କୁକର୍ମର ଫଳ
କୁକର୍ମର ଫଳ
ଅମିତ୍ ଓ ସୁମିତ୍ ଦୁହେଁ କମ୍ପ୍ୟୁଟର ବିଜ୍ଞାନର ଛାତ୍ର ।ଦୁଇ ବଂଧୁ ସୁଦୂର ବାଂଗାଲୋରରେ ଏକ କମ୍ପାନିରେ ସିଷ୍ଟମ ଇଂଜିନିୟର ପଦରେ ଚାକିରି କରନ୍ତି । ମୋଟା ଅଙ୍କର ଦରମା, ତେଣୁ ବେଶ୍ ଆରାମଦାୟକ ଜୀବନଯାପନ କରନ୍ତି ।ଦଶହରା ଆଗରୁ କିଛି ଦିନ ଛୁଟି ନେଇ ଗାଁକୁ ଆସିବାକୁ ମନସ୍ଥ କରିଥିଲେ, ତେଣୁ ଠିକ୍ ସମୟରେ ଗ୍ରାମାଭିମୁଖେ ଅଗ୍ରସର ହେଲେ ।ଗାଁଟି ଏନ୍.ଏ.ସି ଅନ୍ତର୍ଭୁକ୍ତ । ଆର୍ଥିକ ସାହାଯ୍ୟ ଦେବା ଉଦ୍ଦେଶ୍ୟରେ ପ୍ରାୟ ପାଂଚ ଲକ୍ଷ ଟଂକା ଧରି ଗାଁକୁ ଆସନ୍ତି । ଗ୍ରାମ ନିକଟସ୍ଥ ଷ୍ଟେସନ ଓହ୍ଲାଇବା ବେଳେ ଅର୍ଦ୍ଧ ରାତ୍ରି ହୋଇ ଯାଇଥିଲା ।
ଟାକ୍ସି ଭଡା କରିବା ସମୟରେ ହଠାତ୍, ଜଣେ ଅଚିହ୍ନା ଲୋକ ତାଙ୍କ ପାଖରେ କାନ୍ଦି କହିଲା, ମୁଁ ଭାରି ଅସୁବିଧାରେ ଅଛି, କିଛି ସାହାଯ୍ୟ କରନ୍ତୁ, ନହେଲେ ମୋ ପୁଅ ମରିଯିବ । ଭଗବାନ ତୁମର ମଙ୍ଗଳ କରିବେ ।ଅମିତ୍ ସାଙ୍ଗେ ସାଙ୍ଗେ କିଛି ଚିନ୍ତା ନ କରି ହଜାରେ ଟଂକା ତାକୁ ଦେଇ ଦେଲା, ଆଖି ପିଛୁଳାକେ ସେ ଲୋକ କୁଆଡେ ଗଲା ଯେ ତାର ପତ୍ତା ପାଇଲେନି ।
ଆଶ୍ୱିନ ମାସ କୃଷ୍ଣ ପକ୍ଷ । ଅମାବାସ୍ୟା ତିଥି । ଏହି ଭେଟ ଅମାବାସ୍ୟା ଅର୍ଥାତ ସାତ ଠାକୁରାଣୀ ଅନ୍ଧକାର ନିର୍ଜନ ରାତିରେ ଏକତ୍ରିତ ହୋଇ ବିଚାର ବିମର୍ଷ କରନ୍ତି, ତେଣୁ ସେ ରାତିଟି ଭୟଂକର ।ଦୁଇବନ୍ଧୁ ଗାଁକୁ ଗଲାବେଳେ ରାତ୍ରିର କରାଳ କାଳିମା ବିଷୟରେ ଗପସପ କରି ଚାଲିଥାନ୍ତି।ଗ୍ରାମ ନିକଟରେ ଏକ ପୋଲ ସମ୍ବନ୍ଧରେ କେତେ ଗୁଡିଏ ପୈଶାଚିକ କର୍ମ ହୁଏ, ତେଣୁ ସେ ଜାଗା ଅତିକ୍ରମ କରିବା ସମୟରେ ଭୟଲାଗେ ।ନିଜ ଗାଁ ମଶାଣି ପର ଗାଁ ନଈକୁ ସମସ୍ତେ ଡରନ୍ତି ।ସେ ପୋଲ ଆଉ ଅଳ୍ପ ବାଟ ଥାଏ ହଠାତ୍ ରାସ୍ତା ନିକଟସ୍ଥ ଗହଳିଆ ଓସ୍ତ ଗଛ ଉପରୁ ସେମାନଙ୍କ ଉପରେ ବାଲି ପଡିବାର ଦେଖାଗଲା, ଏତେ ବାଲି ପଡିଲା ଯେ ତାହା କଳ୍ପନା କରିବା ସହଜ ନୁହେଁ ।ଦୁହେଁ ଆଧୁନିକ ଯୁଗର ବିଜ୍ଞାନ ଛାତ୍ର, ସହଜରେ ଭୟ କଲେ ନାହିଁ, ବୋଧହୁଏ କୌଣସି ସରିସୃପ ଚାଲିଯିବାରୁ ଉଇ ମାଟି ଖସି ପଡିଲା, ଏ କଥା କହିଲେ ସୁଦ୍ଧା ସୁମିତ୍ ସହଜରେ ହଜମ କରିପାରିଲା ନାହିଁ ।ସେ ନିଜ ମନର ଅଶରୀରୀ ଭୟ ଅମିତ ଆଗରେ ପ୍ରକାଶ କଲା, କିନ୍ତୁ ଅନ୍ୟ କିଛି ଉପାୟ ନଥିବାରୁ ସାହସ ବାନ୍ଧି ଆଗେଇ ଚାଲିଲେ ।ଗାଁ ନିକଟ ହୋଇ ଆସୁଛି, ପଛକୁ ଫେରିବାର ବାଟ ନାହିଁ, ଏହିପରି ଭୟ ମଧ୍ୟରେ କିଛିବାଟ ଆଗକୁ ଯାଇଛନ୍ତି ତ କେତେଗୁଡିଏ ଗୋଡି ଟପ୍ ଟପ୍ ହୋଇ ବର୍ଷା ହେଲା, ଦୁହିଁଙ୍କର ଭୟର ସୀମା ରହିଲା ନାହିଁ, ଜଣେ ସଂକଟମୋଚନ ହନୁମାନ ଚାଳିଶା ବଡ ପାଟିରେ ବୋଲିଲା ତ ଅନ୍ୟ ଜଣେ ବାପା ଶିଖାଇଥିବା ସପ୍ତସତୀ ଚଣ୍ଡି ପାଠ କଲା, ତଥାପି ପାଦ ଚାପି ଚାପି ଆଗକୁ ଚାଲିଲେ ।ଖଣ୍ଡେ ବାଟ ଯିବା ପରେ ପାଣି ବର୍ଷା ହେଲା, ଯାହାର ଦୁର୍ଗନ୍ଧରେ ନାକ ଫାଟି ପଡୁଥିଲା, ସୁମିତ କହିଲା, ନା ଭାଇ, ମୁଁ ଆଉ ପାଦେ ଆଗକୁ ଯିବି ନାହିଁ, ହେଲେ ଏ ପରିସ୍ଥିତିରେ ଆମେ ଏଠି ରହିବା କିପରି ? ତେବେ କହ, କଣ କରିବା ?ପାଖରେ ଥିବା ବୋତଲରୁ ଦୁହେଁ ପାଣି ପିଇଲେ ଓ ଆଗକୁ ଚାଲିଲେ ।ଏହାପରେ ଆଉ ଅଳ୍ପ ବାଟ ଯାଇଛନ୍ତି କି ନାହିଁ, ଗୋଟେ ଧୋବ ଫରଫର ଶାଢୀ ପିନ୍ଧିଥିବା ଦଶ ଫୁଟିଆ ମହିଳା ବାଳ ମୁକୁଳା କରି ବିଲ ଗହିର ଭିତରେ ଚାଲିଚାଲି ଯିବାର ଦେଖିଲେ, ବିଲୁଆ ଗୁଡାକ ହୁକେ ହୋ ଶବ୍ଦ କରି ପରିବେଶକୁ ଭୟଙ୍କର କରିଦଲେ, ଏବେ ଅମିତ ତଳେ ବେହୋସ ହୋଇ ପଡିଗଲା, ସୁମିତ ଦୌଡି ଦୌଡି ଜଣଙ୍କ ଘର କବାଟରେ ଖୁବ୍ ଜୋରରେ ଆଘାତ କରି ପିଣ୍ଡାରେ ଚେତା ହରାଇ ପଡିଗଲା ।
ଘର ଭିତରୁ ଜଣେ ବରିଷ୍ଠ ନାଗରିକ ଆସି ଦେଖନ୍ତି ତ ଭେଣ୍ଡିଆ ଯୁବକଟିଏ ବେହୋସ ହୋଇଯାଇଛି, ସାଙ୍ଗେ ସାଙ୍ଗେ ପାଟିରେ ଫୁଙ୍କି, ମୁହଁରେ ପାଣି ମାରି ଚେତା କରାଇଲେ ଓ ତା ଠାରୁ ସବୁ କଥା ଶୁଣିଲା ପରେ ସୁମିତର ମାମୁଁଙ୍କୁ ଡାକିଲେ, ସେ ଜଣେ ପୋଲିସ ଇନସ୍ପେକ୍ଟର, ସେ କହିଲେ ଏମିତି ଦୁଇଟା କେଶ୍ ଦରଜ ହୋଇଛି, ଠିକ୍ ଅଛି କାହାକୁ କିଛି କୁହ ନାହିଁ ।ଅମିତର ବଡଭାଇଙ୍କୁ ଧରି ସେ ଜାଗାକୁ ଯାଇ ଚେତା ଫେରାଇଲେ କିନ୍ତୁ ତା ଲାପଟପ, ମନିପର୍ସ, ବ୍ୟାଗ କିଛି ନଥିଲା ।
ତା ପରଦିନ ରାତିରେ ଠିକ୍ ସେହି ସମୟରେ ଇନିସ୍ପେକ୍ଟର ବାବୁ ଜଣେ ସିପାହୀକୁ ସାଧା ବେଶରେ ଧରି ରେଳଗାଡିରୁ ଓହ୍ଲାଇବା ଅଭିନୟ କରି ବାହାରକୁ ଯାଇ ନିର୍ଦ୍ଦିଷ୍ଟ ଗ୍ରାମ ଅଭିମୁଖେ ଯିବାପାଇଁ ପ୍ରସ୍ତୁତ ହେବା ସମୟରେ ପୁର୍ବ ରାତିର ଠକ କାନ୍ଦି କାନ୍ଦି ତଳେ ଗଡିଗଲା ଓ ହଜାରେ ଟଂକା ଦେଲେ ସ୍ତ୍ରୀକୁ ବଂଚାଇ ପାରିବାର ଅଭିନୟ କଲା, ସେ ପଇସା ପାଇଲା ପରେ ବିଜୁଳି ବେଗରେ କୁଆଡେ ଉଭେଇ ଗଲା ।ପୋଲିସ ବାବୁଙ୍କ ପ୍ଲାନ ଠିକ୍ ଚାଲିଥିବାରୁ ଖୁସି ହେଲେ।
ପୋଲିସ୍ ତା ପଛରେ ଅନୁଧାବନ କଲେ ।ସେ ଲୋକର ଅଲକ୍ଷ୍ୟରେ ଦେଖି ପାରିଲେ ଯେ ଫୋନ କରି ଜଣେଇଦେଲା କି ଶିକାର ଅଳ୍ପ କିଛି ସମୟ ଭିତରେ ପହଞ୍ଚିଯିବ, ସଜାଗ ହୋଇଯାଅ ।
ମାମୁଁ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ବାଲି ପଡିଲା, ସିପାହୀ ବାବୁ ଅନ୍ଧାରରେ ଗଛରେ ଚଢି କାବୁ କରି ମୁହଁରେ କନାବିଣ୍ଡା ଦେଇ ତଳକୁ ଆଣି ଗଛରେ ବାନ୍ଧିଲେ, ଗୋଡି ପକାଉଥିବା ଲୋକକୁ ବାନ୍ଧିଲା ପରେ ତୃତୀୟ ବ୍ୟକ୍ତି ଯିଏ ଉପରୁ ବାସି ଗୋମୂତ୍ର ପକାଇଥିଲା, ପିଲାମାନେ ତାକୁ ପାଣି ଭାବିଥିଲେ, ସେ ବି ଧରା ପଡିଲା, ଶେଷରେ ଶୁକ୍ଳ ବସ୍ତ୍ର ପରିହିତା ମହିଳାକାଠ ଗୋଡ(ରଣପା) ପିନ୍ଧି ବିଲରେ ଯାଉଥିବା ସମୟରେ ଏମିତି ପାହାର ଦେଲେ ଯେ ତଳେ ପଡି ଗୋଡ ଭାଂଗିଗଲା ।ବହୁତ ଦିନରୁ ଖୋଜା ଯାଉଥିଲା, ଅଥଚ ଖସି ପଳାଉଥିଲେ, ଆଜି ଧରା ପଡିଛନ୍ତି, ଥାନାରୁ ଗାଡି ମଗାଇ ସମସ୍ତଙ୍କୁ ହାଜତରେ ଭର୍ତ୍ତି କଲେ । ଲାପଟପ ମନିପର୍ସ ବ୍ୟାଗ ସବୁ ଆଦାୟ ହେଲା ।ଚୋର ଘର ସବୁବେଳେ ଅନ୍ଧାର ନୁହେଁ ଉକ୍ତିଟି ସତ୍ୟ ଅଟେ ।

