Dambarudhar Dash

Inspirational

3.8  

Dambarudhar Dash

Inspirational

ମାଆ ପରି କିଏ ହେବ

ମାଆ ପରି କିଏ ହେବ

3 mins
484


ସଦାଶିବ ବାବୁ , ଗୌରିଦେବୀ ଓ ପୁଅ କୁନାକୁ ନେଇ ଛୋଟ ପରିବାରଟିଏ ସଦାଶିବ ବାବୁଙ୍କର । ସେ ଜଣେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ । ନିଜର ନୀତି, ଆଦର୍ଶ ଓ ସଚୋଟପଣିଆ ତାଙ୍କର ପରିଚୟ ନିଜର କର୍ତ୍ତବ୍ୟରେ ସେ କେବେହେଲେ ଅବହେଳା କରି ନାହାନ୍ତି । ଗୌରୀ ଦେବୀ ମଧ୍ୟ ଜଣେ ସଫଳ ଗୃହିଣୀ ଭାବରେ ସମସ୍ତ କର୍ତ୍ତବ୍ୟ ତୁଲାଇଛନ୍ତି । ଜଣେ ଶିକ୍ଷକର ପତ୍ନୀ ହେବାର ସମସ୍ତ ଗୁଣ ତାଙ୍କ ପାଖରେ ଅଛି । ଉଭୟ ପୁଅ କୁନାକୁ ନେଇ ଅନେକ ସ୍ବପ୍ନ ଦେଖିଛନ୍ତି । ପୁଅକୁ ଜଣେ ଭଲ ମଣିଷ କରି ଗଢି ତୋଳିବା ପାଇଁ ବାପା ମା ସମସ୍ତ କର୍ତ୍ତବ୍ୟ ତୁଲାଇଛନ୍ତି ।

   କିନ୍ତୁ ଏହି ଛୋଟ ସୁଖୀ ପରିବାର ଉପରେ ଦୁଃଖର ପାହାଡ଼ ଓଜାଡି ହୋଇ ପଡ଼ିଛି । 

ସଦାଶିବ ବାବୁ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ସ୍ବାମୀଙ୍କ ବିୟୋଗ ପୁଅର ଲାଳନ ପାଳନର ଦାୟିତ୍ଵ, ଚାରିଆଡ଼େ ଅନ୍ଧକାର ହୋଇଯାଇଛି ଗୌରୀ ଦେବୀଙ୍କ ପାଇଁ । ତଥାପି ସବୁ ପରିସ୍ଥିତର ସାମ୍ନା କରି ପୁଅ ମୁହଁକୁ ଚାହିଁ ସେ ସବୁ ଦୁଃଖକୁ ପାସୋରି ଯାଇଛନ୍ତି । ଏହା ଭିତରେ ପୁଅର ବିଦ୍ୟାଳୟ ଯିବାର ବୟସ ହୋଇ ଯାଇଛି । ଗୌରୀ ଦେବୀ ସ୍କୁଲରେ କୁନାର ନାମ ଲେଖାଇ ଦେଲେ ତାର ପାଠପଢ଼ା, ଘରର ସମସ୍ତ ଖର୍ଚ୍ଚ ସ୍ବାମୀଙ୍କ ପେନସନ ଟଙ୍କାରେ ଚାଲିଥାଏ ।

   ଗୌରୀ ଦେବୀ କୁନାର କୌଣସି ଥିରେ ଅବହେଳା କରିନାହାନ୍ତି । ପୁଅକୁ ବିଦ୍ୟାଳୟକୁ ନେବା , ଘରର ସମସ୍ତ କାର୍ଯ୍ୟ କରିବା ତାଙ୍କର ନିତି ଦିନିଆ କାମ । ଦିନେ ପୁଅକୁ ସ୍କୁଲରେ ଛାଡ଼ି ଆସିବା ପରେ ସାଙ୍ଗମାନେ କୁନାକୁ ତାର ମାର ଗୋଟିଏ ଆଖି ନାହିଁ ବୋଲି ଚିଡାଇଲେ । କୁନାକୁ ବହୁତ୍ କଷ୍ଟ ଲାଗିଲା । ସେ ମନ ଦୁଃଖରେ ସ୍କୁଲରୁ ଫେରିଲା । ପୁଅର ମନ ଦୁଃଖ ଦେଖି ମା ତାର କାରଣ ପଚାରିଲେ । ସେତେବେଳେ କୁନା ହଠାତ୍ ପଚାରିଲା ମା ତୁମର ଗୋଟିଏ ଆଖି କାହିଁକି ନାହିଁ ? ମା ନିରବ ରହିଲେ ଯେମିତି ତାଙ୍କ ପାଖରେ ଏ ପ୍ରଶ୍ନର ଉତ୍ତର ନାହିଁ । 

      ସମୟ ବିତି ଚାଲିଥାଏ ବାରମ୍ବାର ସେହି ଗୋଟିଏ ପ୍ରଶ୍ନ କୁନା ମା'କୁ ପଚାରି କୌଣସି ଉତ୍ତର ପାଉନଥାଏ । କୁନା ବିରକ୍ତି ପ୍ରକାଶ କରି ମା'ଙ୍କ ଉପରେ ରାଗୁଥାଏ । ତାକୁ ଏଥିପାଇଁ ସାଙ୍ଗମାନଙ୍କ ପାଖରେ ଲଜ୍ଜିତ ହେବାକୁ ପଡୁଥାଏ । ତଥାପି ଗୌରୀ ଦେବୀ ନିରବ ରହିଥିଲେ । ପୁଅର ବ୍ୟବହାରରେ କେବେହେଲେ ବିଚଳିତ ହୋଇ ନାହାନ୍ତି ।

     ପୁଅର ପାଠ ପଢା ସରିଗଲା । ଚାକିରି ବି ହୋଇଗଲା । ଗୌରୀ ଦେବୀଙ୍କ ମୁଣ୍ଡରୁ ଏବେ ସବୁ ଦାୟିତ୍ଵ ସରିଯାଇଛି ପୁଅର ସହରରେ ଚାକିରି ହୋଇଥିବାରୁ ମା'କୁ ନେଇ ସହରକୁ ଚାଲି ଆସିଛି । ପୁଅ ଏବେ ବଡ଼ ଅଫିସର । ସମାଜରେ ପ୍ରତିଷ୍ଠିତ ହେଲାଣି । ଅନେକ ଲୋକ ସାଙ୍ଗସାଥୀ ପୁଅକୁ ଦେଖା କରିବାକୁ ଆସୁଛନ୍ତି । କିନ୍ତୁ ମା'ର ଆଖିକୁ ନେଇ ଯେତେବେଳେ ସାଙ୍ଗସାଥୀ ପ୍ରଶ୍ନ କରନ୍ତି ସେ ଲଜ୍ଜିତ ହୋଇଛି । ଦିନେ ପୁଅର ଧୈର୍ଯ୍ୟର ସୀମା ଟପିଯାଇଛି ସେ ମା ଉପରେ ବହୁତ୍ ରାଗିଛି ଏବଂ ବାହାରି ଯିବା ପାଇଁ କହିଛି । ତଥାପି ଗୌରୀ ଦେବୀ ପୁଅ ଉପରେ ରାଗି ନାହାନ୍ତି କିମ୍ବା ଆଖିରୁ ଲୁହ ଝରାଇ ନାହାନ୍ତି କାଳେ ପୁଅର ଅମଙ୍ଗଳ ହେବ ବୋଲି । 

      ଦିନେ ପୁଅର ଖୁସୀ ପାଇଁ , ପୁଅର ସମ୍ମାନ ପାଇଁ ସେ ସେହି ଜାଗା ଛାଡ଼ି ଚାଲିଯିବାକୁ ନିଷ୍ପତ୍ତି ନେଇଛନ୍ତି । ପୁଅ ଅଫିସ୍ ଯିବା ପରେ ଗୌରୀ ଦେବୀ ତା' ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି ଏବଂ ଘର ପାଖରେ ରହୁଥିବା ପଡୋଶୀଙ୍କୁ ଚିଠିଟି ପୁଅକୁ ଦେବା ପାଇଁ କହି ଚାଲି ଯାଇଛନ୍ତି । ପୁଅ ଅଫିସରୁ ଫେରିବାବେଳେ ପଡୋଶୀ ଚିଠିଟି ଆଣିଦେଲେ । କୁନା ଚିଠି ଖୋଲି ପଢିଲା ସେଥିରେ ଲେଖାଥିଲା ପୁଅ ତୁ ଯେତେବେଳେ ଜନ୍ମ ହେଲୁ ତୋର ଗୋଟିଏ ଆଖି ନଥିଲା । ସେଥିପାଇଁ ମୁଁ ବହୁତ ଦୁଃଖିତ ଥିଲି । ତୁ ଯେତେବେଳେ ବଡ଼ ହେବୁ ଆଉ ତୋର ଗୋଟିଏ ଆଖି ନଥିବ ତୁ ସାଙ୍ଗସାଥୀ ମାନଙ୍କ ସହ କେମିତି ମିଶିବୁ ଭାବି ଭାବି ମୁଁ ପୁରା ଭାଙ୍ଗିପଡିଥିଲି । ଡାକ୍ତରଙ୍କ ସହ ପରାମର୍ଶ କରି ତୁ ଯେତବେଳେ ଟିକିଏ ବଡ଼ ହେଲୁ ମୋର ଗୋଟିଏ ଆଖି ତୋ ଆଖିରେ ଲଗାଇଦେଇଥିଲି । ଚିଠିଟି ପଢ଼ିବାବେଳେ କୁନାର ଆଖିରୁ ଧାରଧାର ହୋଇ ଲୁହ ବୋହି ଯାଉଥାଏ । ନିଜକୁ ଧିକ୍କାର କରି କାନ୍ଦିବା ଛଡ଼ା କୁନା ପାଖରେ ଆଉ କିଛି ଉପାୟ ନଥିଲା । ସେ ଦଣ୍ଡେ ମଧ୍ୟ ସ୍ତିର ହୋଇ ରହି ପାରିଲା ନାହିଁ । ସେ ବାହାରି ପଡ଼ିଲା ମା'କୁ ଖୋଜିବାକୁ । ହେଲେ ଖୋଜିବ କେଉଁଠି । ଲୋକଙ୍କୁ ପଚାରିଲେ ବା କିଏ ଜାଣିଛି ଯେ କହିବ, ଏମିତିବି ସହର ଜାଗା । ଯାହାକୁ ଦେଖେ ମାଆ ବୋଲି ଡାକେ , ପୂରାପୂରି ବାଉଳା ହୋଇଗଲା । ଏମିତି ଯାଉ ଯାଉ କ୍ଳାନ୍ତ ହୋଇ ଗୋଟିଏ ଭଙ୍ଗା ଯାତ୍ରୀ ନିବାସରେ ବସି ପଡ଼ିଲା । ସେତେବେଳେ ଦେଖିଲା ସେଠାରେ ଜଣେ କେହି ପାଗେଳି ବୋଧେ ଶୋଇଛି । କିଛି ସମୟ ପରେ ସେଠାରୁ ବାହାରିଯିବା ସମୟରେ କଣ ଭାବିଲା କେଜାଣି ପାଖକୁ ଯାଇ ଦେଖେ ତ ମା ' ହିଁ ଶୋଇଛନ୍ତି । କୁନା ଆଉ ନିଜକୁ ସମ୍ଭାଳି ନପାରି ମା'ର ଗୋଡ଼ ତଳେ ପଡ଼ିଗଲା । ଆଖରୁ ଲୁହ ଝରିଲେ ପୁଅର ଅମଙ୍ଗଳ ହେବ ବୋଲି ଭାବୁଥିଲେ ଯିଏ ସିଏ କଣ ପୁଅର ଦୁଃଖ ଦେଖିପାରିବେ । ସିଏ ପରା ମାଆ । ମାଆ ପରି ଆଉ କିଏ ହେବ । ପୁଅକୁ ପୁଣି କୋଳେଇ ନେଲେ ଏବଂ ଦୁଇଜଣ ପୁଣି ଖୁସିରେ ଘରକୁ ଚାଲିଗଲେ ।


Rate this content
Log in

Similar oriya story from Inspirational