ଲେଖନ୍ତିକି ଚିଠିଟିଏ...
ଲେଖନ୍ତିକି ଚିଠିଟିଏ...
ମନର କଥାକୁ ଲିଖିତ ରୂପେ ପ୍ରକାଶ କରି ଠିକଣା ସହ ଯୋଡିଦେଲେ ହେଇଯାଏ ଚିଠିଟିଏ। କେବେ କେବେ ଇଚ୍ଛା ହୁଏ ଲେଖନ୍ତିକି ଚିଠି ଟିଏ ସେ ବଡ଼ଦେଉଳିଆ କାଳିଆ ପାଖକୁ,ସେ ମୋ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରିଦିଅନ୍ତେ ଯେ,ସେବକ ମାନେ ମୋତେ ପାଛୋଟି ନେଇ ସ୍ୱୟଂ ମହାପ୍ରଭୁ ଦାରୁମୂରତିଙ୍କ ସହ ଭେଟ କରେଇ ଦିଅନ୍ତେ, ମତେ ଆଉ ଅନୁଶାସନ ଭିତରେ ଯିବାକୁ ପଡନ୍ତା ନାହିଁ। ଇଚ୍ଛା ତ ଅପୂରଣୀୟ। ଇଚ୍ଛାରେ କିଛି ବି ସମ୍ଭବ। ହେଲେ ବାସ୍ତବରେ କ’ଣ ଏପରି ହୋଇପାରିବ….?
ହେଲେ ପୁଣି ଭାବେ ଚିଠି ଲେଖିବା ପାଇଁ ତ ଠିକଣା ଟିଏ ଦରକାର, ମୁଁ କେଉଁ ଠିକଣାରେ ତୁମକୁ ଚିଠି ଲେଖିବି, କେଉଁ ପିନ୍ କୋଡ ନମ୍ବର ଦେବିଯେ ଚିଠିଟି ଯାଇ ସିଧା ସଳଖ ତୁମରି ପାଖରେ ପପହଞ୍ଚିବ….?କାହାର ସୁତ ବୋଲି ଲେଖିବି ନନ୍ଦ ରାଜା ଦେବକୀ ଅବା ବସୁଦେବ ଯଶୋଦାଙ୍କର,କାହାର କାନ୍ତ ବୋଲି ସମ୍ବୋଧନ କରିବି ଶ୍ରୀ ରାଧା, ମୀରା,କମଳା , ଋକ୍ମିଣୀ ଅବା ସତ୍ୟଭାମାଙ୍କର; କେଉଁଠିକୁ ଲେଖିବି ସ୍ୱର୍ଗ, ମର୍ତ୍ତ୍ୟ ଅବା ପାତାଳକୁ,ଶୁଣିଥିଲି ତୁମେ ସବୁଠି ବିଦ୍ୟମାନ ତ୍ରିପୁରେ, ତୁମେ ସବୁଠି ଥାଅ ପୁଣି କେଉଁଠି ନଥାଅ, କେବେ ଭକ୍ତ ହୃଦୟରେ କେବେ ମନ୍ଦିରରେ, କେବେ ଗୋପରେ ତ କେବେ ମଥୁରାରେ କେବେ ତ ପୁଣି ଦ୍ବାରିକା ରେ, ମାନବୀୟ ଲୀଳା ପ୍ରଦର୍ଶନ କରୁଛ ଶ୍ରୀକ୍ଷେତ୍ର ଧାମ ପୁରୀ ରେ। ତେବେ କେଉଁ ଠିକଣାରେ ଲେଖିବି ମୁଁ ଚିଠି? ପର୍ବତ ଶିଖରେ ନିଳକମଳ ଭଳି, ମରୁରେ ନିର୍ଝର ପରି ଏ ତ ମୋ ମନର ଭ୍ରମଟିଏ,ସୁନାର ହରିଣୀ ପାଇଁ ବୃଥା ପ୍ରୟାସର ପରିଭାଷାଟିଏ।
ଗତଥର ପୁରୀରେ ତୁମ ବଡ଼ଦାଣ୍ଡପରେ ତୁମକୁ ଦର୍ଶନ ଅପେକ୍ଷାରେ ଚାହିଁ ରହିଥିବା ବେଳେ ଦେଖିଲି କିଛି ପଦସ୍ଥ ଅଧିକାରୀ ପୋଲିସ୍ ସହ ସ୍ଵତନ୍ତ୍ର ସୁରକ୍ଷା ମାଧ୍ୟମରେ ଯାଉଥିଲେ।ଭାବିଲି ତୁମକୁ ସ୍ବତନ୍ତ୍ର ଭାବେ ଦେଖିବାକୁ ହେଲେ ଏମିତି ଜଣେ ହେବାକୁ ପଡିବ। ଇଚ୍ଛା ହେଲା ହେଇଯାଆନ୍ତିକି ଦିନେ ଏପରି ଏକ ବଡଲୋକ ଯାହାକୁ ମିଳନ୍ତା ସ୍ୱତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ତୁମ ଦର୍ଶନ।
ସ୍ନାନବେଦୀ ପରେ,ରଥପରେ ହେଉ କିବା ରତ୍ନସିଂହାସନ ପରେ ତୁମର ଦଶର୍ନ କରି ଧରାଧାମରୁ ତରି ଯାନ୍ତି।ସେଇ ଦର୍ଶନରେ ନା ମୁଁ ତୁମକୁ କିଛି ମାଗନ୍ତି ନା କିଛି କୁହନ୍ତି କେବଳ ନିର୍ବିକାର ଭାବରେ ନିର୍ମିମେଷ ନୟନରେ ତୁମକୁ ଚାହିଁ ରୁହନ୍ତି ଟୋପାଏ ବର୍ଷା ବିନ୍ଦୁ ପାଇଁ ଆତୁର ଚାତକ ପକ୍ଷୀଟିଏ ପରି, କିଛି ସମୟରେ ତୁମ ସୈାନ୍ଦର୍ଯ୍ୟର ଅନୁଭବରେ ପାପୀ ନୟନଯୁଗଳ ଲୋତକାପ୍ଲୁତ ହୋଇଯାନ୍ତେ ଫେରିଆସନ୍ତି। ବାସ୍ ଅନେକ ଦିନରୁ ଅତୃପ୍ତ ମନଟା ଟିକିଏ ତୃପ୍ତି ଲାଭ କରନ୍ତାତ । ଆଉ କ’ଣ ଦରକାର ଏ ଜୀବନରେ,ସନ୍ତୋଷତା ଠାରୁ ବଡ କ’ଣ ହେଇପାରେ..
ଅଷ୍ଟ ଐଶ୍ଵର୍ଯ୍ୟରେ ମଦମତ୍ତ ହୋଇ ସହସ୍ର ସେବକଙ୍କ ଗହଣରେ ଯଦି ମୋର ଏହି ଇଚ୍ଛା ତୁମ ପାଖରେ ପହଞ୍ଚିପାରୁଛି ତେବେ ଏତିକି କର ପ୍ରଭୁ! ତୁମକୁ ଦରଶନ କରିବାର ସୁଯୋଗ ଦିଅ ନିରୋଳାରେ ସପନରେ ହେଉ ଅବା ଗୋପନରେ ….
ମାୟା ମୋହର ଚାଦର ଘୋଡେ଼ଇ ହୋଇ ତୁମ ଦରଶନ ଅଭିଳାଷ ହେଇପାରେ ମୋର ଦୁଃସାହସ, ହେଇପାରେ ବାମନ ହୋଇ ଚାନ୍ଦକୁ ହାତ ବଢ଼ାଇବାର ଅଦମ୍ୟ ସାହସ, ଆକାଶ କୁସୁମ ଭଳି ବୃଥା ପରିକଳ୍ପନା….