Narayan chandra Senapati

Tragedy

3  

Narayan chandra Senapati

Tragedy

ମୋର ସବୁ ସରିଯାଇଛିରେ ଧନିଆଁ

ମୋର ସବୁ ସରିଯାଇଛିରେ ଧନିଆଁ

3 mins
254



ସମୁଦ୍ର କୁଳର ଅନତୀ ଦୂରରେ ଛୋଟିଆ ଗାଁଟିଏ । ନାଁ ତାର ଜଗନ୍ନାଥପୁର । ଅଧିକାଂଶ ଦରିଦ୍ରଙ୍କ ଆବାସସ୍ଥଳୀ ଏ ଗାଁ ସତେ ଯେମିତି ଜଗନ୍ନାଥଙ୍କର ଆଶିଷ ପାଇ ଆନନ୍ଦରେ କରୁଛନ୍ତି କାଳାତିପାତ । ଧନରେ ସିନା ଫକୀର ହେଲେ ମନରେ ସଚ୍ଚା ଅମୀର ସେମାନେ । ସେଇ ଗାଁର ଜଣେ ବାସିନ୍ଦା ଗୋବିନ୍ଦ ଝରା । ସ୍ତ୍ରୀ ଦୁଲାରୀ ଓ ଝିଅ ମୋତିକୁ ମିଶାଇ ତିନି ଜଣିଆ ଛୋଟିଆ ସୁଖୀ ପରିବାର । ହେଲେ ଦୁଃଖର ସାଗର ଅତଡା ଖାଉଥାଏ ତାଙ୍କ ଦାରିଦ୍ର୍ୟତାର ଝରକା ଫାଙ୍କରେ । କୁନି ଝିଅ ମୋତିଟା ପୋଲିଓ ରୋଗୀ । ଛୋଟା ଗୋଡ଼ରେ ଭାବୁଥାଏ ସଂସାରର ବଡ଼ ରାସ୍ତାକୁ ପାରି ହୋଇଯିବ । ଦୁଲାରୀଟା ଶ୍ଵାସ ରୋଗୀ,ନିଃଶ୍ୱାସ ପ୍ରଶ୍ୱାସର ଲୁଚକାଳି ଖେଳରେ ବିତି ଯାଉଥାଏ ତା ଜୀବନ । ଗୋବିନ୍ଦର କେଇଖଣ୍ଡ ଜମି ଥିଲା,ପ୍ରାୟତଃ ଅଧିକାଂଶ ବିକ୍ରି କରି ମୋତିର ଗୋଡଟାକୁ ତ ଭଲ କରିପାରିଲା ନାହିଁ,ଦୁଲାରୀ ବି ଅଧାମରା ହୋଇ ବଞ୍ଚିଛି ମରି ମରି । ଶ୍ରମ କରି କେଇଟା ଟଙ୍କା ପାଇଥିଲା ସେଥିରେ କରିଥିଲା ମୁଣ୍ଡ ଗୁଞ୍ଜିବାକୁ ଚାଳ ଛପର ଘରଟିଏ ଯାହାକୁ ବର୍ଷା,ଝଡ଼ ତୋଫାନ ପ୍ରତି ମୁହୂର୍ତ୍ତରେ ଡ଼ରାଉଥିଲା ତ ଉତ୍ତପ୍ତ ନିଆଁଟା ବାରମ୍ବାର ଧମକ ଦେଉଥିଲା ।


  କାନ୍ଦି କାନ୍ଦି ମୋତି ଘରକୁ ଗଲା । ଦୁଲାରୀ ବୁଝାଇବାକୁ ଚାହୁଁଛନ୍ତି । ଘଟଣା ହେଲା ସେ ଆଜି ଛୋଟା ଗୋଡ଼ରେ ଯାଇଥିଲା ସାହି ଭିତରକୁ । ଦଳେ ସ୍ତ୍ରୀ ଲୋକ କହିଲେ ଏଟା ଅଲକ୍ଷଣୀଟା ଜନ୍ମ ପରେ ଭାଇକୁ ଖାଇଲା,ମା ଟା ରୋଗରେ ମରିବା ଉପରେ,ବାପା ମାକୁ ଭିକାରୀ କରିଦେଲା । ଖାଲି ସେତିକି ନୁହଁ,ଗାଁ କୁ ବିପଦ ଆମନ୍ତ୍ରଣ କଲା । ଏଟା ନ ମଲା ଯାଏ ଗାଁର ଶୁଭ ବେଳା ସ୍ବପ୍ନ । ମା ବହୁତ ବୁଝାଇ ଶୁଝେଇ ବୋଧ କଲେ । ହେଲେ ନିଜ ଭାଗ୍ୟକୁ ଧିକ୍କାର କରି କଇଁ କଇଁ କାନ୍ଦି ଅପେକ୍ଷା କଲା ତା ବାପାଙ୍କୁ ।


 ଗୋବିନ୍ଦ ଗାଁ ମୁଣ୍ଡରୁ ଶୁଣିଲା ଝଡ଼ ତୋଫାନ ମାଡ଼ିଆସୁଛି । ଘଣ୍ଟାକୁ ୨୬୦କିମି ବେଗରେ ପବନ ବହିବ,୪୮ଘଣ୍ଟା ପ୍ରବଳ ବର୍ଷା ହେବ । ବିଚଳିତ ପ୍ରାୟ ଗୋବିନ୍ଦ କହୁଥାଏ ସମସ୍ତଙ୍କୁ ସତର୍କ କରାଯାଇଛି ଘରଛାଡି ଯିବାପାଇଁ । ଗୋବିନ୍ଦ ଦୁଲାରୀ ଓ ମୋତିକୁ କହୁଥାଏ ତୁମେ ଦୁହେଁ ଅନ୍ୟତ୍ର ଚାଲିଯାଅ । ମୁଁ ଏ ଘରେ ରହୁଛି । ଦୁଲାରୀ କହୁଥାଏ ନାଁ ନାଁ ତୁମେ ବାପ ଝିଅ ଚାଲିଯାଅ ମୁଁ ଅଛି । ଶେଷରେ ଗୋବିନ୍ଦ ଓ ଦୁଲାରୀଙ୍କ ନିଷ୍ପତ୍ତି ଯେ ତାଙ୍କର ଭବିଷ୍ୟତ ମୋତିକୁ ସେ ସୁରକ୍ଷିତ ଜାଗାକୁ ପଠାଇଦେବେ । ମାତ୍ର ମୋତିର ଉତ୍ତର ବାପା ମା ମୋତେ ଜୀଵଦାନ ଦେଇଛନ୍ତି,ତାଙ୍କ ଜୀବନ ବିନିମୟରେ ମୁଁ ବଞ୍ଚିବି,ଏଭଳି ସ୍ୱାର୍ଥପର ଜୀଇଁବା ଅପେକ୍ଷା ମୃତ୍ୟୁ ବରଂ କରିବା ଖୁବ୍ ଭଲ । ସେ ବାପା ମାଆଙ୍କ ପାଖରେ ରହିବ । ନିଜ ହାତ ତିଆରି ଘର ଓ ଜିନିଷ ମୋହରେ ଗଲେ ନାହିଁ ଗୋବିନ୍ଦ,ଦୁଲାରୀ ଓ ମୋତି । ମାଡି ଆସିଲା ତୋଫାନ,ସମୁଦ୍ରର ଲହରୀ । ମହାବାତ୍ୟାର ଦ୍ରୁତ ବେଗରେ ଭାଙ୍ଗିଯାଉଥାଏ ଗୋବିନ୍ଦର ଆଶା ଭରସାର କୁଡ଼ିଆ । ଗୋବିନ୍ଦ ଦୁଲାରୀଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଲା ପରି ଲାଗୁଥାଏ । ଜୀବନ ବଞ୍ଚାଇବାକୁ ତିନୋଟି ଜୀବ ହେଉଥାନ୍ତି ଡହଳ ବିକଳ । ନାଁ ଘରେ ନିରାପଦ ନାଁ ବାହାରେ । ମାଡ଼ିଆସିଲା ଉତ୍ତାଳ ତରଙ୍ଗ । ସ୍ରୋତର ପ୍ରଖର ସୁଅ ବାରମ୍ବାର ଉପହାସ କରୁଥିଲା ତିନି ଜୀବନର ଶକ୍ତ ସମ୍ପର୍କକୁ । ସତେ ଯେମିତି ଛିନ୍ନ କରିବାକୁ ସେ ପ୍ରତିଜ୍ଞାବଦ୍ଧ । ତିନି ଜଣ ହାତ ଧରାଧରି ହୋଇ ଥାଆନ୍ତି । ସଙ୍ଗେ ସଙ୍ଗେ ଜଳର ଉଚ୍ଚତା ବଢି ମୋତିକୁ ନେବାପାଇଁ ଉଦ୍ୟତ । କେତେ ସଂଘର୍ଷ କରି ନାହାନ୍ତି ବାପା ମାଆ ଦୁହେଁ । ହେଲେ ନିଷ୍ଠୁର ସ୍ରୋତଟା ତା ନିୟମ ମାନି ଟାଣି ନେଇଗଲା ଭିତରକୁ । ବାପା ବୁଡିଗଲି... ମା ଭାସିଗଲି...କରୁଣ କ୍ରନ୍ଦନଟା ଅସହାୟ ଦୁହିଁଙ୍କୁ ଅଟ୍ଟହାସ୍ୟ କରି କହୁଛି, ମୋତେ ହେୟଜ୍ଞାନ ?ମୋତି..ମୋତି..କହି ବିକଟାଳ ଚିତ୍କାର ହୋଇ ଯାଇଥିଲା ନିଷ୍ଫଳ । ଧୀରେ ଧୀରେ ଜଳସ୍ରୋତ ବଢ଼ିବାରେ ଲାଗିଲା । ଦୁଲାରୀ ଗୋବିନ୍ଦକୁ କହୁଥାଏ,ତୁମେ ପହଁରି ଚାଲିଯାଅ,ନିଜ ଜୀବନ ହେଲେ ବଞ୍ଚାଅ । କାନ୍ଦି କାନ୍ଦି ହାତକୁ ଧରି ଗୋବିନ୍ଦ କହିଲା, ମୁଁ ପରା ସାତ ଜନ୍ମ ପାଇଁ ହାତ ଧରିଥିଲି ଛାଡ଼ିବି ବା କେମିତି?ସାଥି ହୋଇ ବଞ୍ଚିବା ନଚେତ ସାଥି ହୋଇ ମରିବା ପରା ଥିଲା ଆମ ଦାମ୍ପତ୍ୟ ଜୀବନର ଆହ୍ୱାନ । ସଙ୍ଗେ ସଙ୍ଗେ ଜଳ ପତ୍ତନ ବଢି ଟାଣିନେଲା ଦୁଲାରୀକୁ । ମୋତେ ବଞ୍ଚାଅ ଶବ୍ଦର ଆକୁଳ ସ୍ୱର ଗୋବିନ୍ଦର ହୃଦୟକୁ କ୍ଷତ ବିକ୍ଷତ କରି ଦେଲା । ଶେଷରେ ଛିଡିଗଲା ଯୁଗ ଯୁଗର ଦାମ୍ପତ୍ୟ ଜୀବନର ସୁତାଖିଅ । ସ୍ରୋତର ପ୍ରଖରତା ଧକ୍କା ଦେଉଥାଏ ଗୋବିନ୍ଦକୁ । ଜୀବନ ବିକଳେ ପହଁରି ପହଁରି ଏକ ଟାପୁରେ ଲାଗିଲା ସେ । କେଇ ମୁହୂର୍ତ୍ତରେ ଥମିଗଲା ପବନ,କମିଗଲା ଜଳସ୍ରୋତର ପ୍ରକୋପ । ଆର ମୁଣ୍ଡରେ ପହଁରି ପହଁରି ଲାଗିଥିବା ଧନିଆଁ କହିଲା, କଣ ସବୁ ହୋଇଗଲା ହେ ଗୋବିନ୍ଦ ଭାଇ । ଆଉ କିଏ ନିରାପଦରେ ଅଛନ୍ତି ??


 ଦୀର୍ଘଶ୍ଵାସଟିଏ ଛାଡି ଗୋବିନ୍ଦ କହିଲା, ମୋର ସବୁ ସରିଯାଇଛିରେ ଧନିଆଁ....ଯଦି ବିପର୍ଯ୍ୟୟର ସୂଚନା ମାନିଥାନ୍ତି..ତେବେ ଏସବୁ ଦେଖିବାକୁ ହୋଇ ନ ଥାନ୍ତା । .....



Rate this content
Log in

Similar oriya story from Tragedy