ମାଗୁଣି ନାଁ ପାଇ ସେ କେଵେ ବଞ୍ଚି ଶିଖିଲା ତାକୁ ଜଣା ନଥିଲା . ଗମଗମ ଝାଳ ବହିଯାଉଥିବା ଦେହକୁ ପୋଛୁ ପୋଛୁ ଜଣେ କେହି ବାବୁ ପରି ଦେଖାଯାଉଥିବା ପଛରୁ କହୁଥିଲା ହେ...ହେ,ଟିକେ ମୋ ଜିନିଷପତ୍ର ଧରିଲୁ. ବୁଲି ଚାହିଁଲା ମାଗୁଣି. ସେଯାଏଁ ତା ନାଁ ସିନା ମାଗୁଣି ନଥିଲା କିନ୍ତୁ ଅନେକବାର ଜଗନ୍ନାଥଙ୍କୁ ଥରଥର କରି ମାଗୁଣି କରୁଥିଲା ମତେ ରୋଜଗାର ଦିଅ ପ୍ରଭୁ ତ କାର ପର୍ଯ୍ୟନ୍ତ ଆଟାଚି ଓ ଟ୍ରଲି ବ୍ୟାଗ ଦୁଇଟି ଭିଡି ଭିଡି ଆହୁରି ଝାଳ ବୋହିପଡୁଥିବା ଦେହର ଆଖି ଦୁଇଟା ପାଖ ସର୍ବତ ଦୋକାନକୁ ଲୋଭିଲା ଆଖିରେ ଚାହିଁଥିଲା ବେଳେ ବାବୁ କହିଲେ ତୋ ନାଁ କଣ,ଏଇ ନେ ଶହେ ଟଙ୍କା. ମାଗୁଣି ପୁରଣ ହୋଇଥିବାରୁ ଶହେ ଟଙ୍କା ଏକାଥରେ ରୋଜଗାର କରି ସେ କହିଥିଲା ମୁଁ ମାଗୁଣି ଆଜ୍ଞା. ହଉ ହଉ କହି ବାବୁ ଗାଡି ଷ୍ଟାର୍ଟ କରି ଚାଲିଗଲା ପରେ ମାଗୁଣିର ପାଦ ବଢୁଥିଲା ସର୍ବତ ଦୋକାନକୁ. ସେଇ ବଢିଲା ପାଦ ଆଉ ପଛକୁ ହଟିନି କେଵେ. ସେ ହେଇଗଲା କୁଲି ମାଗୁଣି. ଏବେ ତା ପେଟକୁ ଦାନା, ପିଠିକୁ କନା ଓ ଆଗକୁ ବଢିବାକୁ ସାଇକେଲଟିଏ ହୋଇଯାଇଛି. ଆଉ ଯାହା ସ୍ବପ୍ନ ଅଛି ସେଇଟା ଗୁରେଇ ଚାହିଁଲେ ହେଲା.ହୋଟେଲ ବଦଳରେ ଘରେ ଚୁଲି ଜଳନ୍ତା.ଛୁଆଟିଏ ବାପା ବାପା କହି ପଛରୁ ଡାକୁଥାଆନ୍ତା.ମାଗୁଣି ଏମିତି ମାଗୁଣି କରୁ କରୁ ସେଦିନ ସାଇକେଲ ନେଇ ନୂଆଘର ଠିକଣାରେ ଯାଉଥିଲା ବେଳେ ଜୀଵନ ଦୀପ ଏମିତି ଭାବେ ଲିଭିଯିବ ଓ ଗୁରେଇର ସୁନେଲି ଭବିଷ୍ୟତ ଛିନଛତ୍ର ହୋଇଯିବ ଭାବିନଥିଲା ଗୁରେଇ.
ଆକ୍ସିଡେଣ୍ଟ ସ୍ଥାନରେ ମାଗୁଣିର ମଲାଦେହଟାକୁ ଟିକେ ମନଭରି ଆଉଁସି ଦେବାକୁ ଯାଇ ମଣିଷ ବଦଳରେ କୁକୁରର ଖଣ୍ଡବିଖଣ୍ଡିତ ଦେହ ଦେଖୁ ଦେଖୁ ରସ୍ତା ତଳକୁ ଛିଟିକି ଯାଇଥିବା ସାଇକେଲ ସହ ଯାହା ପାଇଥିଲା ତାକୁ ସଯତ୍ନରେ ଗୁଡେଇ ରଖୁଥିଲା ଗୁରେଇ . ତହିଁ ଆରଦିନ ସାଇଣ୍ଟିଫିକ ଟିମ ରିପୋର୍ଟ ଦେଇଥିଲେ ମଣିଷ ନୁହେଁ ବରଂ କୁକୁରର ମୃତ୍ୟୁ ହୋଇଛି ତେଣୁ ରାସ୍ତାରେ ହରତାଳ କରି ଧନ ଜୀଵନ ହାନି କରିବା ଉଚିତ ନୁହେଁ. ବାବୁଘରୁ ଏକଥା ଶୁଣି ଧାଇଁଲା ଗୁରେଇ ଯାହା ସଜତ୍ନରେ ସାଇତି ଥିଲା କାଲିଠୁ ତାକୁ ନେଇ ଦେଖାଇଲା କେତେ କାହାକୁ. ସମସ୍ତେ ଦୁର୍ଗନ୍ଧରେ ନାକ ଟେକି ଚାଲିଯିବା ପରେ ଗୁରେଇ ମାଗୁଣିର କଟିଯାଇ ଛିଟିକି ପଡ଼ିଥିବା ହାତଟିକୁ ଗାତ ଖୋଳି କବରସ୍ଥାନରେ ପୋତି ତା ଉପରେ ଗଛଟିଏ ଲଗାଇ ଦେଇଥିଲା. ଗଛଟି ବଢ଼ି ଝଙ୍କାଳିଆ ହୋଇଯିବା ପରେ ଗୁରେଇ ଆସି ତା ସଙ୍ଗେ କଣ ସବୁ ଏତେ କଥା ହେଉଥିଲା କେଜାଣି ସମସ୍ତେ କହୁଥିଲେ ତା ମରଦ କବରଭିତରୁ ଗଛ ହୋଇ ବାହାରିଲା ପରେ ବିଚାରୀ ତା ସହ ଦୁଃଖସୁଖ ହୋଇ ଜୀବନ କାଟୁଛି.କିଏ ଆଉ ପୁରୁଣା କଥା ମନେ ରଖିଛି ଯେ କହିବ ମାଗୁଣି ବୋଲି ଗୋଟେ ଲୋକ ଥିଲା ବରଂ ଏଭିତରେ ସେ ଗୁରେଇ ମରଦ ହୋଇ ଶାପମୁକ୍ତ ହୋଇସାରିଥିଲା.
ଏସବୁ ଭିତରେ ବି ଗୁରେଇ ବାହା ହୋଇଥିଲା ମଦନାକୁ.ଗୁରେଇ ମାଗୁଣିର ବାଗଦତ୍ତା ଥିଲା ସବୁ ଜାଣିଥିଲା ମଦନା.ଆଉ ଜାଣିଥିଲା କବରସ୍ଥାନରେ କଟିଯାଇଥିବା ମାଗୁଣିର ଆଧାହାତକୁ ପୋତି ଗୁରେଇ ସେଇ ଗଛର ଯତ୍ନ ନିଏ. ବାରଣ କରେନି ମଦନା. ପୁଅ ମଧ୍ୟ ମାଆ ସଙ୍ଗେ ସେଇ କବର ସ୍ଥାନକୁ ଯାଏ. ପୁଅର ପ୍ରଶ୍ନ ଏଠାରେ କାହାର ସମାଧି ପୀଠ ପଚାରିଲେ ଗୁରେଇ ଆଖିରୁ ଝରିଆସେ ଦୁଇଧାର ଲୁହ ଆଉ ସେ କହେ ତୁ ଆସିବାର ବହୁ ଆଗରୁ ତତେ ନେଇ ଯିଏ ଅନେକ ସ୍ବପ୍ନ ଦେଖୁଥିଲେ ଯେ ତୁ ପଢ଼ିବୁ ଓ ବଢ଼ିବୁ, ତାଙ୍କରି ସମାଧି ଏଇଟା. ତୁ ସିନା ପାଠ ଛାଡି ଏ ବୟସରେ ବେଲୁନ ବିକିଲୁ ପୁଅ କିନ୍ତୁ ତତେ ବେଲୁନ ବିକିବା ଦେଖିଥିଲେ ଏଠି ଶୋଇଯାଇ ପରେ ଏହି ବିରାଟ ବରଗଛ ହୋଇଯାଇଥିବା ଲୋକର ସ୍ବପ୍ନ କିଛି ଅଲଗା ଥିଲା କହିଥିଲା ମାଆ ଗୁରେଇ. ମଦନାକୁ ଏକଥା ଖରାପ ଲାଗିଥିଲେ ବି ପୁଅକୁ ପଢେଇବା କ୍ଷମତା ତାର ନଥିଲା କିନ୍ତୁ ପୁଅ ଏବେ ବେଲୁନ ସବୁର ନୂଆ ଆକୃତି ଦେଉ ଦେଉ ଡାହାଣ ହାତ ଓ ବାମ ହାତ ବେଲୁନ କରି ବିକିବା ବେଳେ କହୁଥିଲା ବାମ ହାତ ବେଲୁନ କିଣିଲେ ପଢିବ ଓ ବଢିବ ଆଉ ଦାହାଣ ହାତ ବେଲୁନ କିଣିଲେ ଭଲମଣିଷ ହେବ. ବହୁ ସଂଖ୍ୟାରେ ଏହି ହାତ ବେଲୁନ ବିକ୍ରୀ ହେଉଥିଲା ବେଳେ ଗୁରେଇ ପଣା ସଂକ୍ରାନ୍ତି ଦିନ ଶିବଙ୍କୁ ଜଳଶାୟୀ କରି ସ୍ୱାମୀ ମଦନା ପାଦ ଛୁଇଁଥିବା ବେଳେ ମଦନା କହୁଥିଲା ଆମ ପୁଅ ଏବେ ପାଠ ପଢିବ ଗୁରେଇ, ଏଇ ଦେଖ ତା ପାଇଁ କେତେ ପାଠ୍ୟ ସରଞ୍ଜାମ ମୁଁ ନେଇ ଆସିଛି!ଗୁରେଇ କହୁଥିଲା ତୁମ ଭଳି ସ୍ୱାମୀ ପାଇ ମୁଁ ଭାଗ୍ୟବତୀ ତ ପୁଅ ପଚାରୁଥିଲା ଆଉ ମୁଁ ଭାଗ୍ୟବାନ ନା ମାଆ. ମଦନା ତା ଖୁସିର ସଂସାର ଦେଖି ଅଭିମାନ ଭୁଲି ହସି ଦେଇଥିଲା.