କଳଙ୍କିନୀ
କଳଙ୍କିନୀ
ଶୁନଶାନ୍ ରାସ୍ତା। କୁଆ କି କୋଇଲି ର ସୋର ଶବ୍ଦ ନାହିଁ। ଖାଁ ଖାଁ ଲାଗୁଛି ଚାରିଆଡ଼େ।ଅଥଚ ମିତା ର ସେ ଆଡିକି ନଜର ନାହିଁ। ସବୁଦିନ ଠିକ୍ ସମୟରେ ଘର କୁ ଫେରେ ହେଲେ ଆଜି ଅଫିସ କାମରେ ଏତେ ବ୍ୟସ୍ତ ରହିଗଲା ଯେ ସମୟ ଗଡ଼ି ରାତି ହେବାକୁ ବସିଲାଣି ତା'ର ଆଉ ସେଆଡକୁ ଧ୍ୟାନ ନାହିଁ। ହଠାତ୍ ଘଡ଼ି ଦେଖି ଚମକି ପଡ଼ିଲା। ଆରେ ୮ଟା ବାଜି ଗଲାଣି। ଶୀତ ରାତି। ରାସ୍ତାରେ ଲୋକବାକ ଙ୍କ ଗହଳି ଚହଳି କମ୍। ତଥାପି ଲମ୍ବା ପାହୁଣ୍ଡ ପକେଇ ଶିଘ୍ର ଚାଲିବାକୁ ଚେଷ୍ଟା କଲା। ଆଗ ଦି'ଟା ଗଳି ପରେ ଏକଦମ୍ ଫାଙ୍କା ରାସ୍ତା। ପାଖାପାଖି ଅଧ କିଲୋମିଟର। ତା'ପରେ ଅଟୋ ଷ୍ଟାଣ୍ଡ। ଶିଘ୍ର ନ ପହଞ୍ଚି ପାରିଲେ ଅଟୋ ମିଳିବା କଷ୍ଟ। ପୁଣି ଏକୁଟିଆ ଝିଅ ଟେ ଦେଖିଲେ ଆଜିକାଲି ଟୋକା ହଉ କି ବୁଢ଼ା ଛି। ଈଶ୍ୱର ଙ୍କୁ ମନେ ମନେ ସ୍ମରଣ କରି ନିଜ ପାଦର ଗତି ବଢ଼େଇଲା। ଅନ୍ୟମନସ୍କତା ଭିତରେ ଅନୁଭବ କଲା ଚାପା କଣ୍ଠସ୍ୱର ସହ ପଛରୁ କାହାର ଶବ୍ଦ। ବୁଲି ପଡ଼ି ଅନେଇ ଦେଖିଲାବେଳକୁ ଦି'ଟା ନୁହେଁ ଚାରୋଟି ନିଶାସକ୍ତ କାମୁକ ଆଖି ତାକୁ ଅନୁସରଣ କରୁଛନ୍ତି। ହାତ ରେ ତାଙ୍କର ମଦ ବୋତଲ। ତା'କୁ ଝାମ୍ପିବାକୁ ଉଦ୍ୟତ ଠିକ୍ ଗୋଟେ ସୁଯୋଗରେ। ଚମକି ପଡ଼ି ଏକରକମ ର ଦୌଡ଼ି ବାକୁ ଲାଗିଲା ସିଏ। ମିତା, ୨୩ବର୍ଷର ଅଭିଆଡି ଝିଅ। ଭରା ଯୌବନ ସାଥେ ଅତି ସୁନ୍ଦରୀ ନ ହେଲେ ବି ବେଶ୍ ଆକର୍ଷଣୀୟ ରୂପ ତା'ର। ଲାଗୁଥିଲା ନିଃଶ୍ବାସ ଅଟକି ଯିବ। ଜୀବନ ଓ ଯୌବନ କୁ ଏବେ ଈଶ୍ୱର ସାହା। ମୂଖ୍ୟ ରାସ୍ତା ଟା ଆହୁରି କିଛି ଦୂର ଥିଲା।
ଶୀତ ରାତି କୁ ଗରାଖ ଅପେକ୍ଷା ରେ ମୁଁ ସେଇ ରାସ୍ତା ମୋଡ଼ ରେ ଅନେଇ ଛିଡ଼ା ହୋଇଥିଲି କେତେବେଳୁ। ପ୍ରାୟତଃ ଏଇଟା ମୋର କାରବାର ର ଏକ ପେଣ୍ଠସ୍ଥଳୀ। ଯାଃ ଏତେ ସମୟ ଅପେକ୍ଷା ର ଫଳ ଆଜି ମିଳିବ କି ନା ସନ୍ଦେହ ରେ ଥିଲି। ହଠାତ୍ ଝିଅ ଟିକୁ ଏଇ ଶୁନଶାନ୍ ରାସ୍ତା ରେ ପ୍ରାଣମୂର୍ଚ୍ଛା ଧାଉଁ ଥିବାର ଦେଖି ତା ସାମ୍ନାକୁ ବାହାରି ପଡ଼ିଲି। ମୋତେ ଦେଖି ସେ ରହିଗଲା । ତା ପିଣ୍ଡରେ ପ୍ରାଣ ପଶିଲା ବୋଧେ। ଆକୁଳ ବିକଳ ହେଇ କହିଲା "ଭଉଣୀ ମୋତେ ବଞ୍ଚାଅ। ସେ ରାକ୍ଷସ ଦିଟା ମୋ ପଛରେ ପଡ଼ିଯାଇଛନ୍ତି। ମୋତେ ଛାଡି ବେନି"। ମୁଁ ତାକୁ ସାହସ ଦେଲି। "ରହ ମୁଁ ସମ୍ଭାଳି ନେବି" କହି ତା'କୁ ମୋ ପଛକୁ ଠେଲିଦେଇ ମୁଁ ସାମ୍ନାରେ ଛିଡ଼ା ହୋଇଗଲି। ସେ ମଦୁଆ କାମାସକ୍ତ ଦି'ଟା ମୋତେ ଦେଖି ହଠାତ୍ ରହିଗଲେ। କହିଲେ "ଆମ ରାସ୍ତା ଛାଡ଼। ମାଲ୍ ଟା ଆମକୁ ଦେଇଦେ"। ଭାବିଲି ଆଜି ଈଶ୍ୱର ଯେତେବେଳେ ସୁଯୋଗ ଟେ ଦେଇଛନ୍ତି ଛାଡିବି କାହିଁକି? କହିଲି "ହଇରେ , ଶଳା ଏକଲା ଟୋକି କୁ ପାଇଯାଇ ପୁରା ମସ୍ତି କରିବା ମୁଡ଼ରେ ଅଛ। ମୁଁ କଣ କମ୍ କି? ମୋ ଜଓ୍ବାନୀ କେତେ କେତେ ଙ୍କୁ ଘାୟଲ କରିଛି ତା ଠିକଣା ନାହିଁ। ଆଉ ତମେ ଶଳେ ଦିଟା ଏ ମାମୁଲି ଟୋକିଟା ପଛରେ ପଡିଚ? ଆସ ଆଜି ରାତିଟା ତମ ଦିଜଣଙ୍କ ପାଇଁ ମୁଁ ଫୁଲ୍ ଫ୍ରି, ଯାହା କରିବାର ଅଛି କର"। ସତରେ ମୋ ଭରା ଯୌବନ ଅନେକ ରଙ୍ଗରସିଆ ମାନଙ୍କ ରାତିର ସ୍ବପ୍ନ ଥିଲା। ଝିଅଟି କୁ ଆଖିରେ ଇସାରା ଦେଲି "ଖସି ଯା"। ଏମିତି ଖୋଲାମେଲା ମାଗଣା ଆମନ୍ତ୍ରଣ ପାଇ ସେ ଦିଟା ଲମ୍ପଟ ମୋ ଉପରକୁ ଝାମ୍ପି ପଡ଼ିଲେ। ବର୍ତ୍ତୀ ଗଲା ଗୋଟେ ନିଷ୍ପାପ କନ୍ୟାର ଜୀବନ ଓ ଯୌବନ। କିଛିକ୍ଷଣ ପରେ ସେ ଦି'ଟା ରାକ୍ଷସ ଙ୍କ ତୃଷା ମେଣ୍ଟିଲା। ଟଳି ଟଳି ସେ ଦିଟା ମୂଖ୍ୟ ରାସ୍ତା ଉପରକୁ ଉଠିଲେ। ମୁଁ ମୋର ଅସ୍ତବ୍ୟସ୍ତ ଲୁଗା ସଜଡ଼ା ସଜଡ଼ି କରି ଉଠିବାକୁ ଚେଷ୍ଟା କରୁଥିଲି। ଅବସ ଦେହଟା କିନ୍ତୁ ପାରୁନଥିଲା। ଏଣେ କ୍ଷତ ପୋଛିବାକୁ ଆଉ ବଳ ବି ନ ଥିଲା। ଯନ୍ତ୍ରଣା ଭିତରେ ମୁଁ ଟିକେ ମନଖୋଲି ହସିବାକୁ ଚେଷ୍ଟାକଲି। ଆଜକୁ ଆଠବର୍ଷ ଭିତରେ ଦେହଜୀବୀ ଟିଏ ହୋଇ କେତେ କେତେ ଦେହ ଓ ମନର ତୃଷା ମେଣ୍ଟାଇ ଯେଉଁ ତୃପ୍ତି ପାଇଥିଲି, ଆଜି ଦେହଦାନ କରି ଗୋଟେ ନିଷ୍ପାପ ଝିଅର ଜୀବନ, ଯୌବନ ଓ ସମ୍ମାନ ବଞ୍ଚାଇ ପାରିଥିବାରୁ ମନେ ମନେ ପରିତୃପ୍ତିରେ ପୁରି ଉଠୁଥିଲି। ଈଶ୍ଵର ଙ୍କୁ ସେଉଠୁ ପ୍ରଣାମ କରି କହିଲି "ଏତେ ପାପ କଲି ଶେଷରେ ଭକ୍ତିଭରା ମୁଣ୍ଡିଆ ଟେ ମାରି ଆଜି ମୁକ୍ତି ପାଇଗଲି ପ୍ରଭୁ"।
