ମଙ୍ଗଳପୁର ୨ କି.ମି.
ମଙ୍ଗଳପୁର ୨ କି.ମି.
== ପ୍ରତ୍ୟାଖ୍ୟାନ ==
କାହାଣୀଟି ସମ୍ପୂର୍ଣ ରୂପେ କାଳ୍ପନିକ ଏଥିରେ କୌଣସି ମୃତ କିମ୍ବା ଜୀବିତ ବ୍ୟକ୍ତିର ବାସ୍ତବତା ମଧ୍ୟରେ ସାମଞ୍ଜସ୍ୟ ନାହିଁ।ଏଥିରେ ବର୍ଣିତ କାହାଣୀକୁ କେହି ନିଜ ଉଦ୍ଦେଶ୍ୟରେ ଗ୍ରହଣ କରିବେ ନାହିଁ। କାହାଣୀ ଟି ଲେଖିଲା ବେଳେ ଯଦି କୌଣସି ସ୍ଥାନରେ ତ୍ରୁଟି ଥିଲେ କ୍ଷମା କରିବେ। ଆଶା କରେ କାହାଣୀଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ।
== ଭାଗ ୧ ==
ସମୟ ପ୍ରାୟ ସନ୍ଧ୍ୟା ୮ ଟା ପାଖାପାଖି । ଅଜୟ ମହାନ୍ତି ଓରଫ ଅଜୁ ସମ୍ବଲପୁର ରେ ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରେ। ସେଠାର ସେ ଏକ ଭଡ଼ା ଘରେ ରହେ। ଘର ତାର ସେଠାରୁ ୧୦୦ କିଲୋମିଟର ଦୂରରେ ମଙ୍ଗଳପୁର ନାମକ ଏକ ଗାଁ ରେ। ଗାଁ ରେ ତାର ବାପା ମାଆ ସମସ୍ତେ ରୁହନ୍ତି। କାମ ବ୍ୟସ୍ତତାରେ ଗାଁ କୁ ସେ ୫ ବର୍ଷ ହେଲା ଯାଇନି। ଆଜି ତା ଜେଜେମାର ଦେହ ଖରାପ ବୋଲି ଗାଁ ରୁ ଖବର ଆସିଛି।ତେଣୁ ସେ ବ୍ୟସ୍ତରେ ଅଫିସର ସବୁ କାମ ସାରୁସାରୁ ସମୟ ସାଢ଼େ ୬ ଟା। ସେ ତାର ଜିନିଷପତ୍ର ପ୍ୟାକିଙ୍ଗ କରି କାର୍ ରେ ୮ ଟାରେ ସେଠୁ ବାହାରିଲା।
୫୫ ନମ୍ବର ଜାତୀୟ ରାଜପଥ ଦେଇ ତାର ଗାଡ଼ି ଗଡି ଚାଲିଲା। କିଛିବାଟ ଯିବାପରେ ସେ ଦେଖିଲା ୯ଟା ବାଜିଲାଣି। ସନ୍ଧ୍ୟାରେ ସେ କିଛି ଖାଇ ନଥିବାରୁ ତାକୁ ଭୋକ ହେଲା ଓ ସେ ଆଗରେ ଥିବା ଗୋଟିଏ ଢ଼ାବା ପାଖରେ ଗାଡ଼ି ଅଟକାଇଲା। ଖାଇବା ପରେ ସେ ପୁଣି ଯିବାକୁ ବାହାରି ପଡ଼ିଲା। ଜାତୀୟ ରାଜପଥ ମରାମତି ହେଉଥିବାରୁ ଗାଁ କୁ ଯିବା ରାସ୍ତା ସେ ଜାଣିପାରିଲା ନାହିଁ।
ତେଣୁ ସେ ତାର ଗାଁର ପିଲାଦିନର ସାଙ୍ଗ ରଜତକୁ ଫୋନ୍ କରି ପଚାରିଲା। ରଜତ କହିଲା ରାସ୍ତା ମରାମତି ଚାଲୁଥିବାରୁ ବାଟ ଚିହ୍ନିବା ଭାରି କଷ୍ଟ। ଯେ କେହି ବି ବାଟ ବଣା ହେବା ସ୍ଵାଭାବିକ। ସେ କହିଲା ଶୁଣ ସାଙ୍ଗ ତୁ ଏକଦମ୍ ସିଧା ସିଧା ଆସ। କିଛି ବାଟ ଗଲାପରେ ତାକୁ ବାମପାର୍ଶ୍ଵକୁ ଯାଇଥିବା ଏକ ମାଟି ରାସ୍ତା ଦେଖାଗଲା । ତାର ମନେ ହେଲା କି ତାକୁ ସିଧା ରାସ୍ତା ରେ ଯିବା ପାଇଁ ରଜତ କହିଥିଲା। କିନ୍ତୁ ସେଠାରେ ଥିବା ଫଳକରେ "ବାଇପାସ୍ ରୋଡ ଫର୍ ବିଛୁପାଲି" ବୋଲି ଇଂରାଜୀରେ ଲେଖାଯାଇଥିଲା। ବିଛୁପାଲି ଗାଁ ପରେ ତାର ଗାଁ ପଡୁଥିବାରୁ ସର୍ଟକଟ ବାଟ ଦେଇଥିବ ଭାବି ସେ ସେ ରାସ୍ତା ରେ ଗଲା।
ରାସ୍ତାଟି ପୁରା ଖାଁ ଖାଁ ଥିଲା କେହି କୁଆଡେ ଦେଖାଯାଉ ନ ଥିଲେ। ସେ ରାସ୍ତାରେ ଗଲାବେଳେ ତାକୁ ସବୁ ଜାଗା ଅଜଣା ଅଜଣା ପରି ଲାଗିଲା। ସେ ଠିକ୍ ସେ ଜାଣିବା ପାଇଁ ରଜତ କୁ କଲ୍ କଲା କିନ୍ତୁ ଫୋନ୍ ଲାଗିଲା ନାହିଁ। ସେ ଯେତେ ଚେଷ୍ଟା କଲେ ବି ଫୋନ୍ ଲାଗିଲା ନାହିଁ । ସେ ଜାଗାରେ ନେଟୱର୍କ ଠିକ୍ ସେ ଆସୁ ନ ଥାଏ। ସେ ଆଉ କିଛି ନ ଭାବି ଆଗକୁ ବଢ଼ି ଚାଲିଲା।
ଅଜୁର ଗାଡ଼ି ଆଗରେ ଯାଇ ଗୋଟେ ବିଶାଳ ପୁରୁଣା ବରଗଛ ପାଖରେ ଅଟକିଗଲା। ସେ ଯେତେ ଚେଷ୍ଟା କଲେ ମଧ୍ୟ ଗାଡ଼ିଟି ଆଉ ଆଗକୁ ଗଡ଼ିଲା ନାହିଁ। ହଠାତ୍ ବରଗଛ ପଛପଟେ କାହାର କାନ୍ଦିବାର ଶବ୍ଦ ଶୁଣାଗଲା। ସେ ଜାଣିବା ପାଇଁ କାର ରୁ ବାହାରି ସେ ଗଛ ପାଖକୁ ଗଲା। ସେ ଦେଖିଲା ଜଣେ ଧଳା ଶାଢ଼ୀ ପିନ୍ଧା ସ୍ତ୍ରୀଲୋକ ଗଛ ପଛପଟେ ବସି କାନ୍ଦୁଛନ୍ତି। ସେ ତାଙ୍କୁ ତାଙ୍କର ପରିଚୟ ପଚାରିବାରୁ କିଛି ଉତ୍ତର ମିଳିଲା ନାହିଁ। ସେ ଆଉ ଥରେ ଚେଷ୍ଟା କରିବାକୁ ଯାଇଛିକି ନାହିଁ ହଠାତ୍ ଫୋନ୍ ରିଙ୍ଗ ହେବାର ଶବ୍ଦ ଶୁଭାଗଲା ତାକୁ।
ସେ ଦେଖିଲା ବେଳକୁ ରଜତ ଫୋନ୍ କରିଛି। ଫୋନ୍ ଉଠାଇବାରୁ ରଜତ କୁ ସେ ସବୁ ଘଟଣା କହିଲା। ରଜତ କହିଲା ତୁ ଭୁଲ ରାସ୍ତାରେ ଚାଲିଯାଇଛୁ ବୋଧେ। ତୁ ପୁଣି ସେ ମେନ୍ ରୋଡ କୁ ଯା,ତା ପରେ ମୁଁ ତତେ କହୁଛି। ଏତିକ କହି ସେ ଫୋନ ରଖିଲା।ଏତିକି ବେଳକୁ ରାତି ୧୦ ଟା ବାଜିଲାଣି। ସେ ପୁଣି ଥରେ ସେ ଗଛ ପାଖକୁ ଯାଇ ଦେଖେ ତ ସେଠି କେହି ନାହାନ୍ତି। କାହାକୁ ନ ପାଇ ସେ ଚାଲିଆସିଲା ବେଳେ ହଠାତ୍ ପଛପଟୁ ଏକ ଭୟଙ୍କର ଶବ୍ଦ ଶୁଣାଗଲା ।କେହି ଯେପରି ଚିତ୍କାର କରି କହୁଥିଲା ଯେ "ଏଠୁ ଚାଲିଯା ନ ହେଲେ ମରିବୁ"। ବାରମ୍ବାର ଏପରି ଶବ୍ଦ ଆସିବାକୁ ଲାଗିଲା।
ଏକଥା ଶୁଣି ଅଜୁ ଭୟରେ କାର ଭିତରକୁ ଯାଇ ଗାଡ଼ି ଷ୍ଟାର୍ଟ କରିବାକୁ ଲାଗିଲା । ହଠାତ୍ କାର ଷ୍ଟାର୍ଟ ହେଲାନି ସେ ପ୍ରବଳ ଡରିଗଲା, ତ ବହୁ ଚେଷ୍ଟା ପରେ କାର ଷ୍ଟାର୍ଟ ହେଲା।ଭୟରେ ଗାଡ଼ି କ୍ଷୀପ୍ର ବେଗରେ ଗଡ଼ାଇ ଚାଲିଲା ମେନ୍ ରୋଡ ଆଡ଼କୁ। ଏତେ ବେଳକୁ ସେ ସମ୍ପୂର୍ଣ ଭୟ ପାଇ ଯାଇଥାଏ।ତା ମନରେ ଖାଲି ଗୋଟିଏ ପ୍ରଶ୍ନ ଥିଲା କି,ସେଠାରେ କିଏ ଥିଲା , କିଏ ସେ ସ୍ତ୍ରୀଲୋକ, ଅସଲରେ ଏ ବିକଟାଳ ଶବ୍ଦ କାହାର ଥିଲା ଏକଥା ତା ମନରେ ଘାରିବାକୁ ଲାଗିଲା। ମେନ୍ ରୋଡ଼ କୁ ଯିବା ପର୍ଯ୍ୟନ୍ତ ଅଜୁର ମନରେ ଭୟ ପଶି ଯାଇଥିଲା। ସେ ଏକଥା ଚିନ୍ତା କରି କରି ଶେଷର ମେନ୍ ରୋଡ଼ ପାଖରେ ଆସି ପହଞ୍ଚିଲା। ତା ପରେ......
କ୍ରମଶଃ.............

