କନ୍ୟା ରତ୍ନ
କନ୍ୟା ରତ୍ନ
ଗୋଟିଏ ସହରରେ ଗୋବିନ୍ଦବାବୁ ତାଙ୍କ ପରିବାର ସହ ରହୁଥିଲେ। ସେ ଏକ ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଥିଲେ । ତାଙ୍କର ଚାରିପୁଅ ଓ ଦୁଇ ଝିଅ ଥିଲେ । ପୁଅଝିଅଙ୍କୁ ପାଠ ପଢାଇବାରେ କୌଣସି ପ୍ରକାର ଅବହେଳା କରିନଥିଲେ । ପୁଅମାନେ ପଢାସାରି ଭଲ ଚାକିରୀ ପାଇ ବାହାରେ ରହିଲେ । ତାଙ୍କର ପରିବାର ହସଖୁସିରେ ଚାଲୁଥିଲା। ପରେ ପୁଅଝିଅମାନଙ୍କର ବାହାଘର ଠିକଭାବେ ସମାପନ କରି ଶାନ୍ତିରେ ନିଃଶ୍ୱାସ ମାରିଲେ । ଚାକିରିରୁ ଅବସର ନେଲାପରେ ଗୋବିନ୍ଦବାବୁ ତାଙ୍କ ଚାକିରୀକାଳ ମଧ୍ୟରେ ତିଆରି କରିଥିବା ଦୁଇ ମହଲା କୋଠାଘରେ ସ୍ତ୍ରୀ ବାସନ୍ତୀଙ୍କ ସହ ରହୁଥିଲେ । ସ୍ତ୍ରୀଙ୍କ ଆଣ୍ଠୁ ଓ ଅଣ୍ଟାରେ ଭୀଷଣ ଯନ୍ତ୍ରଣା ଯୋଗୁଁ ଘରେ ଚାକର ଗୋଟିଏ ରଖି କାଳାତିପାତ କଲେ । ମଝିରେ ମଝିରେ ଝିଅମାନେ ଆସି ଦେଖାଚାହାଁ କରି ଯାଉଥାଆନ୍ତି, କିନ୍ତୁ ପୁଅବୋହୁଙ୍କ ପାଖରେ ବାପାମାଆଙ୍କ ପ୍ରତି ଧ୍ୟାନ ଦେବାକୁ ସମୟ ନଥିଲା ।
କିଛିଦିନ ପରେ ଗୋବିନ୍ଦବାବୁଙ୍କ ବୟସାଧିକ୍ୟ ଯୋଗୁଁ ସ୍ବର୍ଗବାସ ହୋଇଗଲା, ବିଧିମତେ ଅନ୍ତ୍ୟୈଷ୍ଟି କ୍ରିୟାକର୍ମ ସମାପନ କରି ପୁଅବୋହୁମାନେ ପୁଣି ନିଜନିଜ କର୍ମସ୍ଥଳୀକୁ ଚାଲିଗଲେ । କିନ୍ତୁ ଝିଅମାନେ ମାଆଙ୍କୁ ଏକୁଟିଆ ଛାଡିଦେବାକୁ ଉଚିତ ମନେ କରିନଥିଲେ । ନିଜର ସ୍ୱାମୀମାନଙ୍କୁ ବୁଝେଇସୁଝେଇ ସେବା ସହଯୋଗ କରିବା ପାଇଁ ମାଆଙ୍କ ସହ ବାପଘରେ ରହିଗଲେ ।
ଗୋବିନ୍ଦବାବୁ ଅନିଶ୍ଚିତ ଭବିଷ୍ୟତକୁ ଚିନ୍ତାକରି ସ୍ତ୍ରୀ ବାସନ୍ତୀଙ୍କ ନାମରେ ଉକ୍ତ ଜାଗାଟି କିଣି ସେଥିରେ ଘର ତିଆରି କରିଥିଲେ । ମାଆଙ୍କ ଭଲମନ୍ଦ କଥା ପୁଅବୋହୁ ବୁଝାବୁଝି କରୁ ନ ଥିବାରୁ ସଦାବେଳେ ତାଙ୍କ ମନ ଦୁଃଖରେ ରହୁଥିଲା ।
ପୁଅବୋହୁମାନେ ବେଶୀ ଦୂରରେ ନ ଥିଲେ ସୁଦ୍ଧା କେବେ ଫୋନକରି କିମ୍ବା ନିଜ ଘରକୁ ଆସି ମାଆଙ୍କ ଦେହପାହା, ଔଷଧ ପତ୍ର, ଏପରି କି, ଦେଖାଶୁଣା ମଧ୍ୟ କରୁନଥିଲେ, କିନ୍ତୁ ଝିଅମାନେ ମାଆଙ୍କ ଖାଇବାପିଇବା ଠାରୁ ଆରମ୍ଭ କରି ଲୁଗାପଟା, ଔଷଧ ତଥା ସେବାଯତ୍ନ ପର୍ଯ୍ୟନ୍ତ କୌଣସିଥିରେ ହେଳା କରୁନଥିଲେ ! ଚାରିଚାରିଟି ପୁଅ ଜନ୍ମ କରି ପୁଅବୋହୁ ଅପେକ୍ଷା ଝିଅମାନଙ୍କ ଠାରୁ ସେବା ପାଉଥିବାରୁ ମାଆ ବାସନ୍ତୀ ଶେଷରେ ବାଧ୍ୟ ହୋଇ ଦୋତାଲା ଘର ସହିତ ତତ୍ ସଂଲଗ୍ନ ଜମିବାଡି ଦୁଇ ଝିଅ ମାନଙ୍କ ନାମରେ ଲେଖିଦେଇ କିଛିଦିନ ବାର୍ଦ୍ଧକ୍ୟରୋଗ ଯୋଗୁଁ ସ୍ୱାମୀଙ୍କ ପାଖକୁ ଚାଲିଗଲେ !
ବର୍ତ୍ତମାନ ଦୁଇଝିଅଙ୍କ ନାମରେ ଘରଟି ଥିବାରୁ ଭାଇମାନଙ୍କ ଲୋଲୁପ ଦୃଷ୍ଟି ଘର ଉପରେ ପଡିଲା । ଦୁଇ ଭଉଣୀଙ୍କୁ ଘରୁ ବାହାର କରି ଭାଇମାନେ ଘର ଦଖଲ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଆଉ ପାଇ ପାରିଲେ ନାହିଁ। କୋର୍ଟ ମଧ୍ୟ ଭଉଣୀମାନଙ୍କ ସପକ୍ଷରେ ରାୟ ଦେବାରୁ ଏବେ ଚାରିଭାଇ "ନ ନୀରଂ, ନ ତୀରଂ" ଅବସ୍ଥାରେ ବୁଲୁଛନ୍ତି । ସାଇ ପଡିଶା ଟୁପୁର ଟାପୁର ହୋଇ କହୁଛନ୍ତି:---
"ମାତାପିତାଙ୍କର ସେବା ଯେ ପୁତ୍ର ନ କରେ ।
ଅଧିକାର ନୁହେଁ ତାର ପିତୃ ସମ୍ପତ୍ତିରେ" ।।
