STORYMIRROR

Sushant Kumar Nayak

Inspirational

4.4  

Sushant Kumar Nayak

Inspirational

କର୍ଫ୍ୟୁ

କର୍ଫ୍ୟୁ

6 mins
235


କାଳିଆ ଭୋ ଭୋ କରି କିଛି କହିବାକୁ ଚାଁହୁଥିଲା ବୋଧେ ସୁକୁଟି ତାକୁ ଗାଳି କଲା “ସକାଳୁ ସକାଳୁ ଏତେ ରଡି କାହିଁକି ଛାଡୁଛୁ କି ରେ?”

କାଳିଆ: “ଆଲୋ ସୁକୁଟି କଣ ହେଇଛି କି?”

ସୁକୁଟି : “କଣ ହେଇଛି ମାନେ?”

- “କଣ କିଛି ଶୋ ର ଶବ୍ଦ ନାହିଁ , ଚାରିଆଡେ ଖାଁ ଖାଁ, ଗୋଟେ ହେଲେ ମଣିଷ କେହି ଦେଖା ଯାଉନାହାନ୍ତି? ଗଲେ କୁଆଡେ ସମସ୍ତେ? ପଶୁ, ପକ୍ଷୀ, ପୋକଜୋକ ସବୁ ଖୁଲମଖୁଲା ବୁଲୁଛନ୍ତି, ଆଉ ମଣିଷ ଏବେ ଗାୟବ, ଘରେ ଲୁଛିଚି ବନ୍ଦୀ ଭଳି I ଛକରେ କିଛି ଲୋକ ଦେଖିଲି ବଳଦ ଭଳି ମୁହଁରେ ତୁଣ୍ଡି ବାନ୍ଧି ଯାଉଛନ୍ତି, ଘଟଣା କଣ?”

- “ବେ, ମୁଁ ତ ସେଇ କଥା ଭାବିକି ତିନି ଦିନ ହେଲା କନଫ୍ୟୁଜ୍, ମୁଠେ ଖାଇବାକୁ ବି ମିଳିବI କଷ୍ଟ ହେଲାଣି?”

- “ସେ କଲେଜ ଛକ ରଘୁ ବରା ଦୋକାନୀ କାଲି ସଞ୍ଜବେଳେ ଖୋଲା ଥିଲା, ମୁଁ ସେଠାରେ ଅଇଁଠା ଖାଉଥିଲି, ଅଚାନକ ପୋଲିସ ଵାଲା ଆସି ତାକୁ ବାଡେ଼ଇଲେ କହିଲେ ଜଲଦି ଦୋକାନ ବନ୍ଦ କରି କି ପଳା, ମୋର ଶଃ କି ଦୋଷ ମୋତେ ବି ଅଯଥାରେ ଦି ପାହାରେ ଦେଲେ ଯେ ମୁଁ ଜୀବନ ବଂଚେଇ ଧାଇଁଛି I କିଏ ଜଣେ କହୁଥିଲା କି ଏବେ କର୍ଫ୍ୟୁ ଲାଗିଛି ବୋଲି I କଣ କେଜାଣି ସେ କର୍ଫ୍ୟୁ, କେହି ଗୋଟେ ହେଲେ ବି ଲୋକ ରାସ୍ତାରେ ଦେଖା ଯାଉନାହାନ୍ତି କିଛି ଦିନ ହେଲା, ସବୁ ନିଜ ନିଜ ଘରେ କବାଟ କିଳି ବସିଛନ୍ତି ”I

-“ମୋତେ କାହିଁ କିଛି ଭଲ ଲାଗୁନି, ଗୋଟେ ଅଜଣା ଭୟ ଲାଗୁଛି ରେ କାଳିଆ, ମଣିଷର ଏଭଳି ଅବସ୍ଥା ହେବ, କେବେ ଭାବି ନ ଥିଲି ରେ”I

-“କହନା ଲୋ ସୁକୁଟି, ଏ ସବୁ ମଣିଷର ନିଜ କର୍ମ ଫଳ, ନିଜେ ଭୋଗିବନି ତା ଆଉ କିଏ ଭୋଗିବ?”

-“ତୁ ବି ନା କାଳିଆ, କଳୁ ମୁହାଁ ଟା, ଏମିତି ସମୟରେ ଏ ଫାଲତୁ କଥା ମଣିଷ ନା ରେ କହୁଛୁ”I 

-“କଣ ଫାଲତୁ, ଭୁଲି ଗଲୁ ସେଦିନ କେମିତି ତୋ ଆଖି ସାମ୍ନା ରେ ରାଜା ଉପରକୁ କୁ ଗରମ ପେଜ ଢ଼ାଳିଦେଲେ ସେ ପାଖଣ୍ଡ ମାନେ, ଆଉ ସେ ଅନ୍ଧ ହେଇଗଲା ବିଚରା I ତୋର ଦୁଇ ଛୋଟ ଛୋଟ ଛୁଆ ସେଦିନ କେମିତି ଏ ମଣିଷ ର ଗାଡି ଚକା ତଳେ ଜୀବନ ହାରି ଦେଲେ, ତୁ କହ ସୁକୁଟି ଏ କୁକୁର ଜୀବନ ର କଣ କିଛି ମୂଲ୍ୟ ନାହିଁ I ଏ ଧରିତ୍ରୀ ମା ସମସ୍ତଙ୍କୁ ଜୀବନ ଦେଇଛି ସତ, କିନ୍ତୁ ଏ ମଣିଷ ଆଜି ସମସ୍ତଙ୍କର ବଞ୍ଚିବାର ହକ୍  ଛଡେଇନେଇଛି, ପାଲଟି ଯାଇଛି ଏକ ଭିଲିଏନ I ମଣିଷ ନିଜ ପାଇଁ ଏତେ ସ୍ୱାର୍ଥପର ଯେ, ସେ ଅନ୍ୟ ଜୀବଜନ୍ତୁଙ୍କୁ ନିର୍ଦୟ ଭାବରେ ମାରି ପାରେ, ବନ୍ଦୀ କରି ରଖି ପାରେ, ପଙ୍ଗୁ କରି ଦେଇ ପାରେ ଆଉ ତାଙ୍କ ବଂଶକୁ ବିନାଶ ବି କରି ଦେଇ ପାରେ I ଆଜି ପ୍ରକୃତି ସହିତ ଖେଳି ଚାଲିଛି ଏ ମଣିଷ ସମାଜ I ଆମେ କୁକୁର ଜାତି କାହିଁ କେଉଁ ଆଦିମକାଳରୁ ମଣିଷର ଅତି ବିଶ୍ଵସ୍ଥ ବନ୍ଧୁ ଭାବରେ ରହି ଆସିଛନ୍ତି, ଯାବତୀୟ ଅଇଁଠା, ଅଳିଆ, ପଚାସଢ଼ା ଶବ ଖାଇ ପରିବେଶ ସଫା ରଖିବା ହେଉ, କିମ୍ବା ବୋମା ଖୋଜିବାରେ ହେଉ ଆମେ କୁକୁର ହିଁ ସବୁବେଳେ ଆଗରେ ଥାଉ, ମଣିଷକୁ ବଂଚେଇବା ପାଇଁ I କିନ୍ତୁ ଏ ଆଧୁନିକ ମଣିଷ ନିଜର ଜିଭ ଲାଳସାକୁ ଚରିତାର୍ଥ କରିବା ପାଇଁ ଆମକୁ ମାରି ଖାଇବାକୁ ବି ପଛାଉ ନାହିଁ I ସେ ନଟିଆ ଚାହା ଦୋକାନ ପାଖରେ ଖବର କାଗଜ ପଢିବା ବେଳେ ହରି ମାଷ୍ଟ୍ରେ କହୁଥିଲେ କି, ଗୋଟେ ନୂଆ ଭୁତାଣୁ “କରୋନା” ମାତିଛି ଏବେ ସାରା ବିଶ୍ୱରେ, ଯାହା ପାଖରେ ଏ ଆଧୁନିକ ମଣିଷ (ସୁପରମାନ) ଆଜି ଅସହାୟ, ଲାଚାର ପାଲଟିଯାଇଛି I ସେ ଭୁତାଣୁ ପାଇଁ କିଛି ଔଷଧ ନାହିଁ, ଆଉ ସେ ଗୋଟେ ପରେ ଗୋଟେ ଦେଶ କୁ କବଳିତ କରି ଚାଲିଛି, ବ୍ୟାପି ଚାଲିଛି ମହାମାରୀ ଭଳି ଜଣକ ପାଖରୁ ଆଉ ଜଣକ ପାଖକୁ, ନେଇ ଚାଲିଛି ଗୋଟେ ପରେ ଗୋଟେ ମୁଣ୍ଡ, ସେଇଥିପାଇଁ ସରକାର କର୍ଫ୍ୟୁ ଲଗେଇ ଦେଇଛନ୍ତି, କେହି ବି ମଣିଷ ଏକୋଶିଶ ଦିନ ପର୍ଯ୍ୟନ୍ତ ଘରୁ ବାହାରିବେନି, ‘ଆଜି ମଣିଷ ପାଇଁ ମଣିଷ ଅଛୁଆଁ”I

-“ଏମିତି କଥା ତା ହେଲେ, ଏବେ ଆମର କଣ ହବ? ଆମ କଥା କଣ ସରକାର କିଛି ଭାବୁନି?

-ଆଲୋ ସୁକୁଟି, ଆମେ ପା କୁକୁର, ଲୋ ଏଠି ଶିଳ ଶିଳପୁଅ ଆକାଶରେ ଉଡୁଛି, ଆମ କଥା କିଏ ପଚାରେ I ଆମେ ମଲେ କେତେ, ବଞ୍ଚିଲେ କେତେ କାହାର ଯା ଆସେ ନାହିଁ I ତୁ ଆଉ ବେଶୀ କଥା କହନା ଲୋ, ନ ହେଲେ ମୁନସିପାଲିଟି ଵାଲା ଆସିକି ବାନ୍ଧି ନେବେ ଆମକୁ, ସେଇଟା ହିଁ ଆମ ପାଇଁ ସରକାର କରିଛି I ଆମ ସଂଖ୍ୟା କୁଆଡେ ହୁ ହୁ ହେଇ ବଢି ଚାଲିଛି, ଆଉ ଆମେ ମଣିଷ ପାଇଁ ବିପଦ, ଆମର ବନ୍ଧ୍ୟାକରଣ କରେଇ ଦେବେ I

-ହଁ ରେ କାଳିଆ ସତ କଥା କହିଲୁ I

-କିଏ କହୁ ଥିଲା ଏ ‘କରୋନା’ ରୋଗ କୁଆଡେ ପଶୁପକ୍ଷୀ ଙ୍କ କଞ୍ଚା ମାଂସକୁ ସୁପ୍ କରି ଖାଇବାରୁ ହେଇଛି ବୋଲି, ଭଲା କହିବ ଏ ମଣିଷ ଜାତିକୁ I

-ଯାହା କହ କାଳିଆ, ଏ କର୍ଫ୍ୟୁ ହେଇଛି ବୋଲି, ଆଜି ହରି ମାଷ୍ଟ୍ର ଘରେ ଖୁସିର ମାହୋଲ, ତା ବିଦେଶରେ ରହୁଥିବା ଉଚ୍ଚଶିକ୍ଷିତ,ରୋଜଗାରିଆ ପୁଅ ବାପା ମାଙ୍କ ପାଖକୁ ତିନି ବର୍ଷ ପରେ ଫେରି ଆସିଛି I ବିଦେଶୀ ମୋହ ଭାଙ୍ଗିଛି ତା ପୁଅର I ଏପଟେ ଅନିଲ ବାବୁଙ୍କ ଛୋଟ ପୁଅ ଝିଅ କଥା ହେଉଥିଲେ କି “ଏ ଅଜଣା ମଣିଷ ଜଣକ କିଏ ଯେ, ତାଙ୍କ ଘରେ ଦିନ ସାରା ବସି ରହୁଛି ମୋବାଇଲ ଚଲାଉଛି ବୋଲି,” ବିଚରା ଅନିଲ ବାବୁ ଅଫିସ,ବିଜିନେସ ଆଉ ପଇସା ଚକ୍କରରେ ପିଲା ମାନଙ୍କୁ କେବେ ବି ସମୟ ଦେଉ ନଥିଲେ, ଅଜଣା ମଣିଷ ହେଇ ଯାଇଥିଲେ ସେ ନିଜ ପିଲା ମାନଙ୍କ ପାଇଁ, ଯେ ଏବେ ଏୟା ଶୁଣିବାକୁ ପଡୁଛି ତାଙ୍କୁ I

- ହଁ ଲୋ ସୁକୁଟି, ଏ କର୍ଫ୍ୟୁରେ ମଣିଷ ଆଜି ନିଜ ଘରେ ନିଜେ ବନ୍ଦୀ, ଫାନ୍ଦରେ ଫସି ଯାଇଛି ସତେ, ଆଉ ଭାବୁଛି ଯେମିତି କି ତା ଦୁନିଆ ହଜି ଯାଇଛି, କିନ୍ତୁ ସେ କେବେ ବି ଭାବିଛି ସେଇ ମୁକ ପଶୁ ପକ୍ଷୀଙ୍କ କଥା ଯେଉଁ ମାନଙ୍କୁ ସେ ଜୀବନ ସାରା ବନ୍ଦୀ କରି ରଖିଛି ପିଞ୍ଜରା ଭିତରେ, ଏବେ ସେ ନିଜେ ଅନୁଭବ କରୁ, ନିଜ ସହିତ ହେଲେ କେମିତି ବିତେ ବୋଲି

  I

-ସତ କହିଲୁରେ କାଳିଆ, କିନ୍ତୁ ମଣିଷଙ୍କ ଖରାପ ସମୟରେ ଏଭଳି କଥା କହନା ରେ  I

-ମୁଁ କିଛି ଖରାପ କହୁନି ଲୋ, କିନ୍ତୁ ତୁ ଗୋଟେ କଥା ଲକ୍ଷ କରିଛୁ କି, ଆଜି କାଲି ବେଶୀ ଗହଳି ଚହଳି ନାହିଁ, ଧୂଳି ଧୂଆଁ କି ପ୍ରଦୂଷଣ ବି ନାହିଁ, ଆକାଶ ସଫା ସଫା ଆଉ ସୁନ୍ଦର ଦିଶୁଛି ଲୋ ସୁକୁଟି, ପବନ ବି ସୁଲୁ ସୁଲୁ ବହୁଛି, ପ୍ରକୃତି ରାଣୀ ଆଜି ସବୁଠାରୁ ବେଶୀ ଖୁସି ଥିବା ଭଳି ଲାଗୁଛି, ନା କଣ କହୁଛୁ (ହସିଲା କାଳିଆ) ? 

-ତୁ ଆଉ ବେଶୀ ରୋମାଣ୍ଟିକ ହ ନା ରେ କାଳିଆ, ଏବେ ଅଫ ସିଜିନ(ମୁରୁକି ହସି ଆଖି ଇସାରା କଲା ସୁକୁଟି) I

-ତୁ ହବୁନି ଲୋ ସୁକୁଟି, ମଣିଷଙ୍କ ଭଳିଆ କଥା ବାର୍ତା କରୁଛୁ , ଆମେ କୁକୁର ଆଉ କୁକୁର ଭଳିଆ ରହିଲେ ହିଁ ଭଲ I ଜାଣିଛୁ ଲାଗୁଛି ସତେ ଯେମିତି ମଣିଷର ଏ ଆଲାର୍ମ ଦିଆ ଜୀବନଟା ଆଜି କିଏ ବିଗାଡି ଦେଇଛି I

-ହଁ ରେ କାଳିଆ, ମଣିଷ ଏ କର୍ଫ୍ୟୁ ସମୟରେ ହିଁ ଆଜି ନିଜ ପରିବାରର ମହତ୍ୱ, ଆଉ ଜୀବନର ମାନେକୁ ବୁଝି ପାରୁଥିବ I ମିଛ ମୋହ, ମାୟା ଆଉ ଅର୍ଥ ସର୍ବସ୍ବ ହେଇ ଏ ସବୁକୁ ଭୁଲି ଯାଇଥିଲା ସେ I

-ହଁ ଲୋ ସୁକୁଟି ଯେଉଁଠି ଦିନେ ଗାଡି,ମଟର ଆଉ କଳ କାରଖାନାର ପେଁ ପାଁ ଆଉ କର୍କଶ ଶବ୍ଦରେ କାନ ଫାଟି ଯାଉଥିଲା, ଆଜି ସେଠି ଚଢେଇ ମାନଙ୍କର କିଚିରି ମିଚିରି ଶବ୍ଦ ଶୁଭୁଛି, ଆଜି ମଣିଷ ବୁଝିଛି ନିଜର ଅସହାୟତାକୁ ଆଉ ପ୍ରକୃତିର ନିୟମକୁ I

-ହଁ ରେ କାଳିଆ, ଏ ହେଲା ମିଛ ମାୟାର ସଂସାର, କେହି ନୁହନ୍ତି କାହାର,ଆସିଛନ୍ତି ଏକା ଆଉ ଯିବା ବି ଏକା, ଜୀବନଟା ପାଣି ଫୋଟକା ପରି ରେ I

- କିନ୍ତୁ ଗୋଟେ କଥା କହ ସୁକୁଟି, ଏ ମଣିଷ କିଛି ବି ଭୁଲ ଆଉ ପାପ କଲେ ସବୁ ବେଳେ ଆମ ପଶୁ ମାନଙ୍କୁ ଦୋଷ ଦିଏ କାହିଁକି ?

-ବୁଝି ପାରିଲିନି କାଳିଆ, ତୁ କଣ କହିବାକୁ ଚାଁହୁଛୁ ?

-ଯେତେବେଳେ ମଣିଷ ରେପ୍ କି ମର୍ଡର କି ଅନ୍ୟ କୌଣସି ଜଘନ୍ୟ ଅପରାଧ କରେ, କହେ ଯେ ପାଶବିକ ଅତ୍ୟାଚାର ବୋଲି, କିନ୍ତୁ ତୁ କହ, ଆମେ କୁକୁର ହେଲେ ବି କେବେ ଏଭଳି କାମ କରିଛୁ କି? ଆମେ କୁକୁର ହେଇ ପାରୁ, ପଶୁ ହେଇ ପାରୁ କିନ୍ତୁ ଆମେ କେବେ ବି ଆମ ପଶୁପଣିଆ ଆଉ କୁକୁରପଣିଆ ଉପରେ ଆଞ୍ଚ ଆଣି ବାକୁ ଦେଇନୁ, ଆମେ ତ ନଗ୍ନ ପଶୁ, ତଳ ଶ୍ରେଣୀର ଜୀବ, ପ୍ରକୃତିର ନିୟମରେ ବନ୍ଧା ଆମ ଜୀବନ, କିନ୍ତୁ କେବେବି ଅନ୍ୟ ପଶୁକୁ ରେପ୍ କରିନୁ, କି କାହା ନଗ୍ନତାର ଫାୟଦା ଉଠାଇନୁ I ରେପ୍ କେବଳ ମଣିଷ ହିଁ କରେ, ଅନ୍ୟ କେହି ପଶୁ ନୁହଁ I ତୁ କହ, ମଣିଷ ନିଜର ମାନବିକତାକୁ ଭୁଲି ଯାବତୀୟ ଅପକର୍ମ କରିବ, ଆଉ ଆମେ ଦୋଷୀ ହେବା I ଯଦି କେଉଁଠି ବଳି ପଡିବ ତା ଆଗେ ପଶୁଟିଏକୁ ମଣିଷ ବଳି ଦିଏ I ଆମ ଉପରେ ଦୋଷ ଲଦି ଦେବା ମଣିଷର ଗୋଟେ ଅଭ୍ୟାସ I ସେ କେବେ ବି ବୁଝିଛି ଯେ, ଆମ ପାଶବିକତା ମଣିଷର ମାନବିକତାଠୁ ଅନେକ ଗୁଣ ମାର୍ଜିତ ଆଉ ଶୃଙ୍ଖଳିତ I ଅନ୍ୟ ପ୍ରତି ଇର୍ଷା, ଦ୍ୱେଷ ଆଉ ପରଶ୍ରୀକାତରତାରେ ମଣିଷ ଆଜି ଜଳୁଛି, ଭଗବାନ ଶ୍ରେଷ୍ଠ ଜୀବ କରି ଗଢି ତୋଳିଥିଲେ ଯେ, ହେଲେ ଆଜିର ଏ ମଣିଷ ନିଜ ଗୋଡରେ ନିଜେ କୁରାଢ଼ୀ ମାରି ଚାଲିଛି I ସେ ସମୟ ଆଉବେଶୀ ଦୂର ନୁହଁ, ଯେତେବେଳେ ମଣିଷ ନିଜର ସତ୍ତା ହରେଇବ ଧାରାପୃଷ୍ଠରୁ I ଜାଣିଛୁ ସୁକୁଟି, ଆଜିର ଏସବୁ ପାଇଁ ମଣିଷ ନିଜେ ହିଁ ଦାୟୀ, କିଏ କହୁଥିଲା ତାକୁ ଅଭକ୍ଷ ଭକ୍ଷଣ କରିବାକୁ, ଯାହା ଫଳରେ ‘କରୋନା’ ଭଳି ମହାମାରୀର ଉତ୍ପତି, ତତ୍ସହିତ ଅରମ୍ୟ ସଂଗେ ରମଣ କରିବାରୁ ‘ଏଡ଼ସ୍’ ଭଳିଆ ବ୍ୟାଧି ତ ଆଗରୁ ମଣିଷ ସମାଜକୁ ଗ୍ରାସ କରି ରଖିଛି I ସହରୀକରଣ,ଶିଳ୍ପାୟନ ଆଉ ଜନବସତି କାରଣରୁ ପ୍ରତ୍ୟକ ଦିନ ଶହ ଶହ ବୃକ୍ଷଲତା, ଜୀବଜନ୍ତୁଙ୍କ ପ୍ରଜାତି ଲୋପ ପାଇ ଯାଉଛି ଧରାପୃଷ୍ଠରୁ, ଆଉ ବିଶ୍ୱ ପାଣିପାଗ ବି ବଦଳିଯାଇଛି I ଅଦିନ ଝଡରେ ଦିନେ ଆମେ ବି ଝଡି ଯିବା ଲୋ ସୁକୁଟି I

-ହଉରେ କାଳିଆ, ତୁ ଆଉ ମଣିଷଙ୍କ ଭଳି ଭାଷଣ ଦେ ନା, କି ବେଶୀ ଭାବେନା I ଆମେ କୁକୁର, ଆମ କୁକୁରବିକତା ଆଉ କୁକୁରପଣିଆ ଆମ ପାଇଁ ବଡ, କଣ ମିଳିବ ସେ ମଣିଷ ମାନଙ୍କ କଥାରୁ, ଆଜି କର୍ଫ୍ୟୁ ଲାଗିଛି ବୋଲି ଚୁପ୍ ଚାପ୍ ଅଛନ୍ତି ସିନା କାଲି କର୍ଫ୍ୟୁ ସରି ଗଲେ, ଆମକୁ ଗୋଡେଇ ଗୋଡେଇ ପିଟିବେ ରେ କାଳିଆ I ଚାଲ, ସେଠି କିଏ ଗୋଟେ ଅଇଁଠା ଫିଙ୍ଗିଲାଣି ନା କଣ, ଚାଲ ଖାଇ ଦବା ନ ହେଲେ ଭୋକରେ ମରିବାରେ, ଭଗବାନ କରନ୍ତୁ ଏ ‘କରୋନା’ ଦାଉରୁ ମଣିଷ ସମାଜ ଜଲଦି ଉଦ୍ଧାର ପାଉ, ନ ହେଲେ ଆମେ ବି ଅଇଁଠା ଖାଇବାକୁ ପାଇବାନି ଯେ  I


            କାଳିଆ ଆଉ ସୁକୁଟି ଅଇଁଠା ଖାଇବା ପାଇଁ ଚାଲିଗଲେ, ଆଉ ଗୁମୁଟି ଛାତରେ ବସି ତାଙ୍କ କଥାକୁ ଶୁଣୁଥିବା ଘରଚଟିଆଟି ଭାବୁଥିଲା, “ସତରେ ମଣିଷପଣିଆ ବଡ ନା କୁକୁରପଣିଆ/ପଶୁପଣିଆ,” ତଉଲୁ ଥିଲା ମାନବିକତା ଆଉ ପାଶବିକତାର ବ୍ୟବଧାନକୁ I ଭାବୁଥିଲା, ସାରା ଦୁନିଆ କେମିତି ଆଜି ମଣିଷ ସ୍ୱାର୍ଥ ପାଖରେ ତୁଚ୍ଛ ଓ ଅଲୋଡ଼ା ପାଲଟି ଯାଇଛି, ସର୍ବ ଶକ୍ତିମାନ ବୋଲାଉ ଥିବା ମଣିଷ କିପରି ଆଜି ବନ୍ଦୀ, ଏଭଳି ସମୟ ବି ମଣିଷ ସହିତ ହେଇପାରେ ବିଶ୍ୱାସ କରିପାରୁ ନ ଥିଲା ସେ I ଲାଗୁଥିଲା ସତେ ଯେମିତି ଆଜି ମଣିଷର ସବୁ ଦର୍ପ ଆଉ ଅହଂକାରକୁ ଦୋହଲାଇ ଦେଇଛି ଗୋଟେ ସାମାନ୍ୟ ଆଖିକୁ ଦେଖା ଯାଉ ନଥିବା ଭୁତାଣୁ I କୁଆଡେ ଗଲା ମଣିଷର ବୁଦ୍ଧି ଆଉ ବିବେକ, ଆଉ ଶ୍ରେଷ୍ଠ ଜୀବ ବୋଲାଇବାର ବାହାସ୍ଫୋଟ ପଣିଆ I ଅଚାନକ ନିରବତାକୁ ଦୋହଲାଇ, ବିକଟାଳ ସାଇରନ ବଜାଇ ପୋଲିସ ପାଟ୍ରୋଲିଂ ଗାଡିଟି ଦ୍ରୁତ ଗତିରେ ଚାଲିଗଲା ରାସ୍ତା ଉପରେ, ଆଉ କହି ଯାଉଥିଲା ସାବଧାନ୍, କର୍ଫ୍ୟୁ ଲାଗିଛି, ଘରେ ଲୁଚି ଯାଅ ସମସ୍ତେ I



Rate this content
Log in

More oriya story from Sushant Kumar Nayak

Similar oriya story from Inspirational