Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rajeev Sahoo

Tragedy

5.0  

Rajeev Sahoo

Tragedy

କିଛି ଲୁହ କଥା କୁହେ

କିଛି ଲୁହ କଥା କୁହେ

5 mins
286


ଏଇ କିଛିଦିନ ତଳେ ଚାକିରିରୁ ଅବସର ନେଲି । ଆଜି ନାତୁଣୀକୁ ଧରି ୩୦ ବର୍ଷ ପରେ ମୋର ଜନ୍ମ ମାଟି ତଥା ଗାଁ ଘରକୁ ଆସି ପହଞ୍ଚିଛି । ମନର ଖୁସିକୁ ପ୍ରକାଶ କରିବା ପାଇଁ ଭାଷା ନାହିଁ । ପିଲା ଦିନର ସାଙ୍ଗ ନରୁ, ଜଟିଆ, ଚଗଲା, ଗଗନ ଯେତେ ସବୁ ଗାଁରେ ଅଛନ୍ତି ସମସ୍ତଙ୍କ ସହିତ ଭେଟଭାଟ ହବ ଆଉ ଆସରଟା ବି ବେଶ୍ ଜମିବ । ଗାଁକୁ ଆସିଲା ବେଳେ ସବୁ ସାଙ୍ଗ ମାନଙ୍କ ପାଇଁ କିଛି ନା କିଛି ଲୁଗାପଟା, ଡ୍ରେସ୍, ଚପଲ ଆଉ ମିଠା ମିଠି ନେଇକି ଆସିଥିଲି । 


ସବୁଠୁ ବଡ଼ କଥା ହେଲା ଯେ ମୋ ପିଲା ଦିନର ଅନ୍ତରଙ୍ଗ ସାଙ୍ଗ ଜଗନ୍ନାଥ ମାନେ ଜଗାକୁ ଯାଇ ଆଗ ଦେଖା କରିବି । ଗ୍ରାଜୁଏସନ ସରିଲା ପରଠୁ ତା ସହ କେବେ ବି ଦେଖା ହେଇନି । ମୁଁ ଚାଲି ଆସିଲି ଭୁବନେଶ୍ୱର, ଆଉ ସେ ରହିଗଲା ସୁଦୂର କୋରାପୁଟର ଅଖ୍ୟାତ ମଫସଲ ଆମ ଗାଁରେ । ସାଙ୍ଗ ମୋର କେମିତି ଅଛି, କଣ କରୁଛି, ତାର ପିଲାପିଲି ସବୁ କଣ କରୁଛନ୍ତି ଇତ୍ୟାଦି ଇତ୍ୟାଦି ଜାଣିବାକୁ ମନରେ ଅନେକ ଉତ୍କଣ୍ଠା।


ମୋବାଇଲ୍ ଆଉ ଇଂଟରନେଟ ଭଲତ ମୋ ନାତୁଣୀ ଭଲ । ଗାଁ ପାଣି ପବନ ତା ଦେହରେ ବାଜିନି । ଘର ଭିତରେ ମୋବାଇଲଟି ଧରି ସେମିତି ପଡି ରହିଲା ସେ । ମୁଁ ବାହାରିଲି ମୋ ଗାଁ ବୁଲିବାକୁ ।


କିଛି ବଦଳିନି ମୋ ଗାଁ । ସେଇ ଆମ୍ବ ତୋଟା, ସେଇ ବରଗଛ, ସେଇ ନାଳ ଆଉ ସେଇ ବିଲବଣ । ଖାଲି ଗାଁର ମୂଖ୍ୟ ରାସ୍ତାଟି ଯାହା ଦିନେ ମାଟି ଥିଲା ଏବେ ପିଚୁର ପତଳା ଆସ୍ତରଣରେ ଢାଙ୍କି ନିଜକୁ ସହରିଆ ହେବାପାଇଁ ଶତତ ଚେଷ୍ଟା କରୁଥିଲା ।


ଗାଁ ଦାଣ୍ଡକୁ ବାହାରିଛି କି ନାହିଁ, କିଏ ଜଣେ ଡାକ ଛାଡିଲା " ଆରେ ରାଜୁ !! ହଇରେ ଚିହ୍ନି ପାରୁଚୁ ଟି ? ସାଙ୍ଗ ଇଆଡ଼େ ଅନା"


ସାମ୍ନାରେ ଦେଖିଲି ମୋ ସାଙ୍ଗ ଜଟିଆ ଆସୁଛି । କେମିତି ନଚିହ୍ନିବି ଯେ ତାକୁ ! ଜଟିଆର ଦେହର ଲୋମଠୁ ମୁଣ୍ଡର ଚୁଟି ସବୁକିଛି ପିଲା ବେଳୁ ପାଚିଲା, ମାନେ ଧଳା ଦେଖା ଯାଏ । ଏତେ ବର୍ଷ ପରେ ହଜିଲା ଦିନର ସାଙ୍ଗ ଜଣକୁ ପାଇକି ସତରେ ବହୁତ ଶାନ୍ତି ପାଉଥିଲି । ଦୁହେଁ ଦୁହିଁଙ୍କୁ ଖୁସିରେ ଜାବୁଡି ଧରିଲୁ । ଦୁଇ ଜଣ ବୁଢା ହେଇ ସାରିଥିଲୁ ହେଲେ ପିଲା ଦିନର ପୋଖରୀ ଗାଧୁଆ, ମାଛ ଧରା,ବିଲରୁ ଆଖୁ ଚୋରି ଆଦି ସବୁ ଯେତେବେଳେ ଆଖି ଆଗେ ଜଳ ଜଳ ହେଇ ନାଚି ଉଠିଲା ସେତେବେଳେ ନିଜକୁ ଚାଟଶାଳୀର ପିଲା ବୋଲି ଭାବି ନେଇଥିଲୁ ।


ସାଙ୍ଗ ମାନଙ୍କୁ ଏକାଠି କରିବା ପାଇଁ ଆମେ ଦୁହେଁ ସମସ୍ତଙ୍କ ଘରେ ବାଜିବା ପାଇଁ ଆଗକୁ ବଢି ଚାଲିଲୁ । ଜଟିଆ କହି ଚାଲିଥାଏ , ନବମ ଶ୍ରେଣୀରେ ପାଠରେ ଡୋରି ବନ୍ଧା ହେଲା ପରେ କେମିତି ଚାଷ କାମରେ ମନଦେଲା, କିଛି ବର୍ଷ ପରେ ବାପା ତାର ଚାଲି ଗଲେ, ଏବେ ଘରେ ତାର ବୁଢ଼ୀ ମାଆ ଆଉ ସ୍ତ୍ରୀ ସହ ସାନ ଝିଅ ଅଛି, ବଡ଼ କୁ ବାହା ଦେଇ ସାରିଲାଣି..ଇତ୍ୟାଦି ଇତ୍ୟାଦି ।


କିଛି ବାଟ ଆସିଲା ପରେ ଗାଁ ନଳକୂଅ ପାଖେ ଥିବା ଖପର ଘର ସାମ୍ନାରେ ୮୦ ବର୍ଷ ପାଖାପାଖି ହବ ଜଣେ ବୁଢ଼ୀ ବସି ଥିବାର ଦେଖିଲି । କାହିଁକି କେଜାଣି ବୁଢ଼ୀର ମୁଁହ ଟା ବହୁତ ଚିହ୍ନ ଚିହ୍ନ ଲାଗୁଥିଲା, ହେଲେ ତା ଦେହର ଶୁଷ୍କତା ଆଉ ମୁଁହ ର ମଳିନତା ଆଗରେ ମୋ ସ୍ମରଣା ଶକ୍ତି କାମ ଦେଲାନି ।


"କ'ଣ ମ ସାଙ୍ଗ ! ଚିନ୍ହି ପାରୁନୁ ୟେ କିଏ ? ଆରେ ୟେ ପରା ଆମ ଜଗନ୍ନାଥର ବୋଉ! ମାନେ ସୁନିତା ମାଉସୀ !! ତୋର ସବୁଠୁ ଭଲ ସାଙ୍ଗର ମାଆ !! ପିଲା ବେଳେ ତୁ' ତ ସବୁବେଳେ ନିଜ ଘର ଛାଡି ଏଇ ଜଗା ଘରେ ପଡି ରହୁଥିଲୁ । ଏ ବୁଢ଼ୀ ପରା ତତେ କେତେ ସ୍ନେହ ଆଦର କରୁ ନଥିଲା !! ଜଗାକୁ ନଡାକି ତତେ ଆଗ ଖାଇବାକୁ ଦଉଥିଲା । କିଛି ମନେ ପଡିଲା !?" ଜଟିଆ ମୋ ମୁଁହକୁ ଅନେଇ ପଚାରିଲା । ମୁ ଖାଲି ବଲବଲ କରି ତା ମୁଁହକୁ ଅନେଇଥିଲି ।


ଜଟିଆ କହି ଚାଲିଲା..। "ସବୁ ସମୟର ଖେଳରେ ସାଙ୍ଗ ! ତୁ ଗାଁ ଛାଡିବାର ଦୁଇ ବର୍ଷ ପରେ ପରେ ଜାଗନାଥ ରେଳବାଇ ବିଭାଗରେ କଣ ଗୋଟେ ଚାକିରୀ ପାଇଗଲା । ବାପ ଛେଉଣ୍ଡ ପିଲାଟା ନିଜ ଗୋଡ଼ରେ ଛିଡା ହେଇଚି ଯେତେବେଳେ ସୁନିତା ମାଉସୀର ଗୋଡ ଖୁସିରେ ତଳେ ଲାଗିଲାନି । ଘରେ ଜଗାର ବଢ଼ିଲା ଭଉଣୀଟିଏ ଥିବା ସତ୍ତ୍ୱେବି ସୁନିତା ମାଉସୀ ନିଜ ମନ ପସନ୍ଦର ଝିଅଟିଏ ବାଛି ସାରିଥିଲେ ଜଗାକୁ ବାହା କରବା ପାଇଁ । ହେଲେ କିଛି ମାସ ଗଲା ପରେ ନିଜେ ଜଗା ଦିନେ ମାଉସିକୁ କହିଲା ଯେ ତାଙ୍କ ଅଫିସରେ ଗୋଟେ ଝିଅ ଅଛି ଆଉ ଦୁଇ ଜଣ ପରସ୍ପରକୁ ପସନ୍ଦ କରନ୍ତି । ପୁଅର ପସନ୍ଦ ନିଶ୍ଚୟ ଭଲ ହେଇଥିବ ଭାବି ସୁନିତା ମାଉସୀ ବି ତା'ର ପ୍ରସ୍ତାବରେ ହଁ ମାରି ବାହାଘରଟା ଶୀଘ୍ର ସାରିଦେଲେ । ତା ପରେ ଯାହା ହେଲା କହନିରେ ସାଙ୍ଗ ! ସ୍ୱର୍ଗ ଭଳି ଘରଟା ନର୍କ ହେଇଗଲା । ବାହାଘରର କିଛି ମାସ ପରେ ଜଗା ସ୍ତ୍ରୀ ସହ ତା ସରକାରୀ କ୍ୱାଟରରେ ଯାଇ ରହିଲା । ଆଉ କହିଲା "ବୋଉ ଯେବେ ତୋ ଇଛା ହବ ଫୋନ କରିଦେବୁ, ମୁଁ ଆସି ତୋତେ ନେଇଯିବି" । ଛୁଟି ନେଇକି ମଝିରେ ମଝିରେ ମୁଁ ଏଠିକି ଆସିବି । ଦିଦିର ବାହାଘର ଟା ହେଇଗଲେ ତୁ ଗାଁ ଛାଡି ଆମ ସହ ରହିବୁ" । ଏମିତି କହି ସେ ଘର ଛାଡି ସ୍ତ୍ରୀ କୁ ଧରି ପଳେଇଲା । ମଝିରେ ମଝିରେ ଜଗା ଥରେ ଅଧେ ଆସିକି ମାଆ, ଭଉଣୀକୁ ଦେଖା କରିକି ଯାଉଥିଲା । ଏମିତି ବର୍ଷେ ଖଣ୍ଡେ ଗଡ଼ିଗଲା । ତା ପରେ ଜାଗା କେବେ ଗାଁ ସୀମା ମାଡ଼ିନି । ଆମେ ଶୁଣିଲୁ ସେ କୁଆଡେ ଚାକିରୀରେ ବଦଳି ହେଇକି ଓଡିଶା ବାହାରେ କୋଉଠି ସ୍ତ୍ରୀ ପିଲା ଛୁଆ ନେଇକି ରହୁଛି । ମାଆ ତା'ର ବଞ୍ଚିଛି କି ମଲାଣି ଥରେ ବି ଆସିକି ବୁଝିକି ଯାଇନି । ଭଉଣୀଟି ବୁଢ଼ୀ ହେଇଗଲା ପଛକେ ସଂସାର ଗଢି ପାରିଲାନି । ଏବେ ତା ଭଉଣୀ ପରର ମୂଳ ଲାଗି ନିଜେ ବଞ୍ଚିଛି ଆଉ ମାଉସିକୁ ବି ବଞ୍ଚେଇଛି । ବହୁତ ଦୁଃଖରେ ସାଙ୍ଗ ! ଛାଡ଼ ସେ ହୃଦୟ କାନ୍ଦଣା କଥା । ତୁ ଯାଇକି ମାଉସିକୁ ଟିକେ ଦେଖା କରିଦେ । ତାକୁ ଭଲରେ ଶୁଣା ଯାଉନି କି ଦେଖା ବି ଯାଉନି । ସବୁଦିନ ଏଇ ଅଗଣାରେ ବସିକି ଆଖିରୁ ଲୁହ ଗଡେଇ ନିଜ ପୁଅକୁ ବାହୁନୁଛି ।"


ସତେ କି ମୁଁ ଗୋଟେ ଶୁଖିଲା କାଠ ହେଇ ଯାଇଥିଲି ସେତେବେଳେ! ଏ ସବୁ ଶୁଣିଲା ପରେ ମୋ ଦେହରେ ବୋଧେ ଜୀବନ ନଥିଲା । ଗୋଡ ତଳୁ ସତେ ପୃଥିବୀଟା ଖସି ଖସି ଯାଉଛି କି !? ଆଖିରେ କେତେବେଳେ ପାଣି ଆସି ଯାଇଥିଲା ମୁ ଜାଣି ନଥିଲି । ସୁନିତା ମାଉସୀର ସାମ୍ନା କୁ ଯିବାକୁ ମୋର ସତ୍ ସାହସ ନଥିଲା କି ତାଙ୍କୁ ଦୟା ଦେଖେଇ ପିଲାବେଳର ତାଙ୍କ ସ୍ନେହ ମମତାରେ କଳଙ୍କ ବୋଳିବାକୁ ମୋର ଆତ୍ମା ଡ଼ାକିଲାନି ।


"ଏ ରାଜୁ !!" ଜଟିଆ ମୋତେ ବଡ ପାଟିରେ ଡାକିଲା । ମୁ ମୋ ନିଜ ଚେତନାକୁ ଆସିଲି । "ନାଇଁରେ ଜଟ, ମୁଁ ମାଉସୀ ପାଖକୁ ଯାଇ ପାରିବିନି । ମୋ ଦେହଟା କିଛି ଭଲ ଲାଗୁନି । ଆଜି ମୁଁ ଭୁବନେଶ୍ୱର ପଳେଇ ଯାଉଛି । ପୁଣି କେବେ ଆସିବି । ଚାଲ ମୋତେ ଛାଡିଦବୁ ।"


ଜଟିଆ କିଛି ନବୁଝିଲା ପରି ମୋତେ ଅନେଇ ରହିଲା । ମୁଁ ଶେଷ ଥର ପାଇଁ ସୁନିତା ମାଉସୀର ମୁଁହକୁ ଦେଖୁଥିଲି । ନିତି ଲୁହ ଢାଳି ଢାଳି ତା ଦୁଇ ଆଖି କୋଣରୁ ଗାଲ ପର୍ଯ୍ୟନ୍ତ ଲମ୍ବିଥିବା କଳା ଦାଗକୁ ଦେଖି ସ୍ପଷ୍ଟ ବୁଝି ପାରୁଥିଲି ତାର ଛାତି ତଳର ସାଇତା ଅକୁହା କଥା ଆଉ ଯାତନାକୁ । ରାସ୍ତା ଉପରେ ଥାଇ ତାକୁ ନଜଣେଇ ଭୂମିଷ୍ଠ ପ୍ରଣାମଟିଏ କରି ମୁଁ ପଛକୁ ଫେରିଲି । ସେଇ ସମୟରେ ବୁଢ଼ୀ ମାଆ ପ୍ରତି ଗୋଟେ ପୁଅର କର୍ତ୍ତବ୍ୟ କଣ କରିବାର ଥିଲା ହୁଏତ ସେଇ କଥା ସମସ୍ତେ ବୁଝି ପାରୁଥିବେ । ମୋ ଭଳି ଲାଚାର ଆଉ ନିର୍ବାକ ପୁଅ ଟି ସୁନିତା ମାଉସୀକୁ ସାମ୍ନା କରିବାର ଶକ୍ତି ବୋଧେ ସେଇ ସମୟରେ ନଥିଲା। କିନ୍ତୁ ମନରେ ପଣ କରିନେଲି , ଏ ବୁଢ଼ୀ ମାଆ ର ଦୁଃଖରେ ସମଦୁଃଖି ହେବା ପାଇଁ ମୁଁ ମୋ ଗାଆଁକୁ ଖୁବ୍ ଶୀଘ୍ର ଫେରିବି। ତା ଲୁହର ଅକୁହା କଥା ସବୁ ବୁଝିବା ପାଇଁ ମୋର ହୁଏତ ଏବେ ଧର୍ଯ୍ୟ ନଥିଲା । ଫେରିଲା ବେଳେ ଠାକୁରଙ୍କୁ ଡାକୁଥିଲି "ହେ ପ୍ରଭୁ ଜଗନ୍ନାଥ!, ଜୀବନରେ କେବେବି ମୋତେ ସେ ଜଗନ୍ନାଥ ସହ ଭେଟ କରେଇବନି । ଏତିକି ମିନତୀ.."



Rate this content
Log in

More oriya story from Rajeev Sahoo

Similar oriya story from Tragedy