Puja Devjani Mishra

Tragedy Crime

3  

Puja Devjani Mishra

Tragedy Crime

କଥା ରହିଗଲା ଅଧାରେ

କଥା ରହିଗଲା ଅଧାରେ

7 mins
198



  ସକାଳୁ ସକାଳୁ ଆଖି ଖୋଲୁ ଖୋଲୁ ସମ୍ନା ଘର ଝରକା ବାଟେ ଗୋଟେ ଝିଅଟିକୁ ଦେଖିଲି । ଝରକା ପାଖରେ ଆଉଜି ହେଇ ବସିଥାଏ । ଓଠରେ ଟିକିଏ ହେଲେ ବି ହସ ନଥାଏ । ଆଖିରୁ ଧାରଧାର ହେଇ ଲୁହ ଝରି ପଡୁଥାଏ । ମାଆ ଡାକିବାରୁ ମୁଁ ଆଉ କିଛି ନ ଭାବି ମାଆ ପାଖକୁ ପଳେଇଲି । ହେଲେ ମନରେ ଗୋଟେ ପ୍ରଶ୍ନ ସେ କାହିଁକି କାନ୍ଦୁଥିଲା? ତା କାନ୍ଦ ଦେଖି ଲାଗୁଥିଲା ଯେମିତି ତା ମନ ଭିତରେ ବହୁତ କଥା ଲୁଚି ରହିଛି, ଯୋଉଟା କି ତାକୁ ଏତେ କଷ୍ଟଦଉଛି । ଆଉ କିଛି ନ ଭାବି ମୁଁ ମୋ କଲେଜ ଯିବା ପାଇଁ ରେଡି ହେଲି । କଲେଜ ଯିବା ବାଟରେ ଦେଖିଲି ସେଇ ଝିଅ ମୋ ଆଗରେ ଯାଉଛି । ଏକା ଏକା ଗୁମସୁମ ହେଇ ଯାଉଥାଏ । ମୁଁ ଯେତିକି ଜାଣିଛି ସେ ଆମରି କଲେଜରେ ପଢେ, ସବୁଥିରେ ଟପର୍ । ଭଲ ପାଠ ପଢେ, ଦେଖିବାକୁ ଭାରି ସୁନ୍ଦର ଆଉ ସବୁଠୁ ବଡ଼ କଥା ଆଗରୁ ତା ମୁହଁରେ ମୁଁ କେବେବି ଦୁଃଖ ଦେଖିନଥିଲି । ସବୁବେଳେ ହସୁଥାଏ । ସମସ୍ତଙ୍କ ସହ ଥଟ୍ଟା ମଜା, ବୁଲାବୁଲି । ଯିଏ ବି କେହି ଦୁଃଖରେ ଥାନ୍ତି ସେ ସେମାନଙ୍କୁ ବୁଝେଇ ଥାଏ । ହେଲେ ସେଇ ପିଲା ସହ ଏମିତି କଣ ହେଲା ଭାବି ଭାବି ମୋ କଲେଜ କେତେବେଳେ ଆସିଗଲା ଜଣା ପଡ଼ିଲାନି । କିନ୍ତୁ ସେ ଝିଅଟି ମୋ ସମ୍ନାରେ ନଥିଲା, - " ଆରେ ସେ ତ ମୋ ସାମ୍ନାରେ ଥିଲା ଗଲା କୁଆଡେ" । ଏତିକି ଭାବି ମୁଁ ତାକୁ ଖୋଜିବାକୁ ଲାଗିଲି । ହେଲେ କଲେଜରେ ତାକୁ କୋଉଠି ବି ପାଇଲିନି । ମୁଁ ସାଙ୍ଗେ ସାଙ୍ଗ କଲେଜ ବାହାରକୁ ଆସି ତାକୁ ଖୋଜିଲି, ମୋର କ୍ଲାସ ଟାଇମ ହେଇଗଲାଣି ହେଲେ ସେ କୁଆଡେ ଗଲା !, କାଳେ କିଛି ଭୁଲ କରିବନି ତ !, ଏଇଆ ଭାବି ଭାବି ମୁଁ ତାକୁ ଖୋଜିବାରେ ଲାଗିଥାଏ । କିଛି ବାଟ ଖୋଜି ଖୋଜି ଗଲା ପରେ ଦେଖିଲି ସେ ଗୋଟେ ପୋଖରୀ ପାଖରେ ଛିଡା ହେଇଚି । ମୁଁ ଡରିକି ସିଧା ଦୌଡ଼ିଲି ତା ପାଖକୁ । ତା ପାଖରେ ପହଞ୍ଚି ତାକୁ ମାଡି ବସି ପଛକୁ ଟାଣି ଆଣିଲି । ସେ ମତେ ଦେଖି ଆଶ୍ଚର୍ଯ୍ୟ । ମୋ ମୁହଁକୁ ଚାହିଁକି ଅନେଇଥାଏ । ମୁଁ ଗୋଟେ ବଡ଼ ନିଶ୍ୱାସଟେ ନେଇ ତା ମୁହଁକୁ ଅନେଇ କହିଲି " ତମେ କଣ ପାଗଳ, ଏ କଣ କରୁଥିଲ? ମୁଣ୍ଡ କାମ କରୁନି କି?" । ସେପଟୁ ସେ ଧୀର କଣ୍ଠରେ କହିଲା " ମୁଁ କଣ କଲି?" । ଉତ୍ତର ଶୁଣି ମୁଁ ଆଁ କରି ରହିଲି । ମୋ ମୁହଁ ତଳକୁ ହେଇଗଲା । ତାକୁ ଧୀରେ ଧୀରେ ପଚାରିଲି -" ତମେ ଆତ୍ମହତ୍ୟା କରିବାକୁ ଯାଉନଥିଲ?" । ହେଲେ ତାର ଗୋଟେ ଉତ୍ତର ମୋ ମୁଣ୍ଡରେ ପାହାଡ଼ ପଡିଲା ଭଳି ଲାଗିଲା । ସେ କହିଲା-" ମୁଁ ତ କେବେଠୁ ମରିସାରିଛି, ଆଉ କେତେଥର ମରିବି" । ହେଁ ଏ କି କଥା ଆଗରୁ ମରିସାରିଛି, ଏ କଥା ଶୁଣି ମୋ ମନରେ ବହୁତ ସାରା ପ୍ରଶ୍ନ ଆଉ ଭୟ ସୃଷ୍ଟି ହେବାକୁ ଲାଗିଲା । ସେ ମୋର ସବୁ ପ୍ରଶ୍ନର ଉତ୍ତର ଦେବାକୁ ଲାଗିଲା । 

   ଝିଅଟି କହିଲା -" ଆରେ କଣ ହେଲା, କଣ ଭାବୁଛ, ମୁଁ ଭୁତ କି?, ନାଇଁ ସେମିତି କିଛି ନୁହଁ ମୁଁ ବଞ୍ଚିଛି । ମୋ କହିବାର ଅର୍ଥ ଥିଲା କି ମୁଁ ଜୀବନ୍ତ ମୁର୍ଦ୍ଦାର ହେଇଯାଇଛି । ବଞ୍ଚିକି ବି ଜୀବନ ନଥିବା ଭଳି ଲାଗୁଚି।" ମୁଁ ତାକୁ କାରଣ ପଚାରିବାରୁ ସେ ଆଉ କିଛି ନ କହି ସେଠୁ ଚାଲିଗଲା । ମୁଁ ତାକୁ ବାଟରେ ବହୁତ ପଚାରିଲି ହେଲେ ସେ କିଛି ବି କହିଲାନି । ଖାଲି ଏତିକି କହିଲା "ତମେ ନ ଜାଣିବା ହିଁ ଭଲ" । ହେଲେ ମୋ ମନ କୋଉ ବୁଝୁଥାଏ । ହଉ ଛାଡ଼ କହି ଘରୁକୁ ଗଲି । ମାଆ ଏତେ ଶୀଘ୍ର ଆସିବାର କାରଣ ପଚାରିବାରୁ ମୁଁ କହିଦେଲି କି କ୍ଳାସ ହେଲାନି । 

   କିଛି ଦିନ ଗଲା ମାଆର ହଠାତ ମାମୁଁ ଘରେ କାମ ପଡିଲା । ମତେ କହିଦେଇ ଗଲା କି ମୁଁ ଆଣ୍ଟିଙ୍କୁ କହିଦେଇଛି ଖାଇବା ପଠେଇ ଦେବେ । କୋଉ ଆଣ୍ଟି ପଚାରିବା ପୂର୍ବରୁ ସେ ପଳେଇଗଲା । ମୁଁ ଭାବିଲି ହଉ ଠିକ ଅଛି ମାଆ ତ କହିଛି ଯିଏ ହଉ ଆଣିକି ଦବ ଆଉ । ଏତିକି ଭାବି ମୁଁ ମୋ କାମ କଲି । ଦିନ ଗୋଟାଏ ବାଜିଲା । ଭୋକ ହେଲାଣି । କଣ ଯେ କେହି ଆସୁନାହାନ୍ତି । ସେତିକିବେଳେ ଡୋର ବେଲ ବାଜିଲା, ଯାଇକି ଖୋଲିଲା ବେଳକୁ ସେଇ ଝିଅଟି ମୋ ପାଇଁ ଖାଇବା ନେଇ ଆସିଛି । ୟାଠୁ ଭଲ ସମୟ ଆଉ ପଚାରିବାକୁ ନାହିଁ ଭାବି ତାକୁ ଘର ଭିତରକୁ ଡାକିଲି । ତାକୁ ଖାଇବା ଟେବଲ ଉପରେ ରଖିବାକୁ କହିଲି । ସେ ଖାଇବା ରଖି ଯିବା ପାଇଁ ବାହାରିଲା ବେଳକୁ ମୁ ଡୋର ବନ୍ଦ କରିଦେଲି । ଆଉ ତାକୁ କହିଲି, "ଆଜି ଯଦି ନ କହିଲ ମୁଁ ତମକୁ ଛାଡିବିନି, ଆଗ ମତେ କହିବ ତାପରେ ଛାଡ଼ିବି" । ମୋ କଥା ଶୁଣି ଝିଅଟି ଟିକେ ଚିନ୍ତାରେ ପଡିଲା । ମୁଁ ତାକୁ ଟାଣି ନେଇ ସୋଫାରେ ବସେଇ ପଚାରିଲି ପ୍ଲିଜ଼ କୁହ କଣ ହେଇଛି । ବହୁତ ଥର କହିବା ପରେ ଝିଅଟି କହିଲା -" କଣ ଏଇଆ ଜାଣିବ ତ, ମୋର ଅବିକା ଏଭଳି ହବାର କାରଣ କଣ, ଠିକ୍ ଅଛି ଶୁଣ । ମୁଁ ଯେତେବେଳେ ଛୋଟ ଥିଲି ମୋର ପାଠରେ ଯେତିକି ମନ ଥିଲା ଖେଳକୁଦରେ ବି ସେତିକି ଥିଲା । ମୁଁ କ୍ଲାସରେ ସବୁବେଳେ ସବୁଥିରେ ୧ନମ୍ବରରେ ରହୁଥିଲି । କିନ୍ତୁ କିଛି ବର୍ଷ ଗଲା ପରେ ମୋର ପାଠ ପଢା ପ୍ରତି ଧୀରେ ଧୀରେ ମନ ଖସିଲା । ଖେଳକୁଦ ପାଇଁ ମନ ବଢ଼ିଲା । ସେଥିରୁ ବି ଧୀରେ ଧୀରେ ମନ ଖସି ମୁଁ ଏକା ରହିବାକୁ ପସନ୍ଦ କଲି । କିଛି ଏମିତି ମୋ ଭିତରେ ଥିଲା ଯୋଉଟା କାହାକୁ କହିପାରୁ ନଥିଲି କି କେହି ମତେ ପଚାରୁ ବି ନଥିଲେ । ଘର ଲୋକ ମୋର ସବୁ ଖେଳକୁଦ ବନ୍ଦ କରି ପାଠ ଉପରେ ଧ୍ୟାନ ଦେବାକୁ ବାଧ୍ୟ କରୁଥିଲେ । ହେଲେ ମୋର ପାଠ ଆଉ ଆଗ ଭଳି ହେଉନଥିଲା" ।ମୁଁ ତାପରେ ଏହାର କାରଣ ପଚାରିଲି ହେଲେ ସେ ପରେ କହିବେ ବୋଲି କହିଲେ । ମୁଁ ହଁ କହି ଆଗକୁ କହିବାକୁ କହିଲି । ସେ ତାଙ୍କ କଥା ପୁଣି କହିବାକୁ ଆରମ୍ଭ କଲେ-" ମୁଁ ଧୀରେ ଧୀରେ ସେ କଥା ଭୁଲି ପଢା ପ୍ରତି ମନ ଦେଲି । ବହୁତ ପଢ଼ିଲି ବହୁତ ସମୟ ପଢ଼ିଲି । ଯୋଉ ପୋଜିସନରେ ଥିଲି ଆସିଗଲି ହେଲେ ପାଠ ସିନା ହେଲା ଶାଠ ଆଉ ହେଲା ନାହିଁ । ଟିଚର ଘରେ ଫୋନ କରି ମୋର ଏଭଳି ହେବାର କାରଣ ପଚାରିଥିଲେ କିନ୍ତୁ ଘର ଲୋକ ଜାଣିନାହାନ୍ତି କହି ଫୋନ ରଖିଦେଲେ । ସତରେ ସେ ବା ଜାଣିବେ କୋଉଠୁ । ପରସ୍ପର ଝଗଡା ଭିତରୁ ବାହାରିଲେ ସିନା ମୋ କଥା ଭାବିବେ, ନିଜର ସମାଧାନ କରିପାରୁ ନାହାନ୍ତି ମୋ କଥାର ବା କି ସମାଧାନ କରିବେ । ଏମିତି କିଛି ଦିନ ଗଲା । ମୋ ଜୀବନରେ ଯାହା କିଛି କରିବାର ଇଚ୍ଛା ଥିଲା ତାହା ମୁଁ କରିପାରିଲି ନାହିଁ । ଘର ଲୋକ ଯେମିତି କହିଲେ ସେମିତି କଲି, ସେତେବେଳେ କିଛି ଭାବି ନଥିଲି । ଏବେ ମୋ ବାହାଘର ଠିକ କରିଦେଇଛନ୍ତି । ମୁଁ ପ୍ରଥମ ଥର ପାଟି ଫିଟେଇ କହିଲି ମୋ ପଢା ସରିନି ଏସବୁ କାହିଁକି? ଘରେ କହିଲେ ସେମାନେ କହିଛନ୍ତି ବାହାଘର ପରେ ତତେ ପଢିବାକୁ ଦେବେ । ଏତିକି ଶୁଣି ଟିକେ ଶାନ୍ତି ଲାଗିଲା । ଆଖିରେ ଟିକେ ଟିକେ ଲାଜ଼ ଥାଏ । ମନରେ କେତେ ସ୍ୱପ୍ନ ଗଢି ଉଠୁଥାଏ । ନିଜର ଭବିଷ୍ୟତ ପାଇଁ ସବୁ କିଛି ଭାବିସାରିଥିଲି।ଏତେ ଭଲ ଶାଶୂଘର ପାଇ ଭଗବାନଙ୍କୁ ଧନ୍ୟବାଦ ଦଉଥିଲି । ଘରେ କହିବା ଅନୁସାରେ ସେମାନଙ୍କ ସହ ଫୋନରେ କଥା ହେଲି । ହେଲେ ସେମାନଙ୍କ କଥା ଶୁଣି ମୋର ସବୁ ସ୍ୱପ୍ନ ପାଣି ଫୋଟକା ଭଳି ଫାଟିଗଲା । ତାଙ୍କ କହିବା ଅନୁସାରେ ମୁଁ ପାଠ ପଢିବି ହେଲେ ଘର କାମ ସବୁ ଏକା କରିବି । ଘରେ ୧୦-୧୨ ଲୋକ କିନ୍ତୁ ସାହାଯ୍ୟ କେହି କରିବେ ନାହିଁ କାରଣ ମୋ ୩ ଟା ନଣନ୍ଦ ପାଠ ପଢୁଛନ୍ତି । ମୋ ଶାଶୁ ଶଶୁର ବୋହୁ ଆସିଲାପରେ ନିଶ୍ଚିନ୍ତ ହେଇ ବସିବେ କି ମୁଁ ସବୁ କରିବି । ଜବ କରିବାକୁ ମଧ୍ୟ କହିଛନ୍ତି । ହେଲେ ସେଇ କଥା । ମୋ ଜବ ଏମିତି କରିବି ଯେମିତି ତାଙ୍କ କାମ କରିପାରୁଥିବି । ଶାଶୁ ଶଶୁରଙ୍କ ବୟସ ୬୦ ବି ଛୁଇଁନଥିବ ହେଲେ କାମ କରିପାରିବେ ନାହିଁ । ଦେଢ଼ଶୁର ଆଉ ତାଙ୍କ ସ୍ତ୍ରୀ ମିଶିକି ଅଫିସ ଯିବେ । ଦି ଜଣଙ୍କର ଗୋଟିଏ ଅଫିସ । ସେଥିପାଇଁ ସେ ଘର କାମ କରିପାରିବେନାହିଁ । ଏ ସବୁ ଜାଣି ମୁଁ ଘରେ କହିଲି -"ମା ମୁଁ ଏତେ ସମୟ ପାଠ ପଢ଼ିଲି, ଏତେ ଭଲ ପୋଜିସନରେ ରହିଲି, ନିଜର ସବୁ ଇଚ୍ଛାକୁ ଛାଡି ତମ କଥାରେ ରହିଲି କଣ ଏଥିପାଇଁ । ମୁଁ ମୋ ପାଇଁ କିଛି କରିପାରିଲିନି ତମ ମାନଙ୍କ ପାଇଁ । ଆଉ ସେ ଘରେ ଝିଅମାନେ ପାଠ ପଢୁଛନ୍ତି, ଯା ମୋର ଜବ କରୁଛନ୍ତି ବୋଲି ଘର କାମ କରିପାରିବେନି,ତ ମୁଁ କଣ ମଣିଷ ନୁହଁ, ମୋର କଣ ଇଚ୍ଛା ନାହିଁ।ମୋ ପାଇଁ ଏତେ ପ୍ରତିବନ୍ଧକ କାହିଁକି । ଜୀବନରେ ନିଜ ପାଇଁ ମୁଁ କିଛି କରିନି, ଖାଲି ଅନ୍ୟମାନଙ୍କ ପାଇଁ କରୁଥିବୀ ଯଦି ମୋ ପାଇଁ କିଏ କରିବ । ଏଠି ମୁଁ କଣ ଜନ୍ମ ନେଇଛି ଅନ୍ୟମାନଙ୍କ ପାଇଁ" । ମାଆ କହିବା ଅନୁଯାୟୀ ସେ ପୁଅ ମୋ ବାପାଙ୍କ ବସର ପୁଅ । ବାପା ତା ସହ ମୋର ବାହାଘର କରିଦେଲେ ସେ ଫାଇଦାରେ ରହିବେ । ସେଥିପାଇଁ ଏ ବାହାଘର ଯେମିତି ହେଲେ ହବ । ମୁଁ ଆଉ କିଛି କହିନପାରି ମନେ ମନେ ଭବିଲି କି କଣ ବାପା ମତେ ବଳି ଦେଇ ନିଜର କାମ କରିବେ । ମୁଁ କଣ ତାଙ୍କ ପାଇଁ କିଛି ନୁହଁ । ଜୀବନ ଯାକ ଗୋଟେ ଝିଅ ହେଇ ଜନ୍ମ ହେଇଚି ବୋଲି ସେମାନେ ମତେ ଦୁଃଖ ଦେଇ ଆସିଲେ । କେବେ ଭଲ ପାଇଲେନି । କଣ ଝିଅ ହେବା ଭୁଲ । ଆଉ ପୁଅ ଝିଅ ହେବା ତ ଭଗବାନଙ୍କ ଇଚ୍ଛା ମୁଁ କଣ ବା କରିପାରିବି । ଯଦି ଝିଅ ଦରକାର ନଥିଲା ଜନ୍ମ ହଉ ହଉ ମାରିଦେଲେନି କାହିଁକି । ବଞ୍ଚେଇ ରଖି ଏତେ କଷ୍ଟ ଦେଉଛନ୍ତି କାହିଁକି? "

  ଏତିକି ଶୁଣି ମୋ ଆଖିରୁ ଲୁହ ବାହାରି ଆସିଲା । ଝିଅଟିର ଆଖିରୁ ବି ୨ ଠୋପା ଲୁହ ଗଡ଼ିଗଲା । ମୋ ପାଟିରେ ଆଉ କିଛି ଶବ୍ଦ ନଥାଏ କହିବା ପାଇଁ, ହେଲେ ମନ ଭିତରେ ଥିବା ଗୋଟେ ପ୍ରଶ୍ନ ପଚାରିଲି -"ତମ ସହିତ ଏମିତି କଣ ହେଇଥିଲା କି ତମର ସବୁ କିଛି ବଦଳି ଗଲା?" । ସେ କିଛି ସମୟ ମୋ ମୁହଁକୁ ଚାହିଁ କହିଲେ- " ଆମ ଘରୁକୁ ଜଣେ...." ଏତିକି କହିଲା ବେଳକୁ କବାଟ ଠକ ଠକ ଆବାଜ ହେଲା ଯାଇ ଖୋଲିଲା ବେଳକୁ ସେ ଝିଅଟିର ମାଆ ତାକୁ ଡାକି ବାକୁ ଆସିଥିଲେ । ତାଙ୍କର କୁଆଡେ ଯିବାର ଥିଲା ଡେରିହଉଥିଲା ସେଥିପାଇଁ ଡାକିବାକୁ ଆସିଥିଲେ । ସେ ଝିଅଟି ସୋଫାରୁ ଉଠି ଆସିଲା କୁଣ୍ଢାଇ କହିଲା ଏ କଥା କାହାକୁ କହିବନି । ମୁଁ ତାକୁ ବିଶ୍ୱାସ ଦେଇ ଆଖି ପତାଟିକୁ ପକେଇ ଦେଇ ଆଖି ଠାରରେ ହଁ କହିଦେଲି । ସେଠୁ ସେ ଚାଲିଗଲା । ମୁଁ ନିଜକୁ ସମ୍ଭାଳି ମୋ କାମ କଲି । କିନ୍ତୁ ଗୋଟେ ପ୍ରଶ୍ନ ମନରେ ଘୁରି ବୁଲୁଥାଏ କି ସେ ସେତେବେଳେ କଣ କହିବାକୁ ଚାହୁଁଥିଲା, କିଏ ଆସିଥିଲା ତା ଘରୁକୁ, କଣ ହେଇଥିଲା ତା ସହ, ତା ମାଆ ଆଉ ଟିକେ ଡେରିରେ ଆସି ନଥାନ୍ତେ, ମୁଁ ଟିକେ ଜାଣି ଦେଇଥାନ୍ତି, ହଉ ସେ ଘରୁକୁ ଆସୁ ପଚାରିଦେବି । ଏତିକି ଭାବୁ ଭାବୁ ରାସ୍ତାରେ ଜୋରସୋରରେ ଲୋକଙ୍କ ପାଟି ଶୁଭିଲା, ଝରକା ବାଟେ ଦେଖେ ତ ଲୋକମାନଙ୍କ ଭିଡ଼ ହେଇଛି । ତଳକୁ ଦୌଡ଼ି ଯାଇ ଭିଡ଼ ଭିତରେ ପଶିଦେଖିଲା ବେଳକୁ ସେଇ ଝିଅଟି ରାସ୍ତାରେ ପଡିଛି । ତା ମାଆ ତା ପାଖରେ ବସି କାନ୍ଦୁଛନ୍ତି । ସେ ଝିଅଟିକି ଦେଖି ମୋ ଆଖି ଆପେ ଆପେ ବନ୍ଦ ହୋଇଗଲା । ତାକୁ ଦେଖିବାକୁ ସାହସ ନଥିଲା । ତାର ଅନ୍ତନାଡୀ ସବୁ ବାହାରି ଆସିଥିଲା । ଆଉ କିଛି ବାଟ ଦୂରରେ ଗୋଟେ ଲୋକଟି ଛିଟିକି ପଡିଥିଲା । ୨ ଜଣ ଯାକ ସେଇଠି ହିଁ ଜୀବନ ହାରିଦେଇଥିଲେ । ଲୋକମାନେ କୁହା କୁହି ହଉଥିଲେ କି ସେ ରାସ୍ତାରେ ଗଲାବେଳେ ଗୋଟେ ମଦୁଆ ଗାଡି ଜୋରରେ ଆଣି ତା ଉପରେ ଚଢେଇ ଦେଲା । କାହିଁକି କେଜାଣି ଲୋକମାନେ ମଦ ପିକି ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଉଛନ୍ତି । ମୁଁ ସେଠି ଆଉ ରହିପାରିଲିନି ଘରକୁ ଚାଲିଆସିଲି । ଭାବିଲି ଯାହା ହେଲା ଖରାପ ନୁହଁ ବହୁତ ଖରାପ ହେଲା ହେଲେ ଗୋଟେ ପଟୁ ଭାବିଲି ଭଲ ବି ହେଲା ଝିଅଟି ଏମିତି ଚାଲିଗଲା ଭଗବାନଙ୍କ ପାଖକୁ । ବଞ୍ଚିକି ରହିଥିଲେ କେତେ କଷ୍ଟ ବା ସେ ପାଇଥାନ୍ତା । ପଞ୍ଜୁରୀରେ ରହିକି ଜୀବନ ଯାକ କାନ୍ଦିବା ଅପେକ୍ଷା ଏବେଠୁ ମରିଯିବଟା ଭଲ ହେଲା । କିନ୍ତୁ ତା ସହିତ କଣ ହେଇଥିଲା ସେଟା ମୁ ଜାଣିପାରିଲି ନାହିଁ । 

ସବୁଦିନ ପାଇଁ ସେଟା ରହସ୍ୟ ହେଇ ରହିଲା।

" ତା ସହିତ ତାର ସବୁ ମନର କଥା ଏ ଦୁନିଆରୁ ବିଦାୟ ନେଇଗଲା"



Rate this content
Log in

Similar oriya story from Tragedy