କୁମାର ପୂର୍ଣ୍ଣିମା
କୁମାର ପୂର୍ଣ୍ଣିମା
ପ୍ରତିଭା ଘରର ଅଗଣାରେ ଚୌକି ପକାଇ ଆକାଶକୁ ଅବାକ୍ ଭାବରେ ଚାହିଁ ରହିଛି। ରାତ୍ରିର ଘୋର ଅନ୍ଧକାରକୁ ଦୂର କରିବା ପାଇଁ ଚନ୍ଦ୍ର ସତେ ଯେମିତି ତା'ର କିରଣ ଗୁଡ଼ିକୁ ବିଚ୍ଛୁରିତ କରି ଦେଇଛି। ଚନ୍ଦ୍ରର ଏହି ଆଲୋକ ସାରା ଜଗତକୁ ଆଲୋକିତ କରି ଦେଇଛି। ଆକାଶର ତାରା ଗୁଡ଼ିକ ଉଜ୍ଜ୍ୱଳମୟ ହୋଇ ଉଠିଛନ୍ତି। ପ୍ରତିଭା ଚନ୍ଦ୍ରକୁ ଦେଖି ନିଜ ପୁରୁଣା ସ୍ମୃତିକୁ ମନେ ପକାଇ ମୁରୁକି ମୁରୁକି ହସୁଥିଲା। ୧୦ ବର୍ଷ ତଳର କଥା, ଯେତେବେଳେ ସେ ନିଜ କକାଙ୍କ ଝିଅ, ବଡ଼ ବାପାଙ୍କ ପୁଅ ଏବଂ ସାହିର ଅନ୍ୟ କେତେକ ପିଲାଙ୍କ ସହ ମିଶି ଏଇ ଅଗଣାରେ ଲୁଚକାଳି ଖେଳୁଥିଲା। ଆଜି ନା ସେଇ ପିଲାବେଳ ଅଛି ଆଉ ନା ହିଁ ସେହି ସାଙ୍ଗ ସାଥୀ ଭାଇ ଭଉଣୀ। ୧୨ ବର୍ଷ ବୟସରେ ପ୍ରତିଭା ସହରକୁ ଚାଲି ଯାଇଥିଲା ପାଠ ପଢ଼ିବା ପାଇଁ । ୧୦ ବର୍ଷ ପରେ ସେ ନିଜ ଗାଁକୁ ଫେରି ଥିଲା। ହଠାତ୍ ଘଣ୍ଟ, ଶଙ୍ଖ,ହୁଳହୁଳିର ଶବ୍ଦ ଶୁଭିଲା। ପ୍ରତିଭା ଚୌକିରୁ ଉଠିପଡ଼ି ଘର ବାହାରକୁ ଯିବାକୁ ଲାଗିଲା। ଘରର କିଛି ଦୂରରେ ଏକ ଛୋଟ କୋଠୀ ରହିଥିଲା ସେଠାରେ ଗ୍ରାମର କିଛି ଝିଅ ହାତରେ ଥାଳି ଧରି ଚାନ୍ଦ ଆଡ଼କୁ ଚାହିଁ ରହିଛନ୍ତି । ପ୍ରତିଭା ସେହିଠାରେ ଠିଆ ହୋଇ ଏହି ସବୁ ଦେଖିବାରେ ଲାଗିଲା ମାତ୍ର କିଛି ବୁଝି ପାରୁନଥିଲା। ପ୍ରତିଭା ୧୦ ବର୍ଷ ଧରି ସହରରେ ଥିଲା ଗାଁ ର ପୂଜା,ବ୍ରତ,ଓଷା ଏସବୁ ବିଷୟରେ ତାକୁ ବେଶୀ କିଛି ଜଣା ନଥିଲା। ସବୁ ଦେଖିସାରି ସେ ଘରକୁ ଫେରିଲା। ଫେରିବା ପରେ ସିଧା ଯାଇ ତା ମାଆଙ୍କୁ ପଚାରିଲା, ମାତ୍ର ତା ମାଆ କୌଣସି କାମରେ ବ୍ୟସ୍ତ ଥିବା ହେତୁ ପ୍ରତିଭାକୁ ଓଷା ବିଷୟରେ କିଛି କହି ପାରିଲେ ନାହିଁ । ପରଦିନ ସକାଳେ ପ୍ରତିଭା ଗ୍ରାମରେ ଥିବା ବୁଢ଼ୀ ଜେଜେ ମାଆଙ୍କୁ ଏହି ଓଷା ବିଷୟରେ ପଚାରିଲା । ଜେଜେ ମାଆ କହିବାକୁ ଲାଗିଲେ " ଏହା ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ପାଳିତ ହୁଏ।
କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ବୋଲିକୁହାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା କରିଥାନ୍ତି । ଏହା ସହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି । ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି । ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ ।ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନଙ୍କୁ ଶଙ୍ଖ ଓ ହୁଳହୁଳି ସହ ଦୀପରେ ବନ୍ଦାଇ ଦିଆଯାଏ । ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ସାରା ଦିନର ଉପବାସ ଭାଙ୍ଗିଥାନ୍ତି ।" ଏତିକି କହି ଜେଜେମା ପ୍ରତିଭାକୁ କହିବାକୁ ଲାଗିଲେ "ଝିଅ ତୁ ବି ଏହି ଓଷା କର ତୋତେ ବି ଚାନ୍ଦ ପରି ବର ମିଳିବ।" ପ୍ରତିଭା କିଛି ଉତ୍ତର ନ ଦେଇ ସିଧା ସିଧା ଘରକୁ ଚାଲି ଆସିଲା। ମନ ଭିତରେ ତାର ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା- 'କଣ ସତରେ ଏହି ଓଷା କଲେ ଚାନ୍ଦ ପରି ସୁନ୍ଦର ବର ମିଳିବ?'
ପ୍ରତିଭା ଅଧିକ କିଛି ଜାଣିବା ପାଇଁ ପହଞ୍ଚି ଗଲା ସେହି ଝିଅ ମାନଙ୍କ ପାଖରେ ଯେଉଁ ମାନେ ପୂର୍ବ ରାତିରେ ସେହି ଓଷାରେ ଉପସ୍ଥିତ ଥିଲେ। ସେମାନଙ୍କ ପାଖରୁ ମଧ୍ଯ ସେହି କଥା ଶୁଣିଲା ଯାହା ତାକୁ ଜେଜେ ମାଆ କହିଥିଲେ। ପ୍ରତିଭା ଯେତିକି ଦିନ ଗାଁରେ ରହିଥିଲା ସେହି ଝିଅ ମାନଙ୍କ ସହ ଖୁବ୍ ମିଶି ଯାଇଥିଲା। ତାଙ୍କ ମଧ୍ୟରେ ଥିବା ଗୋଟିଏ ଝିଅ ହେମା ସହ ତାର ଭଲ ମିଳାମିଶା ଥିଲା। କିଛି ଦିନ ପରେ ହେମାର ବାହାଘର ହେବାକୁ ଯାଉଥିଲା।ପ୍ରତିଭା ଭାବିଲା ସମସ୍ତେ କହିଥିଲେ କୁମାର ପୂର୍ଣ୍ଣିମା ଓଷା କଲେ ଚାନ୍ଦ ପରି ବର ମିଳେ ତାହେଲେ ହେମାର ବର ନିଶ୍ଚିନ୍ତ ବହୁତ୍ ସୁନ୍ଦର୍ ହୋଇଥିବ ଠିକ୍ ଚାନ୍ଦ ଭଳି। କାରଣ ହେମା ବି ତକୁମାର ପୂର୍ଣ୍ଣିମା ଓଷା କରିଥିଲା, ଉପବାସ କରିଥିଲା ସୁନ୍ଦର୍ ବର ପାଇଁ। ସତରେ ମଧ୍ଯ ହେମାର ବର ଦେଖିବାକୁ ବହୁତ୍ ସୁନ୍ଦର୍ ଥିଲା ଏକ ଦମ୍ ଗୋରା ତା ଆଗରେ ହେମା ଫିକା ପଡି ଯାଉଥିଲା। ଦେଖୁ ଦେଖୁ ହେମାର ବିବାହ ହୋଇଗଲା। ଏପଟେ ପ୍ରତିଭାର ବିଶ୍ୱାସ ଆସିଯାଇଥିଲା ଯେ ଏହି ଓଷା କରିବା ଦ୍ଵାରା ସୁନ୍ଦର୍ ସ୍ବାମୀ ମିଳିବ। କିଛି ସମୟ ପାଇଁ ସେ ବି ଭାବିନେଲା ଆଗାମୀ ବର୍ଷ ସେ ଏହି ଓଷା କରିବ । ପୁଣି କିଛି ସମୟ ପରେ ଭାବିଲା ସବୁ ଝିଅ ସୁନ୍ଦର୍ ବର ପାଇବା ପାଇଁ ଏ ଓଷା କରୁଛନ୍ତି ତାହେଲେ କଣ ଏମିତି କଉ ପୁଅ ନଥିବ ଯିଏ ସୁନ୍ଦର୍ ସ୍ତ୍ରୀ ପାଇବା ପାଇଁ ଓଷା କରିବ,ତା ପାଇଁ ଉପବାସ କରିବ। ହେଲେ ପ୍ରତିଭା ର କଥା ବି ଠିକ୍ ଥିଲା ଏଇ ଓଷା,ବ୍ରତ,ଉପବାସ କେବଳ ନାରୀ ମାନେ ହିଁ କରିବେ? ଯଦି ଜଣେ ନାରୀ ତା ସ୍ବାମୀ ପାଇଁ ଏ ସବୁ କରିପାରିବ ତାହେଲେ ଗୋଟେ ପୁରୁଷ କାହିଁକି ତା ସ୍ତ୍ରୀ ପାଇଁ ଉପବାସ କରିବ ନାହିଁ? ଏସବୁ ପୂର୍ବକାଳରୁ ରହି ଆସିଛି ବୋଧେ ଆଗକୁ ମଧ୍ୟ ଏମିତି ହିଁ ରହିବ।
ପ୍ରତିଭାକୁ ଏବେ ୨୩ ବର୍ଷ ବୟସ। ମାଆ ତାର ବିବାହ ପାଇଁ ପୁଅ ଦେଖିବା ଆରମ୍ଭ କରିସାରିଲେଣି। ପ୍ରତିଭା ଅନ୍ଧବିଶ୍ୱାସରେ ମାନେନି ହେଲେ ମନରେ ଭୟ ବି ଥିଲା ହେମା ତ ସୁନ୍ଦର୍ ବର ପାଇଁ ଓଷା କରିଥିଲା ସେଥିପାଇଁ ତାକୁ ଏତେ ସୁନ୍ଦର ବର ବି ମିଳିଗଲା ହେଲେ ପ୍ରତିଭା ନା କେବେ କୌଣସି ଓଷା କରିଛି ନା ଉପବାସ । ମନେ ମନେ ଭାବିଲା ଯଦି ମୋତେ ସୁନ୍ଦର୍ ବର ନା ମିଳିଲା ତେବେ ? ଯେ କୌଣସି ଝିଅ ମନରେ ଏପରି ଭାବନା ଆସିବା ସ୍ଵାଭାବିକ।ସବୁ ଝିଅ ଚାହାନ୍ତି ତାଙ୍କ ସ୍ବାମୀ ରାଜକୁମାର ଭଳି ହୋଇଥାଉ। ଶେଷରେ ପ୍ରତିଭାର ମଧ୍ୟ ବାହାଘର ପକ୍କା ହୋଇଗଲା ଆଉ ତା ସ୍ବାମୀ ରୂପରେ ଯେଉଁ ଭଳି ସୁନ୍ଦର୍ ଗୁଣରେ ବି କିଛି କମ ନଥିଲା। ସେ ବହାହୋଇ ଶାଶୁଘର ଚାଲି ଗଲା। ପ୍ରତିଭା ୬ ମାସ ପରେ ନିଜ ଗାଁକୁ ଆସିଲା ତା ସ୍ବାମୀ ସହ ସେ ଭାବିଲା ଏଇଠି ୩-୪ ଦିନ କଟାଇବ କାରଣ କିଛି ଦିନ ଭିତରେ ତାକୁ ଆଉ ତା ଶାଶୁଘର ଲୋକଙ୍କୁ ବିଦେଶ ଯିବାର ଅଛି । ପ୍ରତିଭା ତା ସ୍ବାମୀଙ୍କୁ ଗାଁ ଦେଖାଇଲା, ପୋଖରୀ,ସ୍କୁଲ, ମନ୍ଦିର। ହଠାତ୍ ମନ୍ଦିରରୁ ବାହାରିବା ସମୟରେ ସେ ନିଜର ସାଙ୍ଗ ହେମାକୁ ଦେଖିଲା ମନଦୁଃଖରେ ମନ୍ଦିର ବାହାର ଏକ ଚଟାଣରେ ବସିଛି। ସେ ହେମା ପାଖକୁ ଯାଇ ଭଲ ମନ୍ଦ ପଚାରିଲା। ଦୁହେଁ କିଛି ସମୟ ପର୍ଯ୍ୟନ୍ତ କଥା ବାର୍ତ୍ତା ହେଲେ। ହେମାର କଥାରୁ ଲାଗୁଥିଲା ଯେମିତି ତା ଶାଶୁଘରେ କିଛି ଠିକ୍ ନାହିଁ। ହେଲେ ପ୍ରତିଭାକୁ ତା ସ୍ବାମୀ ସହ ଦେଖି ସେ କିଛି କହିପାରୁ ନଥିଲା। ପରଦିନ ସକାଳ ୮ଟାରେ ପ୍ରତିଭା ଯାଇ ପହଞ୍ଚି ଗଲା ହେମା ଘରେ। ସତ କଥା ଜାଣିବା ପାଇଁ ସେ ହେମା ସହ ମନ୍ଦିରକୁ ଗଲା । ପ୍ରଥମେ ହେମା କିଛି କହିଲା ନାହିଁ ମାତ୍ର ପ୍ରତିଭା ଜୋର୍ ଦେଇ କହିବାରୁ ସେ କାନ୍ଦି କାନ୍ଦି ସବୁକିଛି କହିଦେଲା। ହେମାକୁ ତା ଶାଶୁଘରେ ଯୌତୁକ ପାଇଁ କଥା କଥା କେ ଗାଳି ଆଉ ମାଡ଼ ସହିବାକୁ ପଡୁଛି। ଶାଶୁ ତ ତାକୁ ଯେପରି ବୋହୂ ନୁହେଁ ତ ଚାକରାଣୀ ଠୁ ହୀନ ବୋଲି ମନେ କରୁଛନ୍ତି। ଭଲରେ ଦି ମୁଠା ଖାଇବାକୁ ଦିଅନ୍ତି ନାହିଁ। କେବେ କେବେ ତାକୁ କେବଳ ପେଜ ତୋରାଣି ପିଇ ଭୋକ ମେଣ୍ଟାଇବାକୁ ପଡେ।ଇଏ ତ ଥିଲା ଶାଶୁଙ୍କ କଥା ,ସ୍ବାମୀ ତ କଥା କଥାକେ ମାଡ଼ ମାରନ୍ତି। କିଛି ଦିନ ତଳେ ହେମା ବାପ ଘରକୁ ଆସିବ ବୋଲି କହିଲା ଠୁ ତା ସ୍ବାମୀ ତାକୁ ବେଲ୍ଟ୍ରେ ମାଡ଼ ମାରିଛନ୍ତି । ଏତେ ସବୁ ପରେ ତା ଶାଶୁ ତାକୁ ବାପଘର ଯିବାକୁ ଅନୁମତି ଦେଇଥିଲେ ମାତ୍ର ଏକ ସର୍ତ୍ତ ରଖିଥିଲେ । ସର୍ତ୍ତ ଅନୁଯାୟୀ ସେ ବାପ ଘର ଯିବ କିନ୍ତୁ ଫେରିଲା ବେଳେ ସାଙ୍ଗରେ ୧ ଲକ୍ଷ ଟଙ୍କା ନେଇ କରି ଆସିବ । ଆଉ ଯଦି ସେ ଟଙ୍କା ନେଇ ନ ଆସେ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଶାଶୁ ତାକୁ ସଫା ସଫା କହି ଦେଇଥିଲେ।ସବୁ କଥା କହି ସାରି ହେମା ଭୋ ଭୋ ହୋଇ କାନ୍ଦି ଉଠିଲା। ଏସବୁ କଥା ସେ ତା ବାପ ମାଆଙ୍କୁ ଜଣେଇ ନଥିଲା କାରଣ ସେ ଜାଣିଥିଲା ୧ ଲକ୍ଷ ଟଙ୍କା ଦେବା ତା ବାପାଙ୍କ ପକ୍ଷେ ସମ୍ଭବ ନଥିଲା। ହେମା ପ୍ରତିଭାକୁ ଏସବୁ କଥା ଅନ୍ୟ କାହାକୁ ନ କହିବା ପାଇଁ କହିଲା। ହେମା ନିଜେ ନିଜକୁ କହି ଉଠିଲା ଓଷା କରି ସୁନ୍ଦର୍ ଚେହେରା ଥିବା ବର ତ ପାଇଗଲି ହେଲେ ତା ମନ ଅସୁନ୍ଦର ହୋଇଥିବ ବୋଲି ଜଣା ନଥିଲା। ପ୍ରତିଭା ହେମାକୁ ବୁଝାଇଲା ଯେ ଏ ଅତ୍ୟାଚାର ସହିବା ଅପେକ୍ଷା ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଦରକାର। ୨ ଦିନ ପରେ ପ୍ରତିଭା ବିଦେଶ ଚାଲିଯିବ ସେଥିପାଇଁ ସେ ସ୍ଥିର କଲା ହେମା ସହ ତା ଶାଶୁଘର ଯାଇ ଏହି ସବୁ ସମସ୍ୟାର ସମାଧାନ କରିବ। ହେମା ସହ ହେଉଥିବା ଅତ୍ୟାଚାର ବିଷୟରେ ପ୍ରତିଭା ତା ସ୍ବାମୀଙ୍କୁ ସବୁ କହିଲା ତା ସ୍ବାମୀ ମଧ୍ଯ ପ୍ରତିଭାକୁ ସମର୍ଥନ କରୁଥିଲେ। ପର ଦିନ ହେମା,ପ୍ରତିଭା, ଏବଂ ତା ସ୍ବାମୀ ହେମାର ଶାଶୁଘର ଗଲେ। ସେଠାରେ ପ୍ରତିଭା ହେମାର ଶାଶୁଙ୍କୁ ବୁଝାଇବାରେ ଲାଗିଲା ଯେ "ବୋହୂ ବି ତ ଝିଅ ସମାନ। ଗୋଟେ ଝିଅ ନିଜ ଘର ଛାଡ଼ି ଶାଶୁଘର ଆସିଥାଏ, ଅଚିହ୍ନା ଅଜଣା ଲୋକଙ୍କୁ ଆପଣେଇ ନିଏ। ମାଆ ବଦଳରେ ଶାଶୁ, ବାପା ବଦଳରେ ଶ୍ଵଶୁରଙ୍କୁ ପାଇ ଥାଏ। ନିଜ ଶାଶୁ, ଶ୍ଵଶୁରଙ୍କୁ ବାପା ମାଆ ଭଳି ଆଦର ଓ ସମ୍ମାନ କରେ, ହେଲେ ଶାଶୁଙ୍କର ବି କିଛି କର୍ତ୍ତବ୍ୟ ରହିଛି ସିଏ ବି ନିଜ ବୋହୂକୁ ଝିଅ ଭଳି ଆଦର କରିବା ଦରକାର। ଆଜି ଆଉ କାହା ଘରର ଝିଅ ଆପଣଙ୍କ ଘରେ ବୋହୂ ବୋଲି ତା ଉପରେ ଏତେ ଅତ୍ୟାଚାର ଯଦି ଆପଣଙ୍କ ଝିଅ ସହ ତା ଶାଶୁଘର ଲୋକେ ଏଇ ଭଳି ବ୍ୟବହାର କରିବେ ତେବେ କଣ ଆପଣ ସହି ପାରିବେ ?"
ପ୍ରତିଭାର ଏଭଳି କଥା ଶୁଣି ହେମାର ଶାଶୁ ଏବଂ ସ୍ବାମୀ ନିସ୍ତବ୍ଧ ଭାବରେ ଠିଆ ହୋଇ ରହି ଥିଲେ। ପ୍ରତିଭା ଅତି ନମ୍ର ଭାବରେ ହେମାର ଶାଶୁଙ୍କ ଆଗରେ ହାତ ଯୋଡ଼ି ଅନୁରୋଧ କଲେ ହେମା ପ୍ରତି ଏଭଳି ବ୍ୟବହାର ନ କରିବାପାଇଁ। ସେ ସମୟରେ ତ ହେମାର ଶାଶୁ ପ୍ରତିଭା ଆଗରେ ହସି ହସି କଥା ବାର୍ତ୍ତା ହେଲେ ମାତ୍ର ସେମାନଙ୍କ ଯିବାର କିଛି ସମୟ ପରେ ନିଜ ବୋହୂ ଉପରେ ପୁଣି ମାଡ଼ ଆରମ୍ଭ କରିଦେଲେ। ପ୍ରତିଭା ଆଉ ତା ପରିବାର ବିଦେଶ ଯାଇ ସାରିଥିଲେ। ସପ୍ତାହେ ପରେ ଗାଁରୁ ପ୍ରତିଭାର ମାଆଙ୍କ ଫୋନ ଆସିଲା ହେମା ରୋଷେଇ କରୁଥିବା ସମୟରେ ଗ୍ୟାସ୍ ସିଲିଣ୍ଡର୍ ଫାଟି ମୃତ୍ୟୁ ହୋଇଗଲା। ସମସ୍ତଙ୍କ ପାଇଁ ତ ଏହା ଥିଲା ଏକ ଦୁର୍ଘଟଣା ହେଲେ ଅସଲ କଥା କଣ ହୋଇ ଥାଇପାରେ ପ୍ରତିଭା ଆଉ ତା ସ୍ବାମୀଙ୍କୁ ବେଶ୍ ଜଣା ଥିଲା। ଅସଲରେ ତାହା ଦୁର୍ଘଟଣା ନଥିଲା ବରଂ ହେମାର ସ୍ବାମୀ ଏବଂ ଶାଶୁ ଟଙ୍କା ପାଇଁ ତାକୁ ଜାଳି ଦେଇଥିଲେ। ହେଲେ ଏ କଥା କାହାକୁ ବା ସେ କହିବ କହିଲେ ମଧ୍ୟ କିଏ ବିଶ୍ୱାସ କରିବ କାରଣ ଆଜି ଯାଏଁ ହେମା କେବେ ହେଲେ ଶାଶୁଘର ସହୁଥିବା ଅତ୍ୟାଚାରକୁ ବାପ ଘରେ କହି ନାହିଁ, ସମସ୍ତଙ୍କ ଆଗରେ ଶାଶୁଘର ଲୋକେ ଥିଲେ ନମ୍ର ଓ ଭଦ୍ର। ସବୁ ସତ କଥା ଜାଣି ମଧ୍ଯ ସେମାନେଙ୍କୁ ଚୁପ୍ ରହିବାକୁ ପଡ଼ିଲା, ହେମା ପାଇଁ କିଛି କରିପାରିଲେ ନାହିଁ। କିଛିଟା ଟଙ୍କା ପାଇଁ ହେମାର ଜୀବନ ଚାଲିଗଲା। ସମାଜରେ ପ୍ରତିଦିନ ହେମା ଭଳି କେତେ ଝିଅ ନିଜ ଜୀବନ ହରାଉଛନ୍ତି। ସୁନ୍ଦର ବର ପାଇଁ ହେମାକୁମାର ପୂର୍ଣ୍ଣିମା ଓଷା କରିଥିଲା କାସ୍ ସେହିପରି ସୁନ୍ଦର ମନ ଥିବା ବର ପାଇବା ପାଇଁ କିଛି ଓଷା ଥାନ୍ତା ଯାହାକୁ କରିବା ଦ୍ଵାରା ସୁନ୍ଦର୍ ମନ ଥିବା ବର ମଧ୍ୟ ମିଳି ଯାଇଥାନ୍ତା।ହେମାକୁ ଚାନ୍ଦ ପରି ସୁନ୍ଦର୍ ବର ମିଳିଥିଲା ସତ, ହେଲେ ଚାନ୍ଦରେ ଯେପରି କଳଙ୍କ ଥାଏ ସେପରି ତା ସ୍ବାମୀ ମଧ୍ୟ କଳଙ୍କିତ ଥିଲା। ଖାଲି ଯେ ସୁନ୍ଦର୍ ଚେହେରା ଥିଲେ ଜଣେ ଉତ୍ତମ ବ୍ୟକ୍ତି ହୋଇଥିବ ବୋଲିକୁହା ଯାଇପାରେନା ମନର ସୁନ୍ଦରତା ହିଁ ଉତ୍ତମ ବ୍ୟକ୍ତିର ଅସଲ ପରିଚୟ।
