namita dash

Tragedy

4.2  

namita dash

Tragedy

ଖଣ୍ଡିଏ ଚିଠି

ଖଣ୍ଡିଏ ଚିଠି

7 mins
363


ରଶ୍ମି ଅପାକୁ ଆଜିକାଲି ଦେଖିଲେ ଭାରି କଷ୍ଟ ଲାଗେ । କେତେ ଗପୁଡ଼ି ଥିଲା। କେମିତି ସମସ୍ତଙ୍କୁ ହସଉଥିଲା ସେ । ଆଜି ପୁରା ନିରବି ଯାଇଚି । କେହି କିଛି ପଚାରି ପାରୁନାହାନ୍ତି, କାହାକୁ କିଛି କହି ପାରୁନି । ଏ ବୟସରେ ଯେଉଁ ଦୁଃଖ ମିଳେ ତାକୁ କଣ କାହାକୁ କହି ହୁଏ !

କେଉଁଠି ଝିଅ ଶାଶୁଘରେ ଅଡ଼ୁଆରେ ପଡିଲାଣି ତ, କେଉଁଠି ବୋହୁ ଅବିଗୁଣିଆ ହେଲାଣି । ଏତେ ଏତେ କଥା ସବୁ ଘଟୁଚି ନା ବାହାଘର କଥା ଶୁଣିଲେ ମନରେ ଆପେ ଆପେ ଗୋଟେ ଶଙ୍କା ପଶେ । 

ପୁଅ ପାଇଁ ବାହାଘର କଥା ପଡ଼ିଲେ ଝିଅଟା କେମିତି ହେଇଥିବ, ଗୁରୁଜନମାନଙ୍କୁ ଭକ୍ତି କରିବ କି ନାଇଁ ।ସାନମାନଙ୍କୁ ସ୍ନେହ ଦେବ କି ନାଇଁ, ଘର ପରମ୍ପରା, ସଂସ୍କୃତିକୁ ସମ୍ମାନ ଦେବ କି ନାଇଁ । ଏପରି ଅନେକ ଆଶଙ୍କା ଡର ବିବ୍ରତ କରେ ।

ଝିଅ ପାଇଁ ପ୍ରସ୍ତାବ ଆସିଲେ ଭିନ୍ନ ଏକ ଡର ମନକୁ ଆକ୍ରାନ୍ତ କରେ । ସ୍ୱାମୀଟି ଗୁଣର ହେଇଥିବ କି ନାଇଁ । ଶାଶୁ ଶ୍ୱଶୁର ପିଲାଟିକୁ ନିଜ ପିଲା ପରି ରଖିବେ କି ନାଇଁ । ଜୋଇଁର କିଛି ବଦଭ୍ୟାସ ନାହିଁ ତ ! ଆଜିକାଲି ପିଲାଙ୍କ କଥା କଣ କହିବ, ଭଲ ପାଉଚି ବୋଲି ଗୋଟେ ଥିବ ବାପା ମାଆର ମନ ରଖିବା ପାଇଁ ଆଉ ଗୋଟେ ବାହା ହେଇଯିବେ। ବାହାଘର କଣ ପିଲା ଖେଳ ହେଇଚି !

ଏମିତି ଅଘଟଣ ତ ଘଟୁଚି । ଏଣୁ ଏ ସବୁ ବିବାହ ପୂର୍ବରୁ ସ୍ଵାଭାବିକ ଭାବେ ମନକୁ ଆସୁଚି। ଡର ବି ଲାଗୁଚି ପୁଅ ଝିଅଙ୍କ ଜୀବନ ସହ ଖେଳିବା ପରି ହେଇ ଯାଉଛି । ପ୍ରେମ ବିବାହ କଲେ ଯିଏ ଯାହା ମନଲାଖି ପାଆନ୍ତେ ଭଲ ହୁଅନ୍ତା ଯେ, ସେ ବି କୋ ଭଲରେ ରହୁଚନ୍ତି ? ବର୍ଷେ ନ ରହୁଣୁ ହଜାର ଖୁଣ ବାହାର କରିବେ ପରସ୍ପରର । ତାପରେ ଛାଡପତ୍ରର ପ୍ରସ୍ତୁତି ପର୍ବ ଆରମ୍ଭ ହୁଏ । କୋଟିଏରେ ଗୋଟିଏ ପ୍ରେମ ବିବାହ ସଫଳତାର ସହ ଜୀବନ ବଞ୍ଚନ୍ତି ।

ଛାଡ଼ ଏ ସବୁ ବି କମ ଦୁଃଖଦାୟକ କଥା ନୁହଁ । ସବୁରି ଘରେ ଆଜି ଏଇ ଦଶା । ରଶ୍ମି ଅପା ତ ସହଜେ ଭାରି ଧିରସ୍ଥିରିଆ ମଣିଷ । ତା ସମନସ୍କନ୍ଦ ମଣିଷଙ୍କ ସହ ଗପେ, ହସେ, ଢେର ସମୟ ବିତେଇପାରେ କିନ୍ତୁ ଏସବୁ ସଂସାର ଭଙ୍ଗା କଥା, କି ଅଟପି କଥା ସେ ଜମ୍ମା ବୁଝେନି ।

ପୁଅ ବାହାହେଇ ବୋହୁ ଆସିଲା ଦିନୁ ସେ ଘରେ କୁଟl ଖଣ୍ଡକୁ ଦିଖଣ୍ଡ କରିନି ରଶ୍ମି ଅପା । ଦି ପୁଅ ପଢୁଚନ୍ତି । ଝିଅ ବଡ଼ ବୋଲି ଆଗ ବାହା ହେଇ ଘର ସଂସାର କରିଚି ପାଞ୍ଚ ବର୍ଷ ହେବ । ଦୁଇ ବର୍ଷର ପୁଅଟିଏ କୋଳରେ ତାର ।

ସୁଖର ସଂସାରରେ ଦିନ କାଟୁଚି ଅପା । ପୁଣି ଆଜି କି ଦୁଃଖ ତାକୁ ମାଡି ପଡିଚି ଯେ ସେ ନିରବ ହେଇ ଯାଇଛି । ଆଖିର ଚଞ୍ଚଳପଣ ହଜିଯାଇଛି । ପାଦ ଯେମିତି ଥବିର ହେଇଯାଇଛି । କୋଉଠି ଠିଆ ହେଇଚି ତ ହେଇଚି । କୁଆଡ଼େ ଗୋଟେ ଚାହିଁ ରହିଚି ତ ରହିଚି। କିଏ ଡାକି ଦେଲେ ତରକି କି ଚାହୁଁଛି ।

ପୁଅମାନେ ଯେମିତି ଭଲ, ଗୁଣର ଝିଅଟି ବି ସେମିତି ଅତି ଭଲ । ପାଞ୍ଚ ବର୍ଷ ଘର କରିବା ଭିତରେ ଝିଅ ନାଁରେ ଦିନେ ଅଭିଯୋଗ ନାଇଁ । ବର୍ଷକୁ ଦୁଇ ଥର ବାପଘର ବୋଲି ଆସେ 1 ଭାଉଜ ସହ ମିଳିମିଶି ହସ ଖୁସିରେ ୧୫ ଦିନ ରହିକି ଯାଏ ।

ଆମେ ସବୁ ତ ଦେଖିଚୁ ରଶ୍ମି ଅପାକୁ ବି ତା' ଘରକୁ ବି। ଦିନେ କେବେ ସେମିତି କଥାଟେ ଶୁଣିନୁ ଯେଉଁଥିରେ ଅପା ଦୁଃଖ କରିବ । 

ସୂର୍ଯ୍ୟ ଭାଇ ବି ଭାରି ଅମାୟିକ, ଭଦ୍ର, ଶାନ୍ତ, ସରଳ ମଣିଷ । ସରକାରୀ କାର୍ଯ୍ୟରୁ ଆଉ ତିନି ବର୍ଷ ପରେ ଅବସର ନେବେ ବୋଧେ ।ରୁଟିନ ଲାଇଫ୍ ତାଙ୍କର । କାର୍ଯ୍ୟ ଭାର ଯୋଗୁଁ ଉଚ୍ଚ ରକ୍ତଚାପ ଏଇ କିଛି ବର୍ଷ ହେବ ତାଙ୍କୁ ଆପଣେଇଚି ଯାହା । ନହେଲେ ରୋଗ ବୈରାଗର ଦୁଃଖ ବି ଭଗବାନଙ୍କ ଦୟାରୁ ସେମାନଙ୍କଠୁ ଦୂରେଇ ଅଛି ।

ଆଜି ହିଁ ତା' ମନକୁ ଖୋଲିବାକୁ ହେବ । ଏମିତି ଆଉ କେତେ ଦିନ । ଆମ ଗ୍ରୁପ ତା' ଅନୁପସ୍ଥିତିରେ ବଡ଼ ଖାଁ ଖାଁ ଲାଗୁଚି। କେବେ କିଛି ଲୁଚାଏନି ସେ ଆମଠୁ । କି କଥା, କି ବ୍ୟଥା ସେ ମନରେ ଲୁଚେଇ ରଖିଚି କେଜାଣି । ନିଶ୍ଚୟ କିଛି ଗୋଟେ ବଡ଼ କଥା ହେଇଥିବ ନତୁବା ଅସହ୍ୟ ଯନ୍ତ୍ରଣା କିଛି ହୃଦୟରେ ବସା ବାନ୍ଧିଥିବ । ଯାହା ହେଇ ଥାଉ ଆଜି ତାକୁ ସବୁ କଥା ଆମକୁ କହିବାକୁ ହେବ ।

ଆମ ଗ୍ରୁପ ସଂଧ୍ୟା ୫ ରୁ ୭ ଯାଏ ଗାଡନର ଗୋଟେ ପାଖରେ ଜମା ହେଇ ବସୁ ପ୍ରତିଦିନ । ରଶ୍ମି ଅପା ଏବେ କିଛି ଦିନ ହେବ ନିୟମିତ ଆସୁନି । ବ୍ୟାୟାମ, କସରତ ବି କରୁ । ସେ ଆମକୁ ଶିଖାଏ ଟି.ଭି.ରୁ ଯାହା ଶିଖିଥାଏ । ତା ଅନୁପସ୍ଥିତିରେ ଆମେ ବି ଫାଙ୍କି ଦେଉଚୁ ।

ଆଜି ଯଦି ସେ ନ ଆସେ ତ ତାକୁ ଡାକି ଆଣି ତା' ମନକୁ ଭଲ କରିବାକୁ ହେବ ।

ଆମେ ସବୁ ଆସିଲା ବେଳକୁ ରଶ୍ମି ଅପା କେତେବେଳୁ ଆସି ବେଞ୍ଚରେ ବସି ଯାଇଚି । ଗାର୍ଡେନରେ ବୁଲୁଥିବା, ଖେଳୁଥିବା, ଅନ୍ୟମାନଙ୍କୁ ଦେଖି ସମୟ କାଟୁଚି। ଅନ୍ୟ ଦିନ ହେଇଥିଲେ ଘର ଘରକୁ ଯାଇ ଆମମାନଙ୍କୁ ଟାଣି ଆଣିବ।

ଯାହା ହେଉ ସେ ଆସିଛି ତ ତାକୁ ପଚାରିବା କଣ ହେଇଚି ତାର । ପାଖରେ ଯାଇ ବସିଲି ମୁଁ । ମତେ ଛାଡ଼ି ଆଉ ଦି'ଜଣ ବି ଆସିଥିଲେ କିନ୍ତୁ ସେମାନେ ଟିକେ ଦି'ଘେରା ଚାଲି କି ଆସିବେ ବୋଲି ଗଲେ ତ ମତେ ସୁବିଧା ହେଲା ତାକୁ ଟିକେ ଅନ୍ତରଙ୍ଗ ହେଇ ପଚାରିବା ପାଇଁ ଯେ କଥା କଣ?

ପଚାରିଲି, ଅପା ତୁ କେତେବେଳୁ ଆସିଲୁଣି ? କହିଲା - ଏବେ ହିଁ ଆସିଲି । କହିଲି - ଟିକେ ଚାଲିଲୁନି ? କହିଲା - ଭଲ ଲାଗୁନି କିଛି । ଚାଲିବାକୁ ମନ ହଉନି । ତୁ ଯା' ୧୦ ମିନଟ ଚାଲି କି ଆ । କହିଲି - ନା ମ ଆଜି ଏତେ କାମ ଥିଲା ଘରେ ମତେ ବଡ଼ ହାଲିଆ ଲାଗୁଚି । ଆଜି ଆଉ ଚାଲିବିନି । ପଚାରିଲା - ଗଡ଼ିଲୁନି କି ଟିକେ ଦିପହରେ ? କହିଲି - ନା ଲୋ, ସିଲେଇ କାମ ଟିକେ ଥିଲା ତ, ଆଜି କରିବି କାଲି କରିବି କହି କୋ କାଳୁ ପଡିଥିଲା । ଆଜି କରିଦେଲି।କହିଲା - ଆଛା । ହଉ କାମଟେ ହେଇଗଲା ତ।

କିଛି ସମୟ ସେ ନିରବରେ ବସିଲା । ମୁଁ ବି କଣ ପଚାରିବି ଭାବୁଥାଏ । କହିଲି -ଅପା କଣ କିଛି ଅସୁବିଧା ଅଛି କି ଘରେ ,ତୁ ଏମିତି ଚୁପ୍ ଚାପ୍ ଅଛୁ କିଛି ଦିନ ହେଲାଣି ଜମ୍ମା ଭଲ ଲାଗୁନି । କଣ ବି, କିଛି ବି ଅସୁବିଧା ଅଛି ଯଦି ମତେ କହ ମୁଁ ନିହାତି ସାହାଯ୍ୟ କରିବି ତତେ।

ଚାହିଁଲା ମତେ । ସେ ଚାହାଣୀରେ କେତେ ଅନୁରୋଧ, କେତେ ବିକଳ ପଣ ଥିଲା ସେ କଥା କେବଳ ମୁଁ ହିଁ ଜାଣିଚି।କହିଲା - ସାବି ତୁ ଜାଣିଚୁ ମୋ ପରିବାର ବଡ଼ ସୁଖୀ ପରିବାର ବୋଲି ତମେମାନେ କୁହ। ଠିକ୍ କଥା । କିନ୍ତୁ ଏତେ ଖୁସି, ସୁଖ କଣ ଦଇବ ସହେ ।ମୁଁ ତା କଥାକୁ ଆଶ୍ଚର୍ଯ୍ୟ ହେଇ ଶୁଣୁଥାଏ । ଦଇବ କଣ ଅଡ଼ୁଆ କରିଦେଲା ତା' ପରିବାର ପାଇଁ !!

କହିଲା - ପୁଅ ବୋହୁ, ଝିଅ ଜ୍ଵାଇଁ, ନାତି ନାତୁଣୀରେ ମୋ ଘର ପୁରି ଉଠିଚି। ମୁଁ ତ ସୁଖରେ, ଶାନ୍ତିରେ ନିଃଶ୍ୱାସ ମାରୁଥିବା କଥା। ଆଜି ମୋର ବ୍ଳଡ ପ୍ରେସର ହାଇ ହେଇଯାଇଚି, ମତେ ବିଶ୍ରାମ ନେବାକୁ ଡକ୍ଟର କହିଚି।

ପଚାରିଲି - କାହିଁକି ଅପା କଣ ହେଲା ତୋର? କି କଥାକୁ ମନରେ ଗଣ୍ଠି କରିଚୁ ଯାହା ପାଇଁ ଆଜି ତୋର ଏ ଅବସ୍ଥା ।

କହିଲା - ଜାଣିଚୁ ସାବି, ଆମ ଗ୍ରୁପର କାହାକୁ ମୁଁ ଏମିତି କଥା କହି ପାରିବିନି କିନ୍ତୁ ତତେ କହି ଦେଇପାରେ କାରଣ ତୁ ଏକା ମାଆ ପେଟର ସାନ ଭଉଣୀ ପରି ଲାଗୁ । ତୋ ଭାଇଙ୍କୁ ବି କହିପାରେନି ଯାହା ତତେ କହିପାରେ ।

କହିଲି - ଅପା ତୁ ଯାହା ମନରେ ରଖିଚୁ କହ ମତେ, ମୁଁ ବୁଢୀ ଠାକୁରାଣୀ ରାଣ ଖାଇ କହୁଛି ତୋ କଥା ମୋ ଛାତି ଭିତରେ ମଲାଯାଏ ମୁଦ ଦେଇ ରଖିବି।

କହିଲା - ଜାଣିଚି ଲୋ ତତେ । ତୋ ଉପରେ ମୋର ଅତୁଟ ବିଶ୍ଵାସ । ତୁ ହିଁ ତ ମୋ ଝିଅ ଟିଆର କଥାକୁ ଆଜି ଯାଏ ଛାତିରେ ପୋତି ରଖିଚୁ । ପିଲା ବୟସରେ କିଏ ଦୋଷ ନକରେ ଲୋ ଅପା ଭୁଲିଯା ସବୁ କହି ପରିସ୍ଥିତିକୁ ସାମାନ୍ୟ କରିଦେଲୁ ମୁଁ ବି ସବୁ ଭୁଲିଗଲି। ଝିଅକୁ ବି ବୁଝେଇ ଦେଲୁ ଏ ବୟସର ପ୍ରେମ ଅଳିକ ଲୋ ମା । ପଢାରେ ମନ ଲଗା। ତା' ବାପା ଅଭିମାନରେ ଦିନେ ଖାଇବା ଛାଡିଦେଲେ ଯେ ଟିଆ କାନ୍ଦି କାନ୍ଦି ଅନୁରୋଧ କଲା ନନା ମୋର ଭୁଲ ପାଇଁ କ୍ଷମା କରିଦିଅ ଆଉ କେବେ ତମକୁ ଏତେ କଷ୍ଟ ଦେବିନି । ତାପରେ ଭାଇ ଖାଇଥିଲେ । ସେ ପିଲାର ବାପାକୁ ଭାଇ ଅନୁରୋଧ କରିଥିଲେ କି ଆମ ଝିଅ ସହ ଆଉ ଦିନେ ଯଦି କେବେ ତମ ପୁଅକୁ ଦେଖିଚି ତ ପୋଲିସରେ ଦେଇଦେବି। ଆଉ ଦେଖା ନାଇଁ ସେବଠୁ ସେ ପିଲାର । ତାପରେ ତୁ ଆଉ ଆମେ ଏଠି ମିଶି କି ଘର କିଣି ଆସିଗଲେ। ଟିଆର ଜାଗା ପରିବର୍ତ୍ତନରେ ମନ ବି ବଦଳିଗଲା ।ସବୁ ପୂର୍ବଠୁ ଆହୁରି ଭଲରେ ଚଳିଲେ ।

ମୁଁ କହିଲି - ଅପା ଜାଣେ ସେ ସବୁ ।ତୁ ଆଜି ପୁଣି ସେ କଥା କାହିଁକି ପକଉଚୁ ।କହିଲା - ତୁ ରାଣ ଖାଇଲୁ ବୋଲି ଏତକ ମନକୁ ଆସିଲା।କହିଲି - କହ ଏବେ, କି କଥା ତତେ ଏତେ ଖାଉଚି । ରୋଗୀଣା ହେଲୁଣି ।କହିଲା - ସାବି ଏମିତି କଥାଟେ ଘଟୁଚି ଏବେ ଯେ ମୁଁ ଜାଣିଥିଲେ ବି ତୋ ଭାଇଙ୍କୁ କହି ପାରୁନି । କ'ଣ ବୋଲି କହିବି। ପୁଅମାନେ କଣ ଭାବିବେ, ବୋହୁଟା କଣ ଭାବିବ । କହିଲି ବ୍ୟସ୍ତ ହେଇ-ଅପା କହ କଣ ହେଲା ?ତୁ ଏମିତି ପୂର୍ବାପରସଙ୍ଗତି, ମୟୁର ଚନ୍ଦ୍ରିକା କରନା। କହ ଜଲଦି ମତେ ବ୍ୟସ୍ତ ଲାଗୁଚି।

କହିଲା - ଚାଲ ଘରକୁ ଯିବା ସନ୍ଧ୍ୟା ଗଡ଼ିଗଲାଣି। ଧୂପ ଦେଇ ପୂଜା କରିବା। କାଲି ମୁଁ ତୋ ପାଖକୁ ଆସିବି ସୁଧିର ଅଫିସ ଗଲାପରେ । ତୋ ଘର ଫାଙ୍କା ଥିବ । ମୋ ଘରେ ତ ବୋହୁ ଅଛି । ମୁଁ ଚାହେଁନି ଏ କଥା କିଏ ବି ଏବେ ଜାଣନ୍ତୁ ।

କହିଲି -ହଉ ତେବେ ଚାଲ ଯିବା ,ସୁଧିର ଆସିଯିବେ।

ଅପା ହାତରେ ଖଣ୍ଡେ କାଗଜ ଧରିଚି। ସମ୍ଭବତଃ ଚିଠି ପରି ଲାଗୁଚି। ତାକୁ ଶୋଇବା ଘର ଖଟରେ ବସେଇ ଚା' ଦି'କପ୍ ଆଣି ବସିଲି ତା' ପାଖେ ।କହିଲି - କହ ଅପା ନିଶ୍ଚିନ୍ତ ହେଇ କି ଯାହା କହିବୁ କହ । କେହି ଆମକୁ ଶୁଣି ପାରିବେନି ।କହିଲା - ସାବି ନେ ,କିଛି କହିବା ଆଗରୁ ତୁ ଏଚିଠି ପଢ।

   ବୋଉ, ପ୍ରଣାମ ନେବୁ । ଚିଠି ଦେଖି ତୁ ଆଶ୍ଚର୍ଯ୍ୟ ହେବୁ କିଛି ସମୟ ତଳେ ତ କଥା ହେଇଥିଲି ଫୋନରେ । ପୁଣି ଚିଠିରେ କଣ ଲେଖିଚି ମୁଁ । ଫୋନରେ କିମ୍ବା ତୋ ସାମ୍ନାରେ ଏ ସବୁ କଥା ମୁଁ ହେଇ ପାରିବିନି କି କହି ପାରିବିନି ।ତୋ ସହ ମୁଁ ଏମିତି କଥା ଗୁଡ଼ାକ କେମିତି ହେଇ ପାରିବି। ଭାଇମାନେ ସାନ। ମତେ ବୁଝି ପାରିବେନି । ଭାଇ ସ୍ତ୍ରୀ ଏସବୁ ଶୁଣିଲେ କେଜାଣି କି ପ୍ରକାର ପ୍ରତିକ୍ରିୟା କରିବ। ତୁ ମତେ ବୁଝିପାରିବୁ ବୋଲି ତତେ ହିଁ କହୁଛି। ତୁ ମତେ କହ ମୁଁ କଣ କରିବି।

   ରିଦମ୍ ପୁଣି ଫେରି ଆସିଚି ମୋ ଜୀବନକୁ । ମୁଁ ବିବେକର ଶତବାରଣ ସତ୍ତ୍ଵେ ତା' ହୃଦୟ ମୋର ହେଇ ଯାଉଚି । ତାକୁ ନ ଦେଖି ମୁଁ ରହି ପାରୁନି । ହଁ ତତେ କହିଦିଏ ସେ ଏଠିକୁ ଆସିଲା କେମିତି? ଆମ କଲୋନୀରେ ତାର କେହି ସଂପର୍କୀୟ ଅଛନ୍ତି । ସେ ଆସିଥିଲା କିଛି କାମ ପାଇଁ । ଲକ୍ ଡାଉନ ଲାଗି ରହିଗଲା । ଜ୍ଵାଇଁ ତ ବି ଆସି ପାରୁ ନାହାନ୍ତି ଏଣୁ ମତେ ସଉଦା ଆଣିବାକୁ ଯିବାକୁ ହେଉଛି । ଏମିତି ବାଟରେ ହିଁ ଦେଖାହେଲା ।ବାରମ୍ବାର ଦେଖାହେଲା । ଆଜି ଯାଏ ବାହା ହେଇନି ସେ ବୋଉ । କହୁଚି ମୋ ପାଇଁ ହିଁ ନ ବାହା ହେଇ ରହିଚି ସେ।

ମୁଁ ତା'ଠୁ ଆଉ ଦୂରେଇ ରହି ପାରିବିନି । ଜାଣିଚି ତମେମାନେ ମୋ ସହ ସଂପର୍କ କାଟିଦେବ ତୋ ଜ୍ଵାଇଁ କେବେ ମତେ କ୍ଷମା କରିବେନି । ପୁଅକୁ ମୁଁ ସାଥିରେ ନେଇକି ଯିବି । ତା' ବିନା ମୁଁ ବଞ୍ଚି ପାରିବିନି । କରୋନା ପରିସ୍ଥିତି ଟିକେ ସୁଧାରିବା ମାତ୍ରେ ଆମେ ପଳେଇଯିବୁ । ମୋ ରାଣ ଏ କଥା କାହାରିକୁ କହିବୁ ନାହିଁ। ନନାଙ୍କୁ ବି ନାହିଁ । ଯେବେ ଯିବି ତା ପରେ ତ ସମସ୍ତେ ଜାଣିବେ ।

ଛାଡପତ୍ର ଦେଇଦେବି ବିକ୍ରମକୁ । ମତେ ତାଙ୍କର କୌଣସି ସମ୍ପତ୍ତି ଦରକାର ନାଇଁ । ରିଦମ୍ ବ୍ୟାଙ୍କରେ କାମ କରେ । କିଛି ଅସୁବିଧା ହେବନି ଆମର । ତତେ ଅନୁରୋଧ କାହାକୁ କିଛି କହିବୁ ନାହିଁ।   

                      ଇତି            

  ତୋ ଝିଅ

ଚିଠିଟି ହାତରେ ମୋର ଏତେ ଦୃଢ଼ ଭାବେ ଥିଲା ଯେ ହାତ ମୋର ବଥା ହେଲା । ମୁଁ ନିରୁତ୍ତର, ଉପାୟଶୂନ୍ୟ, କିଛି ଦିନ ତଳେ ଯେମିତି ରଶ୍ମି ଅପା ଦିଶୁଥିଲା ମୁଁ ଏବେ ସେମିତି ଦେଖାଗଲି।

ରଶ୍ମି ଅପା କାନ୍ଦୁଥିଲା । ମୁଁ ହତାଶବୋଧରେ ଏଥିପାଇଁ ଥିଲି ଯେ କାଲି ତାକୁ ମୁଁ ଭରସା ଦେଇଥିଲି ଯାହା ଅସୁବିଧା ଥିବ ମୁଁ ସୁବିଧା କରିଦେବି ବୋଲି ଆଜି ମୁଁ ସଂପୂର୍ଣ୍ଣ ଅସହାୟ । ମୋ ଆଖିରେ ବି ରଶ୍ମି ଅପା ଆଖିର ଲୁହ । ଖଣ୍ଡିଏ ଚିଠି କେମିତି ଧ୍ୱସ୍ତ ବିଧ୍ୱସ୍ତ କରି ଦେଇପାରେ ସୁଖୀ ଜୀବନକୁ ।



Rate this content
Log in

Similar oriya story from Tragedy