ ଚାହା ମୁଢି ସେମିତି ଥୁଆ ହେଇଛି!!ଏ 'କଣ ଏତେ ବେଳ ହେଲାଣି ବାପା ଉଠିନାହାନ୍ତି ଦେହ ପା ସବୁ ଭଲ ଅଛିଟି ସନ୍ଦେହ ମନରେ ମିଲି ଯାଇ ବାପାଙ୍କ ପାଖରେ ବସିଲା ।ଶୀତରେ ବାପାଙ୍କ ଦେହଟା କମ୍ପି ଉଠୁଥାଏ।ମଝିରେ ମଝିରେ କାଶ ବି ହେଉଥାଏ, ବାପାଙ୍କ ଦେହରେ ହାତ ଦେଉ ଦେଉ ଚମକି ପଡିଲା ମିଲି ଦେହଟା ତାତିକି ଖଇ ଫୁଠୁଛି।ମୁଣ୍ଡ ଯେମିତି ତାର କାମ କରିବା ବନ୍ଦ କରିଦେଇଥିଲା।କରୋନା ସମୟରେ ଜ୍ଵର କେହି ସାହାଯ୍ୟ କରିବାତ ଦୂରର କଥା ଘରେବି ପଶିବେନି।ମିଲି ରୋଷେଇ ଘରକୁ ଦୌଡ଼ି ଯାଇ ଥଣ୍ଡା ପାଣିରୁ ବେଲାଏ ଆଣି ପାଣି ପଟିଟା ବୁଡ଼େଇ ବାପାଙ୍କ ମୁଣ୍ଡରେ ପକେଇଲା ହେଲେ ଜ୍ଵର କମିବାର ନାହିଁ ଧରୁନି।
କଣ କରିବ କିଛିବି ବୁଦ୍ଧି ବାଟ ଦିଶୁନି।ଦୌଡ଼ି ଗଲା ପଡ଼ିଶା ଘରକୁ ହେଲେ କରୋନା ଭୟରେ ସାହାଯ୍ୟ କରିବାତ ଦୂରର କଥା ତାକୁ ଦେଖିବା ମାତ୍ରେ ତା ମୁହଁ ଆଗରେ କବାଟ ବନ୍ଦ କରିଦେଉଥିଲେ।ମିଲି ଆଖି ଆଗରେ ଖାଲି ଅନ୍ଧକାରର ଛାୟା ଖେଳିଯାଉଥିଲା।ତାକୁ ଲାଗୁଥିଲା ଚାରିଆଡୁ କଳା ବାଦଲ ମାଡି ଆସୁଛି ତା ଉପରକୁ।ହଠାତ ତାର ମନେ ପଡିଲା ସୁନା ନାନୀ କଥା ସେହିଁ ଏକା ତାକୁ ସାହାଯ୍ୟ କରିପାରିବ।ତାର ସୁଖରେ ଦୁଃଖରେ ସେହିଁତ ଛିଡା ହୁଏ।ସୁନା ନାନୀର ପରିବାରରେ କେହି ନାହାଁନ୍ତି,ଏକ ଅସମ୍ଭାବ୍ୟ ବାତ୍ୟାରେ ଛାରଖାର ହେଇଯାଇଥିଲା ତାର ପରିବାର କେବଳ ମଝି ଖୁଣ୍ଟ ଭଳି ସେ ବଞ୍ଚି ରହିଥିଲା ଜଗତର ଯାତନାକୁ ସହିବା ପାଇଁ।ପିଲାଟି ଦିନରୁ ସେ ମିଲିକୁ ଭାରି ଭଲପାଏ।ମିଲିର ଦୁଃଖରେ ସୁଖରେ ସେହିଁ ତା ସାଥିରେ ଛିଡାହୁଏ।
ମିଲି ଗୋଟିଏ ନିଶ୍ୱାସରେ ଦୌଡ଼ିଯାଇ ସୁନାନାନୀ ପାଖରେ ପହଁଚିଲା।
"କଣ ହେଇଛିକିଲୋ ମିଲି କାଇଁ ଏମିତି ସାହାସୁଛୁ!!"
ସୁନା ନାନୀ କାଲି ରାତିଠୁ ବାପାଙ୍କୁ ଜ୍ଵର ଯେତେ ଡାକିଲେବି ଉଠୁନାହାନ୍ତି ତୁ ଡାକ୍ତରବାବୁଙ୍କୁ ଡକା।ହଉ ରହ ମିଲି ମୁଁ ଏଇ ସାଙ୍ଗେ ସାଙ୍ଗେ କରୋନା ହସ୍ପିଟାଲକୁ ଫୋନ କରୁଛି..
କିଛି ସମୟପରେ ହସ୍ପିଟାଲରୁ କିଛି ଲୋକ ଆସି ମିଲିର ବାପାଙ୍କୁ ନେଇଗଲେ।ମିଲି ବାପାଙ୍କ ସଂସ୍ପର୍ଶରେ ଆସିଥିବାରୁ ମିଲି ଆଉ ତା ଭାଇକୁ ହସ୍ପିଟାଲ ନିଆଗଲା।କିଛିଦିନ କରୋନାରୂପି ରାକ୍ଷାସ ସହିତ ସଂଗ୍ରାମ କରି ବାପା ତାର ସବୁ ଦିନପାଇଁ ଆରପାରିକୁ ଚାଲିଗଲେ।ହସ୍ପିଟାଲରେ କିଛିଦିନ ରହିବା ପରେ ସୁସ୍ଥ ହେଇ ମିଲି ଆଉ ତା ଭାଇ ଘରକୁ ଫେରି ଆସିଲେ।
ହେଲେ ଆଗଭଳି ସେ ଘରେ ଆଉ ଉତ୍ସାହ ନଥିଲା।ଖାଁ ଖାଁ ଦିଶୁଥିବା ଘରଟା ଖାଇ ଗୋଡଉ ଥିଲା ମିଲିକୁ।ମା ଚାଲିଯିବାର ଦୁଃଖକୁ ଏ ଟିକି ହୃଦୟ ସମ୍ଭାଳୁ ସମ୍ଭାଳୁ ବାପାବି ତାକୁ ନିରାଶ୍ରୟ କରି ଚାଲିଗଲେ।ଏ ଜୀବନ ସତରେ କେଡେ ଯନ୍ତ୍ରଣା ଦାୟକ ଗୋଟିଏ ଦୁଃଖକୁ ସହୁ ସହୁ ତା ପିଠିରେ ଲଦିଦିଏ ଆଉ ଗୋଟିଏ ଦୁଃଖ।ମିଲି ଗୋଟିଏ ଲୁଗା ପାରି ତା ଭାଇକୁ ଶୁଆଇ ଦେଲା ନିଜେ ବସି ରହିଲା ତା ପାଖରେ।ଅନେକ ଦିନରୁ ଚାଳ ଛପର ହେଇନି ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଚାଳ ଭେଦି ପଡୁଛି ଘର ଭିତରେ।ତା ସହିତ ମିଲି ଆଖିର ମୁକ୍ତାଧାରା ମିଶି ସୃଷ୍ଟି କରୁଛି ଏକ ଅସମାହିତ ଝଡର ଆଶଙ୍କା।
ବାହାରେ କିଛି ସମାଜକର୍ମୀ ଅସହାୟ ଗରିବ ଲୋକମାନଙ୍କୁ ଖାଦ୍ୟ ବାଣ୍ଟୁଥିଲେ।ମିଲି ମଧ୍ୟ ସେଥିରୁ କିଛି ଅଣ୍ଟିରେ ଭରି ଘରକୁ ଫେରିଲା।ଖାଇବାରେ ଖୁସି ନଥିଲା ହେଲେ ବଞ୍ଚିବା ପାଇଁତ ପେଟକୁ ଦାନା ଦରକାର ନହେଲେ ଏ ସମାଜ ସହିତ ସେ ଲଢ଼ିବ କେମିତି।ମିଲି ସେଥିରୁ କିଛି ନିଜ ପାଟିରେ ଦେଲା ଆଉ କୁନାକୁ ମଧ୍ୟ କିଛି ଖୁଆଇଦେଲା।ଧୀରେ ଧୀରେ କୁନାର ମଥାକୁ ଆଉଁସି ଶୁଆଇଦେଲା,ମିଲି ଚାହିଁ ରହିଥିଲା ସଫେଦ ଆକାଶକୁ ଆଉ ଗୋଟେ କରୋନା ମୁକ୍ତ ନୂତନ ସୂର୍ଯ୍ୟ ଉଦୟ ଦେଖିବା ପାଇଁ।