DEEPAK SENAPATI

Inspirational Others

3  

DEEPAK SENAPATI

Inspirational Others

ଲୋକେ କ'ଣ ଭାବିବେ

ଲୋକେ କ'ଣ ଭାବିବେ

3 mins
186



   ସେଦିନ ପ୍ରାୟ ଶନିବାର ଥାଏ ହୋଲି ପାଇଁ କମ୍ପାନୀ ଛୁଟି ରହିବାର ଥିଲା l ରବିବାର ମୋର ସାପ୍ତାହିକ ଛୁଟି, ଦୁଇଦିନ ଛୁଟି ! ତେଣୁ ଘରକୁ ଯିବାପାଇଁ ମୁଁ ମୋର ସମସ୍ତ ପ୍ରସ୍ତୁତ ସାରିଦେଇଥାଏ l କୌଣସି କାରଣରୁ କମ୍ପାନୀ ଛୁଟି କ୍ୟାନ୍ସଲ ହେଇଗଲା l ମନକୁ ଆଉ ବୁଝେଇ ପାରିଲିନି ଗୋଟେ ଦିନ ହଉ ବରଂ ବାହାରିଛି ଯଦି ଯିବି l ଡିଉଟି ସାରି ୩ଟା ବେଳେ ରୁମ ଆସି ଗାଧୋଇ ପାଧୋଇ ୩.୩୦ ବେଳେ ବାହାରିଲି ଘର ଅଭିମୁଖେ l ଖଡ଼କପୁରରୁ ମୋ ଘର ଦୁଇ ଘଣ୍ଟାର ରାସ୍ତା l ଖରାଦିନ ହାତରେ ବହୁତ ସମୟ ଅଛି ଧୀରେ ଧୀରେ ମୋ ଗାଡିରେ ଘର ଅଭିମୁଖେ ଚାଲିଥାଏ l ୫ ଟା ବେଳେ ଜଳେଶ୍ୱରର ଏକ ରାସ୍ତା ପାଖ ଚା ଦୋକାନରେ ଗାଡିଟିକୁ ଠିଆ କଲି ଓ ସାଙ୍ଗକୁ ଫୋନ କରି ଘରକୁ ଯାଉଛି ବୋଲି କହିଲି l ଛୁଟିରେ ଘରକୁ ଗଲେ ଘରଲୋକଙ୍କ ଅପେକ୍ଷା ସାଙ୍ଗମନଙ୍କ ଖୁସି ବହୁତ ଅଧିକ l ଫୋନରେ କଥାବାର୍ତା ମଧ୍ୟରେ ଚା ପାଇଁ କହିଦେଇଥାଏ l କିଛି ସମୟ ପରେ ମଉସା ଚା ଦେଲେ, ଚା ପିଉ ପିଉ ଆଖି ପଡିଲା ଚା ଦୋକାନ ସାମ୍ନାରେ ଛିଡା ହୋଇଥିବା ଗୋଟେ ଛୋଟ ପିଲା ଓ ତା ମାଆ ଉପରେ l ପିଲାଟି ଚୋକଲେଟ ଖାଇବ ବୋଲି ତା ମା ପାଖରେ ଅଳି କରୁଥାଏ l କିନ୍ତୁ ବୋଧହୁଏ ତା ମାଆ ପାଖରେ ସେତେବେଳେ ପଇସା ନଥାଏ, ବିଭିନ୍ନ ବାହାନା ଦେଖାଇ ପିଲାଟିକୁ ଚକୋଲେଟ ଖାଇବାକୁ ବାରଣ କରୁଥାଏ l ଛୋଟ ପିଲାଟି ତା ଜିଦରେ ଅଟଳ , ତା ମାଆ କହୁଥାଏ ଦାନ୍ତ ସବୁ ପୋକ ଖାଇଗଲାଣି ସେ ଚକୋଲେଟ ଖାଆନି l ସେ ପିଲାର ଗୋଟେ ଜିଦ ସେ ଚକୋଲେଟ ଖାଇବ l କିଛି ସମୟ ଏ ଦୃଶ୍ୟ ଦେଖିଲା ପରେ , ମୋ ମନରେ ଚିନ୍ତା ଆସିଲା ସେ ପିଲାକୁ ଚକୋଲେଟ କିଣି ଦିଅନ୍ତିନି ! ତା ପରେ ଭାବିଲି ଚା ଦୋକାନ ପାଖରେ ଥିବା ଲୋକ କଣ ଭାବିବେ ସେ ପିଲାର ମାଆ କଣ ଭାବିବ ? ତାପରେ ମୋ କୁମନକୁ ସୁମନ ବୁଝାଇଲା ଦିନେ ରାମଚନ୍ଦ୍ର ଏଇ "ଲୋକେ କଣ ଭାବିବେ "ଭାବିଥିଲେ ବୋଲି ସୀତାଙ୍କୁ ଜଙ୍ଗଲରେ ନେଇ ଛାଡିଆସିଥିଲେ l ତା ପରେ ମୋ ସୁମନ ଓ କୁମନର କଥାବାର୍ତାର ଚୂଡାନ୍ତ ନିଷ୍ପତି ଆସିଲା l ମୁଁ ସେ ଚା ଦୋକାନରେ ମଉସାଙ୍କୁ କହିଲି ମୋତେ କିଛି ଚକୋଲେଟ ଆଉ କୁରକୁରି ଦିଅନ୍ତୁ l ସେତେବେଳକୁ ମୋର ଚା ପିଆ ବି ସରିଯାଇଥାଏ, ମଉସାଙ୍କୁ ପଇସା ଦେଇ ସେ ଚକୋଲେଟ ଓ କୁରକୁରି ନେଇ ସେ ପିଲା ପାଖକୁ ଯାଇ ତାକୁ ବଢ଼ାଇଦେଲି କିନ୍ତୁ ସେ ପିଲା ତା ମାଆ ମୁହଁକୁ ଚାହୁଁଥାଏ l ପ୍ରଥମେ ତା ମାଆ ମୋତେ ଦେଖି ସ୍ମିତାହାସ୍ୟ ଦେଇ କହିଲେ ତା ଦାନ୍ତ ସବୁ ପୋକ ଖାଇ ଯାଉଛି ସେଇଥି ପାଇଁ ତାକୁ ଚକୋଲେଟ ଦିଆଯାଏନି l କିନ୍ତୁ ସେ ପିଲା ମୁହଁରେ ଖୁସି ଦେଖି ଆଉ ଥରେ ତା ମାଆକୁ ଅନୁରୋଧ କରି କହିଲି ଆଜି ଗୋଟିଏ ଦିନ ପାଇଁ ଦିଅନ୍ତୁ l ପିଲାଟି ତା ମାଆ ପାଖରୁ ହଁ ସଂକେତ ପାଇବା ପରେ ମୋ ପାଖରୁ ଚକୋଲାଟେ ଧରିନେଲା l

ତା ମାଆ ମୋତେ କହିଲେ : ଭାଇ ପଇସା ଦିଅନି... ତା ବାପା ଆସିଲେ ଦେଇଦେବେ !

ମୁଁ ମଧ୍ୟ ତାଙ୍କୁ ଭଉଣୀ ସମ୍ବୋଧନ କରି କହିଲି ନା ନା ମୁଁ ଦେଇଦେଇଛି l

ତାପରେ ପ୍ରାୟ ୧୦-୧୫ ମିନିଟ ର ବାର୍ତାଳାପ ମଧ୍ୟରେ ସେ ତାଙ୍କ ବିଷୟରେ ସବୁକିଛି କହିଲେ କଥାବାର୍ତାରୁ ଜାଣିଲି ତାଙ୍କର କେହି ଭାଇ ବି ନାହାନ୍ତି l ଏହି ସମୟରେ ତାଙ୍କ ସ୍ୱାମୀ ମଧ୍ୟ ଆସି ପହଁଚିଲେ, ଭଉଣୀଙ୍କ ଠାରୁ ସବୁ ଶୁଣି ସେ ବି ବହୁତ ଖୁସି ହେଲେ l ତାଙ୍କ ଘରକୁ ନିମନ୍ତ୍ରଣ ମଧ୍ୟ କଲେ l ସେ ଟିକେ ବ୍ୟସ୍ତ ଥିବାରୁ ଆଉ ଭିତରେ ଅଧିକ କଥାବାର୍ତା ହେଇପାରିଲାନି, କିଛି ସମୟ ପରେ ସେ ତାଙ୍କ ଗନ୍ତବ୍ୟସ୍ଥାନ ଅଭିମୁଖେ ବାହାରିଗଲେ l ଚା ଦୋକାନରେ ବସିଥିବା ଲୋକ ସବୁ ମୋତେ ଚାହିଁଥାନ୍ତି.... ସେ ଦୋକାନୀ ମଉସା ବହୁତ ଖୁସି ହେଲେ ଓ କହିଲେ - ଭଗବାନ ତମର ମଙ୍ଗଳ କରନ୍ତୁ l ତାପରେ ମୁଁ ମୋ ଘର ଅଭିମୁଖ ବାହାରିପଡିଲି l ଲୋକେ କଣ ଭାବିବେ ସେଇଟା ବି ଯଦି ଆମେ ଭାବିବୁ ତ ଲୋକେ କଣ ଭାବିବେ l ଏଇକଥା ଭାବି ଭାବି ମୁଁ ୬ ଟା ବେଳକୁ ଘର ପହଂଚିଗଲି l


Rate this content
Log in

Similar oriya story from Inspirational